Unknown

 

 

 

 

 

 

 

 

 

ହିତୋପଦେଶ

ଶ୍ରୀ ଗୋବିନ୍ଦ ରଥ

 

ରାଗ-ବଙ୍ଗଳାଶ୍ରୀ

 

ପ୍ରଥମେ ଶିବଙ୍କୁ ନମସ୍କାର କରି ହିତୋପଦେଶ ସଂସ୍କତ ।

ବିଚାରିଣ ଗତୀଶ୍ୱର ମିଶ୍ର ଭାଷା ପ୍ରବନ୍ଧରେ କଲେ ଗୀତ ।୧।

ଗ୍ରନ୍ଥ ମୂଳେ ବିପ୍ର ନାରାୟଣ କରିଅଛି ମଙ୍ଗଳାଚରଣ ।

ଅଶଂସାରୂପରେ ନିର୍ବିଘ୍ନେ ଗ୍ରନ୍ଥର ସମାପ୍ତି ରୂପରେ ଶୁଣ ।୨।

ଯାର ମୁଣ୍ଡେ ଗଙ୍ଗାଫେନ ଲେଖା ପ୍ରାୟେ ବିରାଜେ ଶଶୀ ସକଳ ।

ସେ ଗଙ୍ଗାଧର ପ୍ରସାଦରୁ ସାଧୁଙ୍କ ସାଧ୍ୟ ହେଉ ସିଦ୍ଧ ଫଳ ।୩।

ଏ ହିତୋପଦେଶ ଶୁଣିଲା ମାତ୍ରକେ ସବୁ ସଂସ୍କୃତ ଜାଣଇ ।

ସର୍ବ ବିଷୟରେ ବଚନ ଚାତୁରୀ ରାଜନୀତି ବିଦ୍ୟା ହୋଇ ।୪।

ଅଜର ଅମର ପ୍ରାୟେ ବୁଦ୍ଧିମନ୍ତ ଧନ ବିଦ୍ୟା ଅରଜିବ ।

ମୁହିଁ ସର୍ବଦା ମୃତ୍ୟୁଗ୍ରସ୍ତ ବିଚାର ଧର୍ମାଚରଣ କରିବ ।୫।

ସବୁ ଦ୍ରବ୍ୟମାନଙ୍କରେ ବିଦ୍ୟାଦ୍ରବ୍ୟ ଉତ୍ତମ ବୋଲି ସେ କହି ।

ସବୁକାଳେ କେହି ନ ପାରଇ ନେଇ ଅମୂଲ ଅକ୍ଷୟ ସେହି ।୬।

ବିଦ୍ୟା ପଢ଼ିଲେ ଯେ ବିନୟ ହୁଅଇ ବିନୟରୁ ହୁଏ ଯୋଗ୍ୟ ।

ଯୋଗ୍ୟପଣରୁ ଜ୍ଞାନ ପୂର୍ଣ୍ଣ ହୁଅଇ ଜ୍ଞାନ ହେଲେ ମୋକ୍ଷ ଭୋଗ୍ୟ ।୭।

ନୀଚଗତ ବିଦ୍ୟା ନରକୁ ସମର୍ଥ ନୃପକୁ ଭେଟ କରାଇ ।

ଯେହ୍ନେ ନୀଚଗତ ସରିତ ଜଳକୁ ସମୁଦ୍ର ପ୍ରବେଶ ଦେଇ ।୮।

ଶାସ୍ତ୍ର ବିଦ୍ୟା ଶସ୍ତ୍ର ବିଦ୍ୟା ଏ ଯୋଡ଼ିଏ ପ୍ରାଣରକ୍ଷକ ଜନର ।

ଶସ୍ତ୍ର ବିଦ୍ୟା ବୃଦ୍ଧକାଳେ ହାସ୍ୟକର ଶାସ୍ତ୍ରେ ସର୍ବଦା ଆଦର ।୯।

ନୂତନ ପାତ୍ରରେ ସଂସ୍କାର ହୋଇଲେ କେବେହେଁ ଅନ୍ୟଥା ନୋହି ।

ବାଳକମାନଙ୍କୁ କଥା କପଟରେ ରାଜନୀତି ବିଦ୍ୟା କହି ।୧୦।

ମିତ୍ର ଲାଭ ଯେ ସୁଦୃଦ୍ଭେଦ ବିଗ୍ରହ ସନ୍ଧି ଚାରି କଥା ଅଛି ।

ପଞ୍ଚ ତନ୍ତ୍ର ଅନ୍ୟ ଗ୍ରନ୍ଥମାନଙ୍କରୁ ବାଛି କରି ଲେଖୁ ଅଛି ।୧୧।

ଗଙ୍ଗା ତୀରରେ ପାଟଳି ପୁତ୍ର ବୋଲି ଏକ ନଗର ସେ ଥିଲା ।

ତହିଁରେ ପ୍ରଭୁ ସର୍ବଗୁଣ ସମ୍ପନ୍ନ ସୁଦର୍ଶନ ରାଜା ହେଲା ।୧୨।

ତାହାର ସୁନ୍ଦର ଯୌବନ ସମ୍ପନ୍ନ ଅଷ୍ଟାଦଶ ପୁତ୍ର ହେଲେ ।

ଦିନେ ସେହି ରାଜା କେହି ପଢ଼ୁଥିଲା ଯୋଡ଼ିଏ ଶ୍ଳୋକ ଶୁଣିଲେ ।୧୩।

ଅନେକ ସନ୍ଦେହ ଛିଣ୍ଡାଇ ଦୂରସ୍ଥ ଦ୍ରବ୍ୟ ଦର୍ଶନ କରାଇ ।

ଶାସ୍ତ୍ର ସେ ସମସ୍ତ ଜନଙ୍କ ଲୋଚନ ନ ଥିଲେ ଅନ୍ଧବୋଲାଇ ।୧୪।

ଯଉବନ ଧନ ଅବିବେକପଣ ପ୍ରଭୁତ୍ୱ ଚାରି ଅନର୍ଥ ।

ଗୋଟିକେ ଗୋଟିକେ ସବୁ ଯାହାଠାରେ କି କହିବା ସେ ଅସାର୍ଥ ।୧୫।

ଏମନ୍ତେ ଶୁଣିଣ ସେ ରାଜା ମୁରୁଖ ପୁତ୍ରଙ୍କର ଉପଦେଶ ।

କିରୂପେ ହୋଇବ ଏମନ୍ତ ବିଚାରୁଁ ଚିନ୍ତା ହୋଇଲା ପ୍ରବେଶ ।୧୬।

ବିଦ୍ୟାବନ୍ତ ଧନବନ୍ତ ଯେ ନୁହଇ ସେ ପୁତ୍ର ନୁହଇ କିଛି ।

ଚକ୍ଷୁ କଣା ହେଲେ ତହିଁରୁ କି କାର୍ଯ୍ୟ ବଡ଼ ନେତ୍ର ଦୁଃଖଅଛି ।୧୭।

ଯେଉଁ ପୁତ୍ର ଜାତ ହେଲେ ବଂଶେ କୀର୍ତ୍ତି ଜାଣ ସେହି ପୁତ୍ର ଜାତ ।

ଅନିତ୍ୟ ସଂସାରେ ପୁଣି ପୁଣି ଜନ୍ମ ହୋଇ କେ ନୁହଇ ମୃତ ।୧୮।

ଏକ ପୁତ୍ର ବିଦ୍ୟାଯୁକ୍ତ ସାଧୁ ହେଲେ ଆପଣା କୁଳ ପ୍ରକାଶ ।

କରଇ ଚନ୍ଦ୍ର ଯେହ୍ନେ ଏକା ହୋଇ ସେ ସମସ୍ତ ଦ୍ରବ୍ୟକୁ ହାସ୍ୟ ।୧୯।

ଦାନ ତପସ୍ୟା ଶୁରପଣ ବିଦ୍ୟାରେ ଧନ ଲାଭରେ ଯାହାର ।

କୀର୍ତ୍ତି ପ୍ରକାଶ ନୁହଇ ସେହି ଜାଣ କେବଳ ମାତ୍ର ଉଚ୍ଚାର ।୨୦।

ଗୁଣି ଗଣଙ୍କ ଗଣନା ସମୟରେ ଯା ନାମ ଗଣନା ନୋହି ।

ଏପୁତ୍ରରେ ମାତା ପୁତ୍ରବତୀ ଯେବେ ବନ୍ଧ୍ୟା ବୋଲି ତାକୁ କହି ।୨୧।

ପୁଣ୍ୟ ତୀର୍ଥେ ତପ ତୁଷ୍କର କର୍ମ୍ମରେ ଅଛି ଉଦ୍ୟମ ଯାହାର ।

ସମୃଦ୍ଧ ଧାର୍ମିକ ଶୂଚିବନ୍ତ ବଶ୍ୟ ପୁତ୍ର ହୁଅଇ ତାହାର ।୨୨।

ନିତ୍ୟ ଧନାର୍ଜ୍ଜନ ଆରୋଗ୍ୟ ସ୍ୱଭାର୍ଯ୍ୟା ପ୍ରିୟ କରେ ପ୍ରିୟ କହେ ।

ପୁତ୍ର ବଶ ବିଦ୍ୟା ଅର୍ଥକାରୀ ଷଡ଼ ସର୍ବଜନ ହିତ ହୁଏ ।୨୩।

କିରୂପେ ବର୍ତ୍ତମାନରେ ମୋର ପୁତ୍ରମାନେ ହେବେ ଗୁଣବନ୍ତ ।

ଆଉ ବିଷୟ ମନରେ ଆଭାସୁଛି କହିବା ପୁଣି ଉଦନ୍ତ ।୨୪।

ଆୟୁଷ କର୍ମ୍ମଧନ ବିଦ୍ୟା ମରଣ ପଞ୍ଚ ପ୍ରକାର ଏ ଜାଣ ।

ଗର୍ଭେ ଥିଲାବେଳେ ସର୍ବ ଜନ୍ତୁଙ୍କର ସର୍ଜ୍ଜନା କରେ ଦ୍ରୁହିଣ ।୨୫।

ଯେ ବଡ଼ ଲୋକ ତାହାର ହେବା କଥା ଅବଶ୍ୟ ହୁଅଇ ଜାଣ ।

ନୀଳକଣ୍ଠ ଦିଗମ୍ୱର ହରିଙ୍କର ମହା ସର୍ପରେ ଶୟନ ।୨୬।

ଯେ ହେବା କଥା ସେ ହୋଇବ ନୋହିବ କଥା ନୋହିବ ସେ ଜାଣ ।

ଏହି ବାକ୍ୟ ଚିନ୍ତା ବିଷଘ୍ନ ଔଷଧ ସର୍ବଜନଙ୍କର ପାନ ।୨୭।

ଯେଉଁମାନେ କାର୍ଯ୍ୟ କରି ନ ପାରନ୍ତି ଏହା ବୋଲନ୍ତି ସେମାନେ ।

ଉଦ୍ୟମ ନ କଲେ ନୋହେ କାର୍ଯ୍ୟ ସିଦ୍ଧି ଦୃଷ୍ଟାନ୍ତ ଶୁଣବିଧାନେ ।୨୮।

ଯେହ୍ନେ ଏକ ଚକ୍ରଯୁକ୍ତ ହେଲେ ରଥ ଗମନ କେବେହେଁ ନୋହି ।

ତେହ୍ନେ ଦୈବ କର୍ମ୍ମ ବିନା ଉଦ୍ୟମରେ କେବେହେଁ ସିଦ୍ଧ ନୁହଇ ।୨୯।

ପୂର୍ବ ଜନ୍ମରେ ଅର୍ଜ୍ଜିତ ଯେଉଁ କର୍ମ୍ମ ତାହାକୁ ବୋଲୁ ଦଇବ ।

ସେହି ହେତୁରୁ ସମସ୍ତ ଜନମାନେ କାର୍ଯ୍ୟେ ଉଦ୍ୟମ କରିବ ।୩୦।

ଯେହ୍ନେ କୁମ୍ଭକାର ମୃତ୍ତିକା ପିଣ୍ଡରୁ ଯାହା ଯାହା ଇଚ୍ଛା କରେ ।

ତାହା କରଇ ସେରୂପେ ଆତ୍ମ କର୍ମ୍ମ ଲଭନ୍ତି ସମସ୍ତ ନରେ ।୩୧।

କାକତାଳ ସଙ୍ଗ ଭୋଗ ପ୍ରାୟ ଧନ ଲାଭକୁ ଯେବେ ଦେଖିବ ।

ଦଇବ ପ୍ରମାଣ ବୋଲି ପୁରୁଷାର୍ଥ ଯତ୍ନ କେବେ ନ ପଡ଼ିବ ।୩୨।

ଦଇବ ପ୍ରମାଣ ବୋଲି କଦାଚିତେ ଯତ୍ନ ନ ଛାଡ଼େ ଆପଣ ।

ଉଦ୍‌ଯୋଗ ନ କରି ତିଳମାନଙ୍କରୁ ତୈଳ ପାଏ କେଉଁଜନ ।୩୩।

ଉଦ୍ୟମରୁ ଧନ ହୁଅଇ ନିଶ୍ଚିତ ଯତ୍ନ ବିନା ଫଳ କାହିଁ ।

ଶୋଇଲା ସିଂହର ମୁଖରେ କି ମୃଗ ଆତ୍ମ ଇଚ୍ଛାରେ ପଶଇ ।୩୪।

ଯେଉଁ ମାତାପିତା ନ ପଢ଼ାଇ ପୁତ୍ର ସେ ପୁତ୍ରର ଶତ୍ରୁ ଜାଣ ।

ହଂସ ମଧ୍ୟରେ ବକପ୍ରାୟ ସେ ପୁତ୍ର ସଭା ମଧ୍ୟେ ଅଶୋଭନ ।୩୫।

ଏମନ୍ତ ବିଚାରି ସେ ନୃପକେଶରୀ କଲା ପଣ୍ଡିତଙ୍କ ସଭା ।

ହସ୍ତ ଯୋଡ଼ିଣ ନମସ୍କାର କରିଣ ପଚାରୁଛି ହୋଇ ଉଭା ।୩୬।

ଆହେ ହେ ପଣ୍ଡିତମାନେ ତୁମ୍ଭ ମଧ୍ୟେ କେହି ଅଛି କି ଏମନ୍ତ ।

ଉନ୍ମାର୍ଗଗାମୀ ମୋର ପୁତ୍ରମାନଙ୍କୁ ଯେ କରିବ ନୀତିବନ୍ତ ।୩୭।

ହୀନ କାଚର କାଞ୍ଚନ ସଙ୍ଗତରେ ମରକତ ଦ୍ୟୁତି ହୋଇ ।

ଯେରୂପେ ସେରୂପେ ପଣ୍ଡିତ ସଂସର୍ଗେ ମୂର୍ଖ ପଣ୍ଡିତ ହୁଅଇ ।୩୮।

କହୁଥାଇ ଶୁଣ ହୀନ ସମାଗମେ ହୀନ ବୁଦ୍ଧି ହୋଇ ଯାଇ ।

ସମସଙ୍ଗମେ ସମଭାବ ଭଜଇ ଶିଷ୍ଟ ସଙ୍ଗେ ଶିଷ୍ଟ ହୋଇ ।୩୯।

ଏକା କଳ ତପ୍ତ ଲୌହରେ ପଡ଼ିଲେ ତାସ୍ୱରୂପ ବୁଡ଼ି ଯାଇ ।

ପଦ୍ମ ପତ୍ରରେ ମୁକ୍ତାପ୍ରାଏ ଦିଶଇ ଶୁକ୍ତି ଗର୍ଭେ ମୁକ୍ତା ହୋଇ ।୪୦।

ପ୍ରାୟଶ ଅଧମ ମଧ୍ୟମ ଉତ୍ତମ ଗୁଣ ସଂସର୍ଗରୁ ହୋଇ ।

ତୁମ୍ଭମାନଙ୍କ ସଂସର୍ଗେ ପୁତ୍ରମାନେ ଭଲ ହେବେ ବୋଲି କହି ।୪୧।

ଅସାଧୁ ସଙ୍ଗେ ନ ବସିବ କଦାପି ନ ଚାଲିବ ସଙ୍ଗେ ବାଟ ।

ସୁଣ୍ଢିଆଣି ହସ୍ତେ କ୍ଷୀର ଧରିଥିଲେ ବୋଲନ୍ତି ଏ ମଦ ଘଟ ।୪୨।

ତାହାଙ୍କ ସଙ୍ଗରେ ବିଷ୍ଣୁଶର୍ମା ବୋଲି ସକଳ ଶାସ୍ତ୍ର ପଣ୍ଡିତ ।

ବୃହସ୍ପତି ସମ ରାଜାଙ୍କୁ କହିଲେ ତଥ୍ୟ ବାକ୍ୟ ଅଖଣ୍ଡିତ ।୪୩।

ହେ ଦେବ ଏପୁତ୍ରେ ମହାକୁଳ ଜନ୍ମା ରାଜନୀତି ଉପଦେଶ ।

କରାଇବି ମୁହିଁ ଛମାସ ମଧ୍ୟରେ କରିବା ହେଉ ନିର୍ଦ୍ଦେଶ ।୪୪।

ମାତା ପିତା ଦୁହିଙ୍କର ଯତ୍ନ ହେଲେ ଗୁଣବନ୍ତ ହୁଏ ସୁତ ।

ଗର୍ଭରୁ ଜନମ ମାତ୍ରରେ ମାନବ କିବା ହୁଅଇ ପଣ୍ଡିତ ।୪୫।

ଅଯୋଗ୍ୟ କର୍ମ ଫଳବନ୍ତ ନୁହଇ ଉତ୍ତମ ଯୋଗ୍ୟ ଫଳଇ ।

କେବେହେଁ ଶୁକ ପ୍ରାୟ ବକ ପଢ଼ିବ କାହାର ବିଶ୍ୱାସ ହୋଇ ।୪୬।

ଏଡେ ଗୁଣବନ୍ତ କୁଳରେ ଜନମ ନିର୍ଗୁଣ ସୁତ କି ହୁଏ ।

ପଦ୍ମରାଗ ଜନ୍ମ ସ୍ଥାନରେ ଜନମ କିବା କାଚ ମଣି ହୁଏ ।୪୭।

ଏହିହେତୁରୁ ତୁମ୍ଭ ପୁତ୍ରମାନଙ୍କୁ ଛମାସ ମଧ୍ୟରେ ନୀତି ।

ଉପଦେଶ ଦେବି ଏଥିରେ ସନ୍ଦେହ ନ କର ନୃପତି ପତି ।୪୮।

ରାଜା ସବିନୟ ହୋଇ ପୁଣି କହେ କୀଟ ପୁଷ୍ପ ସଙ୍ଗ ପାଇ ।

ବଡ଼ ଲୋକ ମୁଣ୍ଡ ଉପରେ ବସଇ ପଥର ଦେବତା ହୋଇ ।୪୯।

ଯେହ୍ନେ ଉଦୟ ପର୍ବତେ ଦ୍ରବ୍ୟଜାତ ସୂର୍ଯ୍ୟ ସଙ୍ଗେ ଶୋଭା ପାଇ ।

ସେରୂପେ ହୀନରୂପ ସାଧୁ ସଙ୍ଗରେ ମହା ପ୍ରକାଶ ଲଭଇ ।୫୦।

ଗୁଣମାନେ ସବୁ ଗୁଣବନ୍ତଠାରେ ପଡ଼ିଲେ ଗୁଣ ହୁଅନ୍ତି ।

ନିର୍ଗୁଣଠାରେ ଦୋଷରୂପେ ରହନ୍ତି ଅବ୍ଧି ନଦୀ ଜଳ ରୀତି ।୫୧।

ଏମନ୍ତ ବିଷ୍ଣୁଶର୍ମାକୁ କହି ରାଜା ପୁତ୍ରଙ୍କୁ ସମର୍ପି ଦେଲା ।

ଏହାଙ୍କ ବିନୟେ ନୀତିଶାସ୍ତ୍ର ଜ୍ଞାନେ ତୁମ୍ଭେ ପ୍ରମାଣ ବୋଇଲା ।୫୨।

ଏଥୁଅନନ୍ତରେ ପ୍ରାସାଦ ଉପରେ ରାଜ ପୁତ୍ରଙ୍କୁ ବସାଇ ।

ତାହାଙ୍କ ଅଗ୍ରରେ ବିଷ୍ଣୁଶର୍ମା ବିପ୍ର କହନ୍ତି କଥା ଗଡ଼ାଇ ।୫୩।

କାବ୍ୟଶାସ୍ତ୍ର ବିନୋଦରେ ରାଜପୁତ୍ରେ କାଳ ଯାଏ ପଣ୍ଡିତର ।

ବ୍ୟସନ ନିଦ୍ରା କଳହ କର୍ମ କରି କାଳ ଯାଉଛି ମୂର୍ଖର ।୫୪।

ତୁମ୍ଭମାନଙ୍କର କୌତୁକ ନିମନ୍ତେ କାକ କୂର୍ମ ମୂଷା ମୃଗ ।

ଏହାଙ୍କ ବିଚିତ୍ର କଥାକୁ କହିବି ଶୁଣ ରାଜପୁତ୍ରେ ବେଗ ।୫୫।

ମିତ୍ରଲାଭ କଥା ପ୍ରଥମେ କହିବା ତାହାର ପ୍ରଥମ ଶ୍ଳୋକ ।

ଅର୍ଥ କରି କହୁଥାଇ ମନେ ଧରି ବିଚାର କର ଅନେକ ।୫୬।

ଧନସାଧନ ନ ଥାଇ ବୁଦ୍ଧିବଳେ ସୁମିତ୍ର ଧର୍ମ କରିଣ ।

କାକ କୂର୍ମ ମୃଗ ମୂଷିକ ଏମାନେ କାର୍ଯ୍ୟ ସିଦ୍ଧ କଲେ ଶୁଣ ।୫୭।

ଏହା ଶୁଣି ରାଜପୁତ୍ରେ ପଚାରନ୍ତି କିରୂପେ କହ ଏ କଥା ।

ବିଷ୍ଣୁଶର୍ମା କହୁଛନ୍ତି ରାଜ ପୁତ୍ରେ ଶୁଣ ଛାଡ଼ ମନ ବ୍ୟଥା ।୫୮।

ଗୋଦାବରୀ ତୀରେ ବିଶାଳ ଶିମିଳୀ ଅଛି ତାହାର ଉପରେ ।

ରାତ୍ରରେ ନାନା ଦିଗ ଦେଶୁଁ ଆସିଣ ପକ୍ଷି ସମୂହ ବିହରେ ।୫୯।

କୌଣସି କାଳରେ ରାତ୍ରି ଅବସାନେ ଚନ୍ଦ୍ର ଅସ୍ତ ଗିରି ଯାଇ ।

ହୁଅନ୍ତେ ଲଘୁ ପତନ ନାମେ କାକ ନିଦ୍ରା ଭାଙ୍ଗିଣ ଉଠଇ ।୬୦।

ଉଠି ଚାହିଁଲା ସେ ବ୍ୟାଧକୁ ଦେଖିଣ ମଣିଲା କୃତାନ୍ତପରି ।

ପ୍ରାତରେ ଅନିଷ୍ଟ ଦେଖିଲାରୁ ଆଜ କି ହେବ ମନେ ବିଚାରି ।୬୧।

କି ହେବ କି ହେବ ବୋଲିଣ ମନରେ ବହୁତ ବ୍ୟାକୁଳ ହେଲା ।

ଏମନ୍ତ କହିଣ ବ୍ୟାକୁଳ ହୋଇଣ କ୍ରମରେ ସେ ଚଳି ଗଲା ।୬୨।

ଯେଉଁ ହେତୁରୁ ହର୍ଷ ସ୍ଥାନ ସହସ୍ର ଭୟ ସ୍ଥାନ ଶତ ଶତ ।

ମୂର୍ଖ ଘେନଇ ପଣ୍ଡିତ ତାନମାନେ ସବୁ କଥାତ ଅସତ୍ୟ ।୬୩।

ତଥାପି ସଂସାରେ ଜନଙ୍କ ବେଭାରେ ଇଷ୍ଟାନିଷ୍ଟ ଦରଶନେ ।

ଭଲ ମହ କଥା ବୁଝିଣ ସର୍ବଥା କରି ଦେବାଦି ଦର୍ଶନେ ।୬୪।

ବିଚାରି ବିଚାର ବୁଝିଲାବେଳକୁ ମହା ଭୟା ଆଜି ହେବ ।

ମରଣ ବ୍ୟାଧି ଶୋକ ମଧ୍ୟେ କିଅବା ଅନୁଭବ ମୋ ହୋଇବ ।୬୫।

ଏଥୁଅନ୍ତରେ ସେ ବ୍ୟାଧ ଅଗ୍ରତରେ ତଣ୍ଡୁଳ କଣ ପକାଇ ।

ଜାଲକୁ ଫାନ୍ଦିଲା ଲୁଚିଣ ରହିଲା ଗହଳ ବୃକ୍ଷରେ ଯାଇ ।୬୬।

ଏହି ସମୟରେ ଚିତ୍ରଗ୍ରୀବ ନାମ କପୋତ ରାଜ ଆକାଶେ ।

ଯାଉଥିଲା ପକ୍ଷିମାନଙ୍କ ସଙ୍ଗତେ ଆହାର ଖାଇବା ଆଶେ ।୬୭।

ଦେଖିଲେ ତଣ୍ଡୁଳ କଣ ଭୂତଳରେ ଲୋଭେ ସମସ୍ତ କପୋତ ।

ତଣ୍ଡୁଳ କଣ ଖାଇବାକୁ ଧାଇଁଲେ ତାଙ୍କୁ ନିବାରି ବହୁତ ।୬୮।

କହଇ ନିର୍ଜ୍ଜନ ଦେଶରେ ତଣ୍ଡୁଳ ଅତି ଅସମ୍ଭବ କଥା ।

ବିଚାର କର ଏଥିରେ ଭଲ ନାହିଁ ବିପତ୍ତି ହେବ ସର୍ବଥା ।୬୯।

ଯେରୂପେ କଙ୍କଣ ଲୋଭରେ ପଥିକ ପଙ୍କରେ ନିମଗ୍ନ ହେଲା ।

ବୃଦ୍ଧ ବ୍ୟାଘ୍ର ଯାଇ ତାହାକୁ ଧରିଣ ପ୍ରାଣେ ମାରି ପକାଇଲା ।୭୦।

ସେରୂପେ ତଣ୍ଡୁଳ କଣ ଭକ୍ଷ୍ୟ ଲୋଭେ ଆମ୍ଭେମାନେ ସବୁ ହେବା ।

କେବେହେଁ ବିଚାର ନୁହଇ ପ୍ରଚାର ଆନଠାକୁ ଚାଲି ଯିବା ।୭୧।

ଶୁଣିଣ କପୋତମାନେ କହୁଛନ୍ତି ଏହି କଥା କହ ପୁଣ ।

କପୋତ ରାଜ ବିସ୍ତାରି କହୁଅଛି କପୋତମାନେ ହେ ଶୁଣ ।୭୨।

ମୁହିଁ ଏକ କାଳେ ଦକ୍ଷିଣ ଅରଣ୍ୟେ ଚରୁ ଚରୁ ନେତ୍ର ପଥେ ।

ଦେଖିଲି ଏକ ବୃଦ୍ଧ ବ୍ୟାଘ୍ର ପଥୁକି ଡାକୁ ଥାଇ କୁଶ ହସ୍ତେ ।୭୩।

ପ୍ରାତଃ ସ୍ନାନ କରି ପୁଷ୍କରିଣୀ ତଟେ ଆହେ ହେ ପଥିକମାନେ ।

ସୁବର୍ଣ୍ଣ କଙ୍କଣ ଦାନ ଦେବି ମୁହିଁ ପ୍ରତିଗ୍ରହ କର ମନେ ।୭୪।

ତାହା ଶୁଣି କେହି ଲୋଭାକୃଷ୍ଟ ମନେ ପାନ୍ଥ କଙ୍କଣ ଦେଖିଲା ।

କି ଭାଗ୍ୟ ମୋହର ହେଲା ଆଜି ବୋଲି ମନେ ଆପଣା ଚିନ୍ତିଲା ।୭୫।

ବିଚାରିଣ ମନେ ପୁଣି ବୋଲୁଅଛି ଏ ଦ୍ରବ୍ୟ ନୋହେ ଉଚିତ ।

ଅନିଷ୍ଟରୁ ଇଷ୍ଟ ଲାଭକୁ ଧାଇଁଲେ ମରଣ ହୁଏ ନିଶ୍ଚିତ ।୭୬।

ଯେଉଁଠାରେ ବିଷ ଦ୍ରବ୍ୟରେ ସଙ୍ଗତ ଅମୃତ ହେଲେ ସେ ମାରେ ।

ତଥାପି ଦ୍ରବ୍ୟ ଅର୍ଜ୍ଜନେ ସବୁଠାରେ ପଣ୍ଡିତ ସନ୍ଦେହ କରେ ।୭୭।

ମନୁଷ୍ୟ ସନ୍ଦେହ ନ କରି ମଙ୍ଗଳ କଥା ଆଉ ନ ଦେଖଇ ।

ସନ୍ଦେହକୁ ପୁଣି ଆରୋହି ସେ କଲେ ଯେବେ ଜୀଅଇ ଦେଲେ ।୭୮।

ଭଲା ସେ ଦେଖିବା ବିଷୟ ବୁଝିବା ଏମନ୍ତ ପାନ୍ଥ ବିଚାରି ।

କାହିଁ ତୋ ସୁବର୍ଣ୍ଣ କଙ୍କଣ ପୁଚ୍ଛନ୍ତେ ବ୍ୟାଘ୍ର ହସ୍ତକୁ ପ୍ରସାରି ।୭୯।

ଦେଖ ଏ ସୁବର୍ଣ୍ଣ କଙ୍କଣ ଦେବି ମୁଁ ଯାହାରି କାହାରି ହସ୍ତେ ।

ସରୋବର ଜଳେ ସ୍ନାନ କରି ଘେନ ଭୟ ନ କର ତୁ ମୋତେ ।୮୦।

ପଥିକ କହିଲା ତୋଠାରେ କିରୂପେ ବିଶ୍ୱାସ ହେବ ମୋହର ।

ବ୍ୟାଘ୍ର କହୁଅଛି ମୋଠାରେ ବିଶ୍ୱାସ କିପାଇଁ ନାହିଁ ତୋହର ।୮୧।

ଦେଖ ପ୍ରାତଃ ସ୍ନାୟୀ ବୃଦ୍ଧ ଦାତା ମୁହିଁ ଗଳିତ ନଖ ଦଶନ ।

ବହୁତ ଶାସ୍ତ୍ର ମୁ କର୍ଣ୍ଣେ ଶୁଣିଅଛି କହୁଛି ତାହା ତୁ ଶୁଣ ।୮୨।

ଯାଗ ବେଦ ପାଠ ଦାନ ଯେ ତପସ୍ୟା ସତ୍ୟ ସନ୍ତୋଷ ଯେ କ୍ଷମା ।

ଅଲୋଭ ଏରୂପେ ଅଷ୍ଟ ବିଧ ହୋଇ ଧର୍ମ୍ମ ହୋଇଅଛି ଜମା ।୮୩।

ଏଥିରୁ ପୂର୍ବ ଚାରି ଗୋଟି କପଟୀ ଜନମାନେ କହୁଛନ୍ତି ।

ଉତ୍ତର ଚାରି ଗୋଟି ସାଧୁଜନଙ୍କଠାରେ ବା କିଛି ଅଛନ୍ତି ।୮୪।

ମୋର ଦେଖ ଏତେ ଲୋଭ ବିରହକୁ ସ୍ୱହସ୍ତ ସ୍ଥିତ କଙ୍କଣ ।

ଯାହାକୁ ତାହାକୁ ଦେବାକୁ ମନରେ ବିଚାରୁଅଛି ବ୍ରାହ୍ମଣ ।୮୫।

ତଥାପି ବ୍ୟାଘ୍ର ମନୁଷ୍ୟ ଖାଏ ବୋଲି ଜନବାଦ ଦୁର୍ନିବାର ।

ଯେତେ କହିଲେ ତୁ ବୁଝୁ ନାହୁଁ ବୃଥା କହିବାରୁ ବହୁବାର ।୮୬।

ଗୋହନ୍ତା ବିପ୍ରକୁ ଧର୍ମ୍ମୋପଦେଶରେ ସମସ୍ତ ଲୋକେ ମାନନ୍ତି ।

ଯେରୂପେ ସେରୂପେ ପୋଇଲିକି ଲୋକ ବ୍ୟବହାରେ କି ଗଣନ୍ତି ।୮୭।

ଆମ୍ଭେ ଧର୍ମ୍ମଶାସ୍ତ୍ର ବହୁତ ପଢିଛୁଁ ଶୁଣ ତୁମ୍ଭେ ବିପ୍ରବର ।

ଶୁଣିଣ ମନରେ ବିଚାର କରିଣ ପ୍ରତିଗ୍ରହ ବେଗେ କର ।୮୮।

ଯେରୂପେ ଆପଣା ପ୍ରାଣ ପ୍ରିୟ ହୋଇ ସେରୂପେ ପ୍ରାଣୀଙ୍କ ପ୍ରାଣ ।

ଆତ୍ମ ଅନୁଭବେ ସର୍ବ ପ୍ରାଣୀଠାରେ ଦୟା କରନ୍ତି ସଜ୍ଜନ ।୮୯।

ନାହିଁ କରିବାରେ ଦେବାରେ ସୁଖରେ ଦୁଃଖେ ପ୍ରୀତି ଅପ୍ରୀତିରେ ।

ଆପଣ ଯେମନ୍ତ ସମସ୍ତେ ତେମନ୍ତ ଜାଣ ଏ କଥା ସତ୍ୟରେ ।୯୦।

ତୁ ବଡ଼ ଦରିଦ୍ର ଅଗ୍ନିରେ ଦଗଧ ହୋଇଛୁ ସେହି ହେତୁରେ ।

ତୋତେ ଦେବି ବୋଲି ଯତ୍ନ କରିଅଛି ହେମ କଙ୍କଣ କରରେ ।୯୧।

ଦରିଦ୍ରମାନଙ୍କୁ ଦେବ ଧନ ଧନୀମାନଙ୍କୁ କେବେ ନ ଦେବ ।

ବ୍ୟାଧିରେ ପଥ୍ୟ ହୁଅଇ ଅଉଷଧ ନିରୋଗରେ କିସ ହେବ ।୯୨।

ମରୁଡ଼ିଆ ସ୍ଥଳେ ବୃଷ୍ଟି ଯେଉଁରୂପେ କ୍ଷୁଧାରେ ଭୋଜ୍ୟ ଯେରୂପେ ।

ସଫଳ ହୁଅଇ ଦରିଦ୍ରରେ ଦାନ କହିଲେ ଶ୍ରୀହରି ନୃପେ ।୯୩।

ଯେ ଧନ ଦେବାକୁ ବିଚାର କରିବ ଅନୁପକାରୀକି ଦେବ ।

ଦେଶ କାଳ ପାତ୍ର ଖୋଜି କରି ଦେଲେ ସେ ଦାନ ସାତ୍ୱିକ ହେବ ।୯୪।

ଏହି ପୋଖରିରେ ସ୍ନାନ କରିଣ ତୁ ସୁନା କଙ୍କଣକୁ ଘେନ ।

ଏହି ସମୟରେ ଶୁଣି ଗଲା ବିପ୍ର କରିବାକୁ ସରେ ସ୍ନାନ ।୯୫।

ପ୍ରବେଶ ମାତ୍ରକେ ମହା ପଙ୍କେ ମଗ୍ନ ପଳାଇବାକୁ ଅଶକ୍ତ ।

ମନ୍ଦ ମନ୍ଦ ହୋଇ ତା ପାଖକୁ ଯାଇ ବ୍ୟାଘ୍ର ଧଇଲା ତା ହସ୍ତ ।୯୬।

ପାନ୍ଥ ବିଚାରଇ ଧର୍ମ୍ମ ଦେବାଧ୍ୟୟନ ପ୍ରମାଣ ନୋହେ ।

ଦୁଷ୍ଟ ଲୋକର ଯେ ସ୍ୱଭାବ ପ୍ରମାଣ ଗୋ ଦୁଗ୍ଧ ମଧୁର ବହେ ।୯୭।

ଅନ୍ଧ ଚିତ୍ତ ବଶ ନୁହେ ଯାହାର ତା କର୍ମ୍ମ ଗଜ ସ୍ନାନ ପରି ।

ଜ୍ଞାନବନ୍ତ ଜନ କର୍ମ୍ମ ନ କଲେ ତା ଜ୍ଞାନ ବନ୍ଧ୍ୟା ପୋଷା ପରି ।୯୮।

ଯେଉଁ ହେତୁରୁ ମୃମାରକେ ବିଶ୍ୱାସ କଲି ସେ କଥା କି ଭଲ ।

ଭଲ ହେବି ବୋଲି ବିଶ୍ୱାସ କଲି ଯେ ବେଳକୁ ହୋଇଲା ଶଲ ।୯୯।

ଅନ୍ୟ ଗୁଣ ଛାଡ଼ି ପ୍ରଥମୁଁ ପରୀକ୍ଷା କରିବି ପ୍ରାଣୀ ସ୍ୱଭାବ ।

ସବୁ ଗୁଣଯାକ ସ୍ୱଭାବ ବାଧଇ ତାକୁ କେଅବା ବାଧିବ ।୧୦୦।

ଏମନ୍ତ ବିଚାରୁ ବିଚାରୁ ବିପ୍ରକୁ ବ୍ୟାଘ୍ର କରି ଦେଲା ଗ୍ରାସ ।

ଏହି ଲୋଭରୁ ଅବଶ୍ୟ ମରିବାଟି ଛାଡ଼ ତଣ୍ଡୁଳର ଆଶ ।୧୦୧।

ଏଠାରେ ସକଳ କଥା ବିଚାରିବା ବିଚାରେ ସକଳ ସିଦ୍ଧି ।

ବିଚାରି ସକଳ କାର୍ଯ୍ୟ କରେ ଯେହୁ ସେଟି ବୋଲାଇ ସୁବୁଦ୍ଧି ।୧୦୨।

ସ୍ୱପ୍ନକୁ ଅନ୍ନ ସୁବିଚକ୍ଷଣ ପୁତ୍ର ବିନୀତା ନାରୀ ନୃପତି :-

ସୁସେବିତ ସୁବିଚାରେ ଯାହା କରି କାଳେ ନୁହଇ ବିପତ୍ତି ।୧୦୩।

ଏହା ଶୁଣି କେହି କପୋତ ସଗର୍ବ ହୋଇ କହିଲା ବଚନ ।

କି କହୁଅଛନ୍ତି ଏହାଙ୍କ କଥାକୁ ପେଡ଼ିରେ ବାନ୍ଧ ବହନ ।୧୦୪।

ବୃଦ୍ଧମାନଙ୍କର ବଚନ ଘେନିବ ଉତ୍ପନ୍ନ ବିପତ୍ତି କାଳେ ।

ସବୁଠାରେ ତାଙ୍କ ବଚନ କରିବ ନ କରି ଭୋଜନ ବେଳେ ।୧୦୫।

ଭୟରେ ସମସ୍ତ ଆକ୍ରାନ୍ତ ହୋଇଛି ଅନ୍ନପାନ ଯେ ଭୂତଳେ ।

କେଉଁଠାରେ ବ୍ୟବହାରକୁ କରିବା କିରୂପେ ବଞ୍ଚିବା ଭଲେ ।୧୦୬।

ଈର୍ଷାବନ୍ତ ଘୃଣାବନ୍ତ ଅସଂତୁଷ୍ଟ କ୍ରୋଧୀ ଯେ ନିତ୍ୟ ଶଙ୍କିତ ।

ପର ଭାଗ୍ୟକୁ ଯେ ଆଶ୍ରୟ କରଇ ଷଡ଼ ଏ ନିତ୍ୟ ଦୁଃଖିତ ।୧୦୭।

ଏମନ୍ତ ଶୁଣିଣ ସମସ୍ତ କପୋତ ପଡ଼ିଲେ ସେହି ଭୂତଳେ ।

ସେଠାରେ ପ୍ରବେଶ ମାତ୍ରକେ ସମସ୍ତେ ନିବଦ୍ଧ ହୋଇଲେ ଜାଲେ ।୧୦୮।

ଯେଉଁମାନେ ବଡ଼ ଶ୍ରୁତିଧର ବହୁ ଶାସ୍ତ୍ରମାନଙ୍କୁ ପଢ଼ନ୍ତି ।

ସବୁ ସନ୍ଦେହକୁ ଛିଣ୍ଡାଉଥିଲେ ସେ ଲୋଭରେ କ୍ଳେଶ ପାଆନ୍ତି ।୧୦୯।

ଏଥୁ ଅନନ୍ତରେ ସମସ୍ତ କପୋତ ଯାହା ବାକ୍ୟେ ଜାଲେ ପଡ଼ି :-

ଥିଲେ ସମସ୍ତେ ସେକାଳେ ରୁଣ୍ଡ ହୋଇ ତାହାପରେ କଲେ ରଡ଼ି ।୧୧୦।

ଗଣକାର୍ଯ୍ୟ ଆଗେ କେବେହେଁ ନ କହି କାର୍ଯ୍ୟ ହେଲେ ସମଫଳ ।

ଯେବେ କାର୍ଯ୍ୟରେ ବ୍ୟାଘାତ ହୋଇଯାଇ ଅଗ୍ରଣୀ ହୁଏ ବିଫଳ ।୧୧୧।

ସମସ୍ତ କପୋତ ତିରସ୍କାର ଦେଖି ଚିତ୍ରଗ୍ରୀବ କହୁଅଛି ।

ଏହା ପରାଭବ କରିବାର ବ୍ୟର୍ଥ ଏହାର କି ଦୋଷ ଅଛି ।୧୧୨।

ବିପତ୍ତି ପଡ଼ିବା କାଳରେ ଯେ ପ୍ରିୟ ସେ ବିପତ୍ତି ହେତୁ ହୋଇ ।

ଦେଖ ଏ ବାଛୁରି ବନ୍ଧନ କାଳରେ ମାତୃ ଜଙ୍ଘ ସ୍ତମ୍ଭ ହୋଇ ।୧୧୩।

ବିପତ୍ତିଗ୍ରସ୍ତ ଲୋକକୁ ବିପତ୍ତିରୁ ଯେହୁ ଉଦ୍ଧାର କରଇ ।

ତାକୁ ଏକା ବନ୍ଧୁ କହି ଗଲା କଥା ନିନ୍ଦୁକ ପଣ୍ଡିତ ନୋହି ।୧୧୪।

ଏଠାରେ ଧୈର୍ଯ୍ୟକୁ ଆଲମ୍ୱନ କରି ପ୍ରତିକାର ଚିନ୍ତା କର ।

ବିପତ୍ତି କାଳରେ ଧଇର୍ଯ୍ୟ ହେବାର ହୁଏ ଅତି ଶୋଭାକର ।୧୧୫।

ବିପତ୍ତି କାଳରେ ଧଇର୍ଯ୍ୟ ହୋଇବ କ୍ଷମା ଉଦୟ କାଳରେ ।

ସଭାରେ ବଚନ ଚାତୁରି ବିକ୍ରମ ଶୋଭାକୁ ପାଇ ଯୁଦ୍ଧରେ ।୧୧୬।

କୀର୍ତ୍ତିରେ ପୀରତି ବେଦେ ବ୍ୟବହାର ସ୍ୱଭାବ ସିଦ୍ଧ ଏମାନେ ।

ବଡ଼ ଲୋକମାନଙ୍କର ଏହିରୂପେ କାଳ ଯାଇ ସାବଧାନେ ।୧୧୭।

ଯେଉଁ ପୁରୁଷ ସମ୍ପତ୍ତି ଇଚ୍ଛା କରେ ନିଦ୍ରା ତନ୍ଦ୍ରା ଭୟ କ୍ରୋଧ ।

ଆଳସ୍ୟ ଦୀର୍ଘସୂତ୍ରତା ଷଟ ଦୋଷ ଏହାକୁ ଛାଡ଼ିଲେ ସିଦ୍ଧ ।୧୧୮।

ବର୍ତ୍ତମାନ ଯେଉଁରୂପରେ କହିବି ସେରୂପେ କରିବା ଆସ ।

ସମସ୍ତେ ଏକଚିତ୍ତ ହୋଇ ଜାଲକୁ ଘେନି ଉଡ଼ିବା ଆକାଶ ।୧୧୯।

କ୍ଷୁଦ୍ର ଜନ୍ତୁମାନେ ଏକଚିତ୍ତ ହେଲେ ସର୍ବ କାର୍ଯ୍ୟକୁ ସାଧନ୍ତି ।

ତୃଣମାନେ ସବୁ ଦଉଡ଼ି ହୋଇଲେ ମତ୍ତଗଜକୁ ବାନ୍ଧନ୍ତି ।୧୨୦।

ନିଜକୁଳେ ଜାତ ଅଳପ ମାନବ ମିଳନେ ଶୋଭାକୁ ପାନ୍ତି ।

ତୁଷହୀନ ହେଲେ ତଣ୍ଡୁଳ କେବେହେଁ ଅଙ୍କୁର ଯୋଗ୍ୟ ନୁହନ୍ତି ।୧୨୧।

ଏମନ୍ତ ବିଚାର କରିଣ ସମସ୍ତେ ଜାଲ ଘେନି ଉଡ଼ିଗଲେ ।

ଦୂରରୁ ଏହାକୁ ଦେଖିଣ ଲୁବ୍ଧକ ପଛରେ ଗୋଡ଼ାଇ ଗଲେ ।୧୨୨।

ମନେ ବିଚାରିଲା ଏକଚିତ୍ତ ହୋଇ ମୋ ଜାଲକୁ ଘେନି ଯାନ୍ତି ।

ଯେବେ ଏ ଭୂମିରେ ପଡ଼ିବେ ତେବେ ମୋ ଭକ୍ଷ ହୋଇବେ ତଡ଼ତି ।୧୨୩।

ଏଥୁ ଅନନ୍ତରେ ପକ୍ଷିମାନେ ନେତ୍ର ପଥରୁ ଅତୀତ ହେଲେ ।

ଦେଖି ନିବର୍ତ୍ତିଲା ବ୍ୟାଧ ତା ଦେଖିଣ କପୋତମାନେ କହିଲେ ।୧୨୪।

ବର୍ତ୍ତମାନରେ କି ଉଚିତ କରିବା କହିବା ହେଉ ରାଜନ ।

ଶୁଣି ଚିତ୍ରଗ୍ରୀବ ବିଚାରିଣ କହେ ସେକାଳ ଯୋଗ୍ୟ ବଚନ ।୧୨୫।

ମାତା ମିତ୍ର ପୁତ୍ର ଏତିନି ଜନରେ ସ୍ୱଭାବେ ହିତ ବୋଲନ୍ତି ।

ଉପକାର କରିବାକୁ ଅନ୍ୟମାନେ ହିତକାରକ ହୁଅନ୍ତି ।୧୨୬।

କ୍ଷୀଣଫଳ ବୃକ୍ଷ ଛାଡ଼ନ୍ତି ବିହଗ ଶୁଷ୍କ ସରକୁ ସାରସ ।

ବାସି ଫୁଲକୁ ଛାଡ଼ନ୍ତି ମଧୁକର ଦଗଧବନକୁ ଋକ୍ଷ ।୧୨୭।

ନିର୍ଦ୍ଧନ ଲୋକକୁ ଛାଡ଼ଇ ଗଣିକା ମନ୍ତ୍ରୀ ଛାଡ଼େ ଭ୍ରଷ୍ଟ ରାଜ ।

କାର୍ଯ୍ୟବଶରୁ ସର୍ବଜନ ପୀରତି କେ କାହାର କରେ କାର୍ଯ୍ୟ ।୧୨୮।

ଏହି ହେତୁରୁ ମୋ ମିତ୍ର ହିରଣ୍ୟକ ମୃଷିକ ଗଣ୍ଡୁକୀ ତୀରେ ।

ନିବାସ କରିଛି ଚିତ୍ରବନେ ଆମ୍ଭ ପାଶ କାଟିବ ସତ୍ୱରେ ।୧୨୯।

ଏମନ୍ତ ବିଚାରି ସର୍ବେ ହିରଣ୍ୟକ ବିବରେ ହେଲେ ପ୍ରବେଶ ।

ଅପାୟ ଶଙ୍କାରେ ଶତ ଦ୍ୱାର କରି ମୂଷିକ କରିଛି ବାସ ।୧୩୦।

କପୋତ ପଡ଼ିଲା ଶବଦ ଶୁଣିଣ ହିରଣ୍ୟକ ତୁନି ହେଲା ।

କିହେ ହିରଣ୍ୟକ ମିତ୍ର କାହିଁ ଅଛ ଚିତ୍ରଗ୍ରୀବ ଡାକ ଦେଲା ।୧୩୧।

ସେ ବଚନ ଶୁଣି କଣ୍ଠ ସ୍ୱର ଜାଣି ହିରଣ୍ୟକ ବାହାରିଲା ।

ମୋର ବଡ଼ ଭାଗ୍ୟ ମିତ୍ର ଚିତ୍ରଗ୍ରୀବ ଦେଖିଲି ବୋଲି ବୋଇଲା ।୧୩୨।

ପାଶ ବନ୍ଧ ଦେଖି ଆଶ୍ଚର୍ଯ୍ୟ ହୋଇଣ ବିଚାରେ ଏ କି ହେ ମିତ ।

ଚିତ୍ରଗ୍ରୀବ ବୋଲେ ଆମ୍ଭମାନଙ୍କର ପୂର୍ବ ପାପ ବିଳସିତ ।୧୩୩।

ରୋଗଶୋକ ଦୁଃଖ ବନ୍ଧନ ବିପତ୍ତି ଏମାନେ ଶାସ୍ତ୍ର ପ୍ରମାଣ ।

ପ୍ରାଣିମାନଙ୍କର ଆତ୍ମ ପାପବୃକ୍ଷେ ଫଳ ଏମାନେଟି ଜାଣ ।୧୩୪।

ଏହା ଶୁଣି ହିରଣ୍ୟକ ଚିତ୍ରଗ୍ରୀବ ପାଶ ଛେଦନେ ଉଦ୍ୟତ ।

ଦେଖି ଚିତ୍ରଗ୍ରୀବ ବୋଲେ ମୋ ସେବକ ପାଶ ଆଗେ ଛେଦ ମିତ ।୧୩୫।

ଆପଣା କାର୍ଯ୍ୟ ନ କରି ପର କାର୍ଯ୍ୟ କଲା ଲୋକ ଭାଗ୍ୟବନ୍ତ ।

ଆପଣା କାର୍ଯ୍ୟକୁ ନ ବାଧି ଯେ ପର କାର୍ଯ୍ୟ କଲା ସେ ମଧ୍ୟସ୍ଥ ।୧୩୬।

ଆପଣା କାର୍ଯ୍ୟ ନିମନ୍ତେ ପର କାର୍ଯ୍ୟ ନାଶେ ସେ ନର ରାକ୍ଷସ ।

ଆପଣା କାର୍ଯ୍ୟ ନ କରି ପର କାର୍ଯ୍ୟ ନାଶେ ମୁ ନ ଜାଣେ କିସ ।୧୩୭।

ହିରଣ୍ୟକ ବୋଲେ ମିତ୍ର ଅଳ୍ପ ବଳ କୋମଳ ମୋହର ଦନ୍ତ ।

ତେଣୁକରି ଏତେ ପାଶ ଛିଣ୍ଡାଇବି ମୁହିଁ କିରୂପେ କହତ ।୧୩୮।

ଯେବେ ତୁମ୍ଭ ପାଶ ଛିଡ଼ିଲାଉତ୍ତାରୁ ନ ଭାଜିବ ମୋର ଦନ୍ତ ।

ଅନ୍ୟ ପାଶ ଛିଣ୍ଡାଇବି ଏହା ଶୁଣି ଚିତ୍ରଗ୍ରୀବ କହେ ମିତ ।୧୩୯।

ଆଚ୍ଛା ହେଉ ତୁମ୍ଭ ବଳକୁ ଚାହିଁଣ ଏହାଙ୍କ ପାଶକୁ ଛେଦ ।

ହିରଣ୍ୟକ ବୋଲେ ଆପଣାକୁ ଛାଡ଼ି ପର ରକ୍ଷାରେ କି ଖେଦ ।୧୪୦।

ବିପତ୍ତି ନିମନ୍ତେ ଧନକୁ ରଖିବ ଧନ ଦେଇ ଭାର୍ଯ୍ୟା ରଖି ।

ଦାର ଧନ ଦେଇ ଆତ୍ମକୁ ରଖିବ ସମସ୍ତଙ୍କ ମନେ ଲାଖି ।୧୪୧।

ମିତ୍ର ଧନ ଦ୍ୱାରା ପୃଥିବୀ ଏମାନେ ପୁଣି ପୁଣି ଯେ ହୁଅନ୍ତି ।

ଗଲା ଶରୀର ପୁଣି ପୁଣି ନୁହଇ ଏମନ୍ତ କହିଛି ସ୍ମୃତି ।୧୪୨।

ପ୍ରାଣମାନେ ଧର୍ମ୍ମ ଅର୍ଥ କାମ ମୋକ୍ଷ ଚାରିଙ୍କର ହେତୁ ହୋଇ ।

ପ୍ରାଣକୁ ନାଶିଲା ଲୋକ ସର୍ବନାଶେ ରଖିଲା ସର୍ବ ରଖଇ ।୧୪୩।

ଏ ଯେଉଁ ଶରୀର ସର୍ବ ଧର୍ମ୍ମ ହେତୁ ଯତ୍ନେ ଏହା ରକ୍ଷା କର ।

ଶରୀରରୁ ଧର୍ମ୍ମ ଜନମ ହୁଅଇ ଯେହ୍ନେ ପର୍ବତୁଁ ସଲିଳ ।୧୪୪।

ଶୁଣି ଚିତ୍ରଗ୍ରୀବ କହେ ଆହେ ମିତ ନୀତି ଏରୂପେ କହୁଛି ।

ମୁହିଁ ପୁଣି ଏ ସେବକମାନଙ୍କର ଦୁଃଖ ଦେଖି ନ ପାରୁଛି ।୧୪୫।

ଧନ ଜୀବନ ଏ ଦୁହିଁକି ପରାର୍ଥେ ଛାଡ଼ଇ ପଣ୍ଡିତ ମୂଳ ।

ଅବଶ୍ୟ ବିନାଶ ହେବ ଏହେତୁରୁ ପରାର୍ଥେ ବିନାଶ ବର ।୧୪୬।

ଏହାଙ୍କ ସହିତ ଅଟଇ ମୋହର ଜାତି ଦ୍ରବ୍ୟ ବଳ ସରି ।

ଏମାନଙ୍କଠାରେ ମୋର ପ୍ରଭୁପଣ କେବେହେଁ ନୋହିବ କରି ।୧୪୭।

ବର୍ତ୍ତନ ନ ଖାଇ ଏମାନେ ନିକଟ ମୋର ନ ଛାଡ଼ନ୍ତି ଦେଖ ।

ସେହି ହେତୁରୁ ମୋ ପ୍ରାଣକୁ ନ ଚାହିଁ ସେବକମାନଙ୍କୁ ରଖ ।୧୪୮।

ମାଂସ ମୁତ୍ର ବିଷ୍ଠା ଶୁକ୍ର ମଜ୍ଜା ଅସ୍ଥି ନିର୍ମିତ ପ୍ରାଣି ଶରୀର ।

ଏହି ଶରୀରେ କି ଆଦର ମୋହର ମିତ୍ର ଯଶ ରକ୍ଷା କର ।୧୪୯।

ସମସ୍ତ ମଳ ସହିତରେ ଅନିତ୍ୟ ଏମନ୍ତ ପ୍ରାଣିର ଦେହ ।

ଯେବେ ନିର୍ମ୍ମଳ ନିତ୍ୟ କୀର୍ତ୍ତି ଅର୍ଜ୍ଜିଲା କି ଲାଭ ନୋହିଲା କହ ।୧୫୦।

ଏ ଶରୀର ଗୁଣମାନଙ୍କ ଅନ୍ତର ବହୁତ ଅଛି ତା ଶୁଣ ।

ଏ ଯେଉଁ ଶରୀର କ୍ଷଣକରେ ଯିବ କଳ୍ପାନ୍ତ ରହଇ ଗୁଣ ।୧୫୧।

ଏମନ୍ତ ଶୁଣି ହିରଣ୍ୟକ ହରଷ ପୁଲକିତ ହୋଇ କହି ।

ତୋର ଏ ସେବକ ସ୍ନେହରୁ ତ୍ରିଲୋକ ପ୍ରଭୁତ୍ୱ ତୋତେ ଯୋଗାଇ ।୧୫୨।

ଏମନ୍ତ କହିଣ ସମସ୍ତ ପାଶକୁ ଛେଦିଲା ସେ ହିରଣ୍ୟକ ।

ପୁଣି କହୁଅଛି ମିତ ବନ୍ଧନରୁ ଆତ୍ମାକୁ ନ କର ଧିକ ।୧୫୩।

ଶତ ଯୋଜନରେ ଆମିଷ ଥିଲେ ହେଁ ଯେଉଁ ପକ୍ଷୀକି ଦିଶଇ ।

ସେ ପୁଣି ଆପଣା ମରଣରକାଳେ ପାଶବନ୍ଧ ନ ଦେଖଇ ।୧୫୪।

ସୁଧାଂଶୁ ଦିବାକର ଗ୍ରହ ପୀଡ଼ନ ଗଜ ଭୁଜଙ୍ଗ ବନ୍ଧନ ।

ଦରିଦ୍ର ଦେଖି ବୁଦ୍ଧିମାନ ଜନଙ୍କୁ ଜାଣ ବିଧି ବଳବାନ ।୧୫୫।

କେବଳ ଆକାଶେ ଯାନ୍ତି ଯେଉଁ ପକ୍ଷିମାନେ ସେ ବଦ୍ଧ ହୁଅନ୍ତି ।

ଅଗାଧ ସମୁଦ୍ର ଜଳେ ଯେଉଁ ଜନ୍ତୁ ତାହାଙ୍କୁ ଜନେ ମାରନ୍ତି ।୧୫୬।

ସେ ସ୍ଥାନରେ ଭଲ ସେ ସ୍ଥାନେ ଅସାର ଗୁଣ ଦୋଷ କିଛି ନାହିଁ ।

କାଳ ସେ ବ୍ୟସନ କରକୁ ବଢ଼ାଇ ଦୂରରୁ ସବୁ ନିଅଇ ।୧୫୭।

ଯେଉଁ ହିରଣ୍ୟ କଶ୍ୟପୁ ବକ୍ଷସ୍ଥଳେ ଇନ୍ଦ୍ର ଉଦ୍ଦଣ୍ଡ ମୂଷଳ ।

ମହାଦେବଙ୍କର ଫାରଶାର ଦାଢ଼ ବାଜି ହୋଇଲା ବିଫଳ ।୧୫୮।

ସେହି ଦୈତ୍ୟ ବକ୍ଷସ୍ଥଳକୁ ନୃସିଂହ ନଖ କଲା ବିଦାରଣ ।

ଦଇବ ଯେବେ ବାମ ହୁଏ ଜନକୁ ବଜ୍ର ପ୍ରାଏ ହୁଏ ତୃଣ ।୧୫୯।

ଏମନ୍ତ ପ୍ରବୋଧି ପୂଜା ଆଲିଙ୍ଗନ କରି ଯିବାକୁ ସମ୍ମତି ।

ପାଇ ଚିତ୍ରଗ୍ରୀବ ପରିବାର ଘେନି ସ୍ୱସ୍ଥାନ ଗଲେ ତଡ଼ିତ ।୧୬୦।

ହିରଣ୍ୟକ ସେହି ସମୟେ ଆପଣା ବିବରେ ପ୍ରବେଶ ହେଲା ।

କପୋତରାଜ ହିରଣ୍ୟକ ଚରିତ ଏଠାରୁ ସଂପୂର୍ଣ୍ଣ ହେଲା ।୧୬୧।

ଦେଖ ଏ ମୂଷିକ ଛାର କପୋତଙ୍କୁ ବନ୍ଧନୁ ମୁକତ କଲା ।

ଏଣୁକରି ମିତ୍ର ଧନ ଏ ଦୁହିଁକି ଅର୍ଜିବ ନୀତି କହିଲା ।୧୬୨।

ଏଥୁ ଅନନ୍ତରେ ଲଘୁପତନକ ବାୟସ ସବୁ ଦେଖିଲା ।

ଆହେ ହିରଣ୍ୟକ ବଡ଼ ଧନ୍ୟ ତୁମ୍ଭେ ଏମନ୍ତ ବୋଲି କହିଲା ।୧୬୩।

ମୁହିଁ ତୁମ୍ଭ ସଙ୍ଗେ ସଙ୍ଗେ ଇଚ୍ଛା କରୁଅଛି କର ଅନୁଗ୍ରହ ।

ତାହା ଶୁଣି ହିରଣ୍ୟକ ଗର୍ତ୍ତେ ଥାଇ ପଚାରେ ତୁମ୍ଭେ କେ କହ ।୧୬୪।

ସେ କହେ ଲଘୁପତନ ନାମ ମୋର ଜାତିରେ ବାୟସ ମୁହିଁ ।

ହିରଣ୍ୟକ ବୋଲେ ତେଣୁ ତୋ ସଙ୍ଗରେ ମିତ୍ରପଣ ନ ଯୋଗାଇ ।୧୬୫।

ଯେଣୁ ଯାହା ସଙ୍ଗେ ଯାହା ଯୋଗ ଯୋଗ୍ୟ ବୁଧ ତା ସଙ୍ଗେ ଯୋଜଇ ।

ମୋତେ ତୁ ଖାଇବୁ ତୁ ମୋର ଖାଦକ କିରୂପେ ପ୍ରୀତି ହୁଅଇ ।୧୬୬।

ରକ୍ଷ ରକ୍ଷକ ଦୁହିଁକ ମିତ୍ରପଣ ବିପତ୍ତି କାରଣ ଜାଣ ।

ଶୃଗାଳ ମୃଗକୁ ପାଶେ ପକାଇଲା କାକ କଲା ତା ରକ୍ଷଣ ।୧୬୭।

ବାୟସ ପଚାରେ ହିରଣ୍ୟକ ଭାଇ କହ ଏକଥା କିରୂପେ ।

ହିରଣ୍ୟକ ଆଦ୍ୟପ୍ରାନ୍ତ କରି ତାହା କହଇ କଥା ସ୍ୱରୂପେ ।୧୬୮।

ମଗଧ ଦେଶରେ ପ୍ରସିଦ୍ଧ ହୋଇଣ ଅଛଇ ଚମ୍ପକ ବନ ।

ତହିଁରେ ବଡ଼ ସ୍ନେହରେ କାକ ମୃଗ ମିତ୍ର କରିଥାନ୍ତି ସ୍ଥାନ ।୧୬୯।

ସେ ମୃଗ ପୁଷ୍ଟାଙ୍ଗ ବନରେ ଭ୍ରମନ୍ତେ ଶୃଗାଳ ତାକୁ ଦେଖିଲା ।

କିରୂପେ ଏହାର ସୁଲଳିତ ମାଂସ ଖାଇବି ବିଚାର କଲା ।୧୭୦।

ହେଉ ଏହା ସଙ୍ଗେ ବିଶ୍ୱାସ କରିବି ବୋଲି ତା ପାଖକୁ ଗଲା ।

ଆହେ ମିତ୍ର ସବୁ କୁଶଳ ତୁମ୍ଭର ବୋଲନ୍ତେ ମୃଗ ପୁଚ୍ଛିଲା ।୧୭୧।

କେ ତୁମ୍ଭେ ବୋଲି ପଚାରନ୍ତେ ଶୃଗାଳ କହେ କ୍ଷୁଦ୍ର ବୁଦ୍ଧି ନାମ ।

ମୁହିଁ ଜମ୍ୱୁକ ଏହି ବନେ ରହିଛି ବନ୍ଧୁହୀନ ମୃତ ସମ ।୧୭୨।

ତୁମ୍ଭଙ୍କୁ ପାଇ ବର୍ତ୍ତମାନ ସବନ୍ଧୁ ଆଜ ଜୀବନ ପାଇଲି ।

ବର୍ତ୍ତମାନ ଅନୁସରି ମୁହିଁ ସଦା ମିତ୍ର ତୋହର ହୋଇଲି ।୧୭୩।

ମିତ୍ରକୁ ନିର୍ମ୍ମଳ ପଣେ ବଶ କରି ଶତ୍ରୁକୁ ବିଚାର ବଳେ ।

ଲୋଭିକି ଧନରେ ପ୍ରଭୁଙ୍କୁ କାର୍ଯ୍ୟରେ ଦ୍ୱିଜକୁ କରି ଆଦରେ ।୧୭୪।

ଯୁବତୀଙ୍କି ବଶ କରିବ ପ୍ରେମରେ ବନ୍ଧୁକୁ ସାମ୍ୟ ବୃତ୍ତିରେ ।

ଦୁଷ୍ଟଙ୍କୁ ସ୍ତୁତିରେ ଗୁରୁଙ୍କୁ ନତିରେ ମୂର୍ଖକୁ ବଶ କଥାରେ ।୧୭୫।

ପଣ୍ଡିତ ଜନଙ୍କୁ ବିଦ୍ୟାବଳେ ବଶ କରି ରସିକ ଜନଙ୍କୁ ।

ରସରେ ଏରୂପେ ସଦବୃତ୍ତେ ବଶ କରିବ ସର୍ବ ଜନଙ୍କୁ ।୧୭୬।

ମୈତ୍ରୀ ଲକ୍ଷଣ ଏରୂପେ ଅଛି ବୋଲି କହନ୍ତେ ସୂର୍ଯ୍ୟାସ୍ତ ହେଲେ ।

ଶୃଗାଳ ମୃଗ ଦୁହେଁ ସାଙ୍ଗ ହୋଇଣ ନିବାସ ଭୂମିକି ଗଲେ ।୧୭୭।

ସେଠାରେ ଚମ୍ପକ ଶାଖାରେ ସୁବୁଦ୍ଧି ନାମେ କାକ ମୃଗ ମିତ୍ର ।

ଦୁହିଁକି ଦେଖିଣ ପଚାରଇ ଏ କେ କହ ଆହେ ମୃଗ ମିତ୍ର ।୧୭୮।

ମୃଗ କହୁଅଛି ଏ ଜମ୍ୱୁକ ଆସିଅଛି ମିତ୍ରପଣ କରି ।

କାକ କହୁଅଛି ଆଗନ୍ତୁକ ସଙ୍ଗେ କେବେ ବିଶ୍ୱାସ ନ କରି ।୧୭୯।

ନ ଜାଣି ଯାହାର କୁଳଶୀଳ ତାକୁ କେବେହେଁ ନ ଦେବ ବାସ ।

ମାର୍ଜ୍ଜାର ଦୋଷରେ ଜରଦ୍ଗବ ଗୃଧ୍ର ପ୍ରାଏ ହୁଅଇ ବିନାଶ ।୧୮୦।

ମୃଗ ପଚାରୁଛି ମିତ ଏକଥାକୁ ଶୁଣିବା କିରୂପେ କହ ।

କାକ କହୁଅଛି ଶୁଣ ମୃଗ ମିତ୍ର ଏକଥାକୁ ମନେ ବହ ।୧୮୧।

ଗଙ୍ଗାତୀରେ ଗୃଧ୍ରକୁଟ ପର୍ବତରେ ବଡ଼ ଜରୀ ବୃକ୍ଷ ଥିଲା ।

ତାହା କୋରଡ଼େ ନଖ ଦନ୍ତ ବିହୀନ ଜରଦ୍ଗବ ଗୃଧ୍ର ଲୀଳା ।୧୮୨।

ସେ ବୃକ୍ଷବାସୀ ପକ୍ଷିମାନେ ଆପଣା ଆହାରରୁ କିଛି କିଛି ।

ତାହାକୁ ଦିଅନ୍ତି ଖାଇ ସେ ଆହାର ତାଙ୍କ ପିଲାଙ୍କୁ ଜଗିଛି ।୧୮୩।

ଏଥୁ ଅନନ୍ତରେ କୌଣସି କାଳରେ ଦୀର୍ଘ କର୍ଣ୍ଣ ସେ ମାର୍ଜ୍ଜାର ।

ପକ୍ଷୀ ପିଲାଙ୍କୁ ଖାଇବାକୁ ପ୍ରବେଶ ଆଶାରେ ହୋଇ ଜର୍ଜ୍ଜର ।୧୮୪।

ତାହାକୁ ଦେଖିଣ ପକ୍ଷୀ ପିଲାମାନେ ଭୟରେ ଶବଦ କଲେ ।

ତାହା ଶୁଣି ଜରଦ୍ଗବ ଗୃଧ୍ର କିଏ ଆସୁଛି ବୋଲି କହିଲେ ।୧୮୫।

ଗୃଧ୍ରକୁ ଦେଖି ଦୀର୍ଘ କର୍ଣ୍ଣ ମାର୍ଜ୍ଜାର ଭୟରେ ମଲି ବୋଇଲା ।

ବର୍ତ୍ତମାନ ଅତି ନିକଟ କିରୂପେ ପଳାଇବି ମୁ କହିଲା ।୧୮୬।

ଯେ ହେବ ସେ ହେବ ଏହା ସମୀପକୁ ଯିବାର ହେବ ଉଚିତ ।

ଏମନ୍ତ ବିଚାରି ଅଗ୍ରେ ଠିଆ ହୋଇ ତାକୁ କଲା ଦଣ୍ଡବତ ।୧୮୭।

ଗୃଧ୍ର କହୁଅଛି କେ ତୁମ୍ଭେ ସେ କହେ ମୁଁ ଦୀର୍ଘ କର୍ଣ୍ଣ ମାର୍ଜ୍ଜାର ।

ଗୃଧ୍ର କହୁଅଛି ଦୂରରୁ ପଳାଅ ମୋ ଚଞ୍ଚୁଘାତେ ନ ମର ।୧୮୮।

ମାର୍ଜ୍ଜାର ଶୁଣିଣ କହଇ ବଚନ ବଧଯୋଗ୍ୟ ହେଲେ ମାର ।

ଜାତି ମାତ୍ରେ କେହି ବଧ୍ୟ ପୂଜ୍ୟ ନୋହି ବଧ୍ୟ ପୂଜ୍ୟ ବ୍ୟବହାର ।୧୮୯।

ଗୃଧ୍ର କହୁଅଛି କହ ତୁମ୍ଭେ ପୁଣି ମାର୍ଜ୍ଜାର କହୁଛି ଶୁଣ ।

ମୁହିଁ ନିରାମିଷ ଭୋଜୀ ବ୍ରତକରି ଗଙ୍ଗା ଜଳେ କରେ ସ୍ନାନ ।୧୯୦।

ତୁମ୍ଭେ ଧର୍ମ୍ମ ଜାଣ ବୋଲି ବିଶ୍ୱାସରେ ପକ୍ଷୀ କହନ୍ତି ମୋ ଆଗେ ।

ଶୁଣି ମୁ ଧର୍ମ୍ମ ତୁମ୍ଭଠାରୁ ଶୁଣିବି ବୋଲି ଅଇଲି ସଭାରେ ।୧୯୧।

ଏହିରୂପେ ତୁମ୍ଭେ ଧର୍ମଜ୍ଞ ଜାଣିଲି କଲ ଅତିଥି ମାରଣ ।

ଅତିଥିଠାରେ ଗୃହସ୍ଥ ଯାହା କରେ ସେ ଧର୍ମ କହିବା ଶୁଣ ।୧୯୨।

ଶତ୍ରୁ ହେଲେ ଗୃହଠାକୁ ଆସିଥିଲେ ପୂଜା କରିବ ଆଦରେ ।

କାଟିବାକୁ ଆସିଥିଲା ଲୋକଠାରେ ବୃକ୍ଷ କି ଛାର ନ କରେ ।୧୯୩।

ଯେବେ ତାକୁ କିଛି ଦେବାକୁ ନ ଥାଇ ମଧୁର ବଚନ ତୃଣ ।

ବସିବାକୁ ଭୂମି ଜଳ ନେଇ ଦେବ ସାଧୁମାନଙ୍କ ଲକ୍ଷଣ ।୧୯୪।

ନିର୍ଗୁଣ ଜନ୍ତୁଠାରେ ଦୟା କରନ୍ତି ସାଧୁମାନେ ସର୍ବକାଳେ ।

ଚନ୍ଦ୍ର ଚଣ୍ଡାଳ ଘରେ କି କିରଣକୁ ସଂହରଣ କରେ ତାଳେ ।୧୯୫।

ଅତିଥି ଯାହାର ଘରଠାରୁ କିଛି ଦ୍ରବ୍ୟ ନ ପାଇଣ ଯାଇ ।

ତାହାକୁ ଆପଣା କଳୁଷ ଦେଇ ସେ ତା ପୁଣ୍ୟ ଘେନି ଗମଇ ।୧୯୬।

ଗୃଧ୍ର କହୁଅଛି ମାର୍ଜ୍ଜାର ସ୍ୱଭାବ ତାର ମାଂସେ ବଡ଼ ରୁଚି ।

ପକ୍ଷୀ ପିଲାମାନେ ଏଠାରେ ଅଛନ୍ତି ଏଣୁ ଏରୂପେ କହୁଛି ।୧୯୭।

ଶୁଣି ମାର୍ଜ୍ଜାର ଭୂମି ଛୁଇଁ ଆପଣା କର୍ଣ୍ଣ ଦୁହିଙ୍କି ଛୁଇଁଲା ।

ମୁହିଁ ଧର୍ମଶାସ୍ତ୍ର ପଢ଼ି ବିରାଗରେ ବ୍ରତ କରିଛି ବୋଇଲା ।୧୯୮।

ପରସ୍ପର ଯେ ବିବାଦ କରୁଛନ୍ତି ସେଠାରେ ଶାସ୍ତ୍ର ପ୍ରମାଣ ।

ଅହିଁସା ପରମ ଧର୍ମ ବୋଲି କହି ଅହିଁସା ପରମ ଦାନ ।୧୯୯।

ଯେଉଁମାନେ ସର୍ବ ହିଂସା ନ କରନ୍ତି ସମସ୍ତଙ୍କର ସହନ୍ତି ।

ସମସ୍ତଙ୍କ କାର୍ଯ୍ୟେ ସହାୟ ହୁଅନ୍ତି ସେମାନେ ସ୍ୱର୍ଗକୁ ଯାନ୍ତି ।୨୦୦।

ମରଣ କାଳରେ ଯେ ଯାଇ ସଙ୍ଗରେ ସେ ଧର୍ମ ଏକା ସୁହୃଦ ।

ଆଉ ସମସ୍ତେ ଶରୀର ସଙ୍ଗେ ନାଶ ହୁଅନ୍ତି ଏକଥା ବେଦ ।୨୦୧।

ଯେଉଁଜନ ଯାର ମାଂସ ଖାଉଅଛି ଦେଖ ଏହାଙ୍କ ଅନ୍ତର ।

ଖାଇବା ଲୋକର କ୍ଷଣେ ସୁଖ ହୁଏ ପ୍ରାଣ ବିଯୋଗ ଅନ୍ୟର ।୨୦୨।

ମରିବୁ ବୋଲନ୍ତେ ଯେଡ଼େ ଦୁଃଖ ଜାତ ହୁଏ ଦେଖ ପୁରୁଷର ।

ସେହି ଅନୁମାନେ ପରରକ୍ଷା କରିବାରେ ହୋଇବ ତତ୍‌ପର ।୨୦୩।

ଯେଉଁଜନ ଅଶ୍ୱ ପଶୁ କରି ଶଏ ବର୍ଷ ଅଛି ଯାଗ କରି ।

ଜନ୍ମକାଳରୁ ଯେ ଖାଇ ନାହିଁ ମାଂସ ଦୁହିଙ୍କର ଫଳ ସରି ।୨୦୪।

ଆପଣା ଇଚ୍ଛାରେ ହୋଇଛି ବଣରେ ସେ ଶାକରେ ଯେ ପୂରିବ ।

ଏଡ଼େ ନିନ୍ଦ୍ୟ ପେଟ ପାଇଁ କେଉଁ ଲୋକ ମହାପାତକ କରିବ ।୨୦୫।

ଏରୂପେ ବିଶ୍ୱାସ କରାଇ କୋରଡ଼େ ଥାଇ ପକ୍ଷି ପୁତ୍ର ଖାଇ ।

ଯାହାର ପିଲା ଖାଇଲା ସେ ଜାଣନ୍ତେ ଜାଣି ବିରାତୀ ପଳାଇ ।୨୦୬।

କେ ପିଲା ଖାଇଲା ଏମନ୍ତ ବିଚାରି ଖୋଜନ୍ତେ ତରୁ କ୍ରୋଟରେ ।

ଦେଖି ପିଲାଙ୍କୁ ଖାଇ ଅସ୍ଥି ରଖିଛି ବୋଲି ଗୃଧ୍ରକୁ ମାଇଲେ ।୨୦୭।

ଏହିହେତୁରୁ କହିଲି କୁଳଶୀଳ ନାମ ଯାହାର ନ ଜାଣି ।

ତାହାକୁ କେବେହେଁ ସ୍ଥାନକୁ ନ ଦେଇ ଏହା ମୁଁ ଶାସ୍ତ୍ରରୁ ଶୁଣି ।୨୦୮।

ଏମନ୍ତ ଶୁଣିଣ ସକ୍ରୋଧ ହୋଇ ସେ ଜମ୍ୱୁକ କହଇ ବାଣୀ ।

ତୁମ୍ଭର ମୃଗର ପ୍ରଥମ ଦର୍ଶନେ କୁଳଶୀଳ କିଏ ଜାଣି ।୨୦୯।

ଯେରୂପେ ଏହାଙ୍କଠାରେ ତୁମ୍ଭ ସ୍ନେହ ବେଳକୁବେଳ ବଢ଼ୁଛି ।

ସେରୂପେ ଏହାଙ୍କଠାରେ ମୋର ପ୍ରୀତି ତୁମ୍ଭେ ନ ବିଚାର କିଛି ।୨୧୦।

ଏ ମୋହର ବନ୍ଧୁ ଏ ମୋହର ନୁହେ ନୀଚ ଲୋକର ଏ ରୀତି ।

ବଡ଼ ଲୋକମାନଙ୍କର ସବୁଠାରେ କୁଟୁମ୍ୱ ପରାଏ ପ୍ରୀତି ।୨୧୧।

ପରଉପକାରୀ ବନ୍ଧୁ ବୋଲି ଜାଣ ବନ୍ଧୁ ଅପକାରୀ ପର ।

ଦେହ ଜନ୍ୟ ରୋଗ ମାରେ ବନ ଅଉଷଧ କରେ ଉପକାର ।୨୧୨।

ସାଧୁ ଚୌର ଯୋଗୀ ଗୁଣବନ୍ତ ଯେହୁ ଗୁଣହୀନ ଯେଉଁ ନର ।

ଏମାନେ ଯେରୂପେ ଆମ୍ଭକୁ ଜାଣନ୍ତି ସେରୂପେ ଜାଣନ୍ତି ପର ।୨୧୩।

ଯେରୂପେ ମୃଗ ତୁମ୍ଭର ଅଟେ ମିତ୍ର ସେରୂପେ ମୋର ଆପଣ ।

ମୃଗ କହେ କହିବାରୁ କିସ କାର୍ଯ୍ୟ ଆମ୍ଭେ ରହି ଏକମନ ।୨୧୪।

କାକା ହେଉ ଏହିରୂପରେ ରହିବା ବୋଲି ଅଙ୍ଗୀକାର କଲେ ।

ଆରଦିନଠାରୁ ପ୍ରତିଦିନ ସବୁ ଯେ ଯାହା ଇଚ୍ଛାରେ ଗଲେ ।୨୧୫।

କେଉଁଣସି ଦିନେ ମୃଗର ଅଗ୍ରରେ ଜମ୍ୱୁକ କହଇ ଗିର ।

ଆହେ ମିତ ଶୁଣ ପୂର୍ଣ୍ଣ ଧାନ ଅଛି ଏହି ଅରଣ୍ୟ ଭିତର ।୨୧୬।

ମୁହିଁ ତୁମ୍ଭଙ୍କୁ ଦେଖାଇବି ବୋଲି ସେ ଧାନ୍ୟ କ୍ଷେତ ଦେଖାଇଲା ।

ଦେଖି ମୃଗ ପ୍ରତିଦିନ ଯାଇ ପାଚିଲା ଧାନ ଖାଇଲା ।୨୧୭।

ଏକ ଦିନେ କ୍ଷେତ୍ରପତି ତା ଦେଖିଣ ସେଠାରେ ଫାଶ ଯୋଚିଲା ।

ମୃଗ ଯାଇ ଧାନ ଖାଉ ଖାଉ ଫାଶେ ପଡ଼ିଣ ସେ ବିଚାରିଲା ।୨୧୮।

କେ ମୋତେ କାଳ ପାଶରୁ ମିତ୍ର ବିନା ରକ୍ଷା କରିବ ଏ ବନେ ।

ଏମନ୍ତ ବିଚାରୁଁ ଜମ୍ୱୁକ ପ୍ରବେଶ ହୋଇ ବିଚାରିଲା ମନେ ।୨୧୯।

ମୋ ମନୋରଥ ଏତେବେଳେ ଫଳିଲା ଏହାର ମାଂସ ଖାଇବି ।

ମାଂ ଖାଇ ମାଂସ ଲାଗିଥିବା ହାଡ଼ ଦାନ୍ତରେ ମୁଁ ରେକଟିବି ।୨୨୦।

ମୃଗ ଦେଖି ତାକୁ ହରଷ ହୋଇଣ ବୋଲେ ମିତ ଆସ ଆସ ।

ରକ୍ଷା କର ମୋତେ ସତ୍ୱର ହୋଇଣ ଛେଦ କର କାଳ ପାଶ ।୨୨୧।

ଯେଣୁ ବିପତ୍ତିରେ ମିତ୍ରକୁ ଚିହ୍ନିବ ଶୂରଜନ ଯୁଦ୍ଧକାଳେ ।

ଋଣରେ ନିର୍ମଳ ଭାର୍ଯ୍ୟା ଧନ କ୍ଷୟେ ବନ୍ଧୁକୁ ବ୍ୟସନ କାଳେ ।୨୨୨।

ଜମ୍ବୁକ ପାଶକୁ ଦେଖିଣ ବିଚାରେ ଗଣ୍ଠିତ ଭିଡ଼ି ହୋଇଛି ।

ମିତ୍ର ଚର୍ମ୍ମପାଶ ଏ ରବିବାରରେ କେମନ୍ତେ ଦନ୍ତେ ଛୁଉଁଛି ।୨୨୩।

ସଖେ ଅନ୍ୟଥା ନ ବିଚାର ମନରେ ତାହା କରିବି ପ୍ରଭାତେ ।

ଏଥୁଅନନ୍ତରେ ସୁବୁଦ୍ଧି ବାୟସ ବଡ଼ ଚିନ୍ତା କଲା ଚିତ୍ତେ ।୨୨୪।

ଆଜ ରାତ୍ରରେ କିପାଁ ମୃଗ ନଇଲା ବିଷୟ ଜଣା ନ ଗଲା ।

ତହିଁ ଉତ୍ତାରୁ ଖୋଜୁ ଖୋଜୁ ତାହାକୁ ପାଶ ବନ୍ଧନେ ଦେଖିଲା ।୨୨୫।

ଦେଖିକରି ବୋଲେ କିଅବସ୍ଥା ମିତ ପାଇଲ ଅଭାଗ୍ୟ ମୋର ।

ମୃଗ କହୁଅଛି ତୁମ୍ଭ ବାକ୍ୟ ନାହିଁ କରିବାର ଏବେ ଫଳ ।୨୨୬।

ହିତକାରୀ ମିତ୍ରଜନଙ୍କର ବାକ୍ୟ ଯେଉଁ ଜନ ନ କରଇ ।

ବିପତ୍ତି ତାହାର ନିକଟ ହୁଅଇ ଶତ୍ରୁ ଆନନ୍ଦ କରାଇ ।୨୨୭।

କାକ ପଚାରିଲା ଜମ୍ୱୁକ କାହିଁଛି ମୃଗ ବୋଲେ ଦେଖ ଅଛି ।

ମୋ ମାଂସ ଖାଇବା ନିମନ୍ତେ ସେ ଫେରୁ ବ୍ୟାଧରୂପ ହୋଇଅଛି ।୨୨୮।

ସଂସାରେ ମୃଗ ମତ୍ସ୍ୟ ସାଧୁମାନଙ୍କ ବୃତ୍ତି ତୃଣ ହର୍ଷ ଜଳ ।

ହେତୁ ନ ଥାଇଣ ବାଧନ୍ତି ଏହାଙ୍କୁ ଲୁବ୍ଧକ ଖଳ ଧୀବର ।୨୨୯।

ଅପରାଧ ମୋର କିଛି ନାହିଁ ବୋଲି ନୋହେ ବିଶ୍ୱାସ କାରଣ ।

ଖଳଲୋକେ ଗୁଣବନ୍ତକୁ ବାଧନ୍ତି ବିନାଦୋଷେ ଅକାରଣ ।୨୩୦।

ଆମ୍ଭେତ ପୂର୍ବରୁ କହିଥିଲୁଁ ତୁମ୍ଭେ ସେ କଥା ମନେ ନ କଲ ।

ଖଳଲୋକ ସଙ୍ଗେ ପ୍ରୀତି କରିବାରୁ ଏବେ ହେଲ କଲବଲ ।୨୩୧।

ପୁଣି ଦୁଃଖେ କାକ ନିଶ୍ୱାସ ପକାଇ ବୋଲଇ ଆରେ ଜମ୍ୱୁକ ।

ତୁହି ପାପ କର୍ମ୍ମା କଲୁରେ କି ପାପ ତୁହି ଯଥାର୍ଥ ଲୁବ୍ଧକ ।୨୩୨।

ଯେ ଉପକାରୀ ବିଶ୍ୱସ୍ଥ ଶୁଦ୍ଧଚିତ୍ତ ତାଠାରେ ପାପାଚରଣ ।

କଲା ଯେ ଅସତ୍ୟବନ୍ତକୁ ପୃଥିବୀ ବହିଅଛୁ ଅକାରଣ ।୨୩୩।

ପ୍ରଥମେ ପାଦେ ପଡ଼ଇ ପୃଷ୍ଠ ମାଂସ ଖାଇ କର୍ଣ୍ଣେ କରେ ରଣ ।

ଛିଦ୍ର ଦେଖିଣ ନିର୍ଭୟେ ବସେ ଦୁଷ୍ଟ ମଶକପରାଏ ଜାଣ ।୨୩୪।

ଦୁର୍ଜ୍ଜନ ମଧୁର ବଚନ କହିଲେ ବିଶ୍ୱାସ କାରଣ ନୋହି ।

ତୁଣ୍ଡରେ କେବଳ ମଧୁର କହଇ ହୃଦେ ହଳାହଳ ଥାଇ ।୨୩୫।

ନୌକା ଖଳ ଜିହ୍ୱା ଏ ଦୁହେଁ ସମାନ ପ୍ରତିକୁଳ ହୁଏ ଗତି ।

ପର ପ୍ରତାରଣ ନିମନ୍ତେ ବିଧାତା କରିଛି ଦାରୁଣାକୃତି ।୨୩୬।

ଏଥୁଁ ଅନନ୍ତରେ ପ୍ରଭାତ କାଳରେ ବାଡ଼ି ଘେନି କ୍ଷେତ୍ରପତି ।

ମୃଗ କାକ ଥିଲା ପ୍ରଦେଶରେ ଆସି ପ୍ରବେଶ ହେଲା ତଡ଼ତି ।୨୩୭।

ତାହାକୁ ଦେଖିଣ କାକ କହୁଅଛି ମିତ ମଲା ପ୍ରାଏ ରହି ।

ଯେବେ ମୁଁ ଶବଦ କରିବି ତା ଶୁଣି ଯିବ ସତ୍ୱର ପଳାଇ ।୨୩୮।

ଏଥୁଁ ଅନ୍ତେ କ୍ଷେତ୍ରପତି ମୃଗ ଦେଖି ମଲା ଏ ବୋଲି ଜାଣିଲା ।

ବନ୍ଧନ ଫିଟାଇ ପାଶ ଗୁଡ଼ିଆଇ ରଖିବାକୁ ଯତ୍ନ କଲା ।୨୩୯।

ଏଥୁଁ ଅନ୍ତେ କାକ ଶବଦ କଲା ତା ଶୁଣି ମୃଗ ପଳାଇଲା ।

ତାକୁ ଚାହିଁ ବାଡୀ ଫୋପଡାଇଲା ସେ ତା ବାଜି ଶୃଗାଳ ମଲା ।୨୪୦।

ତିନି ବରଷରେ ତିନି ମାସେ ତିନି ପକ୍ଷରେ ତିନି ଦିନରେ ।

ଅତିଶୟ ପାପ ପୁଣ୍ୟ ଫଳ ଏହି ଜନ୍ମରେ ପାଆନ୍ତି ନରେ ।୨୪୧।

ଏହି ହେତୁରୁ ଯେ ମୁ କହିଲି ଭକ୍ଷ ଭକ୍ଷକର ପ୍ରୀତି ନୋହି ।

ହିରଣ୍ୟକ ଏହା କହିଲା ଶୁଣିଣ ଲଘୁପତନ କହଇ ।୨୪୨।

ତୁମ୍ଭେ ଖାଇଲେ ମୁ ଖାଇବି ଆହାର ନ ଖାଇଲେ ନ ଖାଇବି ।

ତୁମ୍ଭେ ବଞ୍ଚିଥିଲେ ମୋ ଜୀବନ ଅଛି ଚିତ୍ରଗ୍ରୀବ ପ୍ରାଏ ହେବି ।୨୪୩।

ସାଧୁଙ୍କର ସାଧୁ ସ୍ୱଭାବ ହେତୁରୁ ତୋର କପୋତର ପରି ।

ପୁଣ୍ୟବନ୍ତ ତିର୍ଯ୍ୟକ୍‌ ଜନ୍ତୁ ହେଲେ ମଧ୍ୟ ତାଙ୍କ ବିଶ୍ୱାସ ଜାଣିଲି ।୨୪୪।

ସାଧୁଁ ପ୍ରକୋପିତ ହେଲେ ତାର ମନ ନ ଭଜେ ବିକାର ଭାବ ।

ତୃଣାଗ୍ନି ଶିଖାରେ ସମୁଦ୍ର ଜଳ କି ତାପିବାକୁ ଶକ୍ତ ହେବ ।୨୪୫।

ହିରଣ୍ୟକ କହେ ସ୍ୱଭାବ ଚଞ୍ଚଳ ତୁ ଅଟୁ ତୋରେ କି ପ୍ରୀତି ।

ଚଞ୍ଚଳ ସଙ୍ଗରେ ପ୍ରୀତି କରିବାର ସର୍ବଥା ନୁହଇ ନୀତି ।୨୪୬।

ମାର୍ଜ୍ଜାର ମହିଷ ମେଷ କାକ ନିନ୍ଦ୍ୟ କାପୁରୁଷ ପୁଣି ନାରୀ ।

ବିଶ୍ୱାସ ଏତେଠାରେ କେବେ ନ କରି ବିଶ୍ୱାସ କଲେତ ମରି ।୨୪୭।

ପ୍ରୀତି ଯୋଗ୍ୟ ହୋଇଥିଲେ ଶତ୍ରୁ ସଙ୍ଗେ ପୀରତି କରିବ ନାହିଁ ।

ଯେଣୁ ଅତି ତପ୍ତ ଜଳପାବକକୁ ପଡ଼ିଲା ମାତ୍ରେ ଲିଭାଇ ।୨୪୮।

ଯେ ନୋହିବାର ସେ କେବେହେଁ ନୁହଇ ହେବା କାର୍ଯ୍ୟ ନିଶ୍ଚେ ହୋଇ ।

କେବେହେଁ ଶକଟ ଜଳରେ ନ ଯାଇ ନୌକା ସ୍ଥଳେ ନ ଚାଲଇ ।୨୪୯।

ବଡ଼ ଲୋକଙ୍କ ଚେଷ୍ଟାକୁ ଚାହିଁ ଯାର ଶତ୍ରୁରେ ବିଶ୍ୱାସ ହୋଇ ।

ହରକତ ଭାର୍ଯ୍ୟାଠାରେ ଯାର ଅଛି ତାହାର ଜୀବନ ଯାଇ ।୨୫୦।

କାକ କହୁଅଛି ଶୁଣିଲି ମୁ ସବୁ ତଥାପି ମୋହର ମନ ।

ତୋର ସଙ୍ଗେ ଯେବେ ପୀରତି ନୋହିବ ତୋ ଗର୍ତ୍ତଦ୍ୱାରେ ମରଣ ।୨୫୧।

ଦୁର୍ଜ୍ଜନର ପ୍ରୀତି ମାଟି ଘଟ ପ୍ରାଏ ଭାଜିଲେ ଯୋଡ଼ି ନୁହଇ ।

ସୁଜନ ପ୍ରୀତି କନକ ଘଟ ପ୍ରାୟେ ନ ଭାଙ୍ଗି ସନ୍ଧେୟ ହୋଇ ।୨୫୨।

ଖଳ ସଜ୍ଜନ ଦୁହିଁଙ୍କର ପୀରତି ପ୍ରାତ ମଧ୍ୟ ଛାଇ ପ୍ରାୟେ ।

ପୂର୍ବ ଆଡ଼ୁ ବଢ଼ି କ୍ରମରେ ଛିଡ଼ଇ ମଧ୍ୟେ ହୀନ ପ୍ରାନ୍ତ ହୁଏ ।୨୫୩।

ଦ୍ରବ ହେଲେ ସର୍ବ ଲୌହ ହୁଏ ସଙ୍ଗ ମୃଗ ପକ୍ଷି ନିମତ୍ତରେ ।

ଭୟରେ ଲୋଭରେ ମୂର୍ଖାର ସଙ୍ଗମ ସାଧୁଙ୍କ ଦରଶନରେ ।୨୫୪।

ସାଧୁମାନଙ୍କର ସ୍ନେହ ଛେଦ ହେଲେ ଗୁଣ ବିକୃତ ନୁହନ୍ତି ।

ପଙ୍କଜ ମୃଣାଳ ଭାଙ୍ଗିଗଲେ ତାର ତନ୍ତୁମାନ ନ ଭାଜନ୍ତି ।୨୫୮।

ଚିତ୍ତ ଶୁଦ୍ଧି ଦାନ ଧଇର୍ଯ୍ୟ ସମାନ ସୁଖ ଦୁଃଖେ ରହିବାର ।

ଅକପଟ ଅନୁରାଗ ସତ୍ୟ ବାକ୍ୟ ଏତେ ଗୁଣ ସୁହୃଦର ।୨୫୯।

ଏତେ ଗୁଣମାନେ ଅଛନ୍ତି ଏଠାରେ ଏହା ପ୍ରାୟେ ଗୁଣୀ ନାହିଁ ।

ଏମନ୍ତ ବିଚାରି ଗାତରୁ ବାହାରି ମୂଷିକ କାକକୁ କହି ।୨୬୦।

ଯେହ୍ନେ ଯୁକ୍ତି ଥାଇ ସାଧୁଙ୍କ ମଧୁର ବାକ୍ୟ ସୁଖକର ହୁଏ ।

ତେହ୍ନେ ଗ୍ରୀଷ୍ମକାଳେ ଚନ୍ଦନ ଲେପନ ସ୍ନାନ ମୁକ୍ତାବଳୀ ନୋହେ ।୨୬୧।

ବିଶ୍ୱାସ ଭେଦ ମାଗିବାର ନିଷ୍ଠୁରପଣ ନଷ୍ଟ ଚେଷ୍ଟାପଣ ।

କ୍ରୋଧ ସତ୍ୟ ଛାଡ଼ିବାର ଯୁଅ କ୍ରୀଡ଼ା ଏତେ ମିତ୍ରର ଦୂଷଣ ।୨୬୨।

ଏତେ ଦୋଷରୁ ଗୋଟିଏ ଦୋଷ ତୋହଠାରେ ମୁହିଁ ନ ଦେଖିଲି ।

ତୋହର ମଧୁର ବଚନ ମୁଁ ଶୁଣି ଅମୃତ ପ୍ରାୟ ମଣିଲି ।୨୬୩।

ପାରିବାପଣ ସତ୍ୟ ବାକ୍ୟ ଦୁହିଁକି ଜାଣିବ କଥା ଯୋଗରେ ।

କପଟ ନ କରିବାର ସ୍ଥିରପଣ ଦୁହିଁକି ଜାଣି ନେତ୍ରରେ ।୨୬୪।

ଯେଉଁଜନ ଶୁଦ୍ଧ ଚିତ୍ତ ହୋଏ ତାର ମିତ୍ରପଣ ଲୋକେ ନାହିଁ ।

ଧୃର୍ତ୍ତପଣରେ ଖ୍ୟାତ ହୋଇ ଯେ ଜନ ସେ କେବଳ ମିଥ୍ୟା କହି ।୨୬୫।

ହିରଣ୍ୟକ କାକ ଯହିଁ ଥିଲା ଯାହା ସର୍ବ ସନମତ କଲେ।

ଭୋଜନ କରି ମିତ୍ରପଣ କରିଣ ସେ ଦୁହେଁ ସ୍ୱସ୍ଥାନ ଗଲେ ।୨୬୬।

ଏରୂପେ କାକ ମୂଷିକ ମିତ୍ର ହୋଇ ଦିନକୁଦିନ ଆହାର ।

ସେ ତାକୁ ଦିଅଇ ଏ ତାକୁ ଦିଅଇ ଏହିରୂପେ ଗଲା କାଳ ।୨୬୭।

ଏକ ଦିନ କାକ ମୂଷିକକୁ କହେ ଏଠାରେ ଦୁସ୍ଥ ଆହାର ।

ସେହି ହେତୁରୁ ଏ ସ୍ଥାନକୁ ଛାଡ଼ିଣ ଚାଲ ଯିବା ଦେଶାନ୍ତର ।୨୬୮।

ହୀରଣ୍ୟକ କହେ କେଉଁଠାକୁ ଯିବା ଯେବେ ଯିବା ଅନ୍ୟ ଦେଶ ।

ଯେବେ ଯିବ ଆଦ୍ୟୁ ସ୍ଥାନକୁ ଖୋଜିଣ ପୂର୍ବ ସ୍ଥାନ ଛାଡ଼ି ଖସ ।୨୬୯।

ସୁବୁଦ୍ଧି ଜନ ଏକ ପାଦ ଭୂମିରେ ରଖି ଚାଲେ ଆନପାଦ ।

ଅନ୍ୟ ସ୍ଥାନକୁ ନ ଦେଖି ପୂର୍ବ ସ୍ଥାନ ନ ଛାଡ଼ି ଏକଥା ବେଦ ।୧୭୦।

କାକ କହୁଅଛି ଶୁଣ ହିରଣ୍ୟକ ଅଛି ଏକ ମିତ୍ର ସ୍ଥାନ ।

ହିରଣ୍ୟକ କହେ କହ ସେ ସ୍ଥାନକୁ ବାୟସ କହଇ ଶୁଣ ।୨୭୧।

ଦଣ୍ଡକ ଅରଣ୍ୟେ କର୍ପୂର ଗଉର ନାମେ ଅଛି ଏକ ସର ।

ତହିଁରେ ପ୍ରିୟ ସୁହୃଦ ଧର୍ମବନ୍ତ ମୋ ମିତ୍ର ଅଛି ମନ୍ଥର ।୨୭୨।

ସର୍ବ ଜନଙ୍କର ପର ଉପଦେଶେ ପଣ୍ଡିତପଣ ହୁଅଇ ।

ଆପଣା ଧର୍ମ ଆଚରଣ ବେଳକୁ ଅବା କାହାରି ହୁଅଇ ।୨୭୩।

ସେ କୂର୍ମ ମିତ୍ର ମତ୍ସ୍ୟାହାର ଦେଇଣ ଜୀଆଇବ ମିଥ୍ୟା ନୋହି ।

ହିରଣ୍ୟକ ବୋଲେ ତୁମ୍ଭେ ଯେବେ ଯିବ ଏକା ମୁଁ ରହିବି କେହି ।୨୭୪।

ଯେଉଁ ଦେଶରେ ଆଦର ମିତ୍ର ବନ୍ଧୁ ବିଦ୍ୟା ଆଗମ ନ ଥିବ ।

ପଣ୍ଡିତ ଲୋକ ଯେ ହୋଇଥିବ ସେହି ଦେଶକୁ ବେଗେ ଛାଡ଼ିବ ।୨୭୫।

ଧନୀ ବେଦବାଦୀ ରାଜା ନଦୀ ବୈଦ୍ୟ ପଞ୍ଚେ ନ ଥିବେ ଯେ ସ୍ଥାନେ ।

ସେ ସ୍ଥାନରେ ଆଉ ବାସ ନ କରିବ ବୋଲିଛନ୍ତି ଋଷିମାନେ ।୨୭୬।

ଏହିହେତୁରୁ ଏ ସ୍ଥାନକୁ ଛାଡ଼ିଣ ଯିବା ଚାଲ ଆନ ଦେଶ ।

ଏମନ୍ତ ବୋଲି କଥାବାର୍ତ୍ତା ହୋଇ ସେ ସର ନିକଟେ ପ୍ରବେଶ ।୨୭୭।

ତହିଁଉତ୍ତାରୁ ଏ ଦୁହିଙ୍କି ଦୂରରୁ ଦେଖି ସେ କୂର୍ମ ମନ୍ଥର ।

ଉଠିକରି ବେଗେ କାକ ମୂଷିକକୁ କଲା ଅତିଥି ସତ୍କାର ।୨୭୮।

ବାଳ ହେଉ ଅବା ବୃଦ୍ଧ ଯୁବା ହେଉ ଘରକୁ ଯେବେ ଆସିବ ।

ସର୍ବଜନଙ୍କର ଗୁରୁ ଅଭ୍ୟାଗତ ତାହାଙ୍କୁ ପୂଜା କରିବ ।୨୭୯।

ବ୍ରାହ୍ମଣମାନଙ୍କର ଗୁରୁ ଦହନ ଦ୍ୱିଜ ବର୍ଣ୍ଣମାନଙ୍କର ।

ସମସ୍ତ ଜନଙ୍କ ଅଭ୍ୟାଗତ ଗୁରୁ ଏକାପତି ନାରୀଙ୍କର ।୨୮୦।

କାକ କହେ ସଖେ ମନ୍ଥର ଶୁଣ ହେ ଏ ଯେ ହିରଣ୍ୟ ମୂଷିକ ।

ପୁଣ୍ୟବନ୍ତ ଲୋକମାନଙ୍କରେ ଶ୍ରେଷ୍ଠ ମହା ଦୟାବନ୍ତ ଏକ ।୨୮୧।

ଏହାଙ୍କର ଗୁଣ ଅଛି ଯେତେ ତାହା କହିବାକୁ କେ ସମର୍ଥ ।

ସର୍ପେଶ୍ୱର ହେଲେ ସହସ୍ର ମୁଖରେ କହିବାକୁ ଅସମର୍ଥ ।୨୮୨।

ଏମନ୍ତ କହି ବାୟସ ଚିତ୍ରଗ୍ରୀବ ଚରିତ ସବୁ କହିଲା ।

ମନ୍ଥର ଶୁଣି ଆଦର କରି ପୁଣି ହିରଣ୍ୟକକୁ ପୂଜିଲା ।୨୮୩।

ପୂଜା ସାରି କୂର୍ମ ହିରଣ୍ୟକୁ ପୁଚ୍ଛେ ଗ୍ରାମ ଛାଡ଼ି କିପାଁ ବଣ ।

ଆଶ୍ରୟ କଲ ଏଥିର ହେତୁ କହ କହଇ ମୂଷିକ ଶୁଣ ।୨୮୪।

ଚମ୍ପକ ନାମରେ ଗୋଟିଏ ନଗରୀ ତହିଁରେ ସନ୍ୟାସୀ ମଠ ।

ଚୂଡ଼ା କର୍ଣ୍ଣ ନାମେ ତହିଁରେ ସନ୍ୟାସୀ ଶିଷ୍ୟଙ୍କୁ ପଢ଼ାନ୍ତି ପାଠ ।୨୮୫।

ସେ ପୁଣି ମାଗିଣ ଅନ୍ନ ଆଣି ଖାଇ ନାଗଦନ୍ତେ ଭିକ୍ଷାପାତ୍ର ।

ଅନ୍ନ ଭରି କରି ଥୋଇ ଶୁଅଇ ମୁଁ ଡେଇଁ ଖାଇ ତାର ଭାତ ।୨୮୬।

ସେଠାକୁ ତାହାର ମିତ୍ର ବୀଣାକର୍ଣ୍ଣ ନାମେ ସନ୍ୟାସୀ ଅଇଲା ।

ତାର ସଙ୍ଗେ କଥା ପ୍ରସଙ୍ଗ କରନ୍ତେ ବଂଶ ଦଣ୍ଡ ହଲାଇଲା ।୨୮୭।

ଏହା ଦେଖି ବୀଣାକର୍ଣ୍ଣ ପୁଚ୍ଛେ ମିତ ବିରକ୍ତ ତୁ ଅନ୍ୟାଶକ୍ତ ।

କେଉଁ ହେତୁରୁ ଏ ଶୁଣି ଚୂଡ଼ା କର୍ଣ୍ଣ କହେ ଶୁଣ ଆହେ ମିତ ।୨୮୮।

ମୁହିଁ ନୁହଇ ବିରକ୍ତତ ଦେଖ ଏ ମୂଷା କରିଛି ବଡ଼ାଇ ।

ଅକାର୍ଯ୍ୟକାରୀ ଏ ମୋର ଭିକ୍ଷାପାତ୍ର ଅନ୍ନକୁ ସର୍ବଦା ଖାଇ ।୨୮୯।

ଶୁଣି ବୀଣାକର୍ଣ୍ଣ ନାଗଦନ୍ତ ଚାହିଁ କହେ ମୂଷା ଅଳ୍ପ ଜନ୍ତୁ ।

କେମନ୍ତେ ଏତେ ଦୂରକୁ ଡେଇଁ ଯାଇଅଛି ଏଥିରେ ସେହେତୁ ।୨୯୦।

କେଉଣସି କାଳେ ଯୁବତି ବୃଦ୍ଧକୁ କେଶ ଧରି ଆଲିଙ୍ଗନ ।

କରିଣ ଚୁମ୍ୱନ ଦେଖିତ ନ ଥାଇ ଅଛି ତହିଁର କାରଣ ।୨୯୧।

ବୃଦ୍ଧ ଯୁବତିଙ୍କି ପତିସା ପୋଇଲୀ ଦେଖି ଏମନ୍ତ ବୋଇଲା ।

ଚୂଡ଼ାକର୍ଣ୍ଣ ପୁଚ୍ଛେ କିରୂପେ ଏ କଥା ବୀଣାକର୍ଣ୍ଣ ତା ବୋଇଲା ।୨୯୨।

ଗଉଡ଼ ଦେଶରେ କୌଶାମ୍ୱୀ ନାମରେ ଗୋଟିଏ ନଗରୀ ଥିଲା ।

ତହିଁ ଚନ୍ଦନ ଦାସ ନାମେ ବଣିକ ମହାଧନୀ ବାସ କଲା ।୨୯୩।

ସେ ଚନ୍ଦନ ଦାସ ବୃଦ୍ଧ ବୟସରେ କାମାତୁର ହୋଇ ଅତି ।

ବହୁ ଧନ ଦେଇ ବିବାହ ହୋଇଲା ନାମେ କନ୍ୟା ଲୀଳାବତୀ ।୨୯୪।

ସେ ପୁଣି ମକରଧ୍ୱଜ ବୈଜୟନ୍ତୀ ପରାଏ ଯୌବନବତି ।

ସେହି ବୃଦ୍ଧ ପତିଠାରେ ଯେ ତାହାର କେବେହେଁ ନୋହିଲା ମତି ।୨୯୫।

ଯେରୂପେ ଶୀତାର୍ତ୍ତ ଚନ୍ଦ୍ରଠାରେ ମନ ଗ୍ରୀଷ୍ମାର୍ତ୍ତ ରବିଙ୍କଠାରେ ।

ମନ ରମଇ ସେହିରୂପରେ ନାରୀଙ୍କ ମନ ବୃଦ୍ଧ ପତିଠାରେ ।୨୯୬।

ବିରକତ ନାରୀଠାରେ ବୃଦ୍ଧପତି କରେ ବଡ଼ ଅନୁରାଗ ।

ତାହା କହିବା ତୁ ଶୁଣ ଚୂଡ଼ାକର୍ଣ୍ଣ ଶୁଣି ଯେ ହେବୁ ବିରାଗ ।୨୯୭।

ଧନ ଜୀବନରେ ଇଚ୍ଛା ପ୍ରାଣିଙ୍କର ହୁଅଇ ସର୍ବଦା ବଡ଼ ।

ତରୁଣ ଭାର୍ଯ୍ୟାଠାରେ ବୃଦ୍ଧ ପତିର ଧନ ଜୀବନରୁ ବଡ଼ ।୨୯୮।

ବୃଦ୍ଧ ବିଷୟକୁ ଭୋଗ କରି ନ ପାରଇ ତାକୁ ନ ଛାଡ଼ଇ ।

ଅଦନ୍ତ ଶ୍ୱାନ ହାଡ଼ ଖାଇ ନ ପାରି ଜିଭରେ ତାକୁ ଲିହଇ ।୨୯୯।

ଇଚ୍ଛା ବ୍ୟବହାର ପିତୃ ମନ୍ଦିରରେ ନିବାସ ଯାତ୍ରା ଉତ୍ସବ ।

ପୁରୁଷ ପାଖରେ ନିବାସ ବିଦେଶେ ଅନିୟମ ବା ସ୍ୱଭାବ ।୩୦୦।

ଅଶାନ୍ତି ସଙ୍ଗମ ପ୍ରତିଦିନ ନିଜ ନାରୀବୃତ୍ତିରୁ ବିଚ୍ୟୁତି ।

ପତି ବୃଦ୍ଧଭାବ ପତିର ବିଦେଶ ଗମନ ନାରୀ ଅସ୍ଥିତି ।୩୦୧।

ମଦ୍ୟପାନ ଦୁଷ୍ଟସଂସର୍ଗ ପତିର ବିରହମାର୍ଗ ଗମନ ।

ଅନ୍ୟ ଗୃହେ ସ୍ୱପ୍ନ ଅନ୍ୟ ଗୃହେ ବାସ ଏ ଷଟ ନାରୀ ଦୂଷଣ ।୩୦୨।

ସ୍ଥାନ ନ ଥିବାର କ୍ଷଣ ନ ଥିବାର ନାହିଁ ପ୍ରାର୍ଥନାକୁ ନର ।

ତେବେହେଁ ସମ୍ଭବ କି ନାରିମାନଙ୍କୁ ସତୀତ୍ୱ ହୁଏ ପ୍ରସର ।୩୦୩।

ନାରୀମାନଙ୍କର କେ ଅପ୍ରିୟ ଅଛି ପ୍ରିୟ କେହି ନାହିଁ ଜାଣ ।

ନୂଆନୂଆକୁ ସେ ଇଚ୍ଛାକରୁଥାନ୍ତି ମୃଗ ବନେ ଯେହ୍ନେ ତୃଣ ।୩୦୪।

ତପତ ଅଙ୍ଗାରସମାନ ପୁରୁଷ ଘୃତ କୁମ୍ଭ ସମ ନାରୀ ।

ସେହି ହେତୁରୁ ଘୃତ ବହ୍ନି ଦୁହିଙ୍କ ବୁଧ ଏକଠି ନ କରି ।୩୦୫।

ପିତା ବାଲ୍ୟକାଳେ ରକ୍ଷଣ କରଇ ଯୌବନେ ଧବ ରଖଇ ।

ବୃଦ୍ଧକାଳେ ପୁତ୍ର ରକ୍ଷା ସେ କରଇ ଇଚ୍ଛା ବ୍ୟବହାର ନାହିଁ ।୩୦୬।

ଯେବେ ସୁନ୍ଦର ପୁରୁଷଙ୍କୁ ଦେଖନ୍ତି ପୁତ୍ର ହେଉ ଅବା ଭ୍ରାତ ।

ନାରିମାନେ ବଡ଼ ଉତ୍ସୁକ ହୁଅନ୍ତି ନାରଦ କହିଲୁଁ ସତ ।୩୦୭।

ଏହିକାଳେ ଲୀଳାବତୀ ପଲଙ୍କରେ ମହାଜନ ପୁତ୍ର ସଙ୍ଗେ ।

କଉତୁକ କଥାବର୍ତ୍ତା ହୋଇକରି କ୍ରୀଡ଼ା କରୁଥିଲା ରଙ୍ଗେ ।୩୦୮।

ଅକସ୍ମାତ ଉପଗତ ହେଲା ଧୃବ ତାକୁ ଦେଖି ସେ ଉଠିଲା ।

କେଶ ଧରିକରି ଗାତେ କୋଳ କରି ମୁଖରେ ଚୁମ୍ୱନ ଦେଲା ।୩୦୯।

ସେହି ସମୟରେ ମହାଜନ ପୁତ୍ର ଛିଦ୍ର ପାଇ ପଳାଇଲା ।

ତାହା ଦେଖିକରି ପତିସା ପୋଇଲୀ ଏରୂପେ ବାକ୍ୟ କହିଲା ।୩୧୦।

ଏମନ୍ତ ବୋଲି ସେ ପୋଇଲୀ କାରଣ ଜାଣି ଜାରକୁ ଜାଣିଲା ।

ଜାଣିକରି ପୁଣି ଗୋପନରେ ତାକୁ ବହୁ ଅର୍ଥଦଣ୍ଡ କଲା ।୩୧୧।

ଏଣୁ ମୁଁ କହିଲି ଏ କଥା ହେ ଚୂଡ଼ାକର୍ଣ୍ଣ ବୀଣାବର୍ଣ୍ଣ କହି ।

ଏ କ୍ଷୁଦ୍ର ମୂଷିକର ଏଡ଼େ ବଳକୁ ହେତୁ ଅଛି ଆନ ନାହିଁ ।୩୧୨।

କ୍ଷଣେ ବିଚାରିଣ କହିଲେ ଏଠାରେ କାରଣ ଧନ ଅଟଇ ।

ଏ ବିଷୟ ନୀତି ବିଦ୍ୟାରେ କହିଛି ଶୁଣ ମୁଁ ତାହା କହଇ ।୩୧୩।

ସବୁଠାରେ ସବୁକାଳେ ସବୁ ଲୋକ ଧନ ଥିଲେ ବଳବନ୍ତ ।

ଯେଉଁ ହେତୁରୁ ପାର୍ଥିବମାନଙ୍କର ଧନ ମୂଳ ଯେ ପ୍ରଭୁତ୍ୱ ।୩୧୪।

ଏମନ୍ତ ବୋଲି ସେ ପଣନ୍ତିରେ ମୋର ଗାତ ଖୋଳି ଧନ ନେଲା ।

ସେହିଦିନୁ ମୋର ଆହାର ଅଭାବେ ବଳ ଉତ୍ସାହ ରହିଲା ।୩୧୫।

ସେହିଦିନୁ ତାର ଭିକ୍ଷା ପାତ୍ର ଅନ୍ନ ନିଶ୍ଚିତ ହୋଇ ରହିଲା ।

ଦେଖି ଚୂଡାକର୍ଣ୍ଣ ପରିହାସ କରି ମୋତେ ଉଦ୍ଦେଶି ବୋଇଲା ।୩୧୬।

ଅର୍ଥରେ ଲୋକେ ବଳବନ୍ତ ହୁଅନ୍ତି ଅର୍ଥରେ ହୋଏ ପଣ୍ଡିତ ।

ଦେଖ ଏ ମୂଷିକ ପାପକୁ ଆପଣା ଜାତିରେ ହେଲା ସଙ୍ଗତ ।୩୧୭।

ଧନହୀନ ଯେଉଁ ପୁରୁଷ ହୁଅଇ ସେ ହୁଅଇ କ୍ଷୁଦ୍ର ବୁଦ୍ଧି ।

ସର୍ବ କର୍ମ ତାର ଉତ୍ସନ୍ନ ହୁଅଇ ଯେହ୍ନେ ଗ୍ରୀଷ୍ମେ କ୍ଷୁଦ୍ର ନଦୀ ।୩୧୮।

ଯାର ଧନ ଅଛି ତାହାର ମିତ୍ର ଯେ ଯାଧନ ତାର ବନ୍ଧୁତ ।

ଯାହାର ଧନ ସେ ଲୋକରେ ପୁରୁଷ ଯାର ଧନ ସେ ପଣ୍ଡିତ ।୩୧୯।

ଯାର ଧନ ଅଛି ସେ ଜନ କୁଳୀନ ତାକୁ ଗୁଣଞ୍ଜ କହନ୍ତି ।

ପଣ୍ଡିତ ଶାସ୍ତ୍ରୀ ସେହି ଦାତା ସୁନ୍ଦର କାଞ୍ଚନରୁ ସର୍ବେ ହ୍ୱନ୍ତି ।୩୨୦।

ଅପୁତ୍ରର ଗୃହ ଶୂନ୍ୟ ହୋଇ ମିତ୍ର ରହିତର ସେହିପରି ।

ମୂର୍ଖ ଲୋକର ସମସ୍ତ ଦିଗ ଶୂନ୍ୟ ଦରିଦ୍ରର ସବୁ ସରି ।୩୨୧।

ଜାତି ଯାଉ ପାତାଳକୁ ଗୁଣ ଗଣ ତାହାର ତଳକୁ ଯାଉ ।

ସଦବୃତ୍ତି ପର୍ବତରୁ ପଡ଼ି ମରୁ କୁଳୀନତା ପୋଡ଼ିଯାଉ ।୩୨୨।

ଶୂରପଣେ ବଜ୍ର ପଡ଼ୁ ପଛେ ମୋର କେବଳ ଧନରେ ଇଚ୍ଛା ।

ଯେଉଁ ଧନ ବିନା ଏତେ ଗୁଣମାନେ ସମସ୍ତେ ହୁଅନ୍ତି ତୁଚ୍ଛା ।୩୨୩।

ଏହା ଚୂଡ଼ାକର୍ଣ୍ଣଠାରୁ ଶୁଣି ମୁହିଁ ବିଚାର କଲି ମୋ ଚିତ୍ତ ।

ଏଠାରେ ରହି ଏ ଚରିତ ପ୍ରକଟ ମୋର ନୋହିବା ଉଚିତ ।୩୨୪।

ଧନ ନାଶ ମନ ତାପ ଗୃହେ ଯେଉଁ ଥିବ ଦୁଷ୍ଟ ଆଚରଣ ।

ପରାଭବ ଅନାଦର ଏମାନଙ୍କୁ ନ କରିବ ପ୍ରକାଶନ ।୩୨୫।

ଅତ୍ୟନ୍ତ ବିମୁଖ ଦଇବ ହୋଇଲେ ବିନାଶ ଧନ ପୌରୁଷ ।

ସୁବୁଦ୍ଧି ଦରିଦ୍ର ଏହା ଦେଖିକରି କରିବ ବନରେ ବାସ ।୩୨୬।

ପଣ୍ଡିତ ଲୋକ କେବେହେଁ ଦୀନ ନୋହି ମରଣ ତାହାର ଭଲ ।

ଉପାୟ କଲେ ସେ ଦହନ ଲିଭଇ କେବେହେଁ ନୋହେ ଶୀତଳ ।୩୨୭।

କୁସୁମ ଗୁଛ ପଟୁ ଏ ଦୁଇ ଗତି ପଣ୍ଡିତ ଲୋକର ହୋଇ ।

ହୁଅଇ ସମସ୍ତ ମସ୍ତକ ଭୂଷିତ ବେଳେ ଅବା ଶୀର୍ଣ୍ଣ ହୋଇ ।୩୨୮।

ଏଠାରେ ପ୍ରାର୍ଥନା କରିବାର ପୁଣ ଅତି ନିନ୍ଦିତ ହୋଇବ ।

ଯାହାକୁ ସମସ୍ତେ ପ୍ରାର୍ଥନା କରନ୍ତି ସେ ଯେ କିରୂପେ ମାରିବ ।୩୨୯।

ଦରିଦ୍ର ଯେଉଁ ଲୋକ ତା ପ୍ରାଣମାନେ ଅଗ୍ନିରେ ଯିବାର ଭଲ ।

ଉପକାରହୀନ କୃପଣ ଲୋକକୁ ମାଗିବାର ହୋଏ ଶଲ ।୩୩୦।

ଦରିଦ୍ର ହେଲେ ଅଧିକ ଲାଜ ହୋଇ ଲାଜରୁ ଉତ୍ସାହ ଯାଇ ।

ଉତ୍ସାହ ରହିଲେ ପରାଭବ ପାଇ ତହିଁରୁ ନିର୍ବେଦ ହୋଇ ।୩୩୧।

ନିର୍ବେଦବନ୍ତ ଲୋକର ଶୋକ ହୋଇ ଶୋକ ହେଲେ ବୁଦ୍ଧି ଯାଇ ।

ବୁଦ୍ଧି ଗଲେ ନାଶ ଦାରିଦ୍ର୍ୟ ସମସ୍ତ ବିପତ୍ତିର ହେତୁ ହୋଇ ।୩୩୨।

ମଲାଲୋକ ଅପେକ୍ଷାରୁ ସେ ଦରିଦ୍ର ଅତି ନିନ୍ଦିତ ହୁଅଇ ।

ସେହି ହେତୁରୁ ସେ ଦରିଦ୍ର ଲୋକକୁ କେହି କଥା ନ କହଇ ।୩୩୩।

ଏକ ଦରିଦ୍ର ଶ୍ମଶାନକୁ ଯାଇଣ ଶବକୁ ବୋଇଲା ମିତ ।

ଉଠ ଦାରିଦ୍ର୍ୟ ଭାର ମୋର ବହ ତୁ ହୋଇଅଛି ବଡ଼ ଶ୍ରାନ୍ତ ।୩୩୪।

ତୋ ମରଣ ସୁଖ ମୋତେ ଦିଅ ବେଗେ ଶ୍ମଶାନେ ଶବ ଶୁଣିଲା ।

ଧନ ନ ଥିବାରୁ ମରଣ ଭଲ ସେ ଜାଣିଣ ତୁନି ହୋଇଲା ।୩୩୫।

ମିଥ୍ୟା କହିବା ଯା ତହିଁରୁ ମଉନ ଭଲ କ୍ଳୀବ ଯେ ହେବାର ।

ପର ସ୍ତ୍ରୀ ଇଚ୍ଛାରୁ ପ୍ରାଣତ୍ୟାଗ ଭଲ ସଙ୍ଗ ହେବାରୁ ଖଳର ।୩୩୬।

ଭିକ୍ଷା ମାଗି ଖାଇବାର ଭଲ କଥା ପରଧନ ନୋହେ କିଛି ।

ଋଷିମାନେ ସବୁ କହି ଯେ ଅଛନ୍ତି ଏକଥା ନୀତିରେ ଅଛି ।୩୩୭।

ପର ସେବା ଯେହ୍ନେ ସର୍ବ ଆଦରକୁ ନାଶଇ ଜ୍ୟୋତି ଅନ୍ଧାର ।

ହରିହର କଥା ଦୂରିତକୁ ତେହ୍ନେ ଗୁଣ ନାଶେ ମାଗିବାର ।୩୩୮।

ସେହି ହେତୁରୁ କି ମୁ ପର ଆୟତେ ପ୍ରାଣକୁ ରକ୍ଷା କରିବି ।

ଭୋଦୈବ ଦୁଃଖ ଉପସ୍ଥିତ ହେଲା ମୁ ମୃତ୍ୟୁ ମୁଖରେ ମରିବି ।୩୩୯।

ବ୍ୟାକରଣ ଶାସ୍ତ୍ର ନ ପଢ଼ି ପାଣ୍ଡିତ୍ୟ କଉଡ଼ି ଦେଇ ମୈଥୁନ ।

ଭୋଜନ ବିଷୟେ ପରକୁ ଅପେକ୍ଷା ଏ ପୁରୁଷ ବିଡ଼ମ୍ୱଣ ।୩୪୦।

ରୋଗୀ ଯେ ପ୍ରବାସୀ ପରଅନ୍ନ ଭୋଜୀ ପର ଗୃହରେ ରହଇ ।

ଜୀବନ ଥିଲେ ସେ ମଲାପ୍ରାୟ ଜାଣ ମଲେ ସେ ଶ୍ରମ ହରଇ ।୩୪୧।

ଏମନ୍ତ ବିଚାରି ଲୋଭରେ ମୁ ପୁଣି ଭିକ୍ଷା ପାତ୍ରେ ଦେଖି ଅନ୍ନ ।

ଆଣି ମୁ ଖାଇବ ବିଚାରି ତିଅନ୍ତେ ତଳେ ପଡ଼ିଲି ସେ କ୍ଷଣ ।୩୪୨।

ଲୋଭରୁ ବୁଦ୍ଧି ବିଚଳିତ ହୁଅଇ ଲୋଭରୁ ତୃଷା ଜନ୍ମଇ ।

ତୃଷାର୍ତ୍ତ ହୋଇଲେ ଅତି ଦୁଃଖ ପାଇ ଇହ ପରଲୋକ ଯାଇ ।୩୪୩।

ଏଥୁ ଅନ୍ତେ ବଂଶଦଣ୍ଡକୁ ମୋ ପରେ ପିଟିଲା ସେ ବୀଣାକର୍ଣ୍ଣ ।

ଦେଖି ଜାଣିଲି ମୁ ଲୋଭୀ ଅସନ୍ତୁଷ୍ଟ ଆତ୍ମଦ୍ରୋହୀ ସେ ସମ୍ପୂର୍ଣ୍ଣ ।୩୪୪।

ଯାହାର ମାନସ ସନ୍ତୁଷ୍ଟ ହୁଅଇ ସବୁ ସମ୍ପତ୍ତି ତାହାର ।

ଚର୍ମ ଛାଇଲା ପ୍ରାୟ ଭୂମି ମଣଇ ପାଣ୍ଢୋଇ ପାଦ ଯେ ନର ।୩୪୫।

ଯେ ନର ସନ୍ତୁଷ୍ଟ ଶାନ୍ତଚିତ୍ତ ଅଟେ ଜାଣ ତାର ଅଛି ସୁଖ ।

ଯେ ଧନ ଲୋଭରେ ଏଣେତେଣେ ଧାଏଁ ତାହାର ସମସ୍ତ ଦୁଃଖ ।୩୪୬।

ଯେଉଁ ଲୋକ ସର୍ବ ଆଶାକୁ ଛାଡ଼ିଣ ବିଷୟେ ବିରାଗ କଲା ।

ଜାଣ ସେ ସର୍ବ ବେଦ ଶାସ୍ତ୍ର ପଢ଼ିଛି ସବୁ କର୍ମ ସେ ଅର୍ଜିଲା ।୩୪୭।

କାହାରି ଅନୁସରଣକୁ ନ କରି କାହାରି ମୃତ୍ୟୁ ନ ଦେଖି ।

ପାପ ବଚନ ଯେ କିଛି କହି ନାହିଁ ତା ଜୀବନ ଧନ୍ୟ ଲେଖି ।୩୪୮।

ଅତି ଲୋଭେ ଯେଉଁଜନ ଦୂର ଯାଇ ଦୂର ତାହାର ନିକଟ ।

ସନ୍ତୁଷ୍ଟ ଜନର କରେ ଥିଲା ଧନେ ଆଦର ହୁଅଇ ନଷ୍ଟ ।୩୪୯।

ସେହି ହେତୁରୁ ସର୍ବଥା ଆପଣାର କାର୍ଯ୍ୟ କରିବା ଉଚିତ ।

ଏହା ବିଚାରି ଆପଣା କାର୍ଯ୍ୟ ସିଦ୍ଧି ଉପାୟରେ ଦେଲି ଚିତ୍ତ ।୩୫୦।

ବୁଧ କୁଳ ଅର୍ଥେ ଜଣକୁ ଛାଡ଼ଇ ଗ୍ରାମ ଅର୍ଥେ କୁଳ ଛାଡ଼େ ।

ଜନପଦ ଅର୍ଥେ ଗ୍ରାମକୁ ଛାଡ଼ଇ ଅତ୍ୟୁର୍ଥେ ପୃଥ୍ୱୀ ନ ମାଡ଼େ ।୩୫୧।

ଏମନ୍ତେ ଅନେକ ପ୍ରକାରେ ବିଚାରି ବନକୁ ଅଇଲି ମୁହିଁ ।

କେଉଣସି ପୁଣ୍ୟେ ପାଇ ତୁମ୍ଭ ସ୍ଥାନ ମିତ୍ର ସ୍ନେହ ଭରେ ରହି ।୩୫୨।

ଯେଉଁ ହେତୁରୁ ସଂସାର ବିଷବୃକ୍ଷ ସ୍ୱାଦୁ ଏ ଫଳ ଯୋଡ଼ିଏ ।

କାବ୍ୟ ଅମୃତ ରସର ଆସ୍ୱାଦନ ସଜ୍ଜନ ସଙ୍ଗମ ହୋଏ ।୩୫୩।

ପଦ୍ମପତ୍ର ଗତ ଜଳ ବିନ୍ଦୁ ପ୍ରାୟ ଅତି ଚଞ୍ଚଳ ଏ ଜୀବ ।

ସାଧୁଜନ ସଙ୍ଗ ତରଣୀ ମିଳିଲେ ତରଇ ଏ ଭବାର୍ଣ୍ଣବ ।୩୫୪।

ମନ୍ଥର କହୁଛି ଶୁଣ ହିରଣ୍ୟକ ଅତି ସଞ୍ଚୟତ କଲ ।

ସେହି ହେତୁରୁ ଏ ଧନ କ୍ଷୟ ହେଲା ତୁମ୍ଭେ ହେଲ କଲବଲ ।୩୫୫।

ଧନ ଅର୍ଜ୍ଜି ଧନ ରଖିକରି ତାକୁ ବଢ଼ାଇ ସପାତ୍ରେ ଦେଇ ।

ଯେହ୍ନେ ଜଳଧର ତଡ଼ାଗରୁ ଜଳ ନେଇ ସବୁଠାରେ ଦେଇ ।୩୫୬।

ଭୋଗ ନ କରି ଯେଉଁଧନ କୃପଣ ରଖେ ସେ ସର୍ବ ଜନର ।

ମୋହର ଧନ ଏ ଯେ ଏମନ୍ତ କହେ ଧନ ନାଶେ ଦୁଃଖ ତାର ।୩୫୭।

ଯେଉଁଜନ ତ୍ୟାଗ ଭୋଗ ନ କରିଣ ମୁ ଧନବନ୍ତ ବୋଲଇ ।

କିପାଁ ସେହି ଧନେ ଆମ୍ଭେ ସର୍ବଜନେ ଧନବନ୍ତ ନ ଦୋଲାଇ ।୩୫୮।

ଦାନ ପ୍ରିୟ ବାକ୍ୟ ଥାଇ ଜ୍ଞାନ ଗର୍ବ ନ ଥାଇ କ୍ଷମା ସହିତ ।

ଶୂରପଣ ତ୍ୟାଗ ଥାଇ ଧନ ବୃଦ୍ଧି ଏ ଚାରି ଲୋକେ ଉଚିତ ।୩୫୯।

ଧନ ସଞ୍ଚୟକୁ ନିତ୍ୟରେ କରିବ ଅତି ସଞ୍ଚୟ ନ କରି ।

ଅତିଶେ ସଞ୍ଚୟ କରି ଧନୁର୍ଗୁଣ ଲେହି ଶୃଗାଳ ସେ ମରି ।୩୬୦।

ହିରଣ୍ୟକ ପୁଚ୍ଛେ କିରୂପେ ଏକଥା କହ ହେ ମିତ ମନ୍ଥର ।

ମନ୍ଥର କହଇ ଶୁଣ ଆହେ ମିତ ଏକଥା ଅତି ସୁନ୍ଦର ।୩୬୧।

କଲ୍ୟାଣ କଟକେ ଭଇରବ ନାମେ ପୂର୍ବେ ଏକ ବ୍ୟାଧ ଥିଲା ।

ସେହି ଏକ ଦିନେ ବିନ୍ଧ୍ୟାରଣ୍ୟେ ମୃଗ ମାରନ୍ତେ ଦାରା ଦେଖିଲା ।୩୬୨।

ମୃଗକୁ ଭୂମିରେ ଥୋଇଣ ଶୂକର ଉପରେ ମାଇଲା ଶର ।

ସେ ବରାହ ଆସି ଗର୍ଜି ମୁଷ୍କ ଦେଶେ ବ୍ୟାଧକୁ କଲା ପ୍ରହାର ।୩୬୩।

ସେ ବ୍ୟାଧ କାଟିଲା ବୃକ୍ଷ ପ୍ରାୟ ଭୂମି ଉପରେ ପଡ଼ିଣ ମଲା ।

ଏହିରୂପେ ଅତି ଲୋଭ କଲେ ନର ମରେ ମୋ ପ୍ରାୟ କହିଲା ।୩୬୪।

ଜଳ ଦହନ ଯେ ବିଷ ଶସ୍ତ୍ର କ୍ଷୁଧା ରୋଗ ଗିରିରୁ ପତନ ।

ଏତେନିମିତ୍ତରୁ ଏକ ହେତୁ ପାଇ ନିତ୍ୟରେ ମରନ୍ତି ଜନ ।୩୬୫।

ଏଥୁ ଅନ୍ତରେ ଦୀର୍ଘରାବ ନାମରେ ଶୃଗାଳ ଆହାର ପାଇଁ ।

ସେଠାରେ ପ୍ରବେଶ ହୋଇ ସେମାନଙ୍କୁ ଦେଖି ମନେ ବିଚାରଇ ।୩୬୬।

ଅଚିନ୍ତିତ ଦୁଃଖମାନେ ଯେଉଁରୂପେ ସର୍ବଜନର ହୁଅନ୍ତି ।

ମୁଖମାନଙ୍କୁ ସେହିରୂପେ ଜାଣୁଛି ବିଧାତାର ବଳ ଅତି ।୩୬୭।

ଆହୋ ମହାଭୋଜ୍ୟ ପ୍ରାପ୍ତି ହେଲା ମୋର ଏକ ମାସ ନରମାଂସ ।

ମୃଗ ଶୂକର ଦୁଇ ମାସ ଭୋଜନ ଆଗ ଲେହି ଧନୁ ପାଶ ।୩୬୮।

ଏମନ୍ତ କହିଣ ସେହି ଦୀର୍ଘରାବ ଗୁଣରକତ ଲିହିଲା ।

ଛିଡ଼ି ଧନୁ ଗୁଣ ଧନୁ ହୃଦେ ବାଜି ଗର୍ଜି ଦୀର୍ଘରାବ ମଲା ।୩୬୯।

ଏହି ହେତୁରୁ ମୁଁ ତୁମ୍ଭଙ୍କୁ କହିଲି ଅତି ସଞ୍ଚୟ ନ କରି ।

କଲେ ଦୀର୍ଘରାବ ଜମ୍ୱୁକ ପରାଏ ଅକାଳରେ ନିଷ୍ଠା ମରି ।୩୭୦।

ଯେଉଁ ଧନ ଦେଇ ବିଶିଷ୍ଟ ଲୋକଙ୍କୁ ଯାହା ଖାଇ ଦିନେ ଦିନେ ।

ସେହି ତାକୁ ଆମ୍ଭେ ଧନ ବୋଲି କହୁ ଶେଷ କାହାର ରକ୍ଷଣେ ।୩୭୧।

ହେଉ ବର୍ତ୍ତମାନ ଗଲା କଥା ଗଲା ତାହା କହିଲେ କି ହେବ ।

ଏଣିକି ଅବା କି ବିଚାର କରିବା ଯେ ହେବାର ସେତ ହେବ ।୩୭୨।

ଯେ ମିଳିବ ନାହିଁ ତା ନ ବିଚାରନ୍ତି ନାଶ ଗଲେ ନାହିଁ ଶୋକ ।

ବିପତ୍ତି ପଡ଼ିଲେ ଧୈର୍ଯ୍ୟକୁ ଭଜନ୍ତି ନିଶ୍ଚୟ ପଣ୍ଡିତ ଲୋକ ।୩୭୩।

ସେହି ହେତୁରୁ ଏ ବିପତ୍ତି କାଳରେ ତୁମ୍ଭେ ନ ଛାଡ଼ ଉତ୍ସାହ ।

ଉତ୍ସାହ ନ ଥିଲେ କାର୍ଯ୍ୟ ସିଦ୍ଧ ନୋହେ ଦେବ ଯେବେ ନୋହେ ସହ ।୩୭୪।

ଶାସ୍ତ୍ର ପଢ଼ି ଯେବେ କାର୍ଯ୍ୟକ୍ଷମ ନୋହେ ସେ ପୁରୁଷ ମୂର୍ଖ ଜାଣ ।

ଯେଉଁ ପୁରୁଷ କାର୍ଯ୍ୟକ୍ଷମ ହୁଅଇ ସେହି ପୁରୁଷ ସୁଜାଣ ।୩୭୫।

ରୋଗବନ୍ତ ଜନ ଔଷଧମାନଙ୍କୁ ଯେବେ ମନେ ବିଚାରଇ ।

ତେବେ କି ଔଷଧ ନାମ ପଠନରେ ରୋଗୀ ରୋଗ ମୁକ୍ତ ହୋଇ ।୩୭୬।

ଉଦ୍ୟମରେ ଭୟ କରଇ ଯେ ତାର ଶାସ୍ତ୍ର କି କାର୍ଯ୍ୟ କରଇ ।

ଅନ୍ଧ ଯେ ତାହାର ହସ୍ତେ ଦୀପ ଥିଲେ ଦ୍ରବ୍ୟ କି ପ୍ରକାଶ ହୋଇ ।୩୭୭।

ଭଲ ଦଶାରେ ଭଲ ପ୍ରୀତି ହୁଅଇ ହୀନ ଦଶାରେ ସେ ହୀନ ।

ଏହି ହେତୁରୁ ଯେ ସ୍ୱସ୍ଥାନ ବିସ୍ଥାନ ପ୍ରୀତି ଅପ୍ରୀତି କାରଣ ।୩୭୮।

ସ୍ଥାନ ଭ୍ରଷ୍ଟ ହେଲେ ଶୋଭାକୁ ନ ପାନ୍ତି ଦନ୍ତ କେଶ ନଖ ନରେ ।

ଏମନ୍ତ ଜାଣିଣ ବୁଦ୍ଧିମନ୍ତ ଜନ ସ୍ୱସ୍ଥାନ ତ୍ୟାଗ ନ କରେ ।୩୭୯।

ସ୍ଥାନରେ ଥାଇ ଯେଉଁ ପଦ୍ମ ତାହାର ମିତ୍ର ବରୁଣ ଭାସ୍କର ।

ସ୍ଥାନ ଭ୍ରଷ୍ଟ ହେଲେ ପଦ୍ମର ସେ ଦୁହେଁ ହ୍ୱନ୍ତି ପୁଣି ଶେଷକର ।୩୮୦।

ଏ ଦୁଇ ଶ୍ଳୋକ ଯାହା କହି ଅଛଇ ଏ କାପୁରୁଷ ବଚନ ।

କେହି ଋଷିମାନେ ଏ ବଚନ ପରେ କରନ୍ତି ପୁଣି ଦୂଷଣ ।୩୮୧।

ସମର୍ଥ ପୁରୁଷ ସିଂହ ଗଜମାନେ ସ୍ଥାନ ଛାଡ଼ି ଶୋଭା ପାନ୍ତି ।

କାକ କାପୁରୁଷ ଖଳଜନମାନେ ଆପଣା ସ୍ଥାନେ ମରନ୍ତି ।୩୮୨।

ବୀରାପଣ୍ଡିତର ବିଷୟ କେ ନୋହେ ବିଦେଶ ନାହିଁ ତାହାର ।

ଯେଉଁ ଦେଶକୁ ସେ ଆଶ୍ରୟ କରଇ ସେ ଦେଶ ହୋଏ ତାହାର ।୩୮୩।

ଦେଖ ନଖ ଦନ୍ତ ପ୍ରହରଣେ ସିଂହ ବନରେ ପ୍ରବେଶ ହୋଇ ।

ଗଜକୁ ମାରିଣ ତାହାର ଋଧିର ପିଇ ଜୀବନ ରଖଇ ।୩୮୪।

ଯେହ୍ନେ ଭେକ କୂପ ନିକଟ କୁଣ୍ଡକୁ ସରକୁ ପକ୍ଷୀ ଗମଇ ।

ଉଦ୍‌ଯୋଗ କଲା ପୁରୁଷକୁ ସେରୂପେ ସମସ୍ତ ସମ୍ପତ୍ତି ଯାଇ ।୩୮୫।

ଦଇବି ପଡ଼ିଲେ ସୁଖକୁ ସହିବ ଦଇବି ଦୁଃଖକୁ ସହି ।

ଚକ୍ର ପ୍ରାୟ ହୋଇ ଉଲଟ ପାଲଟ ସୁଖ ଦୁଃଖ ଏ ଯେ ଦୁଇ ।୩୮୬।

ଯେ ଜନ ଉଦ୍ୟମୀ ଶୀଘ୍ର କାରୁକର୍ମ ଜାଣଇ ବ୍ୟସନ ନାହିଁ ।

ଯାର ଉପକାରୀ ମାନୀ ହୁଏ ମୈତ୍ରୀ ତାପରେ ଲକ୍ଷ୍ମୀ ବସଇ ।୩୮୭।

ବୀର ଯେଉଁ ଲୋକ ସେ ଧନ ନ ଥାଇ ବହୁ ବହୁ ଦୁଃଖ ପାଇ ।

କୃପଣ ଲୋକ ଯେ ସେ ଧନ ଥିଲେ ହେଁ ପରାଭବ ସ୍ଥାନ ହୋଇ ।୩୮୮।

ଲୋକର ଆଦର ସ୍ୱଭାବରୁ ହୋଏ ଧ୍ୱଜ ଅଳଙ୍କାର ତୁଚ୍ଛ ।

ସୁବର୍ଣ୍ଣମାଳ କଣ୍ଠରେ ଲମ୍ୱିଥିଲେ କୁକ୍କୁର ହୋଏ କି ସ୍ୱଚ୍ଛ ।୩୮୯।

ମୁହିଁ ଧନବନ୍ତ ବୋଲି ନୁହ ମତ୍ତ ତାହା ନାଶେ ଦୁଃଖ ଜାଣ ।

ଯେଣୁ ମନୁଷ୍ୟର ଧନର ଆଗମ କର କନ୍ଦୁକ ସମାନ ।୩୯୦।

ଦେଖ ମେଘ ଛାୟା ଖଳଲୋକ ପ୍ରୀତି ନବ ଧାନ୍ୟ ନାରୀ ଜନ ।

କିଛିକାଳ ଏ ଉପଭୋଗ ହୁଅନ୍ତି ଯଉବନ ବହୁଧନ ।୩୯୧।

ପ୍ରାଣ ରକ୍ଷଣେ ଅତିଶେ ସେବା ନୋହେ ଦଇବର ସେ ନିର୍ମାଣ ।

ଗର୍ତ୍ତରୁ ଜନମ ହେଲା ମାତ୍ରେ ଦେଖ ମାତାର ପ୍ରସବେ ସ୍ତନ ।୩୯୨।

ଯେଉଁ ଦଇବ ଶୁକ୍ଳ କଲା ହଂସକୁ ଶୁକକୁ କଲା ହରିତ ।

ତୋହର ଜୀବନ ବୃତ୍ତିକି କରୁ ସେ ଯେ ମୟୂର କଲା ଚିତ୍ର ।୩୯୩।

ମିତ୍ର ଧନ କଥା ଶୁଣ ତା ଅର୍ଜନେ ଦୁଃଖ ବିନାଶରେ ଦୁଃଖ ।

ଯେଉଁ ଧନର ସ୍ଥିତିରେ ମୋହ ହୋଏ ସେ ଧନରେ କେଉଁ ସୁଖ ।୩୯୪।

ଧର୍ମ ନିମିତ୍ତରେ ଯାର ଧନେ ଇଚ୍ଛା ତାରତ ଅନିଚ୍ଛା ବର ।

ପଙ୍କେ ପଶିଲେ ତା ଯାହାକୁ ଧୋଇବା ତାକୁ ନ ଛୁଇଁବା ଭଲ ।୩୯୫।

ଯେହ୍ନେ ଆକାଶରେ ମାଂସ ଥିଲେ ପକ୍ଷୀ ଭୂମିରେ ଶ୍ୱାପଦମାନେ ।

ସଲିଳରେ ମତ୍ସ୍ୟମାନେ ଘେନି ଯାନ୍ତି, ସେରୂପେ ଧନିକମାନେ ।୩୯୬।

ରାଜା ଜଳ ଅଗ୍ନି ଚୌର ଜ୍ଞାତିଠାରୁ ଅଛି ଭୟ ଧନିଙ୍କର ।

ଯେହ୍ନେ ସବୁକାଳେ ମରୁଠାରୁ ଭୟ ଅଛି ସର୍ବ ପ୍ରାଣିଙ୍କର ।୩୯୭।

ଧନଲୋଭ ଯେହୁ ଛାଡ଼ିଲା ତେବେ ସେ ଦରିଦ୍ର ଈଶ୍ୱର ସମ ।

ଯେବେ ଧନ ଲୋଭ କରଇ ମନୁଷ୍ୟ ତେବେ ଦାସରୁ ସେ କମ ।୩୯୮।

ଯେ ଜନ ନ ଦେଇ ଭୋଗ ନ କରଇ କି ହେବ ତାହାର ଧନ

ସ୍ୱରିପୁକୁ ଯେ ବଳରେ ନ ବାଧଇ ସେ କି ବଳବନ୍ତ ଜାଣ ।୩୯୯।

ଯେ ଶାସ୍ତ୍ର ପଢ଼ିଣ ଧର୍ମ ଆଚରଣ ନ କରେ ତାର କି ଶ୍ରୁତ ।

ଯେ ଜନ ଇନ୍ଦ୍ରିୟମାନଙ୍କୁ ନ ଜିଣେ ତାହାର ଅବା କି ଜ୍ଞାତ ।୪୦୦।

ବହୁତ କହିବାରୁ ଅବା କି କାର୍ଯ୍ୟ ଆମ୍ଭ ସଙ୍ଗେ ନିଅ ଦିନ ।

ଏଠାରେ ଆମ୍ଭେ ସମସ୍ତେ ରହିବା ଯେ କେବେହେଁ ନୋହିବା-ଭିନ୍ନ ।୪୦୧।

ଯେଣୁ ବଡ଼ ଲୋକମାନଙ୍କର ସ୍ନେହ ମରିବା ପର୍ଯ୍ୟନ୍ତ ରହେ ।

ନିମିତ୍ତରେ କୋପ ଯେବେ ହୋଏ ସେହି କ୍ଷଣଭଙ୍ଗୁର ଯେ ହୋଏ ।୪୦୨।

ତ୍ୟାଗ କରନ୍ତି ଯା ତାକୁ ନ ଛୁଅନ୍ତି ପୁଣି ସେମାନେ କାଳରେ ।

ଏହିରୂପେ ପରମ୍ପରା କରିଅଛି ବିଧାତା ଏହି ସଂସାରେ ।୪୦୩।

ଲଘୁପତନକ କାକ କହୁଅଛି ଧନ୍ୟ ତୁମ୍ଭେ ସେ ମନ୍ଥର ।

ତୁମ୍ଭଠାରେ ଯେତେ ଗୁଣ ଅଛି ସେହି ଆଶ୍ରୟ ସର୍ବ ଲୋକର ।୪୦୪।

ସାଧୁମାନେ ସାଧୁମାନଙ୍କ ବିପତ୍ତି ତାରଣରେ ଅଗ୍ରସର ।

ପଙ୍କଲଗ୍ନ ଗଜ ଉଦ୍ଧାର କରଣେ ଗଜମାନେ ଧୁରନ୍ଧର ।୪୦୫।

ଭୂମିରେ ମନୁଷ୍ୟମାନଙ୍କ ମଧ୍ୟରେ ସେହି ଉତ୍ତମ ପୁରୁଷ ।

ଯାହାଠାରେ ଅର୍ଥୀ ଶରଣାର୍ଥୀ ଜନ ଇଚ୍ଛା ନୁହଇ ବିନାଶ ।୪୦୬।

ସେଠାରେ ସମସ୍ତେ ସ୍ୱେଚ୍ଛା ବିହାରରେ ସନ୍ତୋଷରେ ସୁଖେ ଥିଲେ ।

ଏଥୁଅନ୍ତେ ଚିତ୍ରାଙ୍ଗ ମୃଗ ଭୟରେ ସେଠାରେ ଆସି ମିଳିଲେ ।୪୦୭।

ପଛେ କେହି ଆସୁଅଛି ଭୟେ କୂର୍ମ ମନ୍ଥର ଜଳକୁ ଗଲା ।

ବୃକ୍ଷାଗ୍ରକୁ କାକ ହିରଣ୍ୟକ ଗର୍ତ୍ତ ମଧ୍ୟକୁ ବେଗେ ଚଳିଲା ।୪୦୮।

ଏଥୁଅନ୍ତେ କାକ ନିରେକ୍ଷି ଚାହିଁଲା ଭୟ ହେତୁ ନ ଦେଖିଣ ।

ମିଳିଲା ସର ନିକଟେ ଆସି ସର୍ବେ କଲେ ସେଠାରେ ମିଳନ ।୪୦୯।

କୂର୍ମ କହୁଅଛି ଆହେ ମୃଗ ଭାଇ ସବୁ କୁଶଳ ତୁମ୍ଭର ।

ମନକୁ ଚାହିଁଣ ଉଦକ ଆହାର ସୁଖେ ଅନୁଭବ କର ।୪୧୦।

ଏଠାରେ ବସି ଆମ୍ଭର ଏ ସ୍ଥାନକୁ ପବିତ୍ର କର ଆପଣ ।

ଧାଇଁବାରେ ବଡ଼ ଶ୍ରାନ୍ତ ହୋଇଅଛ କର ଶ୍ରମର ହରଣ ।୪୧୧।

ଚିତ୍ରାଙ୍ଗ କହୁଛି ବ୍ୟାଧ ଭୟ ପାଇ ତୁମ୍ଭଙ୍କୁ ଶରଣ ଯାଇ ।

ତୁମ୍ଭମାନଙ୍କ ସହାୟରେ ଏଠାରେ ନିବାସ ଇଚ୍ଛା କରଇ ।୪୧୨।

ଶୁଣି ହିରଣ୍ୟକ କହଇ ବଚନ ଆମ୍ଭଠାରେ ମିତ୍ରପଣେ ।

ରହିବାରେ ଏତ ସ୍ୱଭାବରେ ସିଦ୍ଧ କହିଛନ୍ତି ଋଷିମାନେ ।୪୧୩।

ଏକସ୍ଥାନେ ଜନ୍ମ ପିଉଷୀ ମାଉଷୀ ପିତୃକୁଳ କ୍ରମାଗତ ।

ବିପତ୍ତିରୁ ଯାକୁ ରକ୍ଷାକରି ଏ ଯେ ଚାରି ପ୍ରକାରଟି ମିତ ।୪୧୪।

ସେହି ହେତୁରୁ ଆପଣା ଗୃହ ପ୍ରାୟ ରହ ତୁମ୍ଭେ ଏ ସ୍ଥାନରେ ।

ତାହା ଶୁଣି ମୃଗ ଜଳପାନ କରି ବସିଲା ବୃକ୍ଷ ଛାଇରେ ।୪୧୫।

ମନ୍ଥର କହଇ ସଖେ ମୃଗ ତୁମ୍ଭେ ଭୟ ପାଇଲ କାହିଁକି ।

ଏଡେ ନିର୍ଜନ ବନକୁ ବ୍ୟାଧମାନେ କଦାଚିତ ଆସନ୍ତିକି ।୪୧୬।

ମୃଗ କହୁଅଛି କଳିଙ୍ଗ ଦେଶରେ ନୃପରୁକ୍ମାଙ୍ଗଦ ନାମ ।

ସେହି ଦିଗ୍ବିଜୟ କରି ଚନ୍ଦ୍ରଭାଗାତୀରେ କରିଛି ବିଶ୍ରାମ ।୪୧୭।

ପ୍ରାତଃକାଳେ କର୍ପୂର ସର ସମୀପ ଆସିବେ ବାର୍ତ୍ତା ବ୍ୟାଧର ।

ସେହି ହେତୁରୁ ପ୍ରାତରେ ଭୟ ହେବ ଏଥିକି କର ବିଚାର ।୪୧୮।

ଶୁଣି ମନ୍ଥର ସଭୟ ହୋଇ କହେ ଯିବି ମୁ ଅନ୍ୟ ସରକୁ ।

କାକ ମୃଗ ଦୁହେଁ ଆଚ୍ଛା ହେଉ ଯାଅ ବୋଲି କହିଲେ ତାହାକୁ ।୪୧୯।

ଶୁଣି ବିଚରଇ ହିରଣ୍ୟକ ମୂଷା କହଇ ଶୁଣ ବଚନ ।

ପୁଣି ଜଳାନ୍ତର ପ୍ରବେଶେ ମନ୍ଥର କୁଶଳ ହେବ କି ଜାଣ ।୪୨୦।

ଜଳଜନ୍ତୁମାନଙ୍କର ଜଳେବଳ ଦୁର୍ଗ ଦୁର୍ଗବାସୀ ବଳ ।

ପଦାତିମାନଙ୍କର ବଳ ସ୍ୱଭୂମି ମୂଳସ୍ଥାନ ରାଜା ବଳ ।୪୨୧।

ଏରୂପେ କହି ପୁଣି ସେ କହୁଅଛି ସ୍ଥାନ ଛାଡ଼ିଣ ମନ୍ଥର ।

ସ୍ଥଳେ ଯିବାବେଳେ କି ମଙ୍ଗଳଅଛି କହ ତୁମ୍ଭେ ମିତ୍ରଙ୍କର ।୪୨୨।

ଆପଣା ଭାର୍ଯ୍ୟାକୁ ପର ଆଲିଙ୍ଗନ କଲା ଦେଖି ମହାଜନ ।

ପୁତ୍ର ଯେଉଁରୂପେ ଦୁଃଖୀ ହୋଇଥିଲା ତୁମ୍ଭେ ହେବ ତଥା ଜାଣ ।୪୨୩।

ମୃଗ କୂର୍ମ କାକ ପଚାରିଲେ ମିତ କିରୂପେ ହୋଏ ଏକଥା ।

ହିରଣ୍ୟକ କହେ ତୁମ୍ଭେମାନେ ଶୁଣ ଛାଡ଼ୁ ତୁମ୍ଭ ମନ ବ୍ୟଥା ।୪୨୪।

କାନ୍ୟକୁବୁ ଦେଶେ ବୀରସେନ ନାମ ପୂର୍ବେ ଏକ ନୃପ ଥିଲା ।

ସେ ବୀରପୁର ନଗରେ ଅଧିକାର ତୁଙ୍ଗବଳକୁ ଯେ ଦେଲା ।୪୨୫।

ସେ ରାଜା ପୁତ୍ର ମହାଧନ ତରୁଣ ସ୍ୱ ନଗ୍ରରେ ଭ୍ରମୁଥିଲା ।

ଅତି ଯଉବନ ଧନୀସୁତ ବଧୂ ଲାବଣ୍ୟବତୀ ଦେଖିଲା ।୪୨୬।

ଏଥୁ ଅନ୍ତରେ ସେ ସ୍ୱଗୃହକୁ ଯାଇ ସ୍ମରଶରାକୁଳ ମନ ।

ତୁଙ୍ଗବଳ ପୁଣି ତାହା ସମୀପକୁ ଦୁତୀକି କଲା ପ୍ରେରଣ ।୪୨୭।

ସେ ଲାବଣ୍ୟବତୀ ସୁନ୍ଦର ସେ ତୁଙ୍ଗବଳକୁ ଦେଖି ଲୋଚନେ ।

କନ୍ଦର୍ପ ଶର ଜର୍ଜ୍ଜରିତ ହୃଦୟେ ଭାଳୁ ଥାଇ ଏକ ମନେ ।୪୨୮।

ନାରୀମାନଙ୍କର କେ ଅପ୍ରିୟ ହୋଇ ପ୍ରିୟ ହୋଇ ନାହିଁ କେହି ।

ଗାଈ ନୂଆ ନୂଆ ତୃଣ ପ୍ରାୟ ବନେ ନୂଆ ନୂଆ ଇଚ୍ଛା ହୋଇ ।୪୨୯।

ଏଥୁ ଅନ୍ତେ ଦୂତୀ ବଚନ ଶୁଣି ଯେ ଲାବଣ୍ୟବତୀ କହଇ ।

ପତିକି ନ କହି କେମନ୍ତ ଏକଥା ମୁ ଅଙ୍ଗୀକାର କରଇ ।୪୩୦।

ଯେଉଁ ଭାର୍ଯ୍ୟା କର୍ମେ ଦକ୍ଷା ଯେଉଁ ଭାର୍ଯ୍ୟା ପତିବ୍ରତା ଯେ ହୁଅଇ ।

ଯେଉଁ ଭାର୍ଯ୍ୟା ପତିପ୍ରାଣା ପୁତ୍ରବତୀ ସେ ଭାର୍ଯ୍ୟା ଭାର୍ଯ୍ୟା ବୋଲାଇ ।୪୩୧।

ଯାହାଠାରେ ପତି ସନ୍ତୋଷ ନୁହଇ ସେହି ଭାର୍ଯ୍ୟା ନ ବୋଲାଇ ।

ଅଗ୍ନିସାକ୍ଷୀ କରି ବିବାହ ହେତୁରୁ ଭାର୍ଯ୍ୟାର ଶରଣ ସେହି ।୪୩୨।

ଏଣୁ ପତି ଆଜ୍ଞା ଦେବ ଯେବେ ମୋତେ କରିବି ହେଲେ ଅନ୍ୟାୟ ।

ଶୁଣି ଦୂତୀ କହେ ଏକଥାତ ସତ୍ୟ ଯାଉଛି ମେଲାଣି ଦିଅ ।୪୩୩।

ଦୂତୀ ଆସି ସବୁ ସେ ତୁଙ୍ଗବଳର ଅଗ୍ରେ ତାର ବାକ୍ୟ କହେ ।

ତୁଙ୍ଗବଳ ଶୁଣି ବୋଲେ ତାର ସ୍ୱାମୀ ଆଣି ସମର୍ପିବ ନୋହେ ।୩୩୪।

ଦୂତୀ କହୁଅଛି କର ତୁ ଉପାୟ ଉପାୟରେ କାର୍ଯ୍ୟ ହୋଇ ।

ଉପାୟ ନ କଲେ ସମର୍ଥ ଲୋକର କାର୍ଯ୍ୟ ସିଦ୍ଧି କି ହୁଅଇ ।୩୩୫।

ଉପାୟରେ ଯେଉଁ କାର୍ଯ୍ୟ ସିଦ୍ଧ ହୋଇ ସେ ପରାକ୍ରମେ ଅସିଦ୍ଧ ।

ତାଙ୍କ ମାର୍ଗରେ ଚାଲି ଯାଇ ଶୃଗାଳ ହସ୍ତୀ ମାରେ ବିନା ଯୁଦ୍ଧ ।୩୩୬।

ଶୁଣି ତୁଙ୍ଗବଳ ପୁଛଇ ଦୂତୀକି ଏକଥା କହ କିରୂପେ ।

ଦୂତୀ କହେ ଆହେ ଶୁଣ ରାଜପୁତ୍ର ସେ କଥା କହି ସ୍ୱରୂପେ ।୪୩୭।

ସେହି ଅରଣ୍ୟରେ କର୍ପୂର ତିଳକ ନାମେ ଏକ ହସ୍ତୀ ଥିଲେ ।

ଯାହାକୁ ଦେଖିଣ ସମସ୍ତ ଶୃଗାଳ ମନେ ଏହା ବିଚାରିଲେ ।୪୩୮।

ଯେବେ କେଉଁ ଉପାୟରେ ଏ ଗଜକୁ ମାରିବା ତେବେ ଆମ୍ଭର ।

ସ୍ୱେଚ୍ଛାରେ ଚାରି ମାସ ହେବ ଭୋଜନ ସମସ୍ତେ ବିଚାର କର ।୪୩୯।

ଏହା ଶୁଣି ଏକ ବୃଦ୍ଧ ଜମ୍ୱୁକ ଯେ ବହୁତ ପ୍ରତିଜ୍ଞା କଲା ।

ବୁଦ୍ଧି ବଳରେ ମୁଁ ଏହାକୁ ମାରିବି ନିଶ୍ଚୟ ମୋହର ହେଲା ।୪୪୦।

ଏଥୁଅନ୍ତେ ହସ୍ତୀ ସମୀପକୁ ଯାଇ ପ୍ରଣାମ କରି କହିଲା ।

ଆସ ଆସ ଦେବ କହନ୍ତେ ସେ ହସ୍ତୀ କାହିଁକି ଯିବି ବୋଇଲା ।୪୪୧।

ତାହା ଶୁଣି ପୁଣି ଜମ୍ୱୁକ କହଇ ଶୁଣ ହେ ଗଜଯୂଥପ ।

ତାକୁ ବନବାସୀ ପଠିଆଇଛନ୍ତି ତୁମ୍ଭେ ଗଲେ ହେବ ନୃପ ।୪୪୨।

ଯେଉଁ ହେତୁରୁ ରାଜ୍ୟେ ରାଜା ନ ଥାଇ ରହିବାରେ ନୋହେ ଭଲ ।

ତୁମ୍ଭେ ବନ ରାଜ୍ୟେ ଅଭିଷେକ ହେବ ଯିବା ଆସ ବେଗେ ଚାଲ ।୪୪୩।

ଦେଶ ଜନ୍ମ ଭୂମି ଆଚାରରେ ଶୁଦ୍ଧ ପ୍ରତାପବନ୍ତ ଧାର୍ମିକ ।

ମତିରେ କୁଶଳ ଯେଉଁଜନ ହୁଏ ସେ ଭୂମିରେ ଅଭିଷେକ ।୪୪୪।

ପ୍ରଥମରେ ରାଜା ଦ୍ୱିତୀୟରେ ଭାର୍ଯ୍ୟା ତଦନ୍ତରେ ଇଚ୍ଛା ଧନ ।

ରାଜା ନ ଥିଲେ ରାଜ୍ୟରେ ଲୋକଙ୍କର କି ଭାର୍ଯ୍ୟା କି ହେବ ଧନ ।୪୪୫।

ପର୍ଜନ୍ୟ ପରାଏ ପ୍ରାଣିମାନଙ୍କର ଆଶ୍ରୟ ପୃଥିବୀପତି ।

ପର୍ଜନ୍ୟ ଅଭାବେ ଜୀଅନ୍ତି ସମସ୍ତେ ରାଜାଭାବେ ନ ଜୀଅନ୍ତି ।୪୪୬।

ନ ଯାଉଁ ଶୁଭକାଳବେଳ ଆପଣ ଆସ ତାହା ଶୁଣି ହସ୍ତୀ ।

ଶୃଗାଳ ପଛରେ ଯାଆନ୍ତେ ପଙ୍କରେ ଲାଖିଣ ପୁଣି କହନ୍ତି ।୪୪୭।

ସଖେ ବର୍ତ୍ତମାନ ପଙ୍କରେ ପଡ଼ିଲି କହ କି କରିବି ମୁହିଁ ।

ଶୃଗାଳ ହସିଣ କହଇ ମୋ ପୁଛ ଧରିଣ ଉଠ ହେ ଭାଇ ।୪୪୮।

ହସ୍ତୀ କହୁଅଛି ତୋହର ବଚନେ ଯାହା ମୁ ବିଶ୍ୱାସ କଲି ।

ତାହାର ଫଳ ଏ ଫଳିଲା ମୋହର ନିଶ୍ଚୟ ଆଜ ମୁ ମଲି ।୪୪୯।

ଯେବେ ସଜ୍ଜନ ସଙ୍ଗରେ ସଙ୍ଗ ହୋଏ ନିଶ୍ଚେ ଜନ ଭଲ ହୋଇ ।

ଅସଜ୍ଜନ ସଙ୍ଗେ ସଙ୍ଗତ ହୋଇଲେ ନିଶ୍ଚେଁ ଲୋକ ନାଶ ଯାଇ ।୪୫୦।

ଏହି ହେତୁରୁ ମୁ କହିଲି ଏକଥା ଉପାୟ କର ସର୍ବଥା ।

ଉପାୟ କରିଣ ତାକୁ ଘେନି ଆସ ଛାଡ଼ ତୁମ୍ଭେ ମନ ବ୍ୟଥା ।୪୫୧।

ଏହା ଶୁଣି ତୁଙ୍ଗବଳ ଚାରୁଦତ୍ତ ନାମେ ବଣିକକୁମର ।

ଡକାଇ ସକଳ କାର୍ଯ୍ୟ ଅଧିକାର ଦେଇ କଲା ଅନୁଚର ।୪୫୨।

ଏକ କାଳେ ସ୍ୱର୍ଣ୍ଣ ଅଳଙ୍କାର ଘେନି କରେ ତାହାକୁ କହିଲା ।

ଆହେ ଚାରୁଦତ୍ତ ମୋର ଏକ ମାସ ଗଉରୀ ବ୍ରତ ହୋଇଲା ।୪୫୩।

ସେହି ହେତୁରୁ ଆଜଠାରୁ ଆରମ୍ଭି କୁଳନାରୀ ପ୍ରତିଦିନ ।

ଗୋଟିଏ ଗୋଟିଏ ଆଣ ତୁହି ଯାଇ ମୁ କରିବି ତା ପୂଜନ ।୪୫୪।

ଏଥୁ ଅନ୍ତରେ ଚାରୁଦତ୍ତ କୁଳୀନ ଯୁବତୀଙ୍କି ଆଣି ଦେଇ ।

ପଛେ ଲୁଚି କରି କି କରୁଅଛି ଏ ବୁଝିବା ବୋଲି ଦେଖଇ ।୪୫୫।

ସେ ତୁଙ୍ଗବଳ ତାହାକୁ ନ ଛୁଅନ୍ତେ ବସ୍ତ୍ର ଆଭରଣ ଦେଇ ।

ସେହିକ୍ଷଣି ତାକୁ ମେଲାଣି ଦିଅଇ ଦେଖି ତା ବିଶ୍ୱାସ ହୋଇ ।୪୫୬।

ସେ ଚାରୁଦତ୍ତ ଆପଣାର ଭାର୍ଯ୍ୟାକୁ ଆଣି ତାକୁ ସମର୍ପିଲା ।

ସେ ଲାବଣ୍ୟବତୀକି ଦେଖିଣ ଉଠି ଗାଢ଼େ ଆଲିଙ୍ଗନ କଲା ।୪୫୭।

ଆନନ୍ଦରେ ତାକୁ ପଲଙ୍କେ ବସାଇ ତା ସଙ୍ଗେ ଶୋଇବା ଦେଖି ।

ଚାରୁଦତ୍ତ ଚିତ୍ରଲିଖିତ ପରାଏ ହୋଇଲା ପରମ ଦୁଃଖୀ ।୪୫୮।

ସେହିରୂପେ ତୁମ୍ଭେ ହେବ ଏ ବଚନ ହିରଣ୍ୟକଠାରୁ ଶୁଣି ।

ବଡ଼ ଭୟକରି ମନ୍ଥର ଚଳିଲା ଜଳାଶୟ ଛାଡ଼ି ପୁଣି ।୪୫୯।

କାକ ମୃଗ ହିରଣ୍ୟକ ଏ ସମସ୍ତେ ମନ୍ଥର ପଛେ ଧାଇଁଲେ ।

ସେ କାଳେ ଯେହି କେହି ବ୍ୟାଧ ଦେଖିଣ ତାକୁ ଧନୁରେ ବାନ୍ଧିଲେ ।୪୬୦।

ଏଥୁଅନ୍ତେ ମୃଗ ବାୟସ ମୂଷିକ ବିଷନ୍ନ ହୋଇ ଗୋଡ଼ାଇ ।

ଗୁଣ ସୁମରିଣ ହିରଣ୍ୟ ମୂଷିକ ବହୁ ବିଳାପ କରଇ ।୪୬୧।

ଏକ ଦୁଃଖର ଅନ୍ତକୁ ଯାଇ ନାହିଁ ସମୁଦ୍ର ପାର ପରାଇ ।

ଦ୍ୱିତୀୟ ଦୁଃଖ ଉପସ୍ଥିତ ହୋଇଲା ଛିଦ୍ରେ ଅନର୍ଥ ପଡ଼ଇ ।୪୬୨।

ସ୍ୱଭାବରେ ଯେଉଁ ମିତ୍ର ହୁଅଇ ସେ ଭାଗ୍ୟବଳେ ହୋଇ ଯାଇ ।

ସେହି ଅକୃତ୍ରିମ ସୁହୃଦ ଭାବ ଯେ ବିପତ୍ତିରେ ନ ଛାଡ଼ଇ ।୪୬୩।

ପୁରୁଷର ଯେଉଁ ରୂପରେ ବିଶ୍ୱାସ ଅକୃତ୍ରିମ ମିତ୍ରେ ହୋଇ ।

ସେହିରୂପେ ମାତା ପିତା ସୋଦରରେ କେବେ ବିଶ୍ୱାସ ନୁହଇ ।୪୬୪।

ପୁଣି ସେ ମୂଷିକ ବିଚାରି କହଇ ଆହୋ ଦୁର୍ଦ୍ଦଶା ଜନର ।

ଜନ୍ମାନ୍ତରର ଶୁଭାଶୁଭ କର୍ମ ଯେ ଫଳଇ ଏ ଜନମର ।୪୬୫।

ଶରୀର ଅବଶ୍ୟ ବିନାଶୀ ସମ୍ପଦ ବିପତ୍ତିମାନଙ୍କ ସ୍ଥାନ ।

ସଙ୍ଗମ ବିଜୁଳି ପରାଏ ସମସ୍ତେ ଉତ୍ପନ୍ନ ହେଲେ ଭଞ୍ଜନ ।୪୬୬।

ଶୋକ ଶତ୍ରୁ ଭୟରୁ ରକ୍ଷା କରଇ ପ୍ରୀତି ବିଶ୍ୱାସର ସ୍ଥାନ ।

କେଉଁ ଜନ ମିତ୍ର ଏ ଦୁଇ ଅକ୍ଷର ରତ୍ନ କରିଛି ନିର୍ମ୍ମାଣ ।୪୬୭।

ହିରଣ୍ୟକ ବହୁ ବିଳାପ କରିଣ କାକ ମୃଗକୁ କହଇ ।

ବ୍ୟାଧ ଯେବେ ଏ ବନରୁ ବାହାରିବ ତେବେ ମିତ୍ରକୁ ନ ପାଇ ।୪୬୮।

ବନରୁ ବାହାର ହୋଇବା ମାତ୍ରକେ ମନ୍ଥର ରକ୍ଷା ଯତନ ।

କର କେଉଁରୂପେ ସେ ଦୁହେଁ କହିଲେ ମୂଷା କହଇ ବଚନ ।୪୬୯।

ଚିତ୍ରାଙ୍ଗ ଜଳ ସମୀପକୁ ଯାଇ ସେଠାରେ ମଲାପ୍ରାୟ ପଡ଼ୁ ।

କାକ ଯାଇକରି ତା ଉପରେ ବସି ଥଣ୍ଟରେ ତା ଦେହ ଫୋଡ଼ୁ ।୪୭୦।

ତା ଦେଖି ନିଶ୍ଚୟ ମନ୍ଥରକୁ ଛାଡ଼ି ମୃଗଠାକୁ ଯିବ ବ୍ୟାଧ ।

ତହିଁ ଉତ୍ତାରୁ ମୁ ପାଶକୁ କାଟିବି କାର୍ଯ୍ୟ ହୋଇଯିବ ସିଦ୍ଧ ।୪୭୧।

ମୃଗ କାକ ଦୁହେଁ ସେରୂପ କରନ୍ତେ ବ୍ୟାଧ ପାଣି ପିଇ କରି ।

ତରୁତଳେ ବସି ଦେଖିଣ ମୃଗକୁ ଦଉଡ଼େ ଘେନି କଟୁରି ।୪୭୨।

ବ୍ୟାଧ ମୃଗର ସମୀପକୁ ଯାଆନ୍ତେ ମୂଷିକ ପାଶ କାଟିଲା ।

ସେ କ୍ଷଣେ ମନ୍ଥର ଜଳକୁ ପଳାଇ କାକ ମୃଗ ପଳାଇଲା ।୪୭୩।

ବ୍ୟାଧ ଲେଉଟି ତରୁତଳେ କୂର୍ମକୁ ନ ଦେଖି ବୋଲେ ବଚନ ।

ଯେହେବା କଥାକୁ ଛାଡ଼ି ନୋହିବାରେ ପ୍ରବର୍ତ୍ତେ ତା ଦୁହେଁ ହୀନ ।୪୭୪।

ଏମନ୍ତ କହି ସେ ବ୍ୟାଧ କଟକରେ ଯାଇ ପ୍ରବେଶ ହୋଇଲେ ।

ସେମାନେ ବିପଦରୁ ମୁକ୍ତ ହୋଇଣ ସ୍ୱସ୍ଥାନେ ସୁଖେ ରହିଲେ ।୪୭୫।

ରାଜପୁତ୍ରମାନେ କହିଲେ ଏମନ୍ତ ହୋଇଲୁଁ ସୁଖ ସମ୍ପନ୍ନ ।

ଆମ୍ଭମାନଙ୍କର ଏ କଥା ଶୁଣି ଯେ ହୋଇଲା ଆନନ୍ଦ ମନ ।୪୭୬।

ବିଷ୍ଣୁଶର୍ମ୍ମାନାମେ ବ୍ରାହ୍ମଣ କହିଲେ ସିଦ୍ଧ ହେଉ ମନୋରଥ ।

ତୁମ୍ଭମାନଙ୍କର କଲ୍ୟାଣ କରଣେ ଚନ୍ଦ୍ରଚୂଡ଼ ସମରଥ ।୪୭୭।

 

ଇତି ଶ୍ରୀ ହିତୋପଦେଶେ ନୀତିସାରେ ମିତ୍ରଲାଭ କଥନେ

ପ୍ରଥମ କଥା ସଂଗ୍ରହଃ ।

Image

 

ସୁହୃଦଭେଦ

ଆଷାଢ଼ଶୁକ୍ଲ ରାଗ

 

ପଚାରନ୍ତି ପୁଣି ରାଜକୁମର । ମିତ୍ରଲାଭ କଥା ଶୁଣି ଆମ୍ଭର ।

ଶୁଣିବାକୁ ଇଚ୍ଛା ସୁହୃଦଭେଦ । କହ କହ ତୁମ୍ଭେ ବଚନ ଭେଦ ।

ବିଷ୍ଣୁଶର୍ମ୍ମା କହି ।

ଶୁଣିମା ହେଉ କହୁଅଛି ମୁହିଁ ।୧।

 

ସିଂହ ବୃଷଭ ଦୁହିଁକର ବନେ । ପୀରତି ବଢ଼ିଲା ସେ ଦିନେ ଦିନେ ।

ସେ ପୀରତି ଲୋଭୀ ଜମ୍ବୁକ ଖଳ । କପଟ କରିଣ କଲା ବିଫଳ ।

ରାଜସୁତ ଶୁଣି ।

ପଚାରନ୍ତି କହ ଏକଥା ପୁଣି ।୨।

 

ବିଷ୍ଣୁଶର୍ମ୍ମା କହେ ଶୁଣ କୁମର । ଦକ୍ଷିଣେ ସୁବର୍ଣ୍ଣବତୀ ନଗର ।

ତହିଁରେ ବର୍ଦ୍ଧମାନ ମହାଜନ । ରହିଅଛି ତାର ବହୁତ ଧନ ।

ଦେଖି ଅନ୍ୟ ଧନ ।

ହେଲ ଧନବୃଦ୍ଧି କରଣେ ମନ ।୩।

 

ତଳକୁ ଚାହିଁଲେ ଉପର ଲୋକ । ବେଳକୁ ବେଳକୁ ଧନ ଅଧିକ ।

ଚାହିଁଲେ ଉପରକୁ ତଳ ହୀନ । ସମସ୍ତେ ହୋଇଛନ୍ତି ଅତି ଦୀନ ।

ଏକଥାକୁ ଚାହିଁ ।

ଧନ ବଢ଼ାଇବାରେ ମତି ଦେଇ ।୪।

 

ଯାହାର ବହୁତ ଧନ ହୁଅଇ । ବ୍ରହ୍ମହତ୍ୟା କଲେ ସେ ପୂଜ୍ୟ ହୋଇ ।

ଧନ ହୀନ ହୋଏ ଯେବଣ ନର । ଚନ୍ଦ୍ରତୁଲ୍ୟ ବଂଶ ହେଲେ ଅସାର ।

କି କହିବି ମୁହିଁ ।

ଧନ ହୀନ ହେଲେ କିଛି ନୁହଇ ।୫।

 

ଯେ ଉଦ୍ୟମେ ହୀନ ଅଳସ ଜନ । ଦୈବ ପରିବେଶ ସାହସ ହୀନ ।

ବୃଦ୍ଧ ପତିକି ଯୁବତୀ ଯେସନ । ଲକ୍ଷ୍ମୀ ତାକୁ ନ କରେ ଆଲିଙ୍ଗନ ।

ଏହି ବାକ୍ୟ ସତ ।

ଲକ୍ଷ୍ମୀହୀନ ମନୁଷ୍ୟର ଏମନ୍ତ ।୬।

 

ଯେଉଁଜନ ଅଳସୁଆ ହୁଅଇ । ନିତ୍ୟରେ ନାରୀ ଲମ୍ପଟେ ରହଇ ।

ରୋଗୀ ଯେ ଜନ୍ମଭୂମି ଅନୁରାଗୀ । ଭୟ ସନ୍ତୋଷେ ହୁଅଇ ସରାଗୀ ।

ତାର ନୋହେ ଧନ ।

ଏ ଷଟ କରନ୍ତି ଧନ ଘାତନ ।୭।

 

ଅଳ୍ପ ସମ୍ପତ୍ତିରେ ଯେବଣ ଜନ । ସବୁ ହେଲା ବୋଲି ମଣଇ ମନ

ଦଇବ କୃତକାର୍ଯ୍ୟ ହୋଇକରି । କେଭେ ଧନ ନ ବଢ଼ଇ ତାହାରି

ଏମନ୍ତ ମଣଇ ।

ବିଧି କି ପରପାଇଁ ଦଉଡ଼ଇ ।୮।

 

ଉତ୍ସାହ ହୀନ ଆନନ୍ଦରେ ହୀନ । ଦୁର୍ବଳ ଅସୁନ୍ଦର ଅପଘନ ।

ଏହାଙ୍କୁ ନାରୀ ଜନ୍ମ ନ କରିବ । ଏମନ୍ତ ଯେଉଁ ସୁତି ହୋଇଥିବ ।

ତାହାରି କେବଳ ।

ଗର୍ଭ କ୍ଲେଶ ହୀନ ଦୁଃଖହିଁ ସାର ।୯।

 

ଅଲବ୍ଧ ଧନକୁ ଇଚ୍ଛା କରିବ । ଲୁବ୍ଧକୁ ତାତପର୍ଯ୍ୟରେ ରଖିବ ।

ନ୍ୟାୟରେ ତାହାଙ୍କୁ ବଢ଼ାଇ କରି । ସତ ପାତ୍ରରେ ଦେବ ଦାନ କ

ଛାଡ଼ି ରାଜବୃତ୍ତ ।

ଏହା କଲା ଲୋକ ହୁଅଇ ଖ୍ୟାତ ।୧୦।

 

ଜନର ଧନ ଯେବେ ନ ବଢ଼ଇ । କାଳେ ଅଞ୍ଜନ ପ୍ରାୟ କ୍ଷୟ ହୋ ।

ଯେଉଁ ଧନେ ପରୋପକାର ନୋହି । ତହିଁରୁ କିଛି ପ୍ରୟୋଜନ ନାହିଁ ।

ଏମନ୍ତ ବିଚାରି ।

ଧନ ବଢ଼ାଇ ଦେବ ଦାନ କରି ।୧୧।

 

ଅଞ୍ଜନର କ୍ଷୟ ନୟନେ ଦେଖି । ଉଇହୁଙ୍କାର ବର୍ଦ୍ଧନ ନିରେଖି ।

ବେଦ ପାଠ ଦାନ ଏ କର୍ମମାନ । କରି କରି ନେବ ଦିବସମାନ ।

ତା କେତେ କହିବା ।

ନିତ୍ୟେ ଦାନ ଧର୍ମ କର୍ମ କରିବା ।୧୨।

 

କ୍ରମରେ ଜଳବିନ୍ଦୁ ପଡ଼ିକରି । ଯେରୂପ ଘଟର ଭିତରେ ପୂରି ।

ସେରୂପେ ସର୍ବ ବିଦ୍ୟାମାନଙ୍କର । କ୍ରମେ ବୃଦ୍ଧି ହୋଇ ଧର୍ମ ଧନର

ଏମନ୍ତ ବିଚାରି ।

ଶକଟେ ସମସ୍ତ ଦ୍ରବ୍ୟକୁ ଭରି ।୧୩।

 

ସଂଜୀବକ ନନ୍ଦକ ଦୁଇ ଅଶି । ଯୋଚି ଶଗଡ଼େ ହୋଇଲା ମେଲାଣି

ବାଣିଜ୍ୟ ନିମିତ୍ତରେ ବର୍ଦ୍ଧମାନ । କାଶ୍ମୀର ଦେଶକୁ କଲା ଗମନ ।

ଯେ ଅତି ସମର୍ଥ ।

ତାହାର ଅଭାବୁ ନୁହଇ ଅର୍ଥ ।୧୪।

 

ସମର୍ଥମାନଙ୍କର କେଉଁ ଭାର । ବ୍ୟବସାୟୀ ଲୋକଙ୍କର କି ଦୂର ।

କି ବିଦେଶ ବିଦ୍ୟାବନ୍ତ ଲୋକର । ପ୍ରିୟବାଦୀ ଲୋକଙ୍କର କିପରି ।

ଗଲା ବନେ ମାଡ଼ି ।

ସଂଜୀବକ ଜାନ ଭଗରେ ପଡ଼ି ।୧୫।

 

ତା ଦେଖି ବଣିଜାରୁ ଚିନ୍ତା କରେ । ବ୍ୟବସାୟ ସିନା ମନୁଷ୍ୟ କରେ ।

ଯେଉଁ କାର୍ଯ୍ୟ ବିଧି ମନରେ ଥାଇ । ସେହି କାର୍ଯ୍ୟ ନିଶ୍ଚଳରେ ରହଇ ।

ଏଥିବି ବିଚାର ।

ନ କରି ପୁଣି କରିବି ବେପାର ।୧୬।

 

ସର୍ବ କର୍ମମାନଙ୍କର ବ୍ୟାଘାତ । କରଇ ସର୍ବଦା ବିଷାଦ ଚିତ୍ତ ।

ଏହି ହେତୁରୁ ବିଷାଦ ଛାଡ଼ିବ । କାର୍ଯ୍ୟ ସିଦ୍ଧିରେ ଉଦ୍ୟମ କରିବ ।

ଏମନ୍ତ କହିଲା ।

ସଂଜୀବକକୁ ସେଠାରେ ରଖିଲା ।୧୭।

 

ସେବକମାନଙ୍କୁ ସେ ଧନ ଦେଇ । କହେ ଏଠାରେ କିଛି ଦିନ ରହି ।

ଧଳ ଲଗାଇ ସଂଜୀବକ ମୋର । ଭଲ କରି ଯିବ ଗୋଡ଼କୁ ତାର ।

ସଙ୍ଗତକୁ ଯିବ ।

ତୁମ୍ଭେ ଏ କଥା ହେଳା ନ କରିବ ।୧୮।

 

ସେ ଭୃତ୍ୟମାନେ ରହି କିଛି ଦିନ । ସଂଜୀବକ ଛାଡ଼ି କଲେ ଗମନ ।

ସଂଜୀବକ ମଲା ବୋଲି କହିଲେ । ତାହାକୁ ପୋତି ଅଇଲୁଁ ବୋଇଲେ ।

ବର୍ଦ୍ଧମାନ ଶୁଣି ।

ବହୁ ଦୁଃଖ କରି ଚଳିଲା ପୁଣି ।୧୯।

 

ସଂଜୀବକୁ କଷ୍ଟ ପୁଣି କଷ୍ଟରେ । ତିନି ଗୋଡ଼େ ଉଠି ବନ ଭିତରେ ।

କିଛି ଦିନ ଯାନ୍ତେ ଆହାର ଖାଇ । ପୁଷ୍ଟାଙ୍ଗ ହୋଇ ବୁଲିଣ ବୋବାଇ ।

ଏ ନୋହେ ବିଚିତ୍ର ।

ଆୟୁଷ ଥିଲେ ମିଳଇ ଜୀବିତ ।୨୦।

 

ସମୁଦ୍ର ଭିତରେ ଯେ ବୁଡ଼ିଥାଇ । କିଅବା ପରବତରୁ ପଡ଼ଇ ।

ଭକ୍ଷକ ସର୍ପ ଅବା ଖାଇଥାଇ । ଆୟୁଷ ଥିଲେ ଜନ୍ତୁ ନ ମରଇ ।

ସଂସାରରେ ଅଛି ।

ଏଥିକି ତୁମ୍ଭେ ନ ବିଚାର କିଛି ।୨୧।

 

ସେ ବନେ ଅଛି ସିଂହ ପିଙ୍ଗଳକ । ଭୁଜ ବଳରେ ହୋଇଛି ପାଳକ ।

ସେ ଏକ କାଳେ ତୃଷାକୁଳ ହୋଇ । ଯମୁନା ନଦୀ ତୀରକୁ ଗମଇ ।

ପିଇବାକୁ ଜଳ ।

ମହା ତୃଷାରେ ହୋଇଣ ବକଳ ।୨୨।

 

ମୃଗମାନେ କି କରିଛନ୍ତି ରାଜା । କେହି ତାକୁ କି କରିଛନ୍ତି ପୂଜା ।

ତାହାର ବିକ୍ରମବଳେ ଅର୍ଜିତ । ହୋଇଛି ବନରେ ସିଂହ ରାଜତ୍ୱ ।

ସବୁଠାରେ ମୂଳ ।

ସର୍ବ ଜନଙ୍କର ହୁଅଇ ବଳ ।୨୩।

 

ସେଠାରେ ସଂଜୀବକ ନାଦ ଶୁଣି । ବୋଇଲା କିଏ ଏ ଅପୂର୍ବ ବାଣୀ

ଜଳ ନ ପିଇ ସଚକିତ ହୋଇ । ଆସି ଘରକୁ ସ୍ୱସ୍ଥାନେ ବସଇ ।

ବଡ଼ ଚିନ୍ତା କଲା ।

କାହା ଶବ୍ଦ ବୋଲି ତୁନି ହୋଇଲା ।୨୪।

 

ତଦନ୍ତେ ଦମନକ କରଟକ । ଦୁଇଜଣ ଥିଲେ ତାର ନିକଟ ।

ସେ ମନ୍ତ୍ରୀ ପୁତ୍ରେ ସିଂହକୁ ଦେଖିଲେ । ଦମନକ କରଟକକୁ ବୋଲେ

କହିବି କଥାଏ ।

ବିଚାରି କରି କହିବ ଉପାୟେ ।୨୫।

 

କିଏ ଆମ୍ଭ ସ୍ୱାମୀ ହେ କରଟକ । ଜଳ ନ ପିଇ ଅଇଲା ଉତ୍କଟ ।

ତୃଷାର୍ତ୍ତୀ ହୋଇ ଧାଇଣ ଅଇଲା । କିପାଇଁ ଆପଣା ଘରେ ରହିଲା

କରଟକ କହି ।

ତାର ବିଷୟେ ଆମ୍ଭର କି ହୋଇ ।୨୬।

 

ଯେଣୁ ଆମ୍ଭଠାରେ ସିଂହ ରାଜନ । ଚିରକାକୁ କରିଛି ଅବଜ୍ଞାନ ।

ବହୁତ ଦୁଃଖ ଅନୁଭବ ହେଲା । ତାର ଦୁଃଖରେ ଆମ୍ଭର କି ଗଲା ।

ସେବକ ଜନର ।

କେହି ନ ଜାଣଇ ଦୁଃଖ ଅପାର ।୨୭।

 

ସେବକ ଜନ ଯେ ଧନ ଇଚ୍ଛାରେ । ଯାହା କରଇ କେ କରେ ସଂସାରେ

ଆତ୍ମ ଶରୀରେ ସର୍ବ ଜନଙ୍କର । ଯେଉଁ ପ୍ରଭୁତ୍ୱ ସେ ନାହିଁ ତାଙ୍କର ।

ସେ ସେବକମାନେ ।

ଆପଣା ଦେହକୁ ହାରନ୍ତି ଧନେ ।୨୮।

 

ଯେତେ କ୍ଲେଶ ଶୀତ ବାତ ତପରେ । ତାକୁ ସହନ୍ତି ପରାଶ୍ରିତ ନରେ ।

ଏଥିରୁ ଦୁଃଖ ଭାଗେ ତପସ୍ୟାରେ । ତାକୁ କରି ସୁଖ ପାଆନ୍ତି ନରେ ।

ମୁ କହିବି କେତେ ।

ସେବକମାନେ ଦୁଃଖ ପାନ୍ତି ଯେତେ ।୨୯।

 

ଜନ୍ମ ହେବାର ସଫଳ ଏତିକି । ଯେ ନ ଯାଇ ପରାଧୀନ ବୃତ୍ତିକି ।

ଯେବେ ପରାଧୀନ ଜୀବନ ହୋଏ । ସେ ଜୀଇଅଛି ଅନ୍ୟ ମଲା କିଏ ।

ଏହି ବିଷୟରେ । ବହୁତ ଅଛିକହିବା ତୋହରେ ।୩୦।

 

ଧନପାଇଁ ଯେ ଆସଇ ଯାଚକ । ତାହାକୁ ଏରୂପେ ବୋଲେ ଧନିକ ।

କେତେବେଳେ କହେ ଯାଅ ହେ ଆସ । କେତେବେଳେ ବୋଲେ ଉଠ ହେ ବସ

କେତେବେଳେ କହ ।

କେତେବେଳେ ବୋଲଇ ତୁନି ହୁଅ ।୩୧।

 

ପୁରୁଷମାନେ ସେ ଧନ ଲୋଭରେ । ବେଶ୍ୟାନାରୀ ପ୍ରାୟ ଆତ୍ମ ଇଚ୍ଛାରେ ।

ଭୂଷିତ କରି ଆପଣା ଦେହକୁ । ନେଇ ସମର୍ପନ୍ତି ପର ଲୋକକୁ ।

ସେରୂପେ ସେବକ ।

ଧନପାଇଁ ବିଜେ ଆତ୍ମବିବେକ ।୩୨।

 

ଯେଉଁ ଦୃଷ୍ଟି ସ୍ୱଭାବରେ ଚଞ୍ଚଳ । ଅଶୁଦ୍ଧ ପଦାର୍ଥେ ହୋଏ ନିଶ୍ଚଳ ।

ସ୍ୱାମୀ ଯେବେ ସେହି ଦୃଷ୍ଟିରେ ଚାହିଁ । ତାହାକୁ ସେବକ ବହୁ ମଣଇ ।

କି କହିବି ବହୁ ।

କିଏ ଅବା ସେ ଭୃତ୍ୟ ଦୁଃଖ ସହୁ ।୩୩।

 

ଉନ୍ନତ ହେବାପାଇଁ ନମ୍ର ହୋଇ । ଜୀବନ ପାଇଁ ପ୍ରାଣକୁ ଛାଡ଼ଇ ।

ସୁଖପାଇଁ ପାଏ ଦୁଃଖ ବହୁତ । ମୂଢ଼ କେ ସେବକ ବିନା କହତ ।

ମେଣ୍ଢା ଯୁଦ୍ଧ ପ୍ରାୟେ ।

ଆଗେ ମାରିବାକୁ ପଛକୁ ଯାଏ ।୩୪।

 

ଦମନକ କରଟକକୁ କହେ । ମିତ୍ର ଏ ଉଚିତ ସର୍ବଥା ନୋହେ ।

ରାଜ ସେବା ନାହିଁ ଯେଉଁ ଜନର । କାହୁଁ ବାଜି ଗଜ ବାହନ ତାର ।

ଚାମର ସମ୍ପତ୍ତି ।

କାହୁଁ ହେବ ବାଦ୍ୟ ନାଗରୀ ହାତୀ ।୩୫।

 

କରଟକ କହେ ହେ ଦମନକ । କାହିଁକି ଈଶ୍ୱର ନ ଭଜେ ଲୋକ ।

ସ ଦୃଷ୍ଟ ହେଲେ ଯେ ଅଳ୍ପ କାଳରେ । ଜନ ମନୋରଥ ପୂରଣ କରେ ।

ଲୋକ ବହିର୍ମୁଖ ।

ସାକ୍ଷାତେ କହୁଅଛି ମୃତ୍ୟୁ ଦେଖ ।୩୬।

 

ତ୍ରିଜଗତ ନାଥ ପରମେଶ୍ୱର । ହୃଦେ ଅଛନ୍ତି ସମସ୍ତ ଜନର ।

ବୈକୁଷ୍ଠ ପଦ ଦେବାକୁ ସମର୍ଥ । ସେ ଦାତା ଥାଆନ୍ତେ କିପାଇଁ ବ୍ୟର୍ଥ ।

ଆନକୁ ଭଜଇ ।

ଲୋକ ମୂର୍ଖପଣ କୁହା ନ ଯାଇ ।୩୭।

 

ଯେ ପ୍ରଧାନମନ୍ତ୍ରୀ ସେହି ବିଚାରୁ । ଯେ ଅବ୍ୟାପାର ତହିଁ କିପାଁ ଝୁରୁ ।

ଯାହାର ଯେଉଁ କରଣୀୟ ନୋହି । ତାହାକୁ ସର୍ବଥା ସେ ନ କରଇ ।

କଲେ ନାଶ ଯାଇ ।

ୠଷିମାନେ ରାଜନୀତିରେ କହି ।୩୮।

 

ଯେଉଁ ନର ଅବ୍ୟାପାରେ ବ୍ୟାପାର । କରିବାକୁ ଇଚ୍ଛା କରେ ତାହାର ।

ଯେହ୍ନେ କିଳା ଉପାଡ଼ିଣ ବାନର । ସେହିକ୍ଷଣେ ଗଲା ଶମନପୁର ।

ସେହିରୂପେ ହୋଇ ।

ମରଣ ଏଥିରେ ସନ୍ଦେହ ନାହିଁ ।୩୯।

 

ଦମନକ କହେ କହ ଏ କଥା । କରଟକ ଛାଡ଼ୁ ମୋ ମନ ବ୍ୟଥା ।

ଦମନକକୁ କରଟକ କହେ । ଶୁଣିମା ହେଉ ମନ ଦେଇ ବହେ ।

ସେ ମଗଧ ଦେଶ ।

ଅଛି ଧର୍ମାରଣ୍ୟ ବୋଲି ପ୍ରଦେଶ ।୪୦।

 

ତା ସମୀତେ ଶୁଭଦତ୍ତ କାୟସ୍ଥ । ସଭା ମଣ୍ଡପେ କଲା ମନୋରଥ ।

ତାହା ନିର୍ମାଣକୁ ଆଣି ବଢ଼ାଇ । କରତିବାକୁ ହାତେ କାଠ ଦେଇ ।

ଚିରିଲା ବଢ଼ାଇ ।

ପଟା ମଧ୍ୟରେ କିଳାକୁ ପୂରାଇ ।୪୧।

 

ଏହି ସମୟରେ ଦଳେ ବାନର । କ୍ରୀଡ଼ା ନିମିତ୍ତ ପ୍ରବେଶ ସେଠାର ।

ତହିଁ ମଧ୍ୟେ ଏକ ବାନର ଥିଲା । ସେହି କିଳାକୁ ଧରିଣ ବସିଲା ।

ତାର ମୁଷ୍କ ଦୁଇ ।

ଚିରା କାଠ ମଧ୍ୟେ ପ୍ରବେଶ ହୋଇ ।୪୨।

 

ଏଥୁଅନ୍ତେ ସେ ସ୍ୱଭାବେ ଚଞ୍ଚଳ । ଯତ୍ନରେ କିଳାକୁ କଲା ବାହାର ।

କାଠ ମଧ୍ୟରେ ମୁଷ୍କଦ୍ୱୟ ଥିଲା । ଦୁଇ ପଟା ବାଜି ଚୂର୍ଣ୍ଣ ହୋଇଲା ।

ହୋଇ ଛଟପଟି ।

ସେହିକ୍ଷଣେ ମଲା ବାନର ଗୋଟି ।୪୩।

 

ଏହି ହେତୁରୁ ମୁ ତତେ କହିଲି । ଆମ୍ଭ ବ୍ୟାପାର ସେ ନୋହେ ବୋଇ ।

ଦମନକ କହେ କରଟକକ । ସ୍ୱାମୀ କାର୍ଯ୍ୟ ବିଚାରକ ସେବକ ।

ଅବଶ୍ୟ ହୋଇବ ।

ଏକଥା କରିଅଛି ଯେ ଦଇବ ।୪୪।

 

କରଟକକ କହେ ଦମନକ । ସର୍ବ ଅଧିକାରେ ଯେ ନିଯୋଜକ ।

ସେହି ପ୍ରଧାନମନ୍ତ୍ରୀ କରୁ ତାହା । ତହିଁରେ ଆମ୍ଭର କି ଅଛି ସୃହା ।

ଯେଣୁ ସେ ସେବକ ।

ତାର ଅଧିକାରେ ନୁହ ଚର୍ଚ୍ଚିକ ।୪୫।

 

ଯେଉଁ ସେବକ ପର ଅଧିକାରେ । କରେ ଉଦ୍ୟମ ସ୍ୱାମୀ ହିତେଚ୍ଛାରେ

ଶବଦ କଲା ଗର୍ଦ୍ଦଭ ପରାଏ । ମରଇ ସେ ସେହିକ୍ଷଣି ସେଠାଏ ।

ଦମନକ କହି ।

କିରୂପେ ଏକଥା କହ ହେ ଭାଇ ।୪୬।

 

କରଟକ କହେ ପୂର୍ବକାଳରେ । ରଜକ ଥିଲା ସେ ବାରାଣସୀରେ ।

କର୍ପୁର ପଟ ସେ ଏକ ଦିନରେ । ଶୋଇଥିଲା ନବକାନ୍ତା ସଙ୍ଗରେ ।

ଏଥୁ ଅନନ୍ତରେ ।

ଚୋର ପ୍ରବେଶ ହୋଇଲା ତା ଘରେ ।୪୭।

 

ଘର ଅଗଣାରେ ଗର୍ଦ୍ଦଭ ଥିଲା । କୁକୁର ତା ପାଖେ ବନ୍ଧନ ହେଲା ।

ଧଳା କୁକ୍କୁରକୁ କହଇ ବାଣୀ । କିରେ ସ୍ୱାମୀ କାର୍ଯ୍ୟ ଛାଡ଼ୁ ତୁ ପୁଣି ।

ତୁ ଶବଦ କର ।

ଶବଦରେ ସ୍ୱାମୀ ଉଠୁ ସତ୍ନର ।୪୮।

 

କୁକୁର କହେ ଶୁଣ ଆରେ ଗଧ । ମୋର ନିଯୋଗରେ ତୋର କି ସଧ ।

ଯରୂପେ ଏ ଗୃହ ରକ୍ଷା କରିଛି । କିଛି ତହୁଁ ତତେ ଗୋଚର ଅଛି ।

ମୋର ଉପକାର ।

ନ ଘେନି କରିଛି ଏ ମନ୍ଦାଦର ।୪୯।

 

ପାଇବାକୁ ମୋତେ ନ ଦେଇଅଛି । ତେଣୁ ଏହା କାର୍ଯ୍ୟ ନାଶ କରୁଛି ।

ଯେଣୁ ସ୍ୱାମୀମାନେ ସେବକଠାରେ । କାର୍ଯ୍ୟ ନ ଦେଖି ନୁହନ୍ତି ସାଦରେ ।

ସେ ଗର୍ଦ୍ଦଭ କହି ।

ଶୁଣରେ ବାତୁଳ ଏମନ୍ତ ନୋହି ।୫୦।

 

କାର୍ଯ୍ୟକାଳେ ମାଗେ ଯେ ଭୃତ୍ୟ ମିତ୍ର । କୁତ୍ସିତ ମିତ୍ର ସେ କୁତ୍ସିତ ଭୃତ୍ୟ

କୁକ୍କୁର କହଇ ଶୁଣ ଗଧରେ । ଯେ ଭୃତ୍ୟକୁ ଦେଇ କାର୍ଯ୍ୟକାଳରେ

ସେ ସ୍ୱାମୀ ନୁହଇ ।

କୁତ୍ସିତ ପ୍ରଭୁ ବୋଲି ତାକୁ କହି ।୫୧।

 

ସବକମାନଙ୍କର ବରତନେ । ସ୍ୱାମୀ ସେବାରେ ଧର୍ମର ସେବନେ ।

ଏମାନଙ୍କ ଉତ୍ପତ୍ତି କର୍ମରେ । ପ୍ରତିକୂଳ ନୁହଇ କେହି ନରେ ।

ଯେବେ ସେ ହୁଅନ୍ତି ।

ଇହ ପରଲୋକେ ନିନ୍ଦା ପାଆନ୍ତି ।୫୨।

 

ଶୁଣି ଗର୍ଦ୍ଦଭ କହେ ସକୋପରେ । ସ୍ୱାମୀ କାର୍ଯ୍ୟ ଛାଡ଼ୁଛୁ ପାପ ଆରେ ।

ହଉ ସ୍ୱାମୀ ଯେଉଁରୂପରେ ଭଲ । ହେବ ଚିଆଁଇବ ସେ କର୍ମମୂଳ ।

ନିଷ୍କପଟ ହୋଇ ।

ସ୍ୱାମୀ କାର୍ଯ୍ୟ କଲେ ସ୍ୱର୍ଗକୁ ଯାଇ ।୫୩।

 

ଷଷ୍ଠରେ ସୂର୍ଯ୍ୟଙ୍କୁ ସେବା କରିବ । ହୁତାଶନକୁ ଉଦରେ ଭଜିବ ।

ସ୍ୱାମୀଙ୍କି ସର୍ବ ଭାବରେ କିଣିବ । ଅକପଟେ ପରଲୋକ ଜିଣିବ ।

ଏମନ୍ତ କହିଲା ।

ସେ ମହାଚିତ୍କାର ଶବଦ କଲା ।୫୪।

 

ଗର୍ଦ୍ଦଭ ଶବଦ ଶୁଣି ରଜକ । କହେ ଗଧ ମୋର ନିଦ୍ରାଭଞ୍ଜକ ।

ସାମନ୍ତ ବୋଲି କୋପରେ ଉଠିଲା । ଦଂଶ ଦଣ୍ଡ ତା ଉପରେ ପିଟିଲା ।

ଏଣୁ ମୁ କହୁଛି ।

ପର ଅଧିକାରେ ନ କହ କିଛି ।୫୫।

 

ତେଣୁ ପଶୁମାନଙ୍କ ଅନ୍ୱେଷଣ । ସ୍ୱାମୀ ଦେଇଛି ଆମ୍ଭ ନିଯୋଜନ ।

କି କାର୍ଯ୍ୟ ଅନ୍ୟ ଚିନ୍ତାରେ ଆମ୍ଭର । ଯେଣୁ ଅଛି ବହୁ ମାଂସ ଆହାର

କ୍ରୋଧେ ଦମନକ ।

ବୋଲେ ତୁ ଆହାର ମାତ୍ରେ ସେବକ ।୫୬।

 

ଏକଥା କହିଲୁ ଯେ ଅନୁଚିତ । କେ ପେଟ ନ ପୋଷଇ ତୁ କହତ

ସୁହୃଦମାନଙ୍କର ଉପକାର । ଶତ୍ରୁମାନଙ୍କର ଯେ ଅପକାର ।

ଏହା କରିବାକୁ ।

ଲୋକ ଆଶ୍ରୟ କରଇ ନୃପକୁ ।୫୭।

 

ଯେ ଜାଇଥିଲେ ସମସ୍ତେ ଜୀଅନ୍ତି । ସେହି ଜୀଇ ଥାଉ ସର୍ବେ ବୋଲନ୍ତି ।

କାକ ହେଲେ ହେଁ ଆପଣ ଥଣ୍ଟରେ । ନେଇ ସେ ଆହାର ଉଦରେ ଭରେ

ଜୀଇ କି କରିବ ।

ସେ କି ପର ଉପକାର କରିବ ।୫୮।

 

ଦେଖ ପାଞ୍ଚ କାହାଣରେ ସେ ବକ । କାହାଣ କରେ କେହି କେହି ଲୋକ

ଲକ୍ଷକରେ କେହି ହୁଅଇ ଦାସ । ଲକ୍ଷକରେ କେହି ନ ଆସେ ପାଶ ।

ସେବକ ହେବାର ।

ଅତିଶେ ନିନ୍ଦା ହୁଅଇ ତାହାର ।୫୯।

 

ତେଣୁ ତୋହର ଚିତ୍ତ ଅନୁସରି । କହିଲି ଏହି କଥାକୁ ବିଚାରି ।

ସତ୍ୱବନ୍ତ ଯେ ତା ବିପତ୍ତି ହେଲେ । ନୀଚ ବୃତ୍ତିକି କେବେହେଁ ନ କରେ ।

Unknown

ସତ୍ୱକୁ ଚାହିଁଣ ।

କରଇ ସେ ନାନାବିଧ ଭୋଜନ ।୬୦।

 

କୁକ୍କୁର ମଳିନି ନିର୍ମାଂସ ଅସ୍ଥି । ପାଇ ତାର ହୁଏ ମହା ତୃପତି ।

ସିଂହ ଯେ ଜମ୍ବୁକ ନିକଟେ ଥିଲେ । ତାକୁ ଛାଡ଼ି ଭ୍ରମି ଗଜକୁ ମାରେ

ଏଣୁକରି ଜନ ।

ସତ୍ୱ ଅନୁରୂପେ ବାସେ ଭୋଜନ ।୬୧।

 

ସେବ୍ୟ ସେବକରେ ଦେଖ ଅନ୍ତର । ଲାଙ୍ଗୁଡ଼ ଚାଳଇ ତଳେ କୁକ୍କୁର

ଚରଣେ ପଡ଼ି ଉଦର ଦେଖାଇ । ପିଣ୍ଡ ଦେଲା ଲୋକର ମୁଖ ଚାହିଁ ।

ମହାରାଜା ଥାଇ ।

ନ ଖାଇ ଧୀର କରିଣ ଚାହଁଇ ।୬୨।

 

ଯେତେହେଁ କଲେ ତାକୁ ଖଣ୍ଡ ଖଣ୍ଡ । ନ ଛାଡ଼େ ମାଧୂର୍ଯ୍ୟ ସେ ଇକ୍ଷୁଦଣ୍ଡ

ଯେତେ ପୋଡିଲେ ନ ଛାଡ଼ଇ ବର୍ଣ୍ଣ । ଆପଣା ବର୍ଣ୍ଣକୁ ଯେହ୍ନେ କାଞ୍ଚନ ।

ସେ ଯେତେ ଘୋରିଲେ ।

ଆପଣା ଗନ୍ଧକୁ ନ ଛାଡ଼େ ଭଲେ ।୬୩।

 

ଉତ୍ତମ ଲୋକର ଏରୂପେ ରୀତି । ପ୍ରଶାନ୍ତ ହେଲେ ନ ଛାଡ଼େ ପ୍ରକୃତି

ପାତ୍ର ଗୁରୁ ଭୃତ୍ୟ ଦୁଃଖୀ ବାନ୍ଧବ । ଏତେଠାରେ ନୋହେ ଦୟାର ଲବ

ସେ ନିନ୍ଦ୍ୟ ଜୀବିତ ।

ବଳ ଖାଇ ଜୀଏ କାକ ବହୁତ ।୬୪।

 

କରଟକକ କହେ ଦମନକ । ଆମ୍ଭେ ଦୁହେଁତ ଅପ୍ରଧାନ ଲୋକ ।

ଆମ୍ଭର ଏ ବିଚାରେ କିବା ଅଛି । ଶୁଣି ଦମନକ ପୁଣି କହୁଛି ।

ମହୀ କେତେ କାଳ ।

ପ୍ରଧାନ ଅପ୍ରଧାନ ହୋଏ ବୋଲ ।୬୫।

 

ଯହି କେହି ସ୍ୱଭାବରୁ ତାହାର । ନୋହେ ଅଭିମତ ଖଳ ଉଦାର ।

ଲୋକେ ପୁଚ୍ଛ୍ୟତା ଅପୂଜ୍ୟତା ଦୁଇ । ଆପଣା କର୍ମ ଲୋକକୁ ନିଅଇ ।

ଶୁଣ ହଂସ କାକ ।

ଉତ୍ତମ ମଧ୍ୟମ ଅଧମ ଦେଖ ।୬୬।

 

ଯେତେ ପଥରକୁ ପର୍ବତ ପରେ । ଲୋକ ନେଇ ଥୋଇ ଅତି କଷ୍ଟରେ

ଅନାୟାସରେ ତଳକୁ ପକାଇ । ତେହ୍ନେ ଆପଣା ଗୁଣ ଦୋଷ ହୋଇ ।

ଗୁଣ ସମ୍ପାଦନେ ।

କଷ୍ଟ ପାଇ ନୋହେ ଦୋଷ ଅର୍ଜନେ ।୬୭।

 

ସହି ହେଙ୍ଗୁରୁ ସବୁ ଉଦ୍ୟମରେ । ହୋଏ ଶୁଣି କରଟକକ ବୋଲେ ।

ତୁମ୍ଭେ କି କହୁଛ କହ ତା ଶୁଣି । ପୁଣି ଦମନକ କହଇ ବାଣୀ ।

ଏହି ପିଙ୍ଗଳକ ।

କିପାଁ ନ ପିଇ ଅଇଲା ଉଦକ ।୬୮।

 

ଅରଟକ କହେ ତୁମ୍ଭେ କି ଜାଣ । ଦମନକ କହେ ଜାଣେ ଏମାନ ।

କହିଲା କଥାକୁ ପଶୁ ଜାଣଇ । ହୟ ନାଗ ଯେ ଟିପିଲେ ବହଇ ।

ତୁଣ୍ଡେ ନ କହିଲେ । ଜାଣଇ ପଣ୍ଡିତ ତା ଇଙ୍ଗିତରେ ।୬୯।

 

ଯାର ଅଭିପ୍ରାୟ ବୁଦ୍ଧି ଜାଣଇ । ବୁଦ୍ଧି ବଳେ ମୁ ଏକଥା ମଣଇ ।

ଯଣୁ ସେ ପ୍ରସ୍ତାବ ତୁଲ୍ୟ ବଚନ । ସଦଭାବଠାରେ ପ୍ରିୟ ବଚନ ।

ବଳର ସମାନ ।

କୋପ ଜାଣେ ସେ ଯେ ପଣ୍ଡିତ ଜନ ।୭୦।

 

କରଟକକ ପୁଣି କହେ ଶୁଣ । ଦମନକ ତୁମ୍ଭେ ସେବା ନ ଜାଣ ।

ଯ ଜନ ନ ଡାକିଲେ ବଳେ ଯାଇ । ନ ପଚାରି ଯେ ବହୁତ କହଇ ।

ଆପଣା ବଡ଼ାଇ ।

କହଇ ଯେ ତାକୁ ରାଜା ଛାଡ଼ଇ ।୭୧।

 

ଦମନକ କହି ଭୋ ମିତ ଶୁଣ । କିରୂପେ ମୁହିଁ ନ ଜାଣେ ସେବନ

ସ୍ୱଭାବରେ କି ଅଛି ଅସୁନ୍ଦର । ସୁନ୍ଦର ଅବା କେ ଅଛି ହେ ନର

ଯାହାର ମନର ।

ଯେ ଇଚ୍ଛା ହୁଅଇ ସେହି ସୁନ୍ଦର ।୭୨।

 

ଯାହାର ଯାହାର ଯେ ଇଚ୍ଛା ଥିବ । ତାହା ଜାଣି ସେ ନରକୁ ସେ

ଅନୁସରି କରି ପଣ୍ଡିତ ଜନ । ଆପଣା ବଶକୁ ନିଏ ବହନ ।

ମୁ ଯାହା କହଇ ।

ତୋ ମନକୁ ଆସୁଅଛି କି ନାହିଁ ।୭୩।

 

ଏଠାରେ କେ ଯେବେ ପ୍ରଭୁ ବୋଲିବ । ତେବେ ମୁ ଏଠାରେ ଅଛି କହି

କି ଆଜ୍ଞା ହେଉଛି ଦିଅ ବୋଲିବ । ରାଜା ଆଜ୍ଞାକୁ ଶିରରେ ଘେନିଣ

ଆପଣାର ଶକ୍ତି ।

ଚାହିଁ ଅନୁସରିବ ମହିପତି ।୭୪।

 

ଯେଉଁ ମାନବ ହେବ ଧୈର୍ଯ୍ୟବନ୍ତ । ଛାଇ ପରାଏ ହେବ ଅନୁଗତ ।

ଆଜ୍ଞା ହେଲେ ସେହି କ୍ଷଣେ କରଇ । ସେ ନର ରାଜସଭାରେ ବସଇ

କରଟକ କହି ।

ଶୁଣ ଶୁଣ ହେ ଦମନକ ଭାଇ ।୭୫।

 

ରାଜାଠାକୁ ଅସମୟେ ତୁ ଯିବୁ । ନ ପୁଣି ରାଜା ଅବଜ୍ଞ ତୁ ହେବୁ

ଦମନକ କହେ ଶୁଣ ହେ ମିତ । ତଥାପି ସେବକ ସ୍ୱାମିର ହିତ ।

ଅବଶ୍ୟ କରିବ ।

ପ୍ରତିକ୍ଷଣେ ତା ନିକଟେ ରହିବ ।୭୬।

 

ଏକାର୍ଯ୍ୟରେ ଦୋଷ ହୋଇବ ଅବା । ଏମନ୍ତ ବିଚାରି କି ନ କରିବ

ଏ ଯେ କୁତ୍ସିତ ପୁରୁଷ ଲକ୍ଷଣ । କିଏସେ ଅଜୀର୍ଣ୍ଣ ଭୟେ ଭକ୍ଷଣ ।

ନ କରଇ କହ ।

ଭାଇ କରଟକ ଧଇର୍ଯ୍ୟ ବହ ।୭୭।

 

ଅଜ୍ଞ ଯେ ଅକୁଳୀନ ଅସଙ୍ଗତ । ଯେବେହେଁ ରାଜ ସମୀପରେ ସ୍ଥିତ ।

ସେହି ରାଜାର ହୁଅଇ ସମ୍ମତ । ଅନ୍ୟ ଜନ ନୋହେ ତା ଅଭିମତ

ସ୍ତ୍ରୀ ଲତା ନୃପତି ।

ଯେ ପାଖରେ ଥାଇ ତାକୁ ଭଜନ୍ତି ।୭୮।

 

କରଟକ କହେ ଭୋ ମିତ ଶୁଣ । ତୁମ୍ଭେ ଯାଇ କି କହିବ ବଚନ ।

ଦମନକ କହେ ରାଜା ବିରକ୍ତ । ଅନୁରକ୍ତ କିବା ଜାଣିବା ମିତ ।

କରଟକ କହେ ।

କେତେ ରାଗ ବିରାଗ ଜାଣି ହୋଏ ।୭୯।

 

ଶୁଣି ମିତ ଦମନକ କହଇ । ରାଜା ଯେବେ ଦୂରୁ ଦେଖି ହସଇ ।

ପଚାରଇ ବଡ ଆଦର କରି । ପଛେ ଗୁଣ ଗାଇ ସ୍ମରଣ କରି ।

ସ୍ୱାଦୁ ଦ୍ରବ୍ୟ ପାଇ ।

ବୋଲଇ ଏହାପରି ଭୃତ୍ୟ ନାହିଁ ।୮୦।

 

ତାହା ସେବାରେ ଅନୁରାଗ କରେ । ପ୍ରୀତିରେ ଧନକୁ ଦିଅଇ କରେ ।

ଦୋଷକୁ ଲୁଚାଇ ଗୁଣ କହଇ । ଅନୁରାଗର ଜାଣ ଚିହ୍ନ ଏହି ।

ଏବେ ବିରାଗର ।

କହିବା ଶୁଣରେ ସୁବୁଦ୍ଧି ବର ।୮୧।

 

ଦେବା କରିବା ଏମନ୍ତ ବୋଲଇ । ନ ଦେଇ ଯେ ଆଶା ବତାଇ ଥାଇ ।

ଜାଣିବ ସେହି ପ୍ରଭୁ ବିରକତ । ଜାଣି ଏହାକୁ କରିବି ଆୟତ ।

ତା ମନକୁ ଚାହିଁ ।

କହିବି ମୁ ଯାହା କରିବ ସେହି ।୮୨।

 

ଦମନକକୁ କରଟକ କହେ । ପ୍ରସଙ୍ଗ ବିନା କହିବାର ନୋହେ ।

ଅସମୟରେ ଯେବେ ବୃହସ୍ପତି । କହନ୍ତି ଯେବେ ହୁଅଇ ବିପତ୍ତି ।

ପାଇ ଅପମାନ ।

ଅସମୟେ ନ କହିବ ବଚନ ।୮୩।

 

ଦମନକ କହେ କି ଆହେ ମତ । ଭୟ କରିଅଛ ଛାଡ଼ ତୁରିତ ।

ସମୟ ନ ଚାହିଁ କହିବି ନାହିଁ । ଜଗି କରିବାର ମୁହିଁ ଜାଣଇ ।

ଯେଣୁ ଏତେଠାରେ ।

ନ ପଚାରିଲେ କହିବ ତାହାରେ ।୮୪।

 

ଯେତେବେଳେ ପଡ଼ିଥିବ ବିପତ୍ତି । ଯେଉଁ କାଳେ ଯେଉଁ କାର୍ଯ୍ୟ ହୁଅନ୍ତି ।

ଯେବେ ଜାଣିବ ତେବେ ନ ପଚାରି । ଥିଲେ କହିବା ହିତ ଅନୁସରି ।

ରାଜାର ସେବକ ।

କହିବ ବିଚାରି ହିତ ଅନେକ ।୮୫।

 

ଯେବେ ଅସମୟ ଜଗି ନୃପତି । ନ କହିବ ଯେବେ ସେହି କୁମନ୍ତ୍ରୀ ।

ଯେଣେକରି ହୋଏ ଜୀବନ ବୃତ୍ତି । ଯେଣେ କରି ହୋଏ ଲୋକରେ କୀର୍ତ୍ତି ।

ସେହି ତାକୁ ଗୁଣ ।

ବୋଲି ସେ ଥିଲେ ଗୁଣବନ୍ତ ଜନ ।୮୬।

 

ମୁ ଯାଉଛି ମୋତେ ଅନୁଜ୍ଞା ଦିଅ । କରଟକ ବୋଲେ ଶୁଭରେ ଯାଅ ।

ଯେ ବାଞ୍ଛା ଅଛି ହେଉ ସେ ତୁମ୍ଭର । ଦମନକ ଗଲା ହୋଇ ସତ୍ୱର ।

ସେ ବିସ୍ମୟ ହୋଇ ।

ସିଂହ ସମୀପରେ ପ୍ରବେଶ ଯାଇ ।୮୭।

 

ଦୂରୁ ସିଂହକୁ ଦେଖି ଦମନକ । ପୁଣି ପୁଣି ପାଦେ ପଡ଼େ ଅନେକ ।

ସିଂହ ବୋଇଲା ଦମନକ ଚାହିଁ । ଥିଲ ବହୁତ କାଳେ ଦେଖିଲଇଁ ।

ଦମନକ କହି ।

ତୁମ୍ଭର ମୋହରେତ କାର୍ଯ୍ୟ ନାହିଁ ।୮୮।

 

ତଥାପି ଯେ ସେବକ ହୋଇଥିବ । କେବେହେଁ ସ୍ୱାମୀ ପାଶ ନ ଛାଡ଼ିବ ।

ଏଣୁ ତୁମ୍ଭଠାକୁ ଅଇଲି ମୁହିଁ । କର ନ କର ବା ଶୁଣ କହଇ ।

ରଜା ବୋଲେ କହ ।

କହେ ଦମନକ ଶୁଣ ହେ ସିଂହ ।୮୯।

 

ରାଜାମାନଙ୍କର ଦନ୍ତ ଘର୍ଷଣ । ସେହିରୂପରେ କର୍ଣ୍ଣ କଣ୍ଡୂୟନ ।

ଏ ଦୁଇ କାର୍ଯ୍ୟେ ତୃଣକୁ ଆଦର । ଅଙ୍ଗ ବାକ୍ୟରେ କି ନ କରେ ନର ।

ସୁବୁଦ୍ଧି ଲୋକର ।

ବୁଦ୍ଧି ନାଶ ତୁମ୍ଭେ ଶଙ୍କା ନ କର ।୯୦।

 

ପଦେ ମଣିକି ଭୂଷଣ କରିବ । କିଅବା କାଚକୁ ଶିରେ ଧରିବ ।

ଯେଉଁରୂପେ ହେଉ ସେରୂପେ ହେଉ । କାଚରୁ ମଣି ଊଣା କେ ସେ କହୁ

ଯେହୁ ସେ ନିର୍ଗୁଣ ।

ଆଦର କଲେ କି ହୋଏ ସଗୁଣ ।୯୧।

 

ଧୀର ଯାହାର ବୁଦ୍ଧି ହୋଇଥାଏ । ଅନାଦର କଲେ ତାର କି ଯାଇଁ

ଦେଖ ଅନଳକୁ ତଳକୁ କଲେ । ଶିଖା ତାହାର ତଳକୁ ନ ଚଳେ ।

ରାଜା ସେ କେବଳ ।

ଜାଣି ସେବକକୁ କରେ ସଫଳ ।୯୨।

 

ଯେବେ ରାଜା ସବୁ ଭୃତ୍ୟଙ୍କ ଠାରେ । ବିଷୟ ନ ଜାଣି ବେଭାର କରେ

ତହିଁରେ ଯେ ଉପକାରସମର୍ଥ । ଉପକାର ତାର ହୁଏ ବିଅର୍ଥ ।

ସେ ଉତ୍ସାହ ହୀନ ।

ହୋଇ ନ କରଇ କାର୍ଯ୍ୟରେ ମନ ।୯୩।

 

ଅଛନ୍ତି ପୁରୁଷ ତିନି ପ୍ରକାର । ଉତ୍ତମାଧ୍ୟମ ମଧ୍ୟମ ବିଚାର ।

ଯାହାର ଯେଉଁ କର୍ମ ଯୋଗ୍ୟ ହେବ । ତହିଁରେ ତାକୁ ନିଯୁକ୍ତ କରିବ ।

ଯେ ଯେଉଁ କାର୍ଯ୍ୟରେ ।

ସମର୍ଥ ତାକୁ ରଖିବ ତହିଁରେ ।୯୪।

 

ସେବକ ଅଳଂକାର ଦୁହେଁ ସରି । ଏହାଙ୍କୁ ନିଯୁକ୍ତ ସ୍ଥାନରେ କରି ।

ମୁ ପ୍ରଭୁ ବୋଲି ଯେଉଁ ରାଜା ପୁଣି । ଗୋଡ଼େ ବାନ୍ଧଇ ନେଇ ଚୂଡ଼ାମଣି

ସେ ରାଜାର ଦୋଷ ।

ଚୂଡ଼ାମଣି କି କିଛି ହୁଏ ନାଶ ।୯୫।

 

ଯେ ସେ କନକ କୁଣ୍ଡଳ ଖଚିତ । ହେବାକୁ ମଣି ହୁଅଇ ଉଚିତ ।

ସେ ମଣି ଶିଂଶାରେ ଯେବେ ଖଞ୍ଜଇ । ତେବେ ମଣି କି ଶୋଭାକୁ ନ ପାଇ ।

ଖଞ୍ଜିଲା ଲୋକର ।

ନିନ୍ଦା ହୁଅଇ ସଂସାର ବାହାର ।୯୬।

 

ଏ ଅନୁରାଗୀ ଏ ସେ ବୁଦ୍ଧିମାନ । ଏ ସେବକ ନିଜ ଏ ମୋର ଆନ ।

ଏମନ୍ତ ବିଶେଷ ଜାଣଇ ଯେହୁ । ଭୃତ୍ୟମାନଙ୍କର ସେବିତ ସେହୁ ।

ଯେ ବିଶେଷ ଜାଣେ ।

ସେହି ରାଜା ସର୍ବ ରାଜାରେ ଜଣେ ।୯୭।

 

ଖଡ୍ଗାଦି ଶସ୍ତ୍ର ବୀଣା ବାଣୀ ଶାସ୍ତ୍ର । ମନୁଷ୍ୟ ନାରୀ ଏମାନେ ସମସ୍ତ ।

ଯୋଗ୍ୟ ପୁରୁଷଠାରେ ଯୋଗ୍ୟ ହ୍ୱନ୍ତି । ଅଯୋଗ୍ୟ ପୁରୁଷେ ଯୋଗ୍ୟ ନୁହନ୍ତି ।

ଏମନ୍ତ ସ୍ୱକାଶୁଁ ।

ଯୋଗ୍ୟ ପୁରୁଷ ପାଶେ ଆମ୍ଭେ ବସୁଁ ।୯୮।

 

ଯେଉଁ ସେବକ ଅସମର୍ଥ ହୋଇ । ତାହାଠାରୁ ଅବା କି କାର୍ଯ୍ୟ ପାଇ ।

ଯେ ସେ ସମର୍ଥ ଅପକାରୀ ହେବ । ସେହି ଲୋକରେ ବା କି କାର୍ଯ୍ୟ ହେବ ।

ମୁ ଭକ୍ତ ଶକତ ।

ମତେ ନ କର ପ୍ରଭୁ ଅବଜ୍ଞାତ ।୯୯।

 

ସମର୍ଥ ସେବକକୁ ରାଜା ଯେବେ । ଅବଜ୍ଞା କରଇ ସମସ୍ତେ ତେବେ ।

ଭୃତ୍ୟ ଜନତାକୁ ଛାଡ଼ି ଯାଆନ୍ତି । କେହି ପଣ୍ଡିତ ପାଖେ ନ ରହନ୍ତି ।

ନୁହଇ ସେ ନୀତି ।

ନୀତି ଗଲେ ରାଜାକୁଳ ନୁହନ୍ତି ।୧୦୦।

 

ରାଜା ଯାହାକୁ ଆଦର କରଇ । ସମସ୍ତ ଲୋକରେ ସେ ପୂଜ୍ୟ ହୋଇ ।

ଜୃପ ଅବଜ୍ଞା କରଇ ଯାହାକୁ । ସମସ୍ତେ ଅବଜ୍ଞା କରନ୍ତି ତାକୁ ।

ନୀତିରେ କହୁଛି ।

ରାଜା ଭଲ କଲେ ଭଲ ହେଉଛି ।୧୦୧।

 

ବାଳକ ଯେବେ ଉଚିତ କହିବ । ପଣ୍ଡିତ ହେଲେ ସେ କଥା ଘେନିବ ।

ସୂର୍ଯ୍ୟର ପ୍ରକାଶ ଯହିଁରେ ନାହିଁ । ସେଠାରେ ଦୀପ ପ୍ରକାଶ କରଇ ।

ସେ ପଣ୍ଡିତ ଜନ ।

ଗୁଣକୁ ଘେନଇ ନ ଘେନେ ଆନ ।୧୦୨।

 

ରାଜା ବୋଇଲେ ଦମନକ ଶୁଣ । କିପାଁ ଏରୂପେ କହିଲ ବଚନ ।

ତୁ ଆମ୍ଭର ପ୍ରଧାନ ମନ୍ତ୍ରୀ ସୁତ । ଖଳ ବଚନ ଶୁଣିଣ କୁପିତ ।

ତୁମ୍ଭେତ ନ ଆସ ।

ମନ ଦୁଃଖ କରି ଆମ୍ଭର ପାଶ ।୧୦୩।

 

କି କାର୍ଯ୍ୟ ନିମନ୍ତେ ଅଇଲ ତୁମ୍ଭେ । ଦମନକ କହ ଶୁଣିମା ଆମ୍ଭେ ।

ଦମନକ କହେ କିଛି ପୁଛିବି । ରାଜା ବୋଲେ କହ ମୁ ତା କହିବି ।

ଦମନକ ବୋଲେ ।

ଯାହା କହିବି ମୁଁ ଶୁଣନ୍ତୁ ଭଲେ ।୧୦୪।

 

ତୁମ୍ଭେ ବଡ଼ ତୁଷାର୍ତ୍ତ ହୋଇଥିଲ । ଜଳ ନ ପିଇ ଲେଉଟି ଅଇଲ

ରାଜା କହିଲେ ଭଲ ପଚାରୁଛ । ବିଶ୍ୱାସରେ କିବା କହିବା ମିଛ ।

ଦମନକ ଶୁଣ । ତୋଠାରୁ କେ ଅଛି ବିଶ୍ୱାସୀ ଜନ ।୧୦୫।

 

ଏ ବନେ ଅପୂର୍ବ ଜନ୍ତୁ ରହିଲା । ଏହିହେତୁ ଏ ବନ ତ୍ୟାଗ ହେଲା ।

ତୁମ୍ଭେ ତ ଶୁଣିଥିବ ସେ ଶବଦ । ତାହା ଶୁଣି ମୁହିଁ ହେଲି ତବଦ ।

ଶବ୍ଦ ଅନୁସରି ।

ଏ ବଡ଼ ଜନ୍ତୁ ମୁ ମନେ ବିଚାରି ।୧୦୬।

 

ଏରୂପେ ମହାଭୟ ଆସି ହେଲା । ଶୁଣି ପୁଣି ଦମନକ କହିଲା ।

ଦେବ ଅଛି ମହାଭୟ କାରଣ । ଆମ୍ଭେ ଶବ୍ଦକୁ ଶୁଣିଛୁଁ ଶ୍ରବଣ ।

ସେ କୁମନ୍ତ୍ରୀ ହୋଏ ।

ପ୍ରଥମ ଯେ ଯୁଝି ପଳାଅ କହେ ।୧୦୭।

 

ବନ୍ଧୁର ନାରୀର ଭୃତ୍ୟ ଜନର । ଆତ୍ମ ବୁଦ୍ଧିର ଆପଣା ବଳର ।

ସାରକୁ ଚିହ୍ନି ବିପତ୍ତି କାଳରେ । ଯେହ୍ନେ ସୁବର୍ଣ୍ଣ ନିକଷ ପଥରେ ।

ଶୁଣି ରାଜା କହି ।

ଏଠାରେ କି କରିବା କହ ଭାଇ ।୧୦୮।

 

ମୋର ବଡ଼ ଶଙ୍କା ହୋଇଛି ମନ । ଶୁଣି ଦମନକ କହେ ବଚନ ।

ମନେ ବିଚାରି କହେ ମୁହିଁ ଯେବେ । ଜୀଇଅଛି ତୋର କି ଦୁଃଖ ତେବେ ।

କରଟକ ଆଣ ।

ଆଶି କର ତୁମ୍ଭେ ତାକୁ ପୂଜନ ।୧୦୯।

 

ଏ ଯେ ତୁମ୍ଭର ବିପତ୍ତି ସମୟ । ଏଥିରେ ଏମାନେ ହେବେ ସହାୟ ।

ଯେବେ ଏମାନଙ୍କୁ ଆଣିବ ନାହିଁ । ତେବେ ତୁମ୍ଭେ କାର୍ଯ୍ୟ ପାଇବ କାହିଁ ।

ରାଜା ଦମନକୁ ।

ପୁଣି ବୋଲେ ଯାଇ ଆଣ ତାହାକୁ ।୧୧୦।

 

ଶୁଣି ଦମନକ ବାହାର ହେଲା । ଭୟ ପ୍ରତିକାର ପ୍ରତିଜ୍ଞା କଲା ।

କରଟକକୁ ସେ ଯାଇ କହିଲା । ରାଜା ଆଜ୍ଞା କଲେ ଆସ ବୋଇଲା ।

କରଟକ ଶୁଣି ।

କହିଲା ଅନ୍ୟାୟ କଲତ ପୁଣି ।୧୧୧।

 

ସଖେ ଏ ଭୟ ନିବାରଣ ହେତୁ । ନ ଜାଣି ବାନ୍ଧିଲ କିପାଇଁ କେତୁ ।

ରାଜା ପ୍ରସାଦକୁ ଘେନି ଅଇଲ । ନ କରି ଉପକାର ନୋହେ ଭଲ ।

କହିଲି ମୁ ଜାଣ ।

ଉପକାର କଲେ ଘେନନ୍ତ ପୁଣ ।୧୧୨।

 

ପୁଣି ବିଶେଷେ ରାଜ ଅନୁଗ୍ରହ । ଯହିଁରେ ଲକ୍ଷ୍ମୀ କରିଅଛି ଗୃହ ।

ଯାହାର ପରାକ୍ରମରେ ବିଜୟ । ଯାହାର କ୍ରୋଧରେ ମରଣ ଭୟ ।

ରାଜ ବିଷ୍ଣୁ ଅଂଶ ।

ସେହି ହେତୁରୁ ସେ ନୁହେ ମନୁଷ୍ୟ ।୧୧୩।

 

ନର ଯେ ନୃପତି ଏ ଦୁଇ ଜନ । କେବଳ ମରଣେ ସମାନ ଜାଣ ।

ଆଜ୍ଞା ଦାନ କ୍ଷମା ଧୈର୍ଯ୍ୟ ବିକ୍ରମ । ଏମାନେ ରାଜାର କି ହେବ ସମ ।

କହ ଏ ହେତୁରୁ ।

ରାଜା କ୍ରୋଧ ଯେ ସବୁଠାରୁ ଗରୁ ।୧୧୪।

 

ଦମନକ କହେ ଶୁଣି ହସିଣ । ସଖେ ତୁନି ହୁଅ ତୁମ୍ଭେ ନ ଜାଣ ।

ପୂର୍ବରୁ ଜାଣିଛି ବୃଷ ଗର୍ଜନ । ଆମ୍ଭମାନଙ୍କର ସେହି ଭକ୍ଷଣ ।

ପୁଣି କି କହିବା ।

ସିଂହର ବଳକୁ ସେ କି ପାରିବା ।୧୧୫।

 

କରଟକ କହେ ହେ ଦମନକ । ପୂର୍ବରୁ ତୁମ୍ଭେ ଜାଣିଥିଲ ଏକ ।

ରାଜା ଆଶେ ତା କହିଥାନ୍ତି ତେବେ । ରାଜା ପ୍ରସାଦକୁ ଘେନିଲ ଯେବେ ।

ଦମନକ କହି ।

ଏହା କହିଲେ କି ପ୍ରସାଦ ପାଇ ।୧୧୬।

 

ସେବକ ସେରୂପେ କାର୍ଯ୍ୟ କରିବ । ଯେରୂପେ ପ୍ରଭୁ ଅପେକ୍ଷା ନ ଯିବ ।

ଯେବେ ନିରପେକ୍ଷ ପ୍ରଭୁଙ୍କୁ କରି । ଭୃତ୍ୟ ଦଧିକର୍ଣ୍ଣ ପରାଏ ମରି ।

କରଟକ କହି ।

କହ ଏ କଥାକୁ କିରୂପେ ହୋଇ ।୧୧୭।

 

ଦମନକ କହେ ଶୁଣ ହେ ମିତ । ଅର୍ବୁଦଶିଖର ନାମେ ପର୍ବତ ।

ତହିଁ ମହାବିକ୍ରମ ସିଂହ ନାମ । କନ୍ଦରାରେ କରିଥାଇ ବିଶ୍ରାମ ।

ସେହି ଶୋଇଥିଲା ।

ମୂଷିକ ତାହାର କେଶ କାଟିଲା ।୧୧୮।

 

ସେ ସିଂହ କେଶାଗ୍ର ଛେଦ ଦେଖିଲା । ଅତି କ୍ରୋଧଭର ହୋଇ ଚାହିଁଲା ।

ମୂଷା ଗର୍ତ୍ତରୁ ବାହାର ହେବାର । ନ ଦେଖି ମନେ ଚିନ୍ତା ହେଲା ତାର

ଏହା ଶୁଣି ଥାଇ ।

କ୍ଷୁଦ୍ର ଶତ୍ରୁ ହେଲେ ମାରା ନ ଯାଇ ।୧୧୯।

 

କ୍ଷୁଦର ଶତ୍ରୁ ଯେ କାହାର ହୋଇ । ପରାକ୍ରମରେ ତାକୁ ଜିଣି ନୋହି

ତାକୁ ମାରିବାକୁ ବିଚାର କଲେ । ତା ଅନୁରୂପେ ସୈନ୍ୟ କର ଭଲେ

ଏମନ୍ତ ବିଚାରି ।

ବନ ଛାଡ଼ି ଗ୍ରାମକୁ ଗଲା ହରି ।୧୨୦।

 

ଯାଇ ଦଧିକର୍ଣ୍ଣ ନାମେ ବିଡ଼ାଳ । ଆଦରରେ ତାକୁ ଆଣିଲା ଘର ।

ମାଂସାଦି ଦେଇ ପୋଷିଣ ରଖିଲା । ସେ ଦିନୁ ମୂଷା ବାହାର ନୋହିଲା ।

ସୁଖେ ସିଂହ ଶୋଇ ।

ନିତ୍ୟରେ ଅକ୍ଷତ କେଶ ବଢ଼ଇ ।୧୨୧।

 

ଯେଉଁଦିନ ମୂଷା ଶବ୍ଦ ଶୁଣଇ । ସିଂହ ବିଡ଼ାଳ ଆଦର କରଇ ।

ଏକ ଦିନେ ମୂଷା କ୍ଷୁଧା ପୀଡ଼ିତ । ହୋଇ ବାହାର ଛାଡ଼ିଲା ତା ଗାତ ।

ବିଡ଼ାଳ ଦେଖିଲା ।

ମୂଷାକୁ ଧରି କ୍ଷୁଧା ନିବାରିଲା ।୧୨୨।

 

ଯହୁଁ ସେହି କାର୍ଯ୍ୟ ସିଦ୍ଧ ହୋଇଲା । ବିଡ଼ାଳ ଆଦର ସିଂହ ଛାଡ଼ିଲା ।

ଦଧିକର୍ଣ୍ଣ ଯେ ଆହାର ନ ପାଇ । ଶୁଖି ଶୁଖି ମଲା କନ୍ଦରାଠାଇଁ ।

ଏଣୁ ନ କହିଲି ।

ପ୍ରଭୁ ଅପେକ୍ଷା ମୋଠାରେ ରଖିଲି ।୧୨୩।

 

ଦମନକ କରଟକକ ଦୁଇ । ସଂଜୀବକର ସମୀପକୁ ଯାଇ ।

କରଟକ ତରୁତଳେ ବସିଲା । ଦମନକ ବଦଳକୁ କହିଲା ।

ଆରେ ଆରେ ବୃଷ ।

କହୁଅଛି ମୁହିଁ ଶୁଣ ସନ୍ଦେଶ ।୧୨୪।

 

ଅଛି ଏ ବନେ ସିଂହ ପିଙ୍ଗଳକ । ତାହାର ଯେହୁ ଅରଣ୍ୟ ରକ୍ଷକ ।

ରାଜ ସେନାପତି କରଟକକ । ତତେ ଆଜ୍ଞା କରିଛନ୍ତି ଅନେକ ।

ଆସ ତୁ ସତ୍ୱର ।

ନ ଅଇଲେ ପଳାଇ ଯା ତୁ ଦୂର ।୧୨୫।

 

ନ ଆସିବୁ ଯେବେ ବିରୋଧ ହେବ । ଶୁଣି ରାଜା ତୋରେ ଦଣ୍ଡ ବିହିବ

ଏହା ଶୁଣି ସଂଜୀବକ ସତ୍ୱର । ଗଲା ଯାଇ ସେ କଲା ନମସ୍କାର ।

କରଟକ ପାଦେ ।

ଦେଶ ବ୍ୟବହାର ନ ଜାଣେ ହାଦେ ।୧୨୬।

 

ସଂଜୀବକ ହସ୍ତୀ ଉପରେ ଥୋଇ । ନାଗରା ପିଟେ ତୁହାଇ ତୁହାଇ

ସେ ବୋଲୁ ଅଛି କି ବଳରୁ ବୁଦ୍ଧି । ସର୍ବଜନେ ଜାଣ ଅତି ପ୍ରସିଦ୍ଧି ।

ବୁଦ୍ଧି ନ ଥିଲାକୁ ।

ଏହା ପରେ ପିଟୁଛି ନାଗରାକୁ ।୧୨୭।

 

ସଂଜୀବକ କହେ ହେ ସେନାପତି । ମୁହିଁ କି କରିବି କହ ତଡ଼ତି ।

କରଟକ କହେ ବଳଦ ଶୁଣୁ । ଯେବେ ଏଠାରେ ରହିବାକୁ ମନ ।

ଅଛି ତେବେ ଆସ ।

ସିଂହ ପାଦେ ତୁହି ଶରଣ ପଶ ।୧୨୮।

 

ସଂଜୀବକ କହେ ଅଭୟ ଦେବ । ତେବେ ମନ ମୋର ନିର୍ଭୟ ହେବ ।

ଚାଲ ବୋଲନ୍ତେ କରଟକ କହି । କିଛି ଶଙ୍କାକୁ ମନରେ ନ ବହି ।

ସେହି କି କରିବ ।

ଧଣ୍ଡ ସର୍ପକୁ ଗରୁଡ଼ ଛୁଇଁବ ।୧୨୯।

 

କୋମଳ ଯେ ଉଚ୍ଚ ହୋଏ ପ୍ରଣତ । ସେ ତୃଣ କିପାଁ ଉପାଡ଼ିବ ବାତ

ଯେତେ ଉଚ୍ଚ ବୃକ୍ଷ ପ୍ରଣତ ନୋହି । ସେହି ତାକୁ ବାୟ ଭାଙ୍ଗି ପକାଇ

ସାନଠାରେ ଛାଡ଼ି ।

ବଡ଼ଠାରେ ବଡ଼ କରଇ ରଡ଼ି ।୧୩୦।

 

ଏଥୁଅନ୍ତେ ସଂଜୀବକକୁ ଘେନି । କିଛି ଦୂରେ ରଖି ଗଲେ ସେ ବେନି

ଚଞ୍ଚଳ ରାଜା ନିକଟେ ହୋଇଲେ । ଦେଖିଣ ରାଜା ଆଦରେ କହିଲେ

ଦେଖିଲ ସେ କିଏ ।

ଦମନକ କହେ କେହି ଗୋଟିଏ ।୧୩୧।

 

ଦେବତାଙ୍କୁ ଯେଉଁରୂପେ ତର୍କିଲ । ସେହିରୂପେ ସେ ଅଟେ ମହାବଳ

ବର୍ତ୍ତମାନ ସେ ତୁମ୍ଭର ଦର୍ଶନ । କରିବ ତୁମ୍ଭେ ହୋ ଅଧୀର ମନ ।

ତା ଶବଦ ଶୁଣି ।

କିପାଁ ଭୟ କଲ ହେ ନୃପମଣି ।୧୩୨।

 

ଶବ୍ଦ କାରଣ ନ ଜାଣିବ ଯେବେ । ଶବ୍ଦରୁ ଭୟ ନ କରିବ ତେବେ ।

ଶବ୍ଦର ହେତୁ ପାଇଲି ଜାଣିଲା । ରାଜା ତାକୁ ବହୁ ଆଦର କଲା ।

ଶୁଣି ରାଜା କହି ।

ଦମନକ କହ ଏକଥା ବିହି ।୧୩୩।

 

ଦମନକ କହେ ରାଜନ ଶୁଣ । ଶ୍ରୀପର୍ବତେ ବ୍ରହ୍ମପୁର ପତ୍ତନ ।

ତାହା ଶୃଙ୍ଗେ ରାକ୍ଷସ ଘଣ୍ଟାକର୍ଣ୍ଣ । ବସିଛି ବୋଲି ଲୋକରେ ଶ୍ରବଣ ।

ଘଣ୍ଟା ଏକ କାଳେ ।

ଘେନି ଚୋର ପଳାଇଲା ସତ୍ୱରେ ।୧୩୪।

 

ସେଠାରେ ତାହାକୁ ବାଘ ମାଇଲେ । ବାନର ଘଣ୍ଟା ପାଇ ବଜାଇଲେ

ସକଳ ପ୍ରାଣୀ ଚକିତ ହୋଇଲେ । କି ଘଣ୍ଟ ଏ ଶୁଭୁଅଛି ବୋଇଲେ

ନିଶ୍ଚୟ ରାକ୍ଷସ ।

ଘଣ୍ଟା ବଜାଉଛି ଖାଇ ନୃମାଂସ ।୧୩୫।

 

ସବୁ ଖାଇବ ଏହି ଘଣ୍ଟା କର୍ଣ୍ଣ । ଭୟେ ପଳାଇଲେ ସମସ୍ତ ଜନ ।

ଏକ ପୋଇଲୀ ସେ ହେତୁ ଜାଣିଲା । ରାଜା ଆଗରେ ଯାଇ ଜଣାଇଲା ।

ଯେବେ ଦେବ ଧନ ।

ଘଣ୍ଟାକର୍ଣ୍ଣକୁ କରିବି ନିଧନ ।୧୩୬।

 

ଶୁଣି ରାଜା ଦେଲା ବହୁତ ଧନ । ଘେନିଣ ପୋଇଲି କଲା ଗମନ ।

ମଣ୍ଡଳ ମାତୃପୂଜା କପଟରେ । ଦେଖାଇ ମଧୁର ଫଳକୁ କରେ ।

ଘେନିକରି ଗଲା ।

ବାନରମାନଙ୍କ ଆଗେ ଥୋଇଲା ।୧୩୭।

 

ବାନରେ ଘଣ୍ଟାକୁ ଛାଡ଼ିଣ ଫଳ । ଘେନି ସେହିକ୍ଷଣି କଲେ କବଳ ।

ପୋଇଲୀ ଘଣ୍ଟା ଘେନିଣ ଅଇଲା । ନଗରେ ସେହି ସର୍ବପୂଜ୍ୟ ହେଲା

ମୁହିଁ କହୁଅଛି ।

ଶବ୍ଦମାତ୍ରରୁ ଭୟ ନୋହେ କିଛି ।୧୩୮।

 

ଏଥୁଅନ୍ତେ ସଂଜୀବକକୁ ଆଣି । ଦେଖାଇଲେ ରାଜା ଆଗରେ ପୁଣି ।

ସେ ଦିନରୁ ସଂଜୀବକ ପିଙ୍ଗଳ । ସୁଖେ ଦିନ ନେଲେ ସେ କିଛିକାଳ

ଏଥୁଅନ୍ତେ ଶୁଣ ।

ଅଇଲା ରାଜା ଭାଇ ସ୍ତବ୍ଧ କର୍ଣ୍ଣ ।୧୩୯।

 

ରାଜା ତାକୁ ଦେଖି ଦେଇ ଆସନ । ପଶୁ ମାରିବାକୁ ଗଲା ବହନ ।

ଯିବା ଦେଖି ସଂଜୀବକ ପଚାରେ । ଆଜ ମୃଗ ମାଂସ ନାହିଁକି ଘରେ ।

ସେ ରାଜା କହନ୍ତି ।

ଦମନକ କରଟକ ଜାଣନ୍ତି ।୧୪୦।

 

ସଂଜୀବକ କହେ ଅଛି କି ନାହିଁ । ବୁଝ ରାଜା ବୋଲେ ସେଥିବ କାହିଁ

ସଂଜୀବକ ଶୁଣି ପୁଣି ସେ କହେ । ଏତେ ମାଂସ ସେ କି ଖାଇଲେ ଦୁହେଁ

ରାଜା କହେ ପୁଣି ।

ଖାଇଲେ ବ୍ୱାହିଲେ ମତେ ନ ମାନି ।୧୪୧।

 

ପ୍ରତିଦିନ ଦୁହିଙ୍କର ଏକ୍ରମ । ସଂଜୀବକ କହେ ଏତ ବିଷମ ।

କିଏ ତୁମ୍ଭଙ୍କୁ ଆଗୋଚର କରି । ଏହାକୁ ତାହାକୁ ଦିଅନ୍ତି ଭରି ।

ରାଜା ସେ କହୁଛି ।

ଏହି କଥା ପ୍ରତିଦିନ ହେଉଛି ।୧୪୨।

 

ସଂଜୀବକ ପୁଣି କହେ ବଚନ । ଏକଥା ଉଚିତ ନୁହଇ ଜାଣ ।

ଯେଉଁ ହେତୁରୁ ନୃପଙ୍କୁ ପଚାରି । ଏକଥା ନ୍ୟାୟ ସବୁ କାର୍ଯ୍ୟ କରି ।

କେବଳ ବିପତ୍ତି ।

ପ୍ରତିକାର କରିବ ଏ ସେ ନୀତି ।୧୪୩।

 

କମଣ୍ଡଳୁ ମନ୍ତ୍ରୀ ଏ ଦୁହେଁ ସରି । ଅଳ୍ପ ଦିଅଇ ସେ ବହୁତ ଭରି ।

କ୍ଷଣକୁ ନ ଚାହିଁଲେ ମୁର୍ଖ ହୋଇ । କଡ଼ାକୁ ନ ଚାହିଁଲେ ମାଗି ଖାଇ ।

ହେ ନୃପତି ପତି ।

ଏହା କହିଅଛି କେବଳ ନୀତି ।୧୪୪।

 

ଯେଉଁ ମନ୍ତ୍ରୀ ପାଞ୍ଚ ଗଣ୍ଡାକୁ ଚାହିଁ । କାର୍ଯ୍ୟ କରଇ ସେ ଶ୍ରେଷ୍ଠ ବୋଲାଇ

ଧନ ଭଣ୍ଡାର ଯେ ରାଜାର ପ୍ରାଣ । ତା ବିନା ପ୍ରାଣ ଯେ ହୁଅଇ ତୃଣ ।

ଏହି କଥା ପୁଣି ।

ରାଜାର ପ୍ରଧାନ ଦୋଷରେ ଗଣି ।୧୪୫।

 

ଅତିବ୍ୟୟ ଅନବଧାନ ମନ । ଅଧର୍ମରେ ଯେ ଧନ ଅରଜନ ।

ଅପହରଣ ଦୂରେ ଧନ ସ୍ଥିତି । ଏହାକୁ କୋଷ ବ୍ୟସନ କହନ୍ତି ।

ଯେ ଏହା କରଇ ।

ସେ ରାଜାର ଧନ କ୍ଷୟ ହୁଅଇ ।୧୪୬।

 

ଯାହାର ଆୟାଧିକ ବ୍ୟୟ ନାହିଁ । ଜାଣ ହେ ଚତୁର ପଣ୍ଡିତ ସେହି ।

ଆୟକୁ ନ ଚାହିଁ ବ୍ୟୟକୁ କଲେ । କୁବେର ସମାନ ଧନୀ ହୋଇଲେ ।

ସେ ଦରିଦ୍ର ହୋଇ ।

ସ୍ତବ୍ଧକର୍ଣ୍ଣ କହେ ଶୁଣ ହେ ଭାଇ ।୧୪୭।

 

ବମନକ କରଟକ ଏ ଦୁଇ । ବହୁତ କାଳରୁ ଅଛନ୍ତି ରହି ।

ସନ୍ଧି ବିଗ୍ରହ କାର୍ଯ୍ୟେ ଅଧିକାର । କରନ୍ତୁ ଏତ ଉଚିତ ବେଭାର ।

କାର୍ଯ୍ୟ ଅଧିକାରୀ ।

ଧନ ଭଣ୍ଡାରେ କେବେ ନ ବିଚାରି ।୧୪୮।

 

ରାଜକାର୍ଯ୍ୟ ନିଯୋଗ ବିଷୟରେ । ଶୁଣିଛି ତାହା ମୁ କହିବି ତୋରେ ।

ଆପଣାବନ୍ଧୁ କ୍ଷତ୍ରିୟ ବ୍ରାହ୍ମଣ । ୟାଙ୍କୁ ନ ଦେଇ ଅଧିକାର ପଣ ।

ଯେବେ ବିପ୍ର ହୋଇ ।

କେବେହେଁ ସିଦ୍ଧ ଧନ ନ ଦିଅଇ ।୧୪୯।

 

ଯେବେ କରେ ଅଧିକାର କ୍ଷତ୍ରିୟ । ଖଣ୍ଡା ଦେଖାଇ ସେ କରାଏ ଭୟ

ଅଧିକାର ଯେବେ ବାନ୍ଧବ କରେ । ସର୍ବ ଧନ ଖାଇ ଜ୍ଞାତ ଭାବରେ ।

ସେ ଚିର ସେବକ ।

ଅପରାଧ କଲେ ହୋଏ ନିଃଶଙ୍କ ।୧୫୦।

 

ଉପକାରୀକି ଅଧିକାର ଯେବେ । ଦେଇ ସେ ତାକୁ ତୁଚ୍ଛମଣେ ତେବେ ।

ଯେଣୁ ସେ ପୂର୍ଣ୍ଣ ଉପକାର ଥାଇ । ତାକୁ ଦେଖାଇ ସେ ସର୍ବସ୍ୱ ଖାଇ ।

ବାଳକାଳୁ ସଙ୍ଗ ।

ଯେ ହେବ ତାକୁ ନ ଦେବ ନିଯୋଗ ।୧୫୧।

 

ସର୍ବଦା ସଙ୍ଗରେ ଯେ ବସିଥାଇ । ନିଜେ ରାଜାଭାବ ଦେଖାଇ ହୋଇ ।

ରାଜା ଆଜ୍ଞାକୁ ଅବଜ୍ଞା କରଇ । ସେ କିସ ରାଜା ବୋଲିଣ ଗର୍ଜ୍ଜଇ ।

ଅନ୍ତର୍ଗତେ ଦୁଃଖ ।

ଯାହାର ଥାଇ ସେ ନୋହେ ସୁମୁଖ ।୧୫୨।

 

ତାହାକୁ ନିଯୋଗ କେବେ ନ କର । ଦୃଷ୍ଟାନ୍ତ ଏ ଶକୁନି ଶକଟାର ।

ସଂପୂର୍ଣ୍ଣ ଅଧିକାରକୁ ନ ଦେଇ । ଉତ୍ତର କାଳେ ସେ ଅସାଧ୍ୟ ହୋଇ

ଏ ସିଦ୍ଧ ଆଦେଶ ।

ସମ୍ପତ୍ତି କରେ ବିକାର ପ୍ରକାଶ ।୧୫୩।

 

ମିଳିଲେ ଧନକୁ ନ ଘେନିବାର । ଦ୍ରବ୍ୟ ପାଲଟ କାହାକୁ ଦେବାର ।

ନୋହୁ ଏ ବୋଲି ପୁଣି କହିବାର । ବୁଦ୍ଧିହୀନତା ଭୋଗ ଆପଣାର ।

ଅମାତ୍ୟର ଦୋଷ ।

ଏମାନେ ହୋଇଛନ୍ତି ଉପଦେଶ ।୧୫୪।

 

ନିଯୋଗୀ ଲୋକକୁ ପୀଡ଼ା ନ ଦେଲେ । ଅନ୍ତଃସାରକୁ ନ ଛାଡ଼ନ୍ତି ଭଲେ ।

ଦୁଷ୍ଟ ବ୍ରଣକୁ ସେ ଯେତେ ଚିପଇ । ତେତିକି ପୁଜ ବାହାର ହୁଅଇ ।

ସେହିରୂପେ ଜାଣ ।

ଚିପୁଥିଲେ ବାହାରୁ ଥାଇ ଧନ ।୧୫୫।

 

ଯେତେବେଳେ ପୀଡା ନିଯୋଗୀ ପାଇ । ତେତିକି ତେତିକି ଧନ ଦିଅଇ ।

ଥରେ ଚିପିଲେ କି ସ୍ନାନ ବସନ । ଦେଖ ବାହାରଇ ବହୁ ଜୀବନ ।

ଏହା ସବୁ ଜାଣି ।

ବ୍ୟବହାର କର ସମୟ ଗଣି ।୧୫୬।

 

ରାଜା କହୁଅଛି ଶୁଣ ହେ ଭାଇ । ଏକଥା ଏରୂପରେ ଅଛି ହୋଇ ।

ଏଦୁହେଁ ମୋର ଆଜ୍ଞା ନ କରନ୍ତି । ସ୍ତବ୍ଧକର୍ଣ୍ଣ ସିଂହେ ପୁଣି କହନ୍ତି ।

ମୋହର ସର୍ବଥା ।

ଅନୁଚିତ ଶୁଣି ହୋଇଲା ବ୍ୟଥା ।୧୫୭।

 

ଯେ ରାଜାର ଆଜ୍ଞା ଭଙ୍ଗ କରିବ । ପୁତ୍ର ହେଲେହେଁ ତାକୁ ନ ରଖିବ

ଏମନ୍ତ ନୋହିଲେ କେଉଁ ବିଶ୍ୱାସ । ଚିତ୍ରଗତ ସତ ରାଜ ସଦୃଶ ।

ଏହା ଭଲ ନୋହେ ।

ଆଜ୍ଞା ଭଙ୍ଗ କଲେ ମୁଣ୍ଡ ନ ରହେ ।୧୫୮।

 

ନରେନ୍ଦ୍ରର ଆଜ୍ଞା ଭଙ୍ଗ ଭୂଦେବ । ମାନଙ୍କର ଯେ ଅନାଦର ହେବ ।

ନାରିମାନଙ୍କର ଭିନ୍ନ ଶୟନ । ଶସ୍ତ୍ରରେ ନୋହି ସେ ବଧ ସମାନ ।

ବିଶେଷରେ ଶୁଣ ।

ପିତା ପ୍ରାୟ କର ପ୍ରଜା ରକ୍ଷଣ ।୧୫୯।

 

ଆମ୍ଭେ ଯା କହିଲୁଁ ସେ କାର୍ଯ୍ୟକର । ଆଜତ ଆମ୍ଭେ କରିଛୁଁ ଆହାର

ଏ ଶସ୍ୟ ଭକ୍ଷୁ ସଂଜୀବକ ବୃକ୍ଷ । ଧନ ଅଧିକାରେ ଏହାକୁ ପେଷ ।

ଏମନ୍ତ ଶୁଣିଣ ।

ସେହିରୂପେ କାର୍ଯ୍ୟ କଲା ରାଜନ ।୧୬୦।

 

ଏହିରୂପରେ ରାଜାର ବୃଷର । ପରସ୍ପର ପ୍ରୀତିରେ ଗଲା କାଳ ।

ଏଥୁଅନ୍ତେ ରାଜା ଦୁଇ ସେବକ । ଆହାର ନ ପାଇ କଲେ ସେ ଶୋକ

ହେ କରଟକକ ।

କିପାଇଁ କରୁଛ ବହୁତ ଶୋକ ।୧୬୧।

 

ଦମନକ କରଟକ ବିଚାରେ । ମାୟାରୂପରେ ଯେ ମାୟା ନ କରେ ।

ସେ ମୂଢ଼ ବଡ଼ ପରାଭବ ପାନ୍ତି । ଖଳ କପଟୀ ତାହାକୁ ମାରନ୍ତି ।

ଯେସନେ ନିଶିତ ।

ଶରମାରେ ଯେ କବଚ ରହିତ ।୧୬୨।

 

ଦମନକ କହେ ଶୁଣ ହେ ମିତ । ଏଠାରେ କି କରି ବିଚାର ଚିତ୍ତ ।

ଆମ୍ଭ କର୍ମକୁତ ଏ ଦୁଃଖ ହେଲା । ଆପଣା ଦୋଷରେ ଆପଣେ ମଲା ।

ଶୋକ ଏହିଠାର ।

କେବେହେଁ କରିବା ନୋହେ ବିଚାର ।୧୬୩।

 

ମୁହିଁ ସ୍ୱର୍ଣ୍ଣ ରେଖାକୁ ଛୁଇଁ କରି । ଦୂତିକା ଆପଣାକୁ ବାନ୍ଧି କରି ।

ସାଧୁତ ମଣି ବେଶ୍ୟା ଆଣି କରି । ଦୁଃଖ ପାଇବାରେ ତିନିହେଁ ସରି ।

କରଟକ କହି ।

ଏକଥା କିରୂପେ କହ ହେ ସହି ।୧୬୪।

 

ଦମନକ କହେ ହେ ମିତ ଶୁଣ । କାଞ୍ଚନପୁରେ ବିକ୍ରମ ରାଜନ ।

ତାହାର ଧର୍ମ ଅଧିକାର ଥିଲା । କେହି ଭଣ୍ଡାରି ବଡ଼ ଦୋଷ କଲା ।

ତା ବୁଝି ବୋଇଲା ।

ଶୁଳୀ ଦିଅ ଭଣ୍ଡାରିକି କହିଲା ।୧୬୫।

 

ତାହା ନିର୍ଦ୍ଦେଶରେ ନିଯୋଗୀ ନରେ । ବାନ୍ଧି ଘେନି ଯାଉଥିଲେ ନଗରେ

କନ୍ଦର୍ପ କେତୁ ନାମରେ ସନ୍ୟାସୀ । ସାଧୁକୁ ଘେନି ସେ ମିଳିଲେ ଆସି

ବଧ୍ୟ ଏ ନୁହଇ ।

ଏମନ୍ତ ବୋଲି ନିଷେଧ କରଇ ।୧୬୬।

 

ଶୁଣି ରାଜଲୋକମାନେ କହିଲେ । କାହିଁକି ବଧ୍ୟ ନୁହେ ଏ ବୋଇଲେ ।

ମୋହରି ଦୋଷରେ ମୁ ହେଲାପରି । ଆପଣା ଦୋଷରେ ଆପଣା ମରି

ସେମାନେ ପଚାରି ।

କିରୂପେ ଏକଥା କହ ବିଚାରି ।୧୬୭।

 

ପରିବ୍ରଜକ କହେ ଶୁଣ ତୁମ୍ଭେ । ସିଂହଳ ଦ୍ୱୀପ ଭୂପ ପୁତ୍ର ଆମ୍ଭେ ।

କନ୍ଦର୍ପ କେତୁ ଯେ ନାମ ଆମ୍ଭର । ଏକକାଳେ ପୋତ ବଣିଜଙ୍କର ।

ମୁଖରୁ ଶୁଣିଛି ।

ସେ ବୃତ୍ତାନ୍ତ ତୁମ୍ଭ ଆଗେ କହୁଛି ।୧୬୮।

 

ଚତୁର୍ଦ୍ଦଶୀରେ କ୍ଷୀର ସମୁଦ୍ରରେ । ଦିଶଇ ଏକ ବୃକ୍ଷ ତାହା ତଳେ ।

ମଣି ପଲଙ୍କେ ସର୍ବାଙ୍ଗ ଭୂଷିତ । ବୀଣା ବଜାଇ ଲକ୍ଷ୍ମୀ ପ୍ରାୟେ ସ୍ଥିତ ।

ସେ କନ୍ୟା ଏରୂପେ ।

ଦେଖିଲୁଁ ତାକୁ ସାକ୍ଷାତ ସ୍ୱରୂପେ ।୧୬୯।

 

ଏମନ୍ତ ମୁହିଁ ତାଙ୍କଠାରୁ ଶୁଣି । ଚଢ଼ି ବୋଇତ ଗଲି ସେହିକ୍ଷଣି ।

ପୋତବାହକକୁ ସଙ୍ଗତେ ଘେନି । ଦେଖିଲୁଁ ସେ କନ୍ୟା ରତ୍ନକୁ ବେନି

ତା ଶୋଭା ଦେଖିଲେ ।

ସେ ବୁଡ଼ିଗଲା ତା ପଛେ ବୁଡ଼ିଲି ।୧୭୦।

 

ପ୍ରବେଶ ହୋଇଲି କନ୍ୟାର ପୁରେ । ଦେଖିଲି ତାକୁ କନକ ବେଶରେ

ବିଦ୍ୟାଧରିମାନେ ଅଛନ୍ତି ସଙ୍ଗେ । ସେ ମୋତେ ଚାହିଁଲା ଦୂରରୁ ରଙ୍ଗେ

କରିଣ ଆଦର ।

ଦୂତିକି ପେଷିଲା ମୋର ଛାମୁର ।୧୭୧।

 

ବହୁତ ପ୍ରକାରେ କହିଲା ଦୂତୀ । କନ୍ଦର୍ପକେଳି ନାମେ ନରପତି ।

ବିଧ୍ୟାଧର ସେ ତାହାର ଦୁହିତା । ରତ୍ନମଞ୍ଜରୀ ଏ ଅବିବାହିତା ।

ସେହିକ୍ଷଣେ ଦୁଇ ।

ଯତ୍ନେ ଗାନ୍ଧର୍ବରେ ବିବାହ ହୋଇ ।୧୭୨।

 

ତାହା ସଙ୍ଗେ କ୍ରୀଡ଼ା କରି ସେଠାରେ । ରହିଲି ଏରୂପେ କିଛି କାଳରେ

ଏକ ଦିନେ ମୋତେ କନ୍ୟା କହିଲା । ହେ କାନ୍ତ ସର୍ବସ୍ୱ ଭୁଞ୍ଜ ବୋଇଲା

ଏତେକ କରିବ ।

ଚିତ୍ର ସ୍ୱର୍ଣ୍ଣରେଖାକୁ ନ ଛୁଇଁବ ।୧୭୩।

 

ଏକଦିନେ ମୁହିଁ କଉତୁକରେ । ସ୍ୱର୍ଣ୍ଣରେଖାରୂପ ଛୁଇଁଲି କରେ ।

ସେ ବିଦ୍ୟାଧରି ଚରଣ ଘାତରେ । ଆସି ପଡ଼ିଲି ସୌରାଷ୍ଟ୍ର ଦେଶରେ

ମୁକରି ସନ୍ତାପ ।

ପରିବ୍ରାଜକ ହୋଇ କଲି ତପ ।୧୭୪।

 

ତହିଁ ଉତ୍ତାରୁ ପୃଥିବୀ ଭ୍ରମଣ । କରୁ କରୁ ହେଲି ଏହି ପତ୍ତନ ।

ଏକ ଦିନେ ଗୋପ ଗୃହେ ଶୋଇଲି । ସେହିଠାରେ ଏହି କର୍ମ ଦେଖିଲି

ସେହି ଗୃହପତି ।

ବଧୂକୁ ଦେଖିଲା ଦୂତୀ ସଙ୍ଗତି ।୧୭୫।

 

କ୍ରୋଧ ହୋଇ ତାକୁ ଦଣ୍ଡ ବିହିଣ । ଖମ୍ୱେ ହସ୍ତ ବାନ୍ଧି କଲା ଶୟନ ।

ଏଥୁଅନ୍ତେ ଭଣ୍ଡାରୁଣୀ ନିଶ୍ୱାସ । ପକାଇ କହିଲା ଗୋପୀକି ଆସ ।

ନ ଗଲେ ମରିବ ସେହି ପୁରୁଷ । ତୋର ହେବ ପୁରୁଷ ହତ୍ୟା ଦୋଷ ।

ଚାଲ ତାହାଠାକୁ ।

ସମ୍ଭାବନା କରି ଆସ ଏଥକୁ ।୧୭୬।

 

ଏଠାରେ ମୁହିଁ ତୋହରି ପରାଇ । ଆସିବା ଯାଏ ବନ୍ଧା ହେଲି ରହି ।

ଏମନ୍ତ ବୋଲି ସେ କଲେ ସେରୂପେ । ଉଠିଗଉଡ଼ ବୋଲୁଅଛି କୋପେ

ସମୀପେ ତାହାର ।

କହ ବିଟାଲୁଣି ତୋର କେ ଜାର ।୧୭୭।

 

କହ ବେଗେ ନ କହିବୁ ତୁ ଯେବେ । ରାଜା ଆଗରେ ମୁଁ କହିବି ତେବେ

ଏମନ୍ତ ବୋଲନ୍ତେ ସେ ତୁନି ହେଲା । କ୍ରୋଧେ ସେ ତାହାର ନାକ କାଟିଲା

ସେଠାରେ ଶୋଇଲା ।

ଏଥୁଅନ୍ତେ ପୁଣି ଗୋପୀ ଅଇଲା ।୧୭୮।

 

କହଇ ଗୋପୀବାର୍ତ୍ତା କି ତୋହର । ଦୂତୀ ବୋଲେ ମୋ ମୁଖ ବାର୍ତ୍ତାହର

ଏଥୁଅନ୍ତେ ଗୋପୀ ବନ୍ଧନେ ରହି । ଦୂତୀ ନାସା ଘେନି ଘରକୁ ଯାଇ

ପୁଣି ସକଳାରେ ।

ଭଣ୍ଡାରି କ୍ଷୁର ମୁଠି ମାଗେ ତାରେ ।୧୭୯।

 

ସେହି ତାକୁ କ୍ଷୁର ଗୋଟିଏ ଦେଲା । କିପାଇଁ ଗୋଟିଏ ଦେଲୁ ବୋଇଲା

ଏମନ୍ତ ବୋଲି ଭଣ୍ଡାରି ସେ କ୍ଷୁର । ପକାଇ ଦେଲା ସେ ଗୃହ ମଧ୍ୟର

ସେ ଡକା ପାଡ଼ିଲା ।

ବିନା ଅପରାଧେ ନାସା କାଟିଲା ।୧୮୦।

 

ଏମନ୍ତ ବୋଲି ଭଣ୍ଡାରୁଣୀ ଗଲା । ଧର୍ମ ଅଧିକାରୀ ଆଗେ କହିଲା ।

ଏଥୁଅନ୍ତେ ଗଉଡ଼ୁଣୀ ଡକାଇ । ଆରେ ଗଉଡ଼ ହୋଇଲୁ କି ବାଇ

ମୁହିଁ ମହା ସତୀ ।

ମୋତେ ମିଛରେ କରୁଛୁ ଅସତୀ ।୧୮୧।

 

ଅଦତ୍ୟ ଚନ୍ଦ୍ର ଅନିଳ ସମୀର । ଆକାଶ ଭୂମି ହୃଦୟ ଯେ ଜଳ ।

ମନ ଦିବସ ରାତ୍ରି ସନ୍ଧ୍ୟା ଧର୍ମ । ଏମାନେ ଜାଣନ୍ତି ମନୁଷ୍ୟ କର୍ମ ।

ସତ୍ୟ ହେବ ଯେବେ ।

ମୋ ନାସିକା ହେବ ଅକ୍ଷତ ତେବେ ।୧୮୨।

 

ଗୋପୀ ଏରୂପେ କହନ୍ତେ ଗୋପାଳ । ଅଇଲା ପ୍ରଦୀପ ଘେନି ସଅଳ ।

ମୁଖ ଅକ୍ଷତ ତାହାର ଦେଖିଲା । ସେହିକ୍ଷଣି ତାର ପାଦେ ପଡ଼ିଲା ।

ପୁଣି ଶୁଣ ଭାଇ ।

ସାଧୁ ଚରିତ କହୁଅଛି ମୁହିଁ ।୧୮୩।

 

ଏହାର ମଳୟ ସମୀପେ ଘର । ବହୁ ରତ୍ନ ଘେନି ଘରୁ ବାହାର ।

ବାର ବର୍ଷ ହେଲା ଆସିଛି ଏହି । ବେଶ୍ୟାଙ୍କ ପିଣ୍ଡାରେ ଶୋଇଲା ଯାଇଁ ।

ସେଠାରେ କୁଟ୍ଟିନୀ ।

ରଖିଚି କାଠ ବେତାଳ ନିର୍ମାଣି ।୧୮୪।

 

ତାହାର ମୁଣ୍ଡରେ ଏକ ରତନ । ଦେଇ କରିଛି ସେଠାରେ ଆସନ ।

ଏ ସାଧୁରତ୍ନ ଲୋଭେ ଆସି କରି । ବେତାଳ ମୁଣ୍ଡରୁ ରତନ ହରି ।

ସେହି କାଳେ ସୂତ୍ର ।

ସଂଚାରେ ବେତାଳ ଧଇଲା ହସ୍ତ ।୧୮୫।

 

ବାହୁ ଦୁଇରେ ଭିଡ଼ିଣ ଧଇଲା । ଏ ସାଧୁ ବହୁ ଆର୍ତ୍ତଧ୍ୱନି କଲା ।

ତଦନ୍ତେ କୁଟ୍ଟିନୀ ହସି ବୋଲଇ । ମଳୟ ପାଖରୁ ଆସିଛ ଭାଇ ।

ଦିଅ ସବୁ ଧନ ।

ନ ଦେଲେ ନ ଛାଡ଼ିବ ଏ ଦୁର୍ଜ୍ଜନ ।୧୮୬।

 

ତହିଁ ଉତ୍ତାରୁ ଏ ବହୁତ ଧନ । ତାକୁ ଦେଇ ମାଗୁଅଛି ଭୋଜନ ।

ଏହା ଶୁଣି ରାଜ ପୁରୁଷମାନେ । ତାହାକୁ ଦଣ୍ଡ ଦେଲେ ସାବଧାନେ ।

ତେଣୁକରି କହି ।

ସ୍ୱ ଦୋଷେ ଏମାନଙ୍କର ଏ ହୋଇ ।୧୮୭।

 

କରଟକ ଦମନକକୁ କହି । ବର୍ତ୍ତମାନରେ କି କରିବା ଭାଇ ।

ଶୁଣି ଦମନକ କ୍ଷଣେ ବିଚାରି । କହଇ ସବୁ କଥାକୁ ବିସ୍ତାରି ।

ସ୍ନେହ ଯେଉଁ ରୂପେ ।

କଲେଇଁ କରିବା ଭେଦ ସେରୂପେ ।୧୮୮।

 

ଯେଉଁମାନେ ଚିତ୍ର କର୍ମ ଜାଣନ୍ତି । ସମରେ ଖାଲ ଢିପକୁ ଦେଖାନ୍ତି ।

ଯେରୂପେ ସେରୂପେ ଚତୁର ଜନ । ଅସତ୍ୟକୁ ସତ୍ୟ କରେ ବଚନ ।

ଏ ରୂପେ ହୁଅଇ ।

ବୁଦ୍ଧି ବଳ ଥିଲେ ସବୁ ସାଧଇ ।୧୮୯।

 

ଯେତେବେଳରେ ସେ କାର୍ଯ୍ୟ ପଡ଼ଇ । ସେକାଳେ ଯାହାକୁ ବୁଦ୍ଧି ଦିଶଇ ।

ସେହି ସେ ତରଇ ବିପତ୍ତିମାନ । ଦୁଇ ଜାରରେ ଗୋପିକା ଯେସନ ।

କରଟକ ଶୁଣି ।

କହେ ଏ କଥାକୁ କହତ ପୁଣି ।୧୯୦।

 

ଦମନକ କହେ ଶୁଣ ହେ ମିତ । ଦ୍ୱାରବତୀ ନାମ ନଗରେ ସ୍ଥିତ ।

କେହି ଗଉଡ଼ର ବଧୁ ଅସତୀ । ଗ୍ରାମ ଦଣ୍ଡ ପାଣି ପୁତ୍ର ସଙ୍ଗତି ।

ନିତି ତାର ସଙ୍ଗେ ।

କରଇ ସେ କ୍ରୀଡ଼ା ମଦନ ରଙ୍ଗେ ।୧୯୧।

 

କାଷ୍ଠମାନଙ୍କେ ଅଗ୍ନି ତୃପ୍ତି ନୋହି । ଆପଗାରେ ମହୋଦଧିର ନାହିଁ ।

ସର୍ବ ପ୍ରାଣିରେ ଯମ ନୋହେ ତୃପ୍ତ । ପୁରୁଷମାନଙ୍କେ ନାରୀ ତେମନ୍ତ ।

ନୁହଇ ସନ୍ତୋଷ ।

କେତେ କରିବା ତୋତେ ଉପଦେଶ ।୧୯୨।

 

ଦାନମାନ ଯେ ଅକପଟ ମେଧା । ଅସ୍ତ୍ର ଶସ୍ତ୍ର ବିଦ୍ୟା ସମସ୍ତେ ସୁଧା ।

କେହି ନାରୀକି ବଶ ନ କରନ୍ତି । ସମସ୍ତ ପଣ୍ଡିତେ କହିଅଛନ୍ତି ।

ମୁ ପୁଣି କହଇ ।

ଶୁଣ ମିତ ତୁ ଏକ ମନ ହୋଇ ।୧୯୩।

 

ହୋଇଥାଇ କାମ ଶାସ୍ତ୍ର ନିପୁଣ । ବିଦ୍ୟାବନ୍ତ ଯୁବା ଅତି କୁଳୀନ ।

କର୍ଣ୍ଣସମ ଦାତା କପଟେ ବଡ଼ । ସ୍ତ୍ରୀ ସଙ୍ଗ ଦୀକ୍ଷାରେ ଅତି କୁଶଳ ।

ଏତେ ଗୁଣ ଥାଇ ।

ପତିକି ଛାଡ଼ି ଆନକୁ ଭଜଇ ।୧୯୪।

 

ଦଣ୍ଡ ପାଣି ପୁତ୍ର ତାର ସଙ୍ଗର । ଏକଦିନେ କରୁଥିଲା ବିହାର ।

ସେକ୍ଷଣରେ ଦଣ୍ଡ ପାଣି ଅଇଲା । ସେ ଦେଖି ତାକୁ ତାକୁ ଛପାଇଲା ।

ଦଣ୍ଡ ପାଣି ଘେନି ।

ବିହାର କଲା ସେ ରମଣି ମଣି ।୧୯୫।

 

ଏହି ସମୟରେ ଆପଣା ବର । ଦଣ୍ଡ ହସ୍ତେ ଧରି ପ୍ରବେଶ ଘର ।

ତାକୁ ଦେଖି ଦଣ୍ଡ ପାଣିକି କହେ । ତୁମ୍ଭେ ଏଠାରୁ ବାହାରି ଯାଅ ହେ ।

ଦଣ୍ଡ ହସ୍ତ ହୋଇ ।

ବାହାରି ଯାଆନ୍ତେ ପତି ଦେଖଇ ।୧୯୬।

 

ତା ଦେଖି ଗୋପ ନାରୀକି ବୋଲଇ । କିଲୋ ଦଣ୍ଡପାଣି କୁପିତ ହୋଇ ।

ଯାଉଛି କାହିଁକି କହ ତୁ ମୋତେ । ନାରୀ ବୋଲଇ ତା ପୁଅ ନିମିତ୍ତେ

ପୁଅକୁ ମାରିଛି ।

ପଳାଇ ସେ ଆମ୍ଭ ଘରେ ପଶିଛି ।୧୯୭।

 

ତାହା ପୁତ୍ରକୁ ଲୁଚାଇଛି ମୁହିଁ । ମତେ ପଚାରିଲା କହିଲି ନାହିଁ ।

ସୁମନ୍ତ ବୋଲି ତା ପୁତ୍ର ଦେଖାଇ । ଏହାକୁ ଖୋଜି କ୍ରୋଧ ହୋଇ ଯାଇ ।

ଦେଖି ତାର ପତି ।

କହିଲା ଏ କଥା ନୋହେ ଅନୀତି ।୧୯୮।

 

ନାରୀମାନଙ୍କ ଆହାର ଦ୍ୱିଗୁଣ । ବୁଦ୍ଧି ତାହାଙ୍କର ସେ ଚତୁର୍ଗୁଣ ।

ଉତ୍ସାହ ତାଙ୍କର ଷଡ଼୍ଗୁଣ ହୋଇ । କାମ ଇଚ୍ଛା ଆଠ ଗୁଣ ଅଟଇ ।

ଏମନ୍ତ ସେ ବୁଦ୍ଧି ।

ବିପତ୍ତି ହେଲା କାଳେ ସେ ପ୍ରସିଦ୍ଧି ।୧୯୯।

 

ଶୁଣି କରଟକ କହଇ ପୁଣି । ଏହିରୂପେ ସତ୍ୟ ଏ କଥା ଜାଣି ।

ଏ ଦୁଇ ଜନଙ୍କର ବଡ଼ ସ୍ନେହ । କିରୂପେ ଭାଜିବ ଏ କଥା କହ ।

ଦମନକ କହେ ।

ଏଠାରେ ଉପାୟରେ ଅନ୍ୟ ନୋହେ ।୨୦୦।

 

ଉପାୟ କଲେ ଯେଉଁ କାର୍ଯ୍ୟ ହୋଇ । ପରାକ୍ରମରେ ତା ସିଦ୍ଧ ନୁହଇ ।

କାକୀ କନକ ସୂତ୍ର ଉପାୟରେ । ମାଇଲା କୃଷ୍ଣ ସର୍ପକୁ ସତ୍ୱରେ ।

କରଟକ କହି ।

କହ ଏ କଥା ଦମନକ ଭାଇ ।୨୦୧।

 

ଦମନକ କହେ ଶୁଣ ହେ ମିତ । ଏକ ବୃକ୍ଷରେ କାକ କାକୀ ସ୍ଥିତ ।

ତହିଁରେ ଯେତେକ ଡିମ୍ୱ ପଡ଼ଇ । କ୍ରୋଟରେ ଥାଇ କୃଷ୍ଣସର୍ପ ଖାଇ ।

ତାର ପ୍ରତି ଗର୍ଭ ।

ଖାଇଲା ଆସି କୃଷ୍ଣସର୍ପ ସର୍ବ ।୨୦୨।

 

ଏମନ୍ତେ କିଛିକାଳ ତହିଁଗଲା । ଗର୍ଭଣୀ କାକୀ କାକକୁ କହିଲା ।

ନାଥ କି କରିବ କହ ଉପାୟ । ଆସି ହେଲା ଆମ୍ଭର ବଂଶ କ୍ଷୟ ।

ଏ ବୃକ୍ଷ ଛାଡ଼ିବା ।

ଚାଲ ଅନ୍ୟ ବୃକ୍ଷେ ବସା କରିବା ।୨୦୩।

 

ଯାହାର ଦୁଷ୍ଟ ଭାରିଯା ହୁଅଇ । ଯାହା ମିତ୍ର ଧୂର୍ତ୍ତପଣ କରଇ ।

ଯାହାର ଭୃତ୍ୟ ଉତ୍ତରକୁ ଦେଇ । ସର୍ପ ଯାହାର ଗୃହେ ରହିଥାଇ

ଏ ସମସ୍ତ ଜନ ।

ଏହାଙ୍କର ନିଶ୍ଚେଁ ହୁଏ ମରଣ ।୨୦୪।

 

ଏସର୍ପ ଆମ୍ଭର ଅନ୍ତକ ହେଲା । ସନ୍ତତି ନ ରହିବାର ହୋଇଲା ।

କାକ ବୋଲୁଅଛି ଶୁଣଲୋ ତୁହି । ଏହା ଅପରାଧ ବହୁତ ସହି ।

ଅଛି ଏକା ମୁହିଁ ।

ଆଉ ଏଣିକି ମାରିବି ସେ ଅହି ।୨୦୫।

 

କାକୀ କହୁଅଛି ଏ ଅନୁଚିତ । କର୍ମ ସ୍ୱଜନ ବିରୋଧ ନିୟତ ।

ବଳବନ୍ତ ଜନ ସଙ୍ଗେ ସାହସ । ପ୍ରମଦା ଜନମାନଙ୍କୁ ବିଶ୍ୱାସ ।

ଏ ଯେ ଚାରି କଥା ।

ମରଣର ଦ୍ୱାର ଏଟି ସର୍ବଥା ।୨୦୬।

 

ଏତ ବଳବନ୍ତ ଦୁର୍ବଳ ତୁହି । ତୋର ହସ୍ତରେ ସେ ମରିବ କାହିଁ

କାକ କହୁଅଛି ଶୁଣ ମିତଣି । କାହିଁକି ଶଙ୍କା କରୁଅଛୁ ପୁଣି ।

ନିଶ୍ଚୟ ମାରିବି ।

ବୁଦ୍ଧିବଳେ କାର୍ଯ୍ୟ ସିଦ୍ଧ କରିବି ।୨୦୭।

 

ଯାର ବୁଦ୍ଧି ଅଛି ବଳ ତାହାର । ବୁଦ୍ଧି ଯାର ନାହିଁ କି ବଳ ତାର ।

ଦେଖ ତୁ ସିଂହ ମହା ବଳବନ୍ତ । ଶଶକ ତାହାକୁ କଲା ନିପାତ ।

କାକୀ ବୋଲେ କହ ।

ଏକଥା ମୋତେ ଲାଗିଲା ସନ୍ଦେହ ।୨୦୮।

 

କାକ କହେ ଶୁଣ ମନ୍ଦର ଗିରି । ତହିଁରେ ଦୁର୍ଦ୍ଦାନ୍ତ ନାମରେ ହରି ।

ବାସ କରିଥାଇ ପଶୁମାନଙ୍କୁ । ବହୁତ ମାରଇ ଦେଖିଣ ତାଙ୍କୁ ।

ସର୍ବ ପଶୁଗଣ ।

ଯାଇଣ ତାହାକୁ କଲେ ଜଣାଣ ।୨୦୯।

 

ତୁମ୍ଭ ଆହାରପାଇଁ ଆମ୍ଭେ ନିତି । ଦିନକେ ପଶୁ ଗୋଟିଏ ତଡ଼ତି ।

ଦେବୁଁ ତୁମ୍ଭଙ୍କୁ ଏହି କଥା ସତ । ତୁମ୍ଭେ ଆଉ ପଶୁ ନ କର ହତ ।

ଏମନ୍ତ ଶୁଣିଲା ।

ସେ ରୂପେ ହେଉ ଅଙ୍ଗୀକାର କଲା ।୨୧୦।

 

ଏଥୁଅନ୍ତେ ଦିନେ ଦିନେ ସମସ୍ତେ । କ୍ରମେ ଏକ ପଶୁ ଦିଅନ୍ତି ହସ୍ତେ ।

ଏଥୁଅନ୍ତରେ କିଛି ଦିନ ଗଲା । ବୃଦ୍ଧ ଶଶକର ପାଳି ପଡ଼ିଲା ।

ସେହି ଚିନ୍ତା କଲା ।

ଆଜ ଆମ୍ଭର ମରିବାର ହେଲା ।୨୧୧।

 

ଜୀବନ ଆଶାରେ ସମସ୍ତ ନର । ରକ୍ଷଣରେ କରୁଥାନ୍ତି ବିଚାର ।

ଯେବେ ହେଲା ମୋର ମରଣ ମୂଳ । ସିଂହକୁ କିପାଁ ହେବି ଅନୁକୁଳ ।

ପଛେ ଯିବି ମୁହିଁ ।

ଗଲା ତାହାଠାକୁ ବିଳମ୍ୱ ହୋଇ ।୨୧୨।

 

ତଦନ୍ତରେ ସିଂହ ତାକୁ ଦେଖିଣ । କ୍ଷୁଧାରେ କୋପେ କହଇ ବଚନ ।

ବିଳମ୍ୱେ ଅଇଲୁ କିପାଁ ତୁ ଆରେ । ଶଶକ ବୋଲଇ ସିଂହ ଶୁଣରେ

ଏ କି ଅପରାଧ ।

ବାଟେ ଅନ୍ୟ ସିଂହ କଲା ନିଷେଧ ।୨୧୩।

 

ସେହି ମୋତେ ନିୟମ କରାଇଲା । ପୁଣି ଲେଉଟି ଆସିବୁ ବୋଇଲା ।

ତୁମ୍ଭଙ୍କୁ ସେ କଥା କହିବାପାଇଁ । ଅଇଲି ଆଜ୍ଞା ଦିଅ ଯିବି ଧାଇଁ ।

ଏମନ୍ତ ସେ ଶୁଣି ।

ସିଂହ କ୍ରୋଧରେ କହୁଅଛି ବାଣୀ ।୨୧୪।

 

ଆରେ ସେ ସିଂହ ଅଛି କେଉଁଠାରେ । ସେଠାକୁ ମତେ ନିଅ ତୁ ସତ୍ୱରେ

ଏହା ଶୁଣି ଶଶକ ତାକୁ ନେଇ । ଗଭୀର କୂପକୁ ଦେଲା ଦେଖାଇ ।

ସ୍ୱରୂପ ତା ଜଳେ ।

ଦେଖି କ୍ରୋଧରେ ଡେଇଁ ସିଂହ ମରେ ।୨୧୫।

 

ଏହିହେତୁରୁ ମୁ କହିଲି ବୁଦ୍ଧି । ବଳ ଯାର ଅଛି ସେହି ପ୍ରସିଦ୍ଧି ।

କାକୀ କହୁଅଛି ଶୁଣିଲି ସବୁ । ଏବେ ତାହା କହ ଯାହା କରିବୁ ।

କାକ କହୁଅଛି ।

ଯାହା କରିବି ସେ ଜାଣିଲା ଅଛି ।୨୧୬।

 

ଏ ବୃକ୍ଷ ସମୀପେ ଏହି କାସାରେ । ସ୍ନାନ କରେ ରାଜ ପୁତ୍ର ପ୍ରାତରେ ।

ଅଙ୍ଗରୁ ଓହ୍ଲାଇ କନକ ସୂତ୍ର । ତୀରେ ଥୋଇଅଛି ଯାଅ ତୁରିତ ।

ଆଣି ତୋ ଥଣ୍ଟରେ ।

ପକାଇ ଦିଅ ତୁ ସର୍ପ କ୍ରୋଟରେ ।୨୧୭।

 

କାକ କହିଲା ତାକୁ ଯେଉଁରୂପେ । ସେ କାକୀ କଲା ସେହି ଅନୁରୂପେ ।

ରାଜ ସେବକେ ସୂତ୍ର ଅନୁସରି । ଗୋଡ଼ାଇ ଦେଖି କାଳସର୍ପ ମାରି ।

ମୁ ତତେ କହଇ ।

ଉପାୟରେ ସବୁ କାର୍ଯ୍ୟ ହୁଅଇ ।୨୧୮।

 

କରଟକ କହେ ହେ ମିତ ଶୁଣ । ଯେବେ ଏ ରୂପେ କହିଲ ଆପଣ ।

ଯାଅ ତୁ ମଙ୍ଗଳ ହେଉ ତୋହର । ସେ ଯାଇ ପିଙ୍ଗଳକ ସମୀପର ।

ପ୍ରଣାମ କରିଣ ।

ଶୁଣିମା ହେଉ ଦେବ ସାବଧାନ ।୨୧୯।

 

ଦେବ ସଂଜୀବକ ତୁମ୍ଭଙ୍କୁ ନାଶ । କରିବାକୁ କରିଅଛି ସାହସ ।

ତେଣୁ ଅଇଲି ମୁ ତୁମ୍ଭ ସମୀପ । ବିଚାର କର ଏଥି ଅନୁରୂପ ।

ଯେହୁ ଭୃତ୍ୟ ମିତ୍ର ।

ହିତ କହିବାର ତାର ଉଚିତ ।୨୨୦।

 

ବିପତ୍ତିରେ ଉନ୍ମାର୍ଗ ଗମନରେ । କାର୍ଯ୍ୟ ନାଶକାଳେ ଅତିକ୍ରମରେ ।

ଏତେଠାରେ ଯେ ହିତ ଭୃତ୍ୟ ଥାଇ । ନ ପଚାରିଲେ ରାଜାକୁ କହଇ

କି କହିବି ଆଉ ।

ଶୀଘ୍ର କର କାର୍ଯ୍ୟ ବିଳମ୍ୱ ନୋହୁ ।୨୨୧।

 

ରାଜା କେବଳ ଭୋଗର ଭାଜନ । କାର୍ଯ୍ୟ କେବେହେଁ ନ କରେ ରାଜନ

ଯେବେ ରାଜାର କାର୍ଯ୍ୟ ବାଧା ହୋଇ । ତେବେ ସେ ମନ୍ତ୍ରୀକି ଦୋଷ ଲାଗଇ

ଦେଖ ଶୁକ୍ର ସମ ।

ଅମାତ୍ୟମାନଙ୍କର ଏହି କ୍ରମ ।୨୨୨।

 

ପ୍ରାଣ ପରିତ୍ୟାଗ ଶିର ଛେଦନ । ଅମାତ୍ୟର ଭଲ କଥା ଏ ଜାଣ ।

ସ୍ୱାମୀ ଅଧିକାର ଆମ୍ଭେ କରିବା । ଏହାକୁ ମାରି ରାଜା ଆମ୍ଭେ ହେବା

ଏହା ଯେ କହଇ ।

ତାକୁ ଛାଡ଼ିବାର ଭୁଲ ନହଇ ।୨୨୩।

 

ଶୁଣି ପିଙ୍ଗଳକ ଆଦର ହୋଇ । କିଛି କହିବାକୁ ଅଛି କି ଭାଇ ।

ଦମନକ କହେ ଶୁଣ ରାଜନ । ସଂଜୀବକ ଚେଷ୍ଟା ଦେଖିଲୁଁ ଆନ ।

ମୋହର ନିକଟେ ।

ସ୍ୱାମୀ ବଳ ନିନ୍ଦା କରେ ପ୍ରକଟେ ।୨୨୪।

 

ରାଜ୍ୟ ଅଭିଳାସ କରୁଛି ସେହି । ଶୁଣି ପିଙ୍ଗଳକ ସଭୟ ହୋଇ ।

ଆଶ୍ଚର୍ଯ୍ୟ ହୋଇ ତୁନି ହେଲା ପୁଣ । ଦମନକ କହେ ଶୁଣ ରାଜନ ।

ସର୍ବ ଅମାତ୍ୟଙ୍କୁ ।

ଛାଡ଼ି ଅଧିକାର ଦେଲ ତାହାକୁ ।୨୨୫।

 

ନୃପତି ସେ ଏକା ଜଣକୁ ଯେବେ । ରାଜ୍ୟେ ପ୍ରଧାନ ମନ୍ତ୍ରୀ କରେ ତେବେ

ଅଜ୍ଞାନରୁ ତାର ଗର୍ବ ହୁଅଇ । ଗର୍ବରୁ ସେ ଭେଦ ଭାବ ଜନ୍ମଇ ।

ତାର ସ୍ୱାତନ୍ତ୍ର୍ୟଧୀ ।

ସ୍ୱାତନ୍ତ୍ର୍ୟ ଇଚ୍ଛା ହେଲେ ନୃପ ବଧି ।୨୨୬।

 

ବିଷଲିପ୍ତ ହୋଇ ଥାଏ ଯେ ଭୁକ୍ତ । ଯାହାର ମୂଳ ହଲଇ ସେ ଦନ୍ତ

ଯେଉଁ ଅମାତ୍ୟ ରାଜଦ୍ରୋହାଚାରୀ । ଏ ତିନିଙ୍କି ନିରାକରଣ କରି ।

ଉପାଡ଼ିଲେ ସୁଖ ।

ନୋହିଲେ ପାଆନ୍ତି ବହୁତ ଦୁଃଖ ।୨୨୭।

 

ଯେଉଁ ରାଜା କରେ ସଚିବାଧୀନ । ଲକ୍ଷ୍ମୀକି ପୁଣି ମନ୍ତ୍ରୀର ବ୍ୟସନ ।

ହେଲେ ଅନ୍ଧ ପ୍ରାୟ ସେହି ରାଜନ । ସଂଚାରକ ବିନା କାର୍ଯ୍ୟ ଭାଜନ ।

କେବେହେଁ ନୁହଇ ।

ଯେବେ ଚାଲେ ମାର୍ଗେ ପଡ଼ି ମରଇ ।୨୨୮।

 

ସଂଜୀବକ ସର୍ବ କାର୍ଯ୍ୟେ କାରଣ । ହୋଇ ସ୍ୱେଚ୍ଛାରେ ପ୍ରବର୍ତ୍ତିଛି ପୁଣ

ଲକ୍ଷ୍ମୀକି ଇଚ୍ଛା ନ କରିବ ଯେହୁ । ସେ ପୁରୁଷ ଅବା ଆସିବ କାହୁଁ ।

ଅନ୍ୟ ରମ୍ୟା ନାରୀ ।

କିଏସେ ନ ଚାହେଁ ସକାକ୍ଷ କର ।୨୨୯।

 

କାର୍ଯ୍ୟରୁ ସ୍ୱେଚ୍ଛା ବ୍ୟବହାର ତାର । ଜାଣିଛ ଯାହା ତୁମ୍ଭ ଇଚ୍ଛା କର

ସିଂହ ବିଚାରିଣ ପୁଣି କହୁଛି । ସଂଜୀବକଠାରେ ମୋ ସ୍ନେହ ଅଛି ।

ଯେବେ ଏରୂପରେ ।

କରୁଛି ତଥାପି ମୋ ମନ ହରେ ।୨୩୦।

 

ଯେ ପ୍ରିୟଜନ ସେ ଅପ୍ରିୟ କଲେ । ତାହାଠାରେ ପ୍ରୀତି ନ ଯାଏ ଭଲେ

ଅନେକ ଦୋଷଯୁକ୍ତ ଏହି ଦେହି । କାହାର ବଲ୍ଲଭ ନୁହଇ କହ ।

ଦେଖ ବୈଶ୍ୱାନର ।

ଘର ପୋଡ଼ିଲେ ନାହିଁ ତନାଦର ।୨୩୧।

 

ଦମନକ କହେ ରାଜନ ଶୁଣ । ତୁମ୍ଭେ କେବଳ ଏ ଦୋଷ କାରଣ

ସୁତ ମନ୍ତ୍ରୀ ଉଦାସୀନ ଯେ ଜନ । ଏଥିମଧ୍ୟେ ଯାହାଠାରେ ରାଜନ

କରଇ ଆଦର ।

ସେ ମାନବ ହୋଏ ଲକ୍ଷ୍ମୀସାଗର ।୨୩୨।

 

କହୁଅଛି ପୁଣି ଭୋଦେବ ଶୁଣ । ଅପ୍ରିୟ ପଥ୍ୟ ଯେ ତା ପ୍ରାନ୍ତେ ହେ

ବକତା ଶ୍ରୋତା ଅଛି ଯେଉଁଠାରେ । ସମ୍ପତ୍ତି ରୁଣ୍ଡ ହୋଏ ସେହିଠାରେ

ମୂଳ ମନ୍ତ୍ରୀ ଛାଡ଼ି ।

ଆଗନ୍ତୁକକୁ ନିଯୁକ୍ତ ନ କରି ।୨୩୩।

 

ଯେବେ ମୂଳ ଭୃତ୍ୟ ଦୋଷକୁ ଦେଖି । ଆଗନ୍ତୁକକୁ କେବେ ନ ଦେଖି

ଏଥିରୁ ବଡ଼ ଶତ୍ରୁ ଆଉ ନାହିଁ । ରାଜ୍ୟଭେଦକୁ ସେ କାରଣ ହୋଇ

ଅନୁଚିତ କଲ ।

ଆମ୍ଭଙ୍କୁ ଛାଡ଼ି ଯା ତାକୁ ରଖିଲ ।୨୩୪।

 

ସିଂହ କହୁଅଛି ଏତ ବିଚିତ୍ର । ଯାହାକୁ ଅଭୟ ଦେଇ ବର୍ଦ୍ଧିତ ।

କରିଛି ସେ ମୋତେ ଦ୍ରୋହ କରଇ । ଦମନକ ଶୁଣି ପୁଣି କହଇ

ଆହେ ଦେବ ଶୁଣ ।

ଦୁର୍ଜ୍ଜନ ଲୋକର କହିବା ଗୁଣ ।୨୩୫।

 

ନିତ୍ୟରେ ଦୁର୍ଜ୍ଜନକୁ ସେବା କଲେ । କେବେହେଁ ସେ ପ୍ରିୟ ନୁହଇ ଭଲେ

ମାଲପା ଲଗାଇ ଯେତେହେଁ ସେକି । କୁକୁର ଲାଙ୍ଗୁଡ଼ ନୁହେ ସଳଖି

ଖଳ ଲୋକ ପ୍ରୀତି ।

ବୁଝିଲେ ବିଷ ବୃକ୍ଷ ପ୍ରାୟ ରୀତି ।୨୩୬।

 

ଯାହାର ପରାଭବ ନ ସହିବ । ନ ପଚାରିଲେ ତା ହିତ କହିବ ।

ଏକଥା ସାଧୁମାନଙ୍କର ଧର୍ମ । ଏଥୁଁ ଅନ୍ୟଥା ହୋଇଲେ ଅଧର୍ମ ।

ତୁମ୍ଭେ ନ ପଚାରି ।

କହିଲି ତୁମ୍ଭର ହିତ ବିଚାରି ।୨୩୭।

 

ପାପରୁ ଯେଉଁଜନ ନିବାରଇ । ସେହି ଲୋକର ସ୍ନେହ ଅଛି କହି

ନିଷ୍କପଟରେ ଯେଉଁ କର୍ମ ଦେଖି । ନିର୍ମଳ ସେହି ତାକୁ ବୋଲି ଲେ

ପତି ଅନୁସରି ।

ଯେ ନାରୀ ଚଳଇ ସେହି ସେ ନାରୀ ।୨୩୮।

 

ସାଧୁମାନେ ଯାକୁ ପୂଜା କରନ୍ତି । ବୁଦ୍ଧିମନ୍ତ ବୋଲି ତାକୁ ଜାଣନ୍ତି ।

ଯେଉଁ ଲକ୍ଷ୍ମୀ ଗର୍ବ ହେତୁ ନୁହଇ । ସେହି ତାକୁ ଲକ୍ଷ୍ମୀ ଲୋକ ବୋଲି

ଯେ ନୀମ୍ପୁହ ହୋଇ ।

ସେହି ତାକୁ ସୁଖୀ ଲୋକ କହଇ ।୨୩୯।

 

କାହାଠାରେ କିଛି କପଟ ନାହିଁ । ସେହି ମିତ୍ରକୁ ମିତ୍ର ବୋଲି କହି ।

ପ୍ରିୟମାନଙ୍କୁ ଯେହୁ ଜିଣଇ । ସଂସାରେ ସେହି ପୁରୁଷ ବୋଲାଇ ।

ମୋହୋର କି ଦୋଷ ।

ସଂଜୀବକକୁ ଆଚ୍ଛା କରି ପୋଷ ।୨୪୦।

 

ଯେବେ କାମ ଅଶକ୍ତ ହୋଇ । କରିବା କଲା କାର୍ଯ୍ୟ ନ ଗଣଇ

ଗଜପ୍ରାୟ ସେହି ହୁଅଇ । ଆପଣା ମନକୁ ଚାହିଁ କରଇ ।

ତହୁଁ ଅତି ମାନ ।

କରି ପଡ଼ଇ ସେ ଶୋକେ ବହନ ।୨୪୧।

 

କେତେବେଳେ ହୁଏ ଏମନ୍ତ କୃତ୍ୟ । କେତେବେଳେ କହେ କଲା ଏ ଭୃତ୍ୟ

ଦଶା ଦୋଷ ବୋଲି ନ ଗଣଇ । ଶୁଣି ପିଙ୍ଗଳକ ମନେ ଭାବଇ ।

ପରର ବଚନ ।

ଶୁଣି ପରଦଣ୍ଡ ନ କରେ ଜନ ।୨୪୨।

 

ଦଶା ମନରେ ବିଚାର କରି । ବଧ୍ୟ କି ପୂଜ୍ୟ ତା ବିବେକ ଧରି ।

ଦଶ ଦୋଷକୁ ନିଶ୍ଚୟ ନ କରି । ଯେବେ ଅନୁଗ୍ରହ ନିଗ୍ରହ କରି ।

ସର୍ପ ମୁଖେ କର ।

ଦେଲେ ଯେହ୍ନେ ନାଶ ହୁଅଇ ନର ।୨୪୩।

 

ଏମନ୍ତ ମନେ ବିଚାରି ରାଜନ । ପ୍ରକାଶ କରିଣ କହେ ବଚନ ।

ଏବେ କିରୂପେ ସଂଜୀବକ ଯିବ । କରଟକକୁ ଏହା ପଚାରିବ ।

ଦମନକ କହି ।

ଦେବ ଏକଥା ଏରୂପେ ନୁହଇ ।୨୪୪।

 

ରୂପେ ହେଲେ ମନ୍ତ୍ରଭେଦ ହୋଇ । ଏକଥା କେବେହେଁ ଉଚିତ ନୋହି ।

ବୀଜ ଯତ୍ନେ ରକ୍ଷା କରିବ । ଯେରୂପେ ତାହା କାହିଁ ନ ଫିଟିବ ।

ସେ ଯେବେ ଫାଟଇ ।

ଫାଟିଲେ ପୁଣ ଅଙ୍କୁର ନୁହଇ ।୨୪୫।

 

ଯେଉଁ ଜନର ଦୋଷ ଦେଖିଥାଇ । ପୁଣି ତାହା ଦୋଷ କ୍ଷମା କରଇ ।

ଏବେ ତାହା ସଙ୍ଗେ ପ୍ରୀତି କରିବ । ତେବେ ସେ କାର୍ଯ୍ୟ ଅନୁଚିତ ହେବ

ତୁମ୍ଭଙ୍କୁ କହିବା ।

କହିଲେ ତୁମ୍ଭଙ୍କୁ ଆସୁ ବା ନବା ।୨୪୬।

 

ତାହାର ଯେଉଁ ମିତ୍ର ଦୋଷକୁ ଦେଖି । ପୁଣି ତାହା ସଙ୍ଗେ ପ୍ରୀତି ନ ଯୋଖି

ଜନ ତା ସଙ୍ଗେ ପ୍ରୀତି କରଇ । ସେ ଅବଶ୍ୟ ମୃତ୍ୟୁ ହାର ଭଜଇ ।

ଅଶ୍ୱତରୀ ପ୍ରାୟେ ।

ସେ ଯେରୂପେ ଗର୍ଭ ପାଇଲେ ହୋଏ ।୨୪୭।

 

ଶୁଣି ସିଂହ ପୁଣି କହେ ବଚନ । ସେ କି ଆମ୍ଭ ସଙ୍ଗେ କରିବ ରଣ ।

ସେ ଛାଇ କି କରିବ ଅସମର୍ଥ । ତା ସଙ୍ଗେ କଳି କରିବାର ବ୍ୟର୍ଥ ।

ଦମନକ କହି ।

ପିଙ୍ଗଳକ ବଚନକୁ ନ ସହି ।୨୪୮।

 

ଜୀବର ଧର୍ମ ଯେ ଦେହର ଧର୍ମ । ଏହି ଦୁହେଁଟି ବୁଦ୍ଧି ପରାକ୍ରମ ।

ଏ ଦୁହିଙ୍କି ଜାଣି କାର୍ଯ୍ୟ କରିବ । ନ ଜାଣି କଲେ ଅବଶ୍ୟ ମରିବ ।

ଦେଖ ଟିଟ୍ଟିଭକୁ ।

ବ୍ୟାକୁଳ କଲା ତେଡ଼େ ସମୁଦ୍ରକୁ ।୨୪୯।

 

ରାଜା ପଚାରଇ ଏକଥା କହ । ଶୁଣିତ ମତେ ଲାଗିଲା ସନ୍ଦେହ ।

ମେରୁ ସୋରିଷର ଯେତେ ଅନ୍ତର । ତେତିକି ଟିଟ୍ଟିଭର ସମୁଦ୍ରର ।

ଏ ଅଂଶେ ଭାବିତ ।

କାର୍ଯ୍ୟ କିରୂପେ ହେଲା କହ ମିତ ।୨୫୦।

 

ଦମନକ କହେ ସମୁଦ୍ରତୀରେ । ଟିଟ୍ଟିଭ ଦମ୍ପତ୍ତି ନିବାସ କରେ ।

ଥରେ ଯେ ଟିଟ୍ଟିଭୀ ପ୍ରସବ କାଳେ । କହଇ ଭର୍ତ୍ତାକୁ ଅତି ବିକଳେ ।

ଏଥୁଁ ଅନ୍ୟ ସ୍ଥାନ ।

ଖୋଜି ପ୍ରସବ କରିବି ବହନ ।୨୫୧।

 

ଟିଟ୍ଟିଭ କହଇ ଟିଟ୍ଟିଭ ଶୁଣ । ନିର୍ଭୟ ଏ ପ୍ରସବଯୋଗ୍ୟ ସ୍ଥାନ ।

ଶୁଣି ଟିଟ୍ଟିଭୀ ସ୍ୱାମୀକି କହଇ । ଲହରୀ ବ୍ୟସ୍ତ ଏହି ସ୍ଥାନ ହୋଇ ।

ଟିଟ୍ଟିଭ କହଇ ।

ମୁ କି ଅସହାୟ ହୋଇଛି ସହି ।୨୫୨।

 

ଏହିଠାରେ ମୁହିଁ କରିବି ଗୃହ । ସମୁଦ୍ର ସଙ୍ଗତେ କରି ବିଗ୍ରହ ।

ଟିଟ୍ଟିଭୀ ହସିଣ କହଇ ବାଣୀ । ସିନ୍ଧୁର ତୋର ବଳ କି ନ ଜାଣି ।

ଏ କି କହିବାର ।

ତାର ତୋହର ବହୁତ ଅନ୍ତର ।୨୫୩।

 

ମୋହର ଦୁଃଖ ନାଶିବାରେ ମୁହିଁ । ସମର୍ଥ ହେବି ଏମନ୍ତ ଯେ କହି ।

ଏରୂପରେ ହୋଇ ବୁଦ୍ଧି ଯାହାର । ପ୍ରଳୟରେ ନାଶ ନାହିଁ ତାହାରି ।

ଏମନ୍ତ କହିଲା ।

ସ୍ୱାମୀ ବାକ୍ୟେ ସେଠାରେ ପ୍ରସବିଲା ।୨୫୪।

 

ଏଥୁ ଅନନ୍ତରେ ସେ ପାରାବାର । ଡିମ୍ୱମାନଙ୍କୁ ହରିଲା ତାହାର ।

ଟିଟ୍ଟିଭୀ ପୁତ୍ର ଶୋକେ ଆର୍ତ୍ତ ହୋଇ । ଭର୍ତ୍ତାକୁ କହଇ ବିନୟ ହୋଇ

ବଡ଼ ଦୁଃଖ ହେଲା ।

ସମୁଦ୍ର ଆମ୍ଭ ଡିମ୍ୱ ସବୁ ନେଲା ।୨୫୫।

 

ଟିଟ୍ଟିଭ କହେ ଟିଟ୍ଟିଭୀକି ଚାହିଁ । ପ୍ରିୟେ ଦୁଃଖ କରୁଅଛୁ କିପାଇଁ ।

ଏତେ ବୋଲି ପକ୍ଷୀମାନଙ୍କୁ ଘେନି । ଗରୁଡ଼ ସମୀପ ଗଲା ଶକୁନୀ ।

ସେ ସବୁ ଚରିତ ।

ଗରୁଡ଼ ଆଗେ କଲା ନିବେଦିତ ।୨୫୬।

 

ଶୁଣି ଗରୁଡ଼ ପ୍ରଭୁ ନାରାୟଣ । ସୃଷ୍ଟି ପାଳନ ସଂହାର କାରଣ ।

ବୁଝାଇ କହିଲେ ସିନ୍ଧୁକୁ ଡାକି । ତୁମ୍ଭେ ପକ୍ଷିଙ୍କି ଦୁଃଖ ଦେଲ ଏ କି ।

ପ୍ରଭୁଠାରୁ ଶୁଣି ।

ଟିଟ୍ଟିଭ ଡ଼ିମ୍ୱ ଦେଲେ ସେହିକ୍ଷଣି ।୨୫୭।

 

ସେ ଛାର କ୍ଷୁଦ୍ର କି କରିବ ବୋଲି । ତୁମ୍ଭେ କହିଲାକୁ ଏହା କହିଲି ।

ଶୁଣି ରାଜା କହେ ସେହି ବୃଷଭ । ଜାଣିମା କିରୂପେ ମୋତେ ମାରିବ ।

ଦମନକ କହେ ।

ମାରିବା ଚିହ୍ନକୁ କହିଦେବା ହେ ।୨୫୮।

 

ଯେବେ ସେ ଶୃଙ୍ଗ ଅଗ୍ର ନମ୍ର କରି । ଟେକି ଲାଙ୍ଗୁଳ ଆଣିମ ହେ ହରି ।

ଚକ୍ଷୁ ତରାଟି କର୍ଣ୍ଣ ଟେକି ଥିବ । ମାରିବାର ଚିହ୍ନ ତେବେ ଜାଣିବ ।

ଏଥୁଅନନ୍ତରେ ।

ଦମନକ ଗଲା ସେ ଖରତରେ ।୨୫୯।

 

ସଂଜୀବକକୁ ଦୂରରୁ ଦେଖିଲା । ମନ୍ଦ ମନ୍ଦ ହୋଇ ନିକଟେ ହେଲା ।

ମ୍ଳାନ ମୁଖ ହୋଇ ତାକୁ ଚାହିଁଲା । ତାହାକୁ ଦେଖି ବଳଦ କହିଲା ।

ସେ ଆଦର କରି ।

ତୁମ୍ଭର କୁଶଳ ବୋଲି ପଚାରି ।୨୬୦।

 

ଦମନକ କହେ ଶୁଣ ହେ ଭାଇ । ସେବକ ଲୋକର କୁଶଳ କାହିଁ ।

ପରାଧୀନ ଯେଉଁ ସମ୍ପତ୍ତି ହୁଏ । ସେହି ସମ୍ପତ୍ତି ସର୍ବଦା ନ ରହେ ।

ଜୀବନର ଆଶ ।

ନାହିଁ ତାର ଯେହୁ ରାଜାର ଦାସ ।୨୬୧।

 

ଧନ ହେଲେ କାହାର ଗର୍ବ ନୋହେ । ସଂସାରେ ବିପତ୍ତି କାହାର ରହେ

ନାରୀ କାହାର ମନ ନ ହରଇ । ରାଜାମାନଙ୍କର କେ ପ୍ରିୟ ହୋଇ ।

କାଳର ବଶକୁ ।

ନ ଯାଇଛି କିଏ କହ ତାହାକୁ ।୨୬୨।

 

ମାଗିବା ଲୋକରେ କିବା ଆଦର । ଯେହୁ ପଡ଼ଇ ଦୁର୍ଜ୍ଜନ ସଙ୍ଗର ।

ତାହାର କୁଶଳ କେବେହେଁ ନୋହି । ଏହା ଶୁଣି ସଂଜୀବକ କହଇ ।

ଦମନକ ମିତ ।

କହିଲା କେ ପୁଣି ମୋତେ କହତ ।୨୬୩।

 

ଦମନକ କହେ ଶୁଣ ହେ ମିତ । ଆସି ତୁମ୍ଭ ଅଭାଗ୍ୟ ହେଲା ଜାତ ।

ସମୁଦ୍ରେ ବୁଡ଼ିଯାଏ ଯେଉଁ ଜନ । ସେ ଯେରୂପେ ସର୍ପ ଅବଲମ୍ୱନ ।

କରି ନ ଛାଡ଼ଇ ।

ପ୍ରାଣ ବିକଳେ ପୁଣି ନ ଧରଇ ।୨୬୪।

 

ସେହିରୂପରେ ହୋଇଅଛି ଭ୍ରମ । ଏ କଥାତ ହେଲା ଅତି ବିଷମ ।

କହିଲେ ରାଜାର ବିଶ୍ୱାସ ଯିବ । ନ କହିଲେ ତ ବାନ୍ଧବ ମରିବ ।

ମୁହିଁ କି କରିବି ।

ଦୁଃଖ ସମୁଦ୍ରେ ପଡ଼ି କେଣେ ଯିବି ।୨୬୫।

 

ଏମନ୍ତ କହି ସେ ଦୀର୍ଘ ନିଶ୍ୱାସ । ପକାଇ ସେଠାରେ କଲା ନିବାସ ।

ସଂଜୀବକ କହେ ତୁମ୍ଭ ମନରେ । ଯେ ଅଛି ତା କିପାଁ ନ କହ ମୋରେ

ଦମନକ କହି ।

ରାଜା ବିଶ୍ୱାସକୁ ନ କହେ କେହି ।୨୬୬।

 

ଯେବେହେଁ ଶାସ୍ତ୍ରରେ ଏମନ୍ତ ଅଛି । ବିଶ୍ୱାସରେ ତୁମ୍ଭ ପାଶେ ଆସିଛି

ଯେ ଜନ କରେ ପର ଉପକାର । ଅବଶ୍ୟ ସ୍ୱର୍ଗରେ ନିବାସ ତାର ।

ସ୍ୱର୍ଗକୁ ପାଇବି ।

ଏହିହେତୁରୁ ତୋ ହିତ କହିବି ।୨୬୭।

 

ଏ ରାଜା ତୋହଠାରେ ଅନିର୍ମଳ । ହୋଇ ବୋଲେ ବଳଦରୁ କି ଫଳ

ଏହାକୁ ମାରି ଆପଣାର ଭୃତ୍ୟ-ମାନଙ୍କୁ ତୃପ୍ତି କରାଇବି ସତ୍ୟ ।

ଏମନ୍ତ ବୋଲଇ ।

ସଂଜୀବକ ଶୁଣି ବିଷର୍ଣ୍ଣ ହୋଇ ।୨୬୮।

 

ଦମନକ କହେ ହେ ମିତ୍ର ଶୁଣ । ବିଷାଦରୁ ଅବା କେଉଁ କାରଣ ।

ଏକାଳେ ଯେଉଁ କାର୍ଯ୍ୟ ତାହା କର । ପୁଣି ସଂଜୀବକ କ୍ଷଣେ ବିଚାର

କରିଣ କହିଲା ।

ଏ କଥା ମନକୁ ମୋର ଅଇଲା ।୨୬୯।

 

ଯେବେ ଅତି ଯୋଗ୍ୟ ହୋଇଣ ଥାଇ । ସେ ଯେବେ ଦୁର୍ଜ୍ଜନ ସଙ୍ଗତ ହୋଇ

କୃପଣଠାରେ ଥାଇ ଯେଉଁ ଧନ । ଗିରି ସମୁଦ୍ରେ ବର୍ଷେ ଯେଉଁ ଘନ ।

କେହି ସେ ନୁହନ୍ତି ।

ସମସ୍ତେ ଅଯୋଗ୍ୟ ତଳେ ଯାଆନ୍ତ ।୨୭୦।

 

ମନେ ବିଚାରେ ଏଥିରେ କି ଅବା । ବ୍ୟବହାରରେ ନିଶ୍ଚୟ କରିବା ।

ଯେଉଁ ହେତୁରୁ ସେ କେହି ଦୁର୍ଜ୍ଜନ । ଆଶ୍ରୟ ଶୋଭାରେ ହୋଏ ଭଞ୍ଜନା

ଯେମନ୍ତ ଅଞ୍ଜନ ।

ପ୍ରମଦାଲୋଚନେ ହୋଏ ଶୋଭନ ।୨୭୧।

 

ନିମିତ୍ତ ଦେଖି ଯେ କୋପ କରଇ । ନିମିତ୍ତ ଗଲେ ସେ ପ୍ରସନ୍ନ ହୋଇ ।

କାରଣ ନ ପାଇ ଯା ମନେ ଦ୍ୱେଷ । ତାହାକୁ କେ କରିବ ପରିତୋଷ

କାରଣ ନ ଥାଇ ।

ଦ୍ୱେଷ କଲା ଯେ ପ୍ରତିକାର ନାହିଁ ।୨୭୨।

 

ଏମନ୍ତ ବିଚାରି ପ୍ରକାଶ କରି । କହଇ ସଂଜୀବକ ହସ୍ତ ଧରି ।

କି କଲି ମୁହିଁ ରାଜା ଅପକାର । ନାହିଁ ଅବା ଏ ସ୍ୱଭାବ ରାଜାର ।

ଦମନକ କହି ।

ଅନିମିତ୍ତେ ଦ୍ୱେଷ ରାଜାର ହୋଇ ।୨୭୩।

 

ଯେତେ ଉପକାର କଲେ ରାଜାକୁ । ଦ୍ୱେଷରେ ନାଶ କରଇ ତାହାକୁ

ସାକ୍ଷାତରେ କେହି କରଇ ଦୋଷ । ତାହାଠାରେ ରାଜା ବଡ଼ ସନ୍ତୋଷ

ଏକବିଧ ମନ ।

ନୋହେ ଏଣୁ ବଶ୍ୟ ଭୂପାଳ ଜନ ।୨୭୪।

 

ନାନାବିଧ ହୋଏ ରାଜାର ମନ । ଏଣୁ ତାର ସେବା ଅତି ଗହନ ।

ଯେଉଁ ଜନମାନେ ଯୋଗ ସାଧନ୍ତି । ରାଜା ସେବାକୁ କେହି ନ ପାରନ୍ତି

ଏ ଯେ ସେବା ଧର୍ମ ।

କର୍ମମାନଙ୍କରେ ପରମ କର୍ମ ।୨୭୫।

 

ଖଳମାନେ ଗୁଣ ଘାତୀ ହୁଅନ୍ତି । ଭୋଗରେ ସୁଖକୁ ନାଶ କରନ୍ତି ।

ତେଡ଼େ ଗନ୍ଧବନ୍ତ ଚନ୍ଦନବନ । ସର୍ପ ଥିବାରୁ ସେ ଅଗମ୍ୟ ଜାଣ ।

ଜଳରେ କମଳ ।

କୁମ୍ଭୀର ଥିବାରୁ ହେଲା ବିଫଳ ।୨୭୬।

 

ଏ ଯେଉଁ ସ୍ୱାମୀ ବଚନ ମଧୁର । ହୃଦୟ ଏହାର ବିଷ ପ୍ରକାର ।

ମୁହିଁ ଜାଣିଲି ଏ ରାଜା ଦୁର୍ଜ୍ଜନ । ଦୁର୍ଜ୍ଜନର ଚିହ୍ନ ଦେଖି ନୟନ ।

ମୁ କହିବି ଶୁଣ ।

ଦୁର୍ଜ୍ଜନର ହୋଏ ଯେତେ ଲକ୍ଷଣ ।୨୭୭।

 

ଦୂରୁ ହସ୍ତ ଦୁଇ ଟେକି ଡାକଇ । ଅଶ୍ରୁପୂର୍ଣ୍ଣ ନେତ୍ର ହୋଇଯେ ଥାଇ ।

ଅର୍ଦ୍ଧାସନ ଛାଡ଼ି ବସ ବୋଲଇ । ବଡ଼ କରି ଆଲିଙ୍ଗନ କରଇ ।

ପଚାରେ କୁଶଳ ।

ହୋଇଥାଇ ମନେ କପଟ ଠୁଳ ।୨୭୮।

 

ବାହାରେ ମଧୁର ବଚନ କହି । ଅତିଶେ ମାୟାରେ ଆଚ୍ଛନ୍ନ ହୋଇ ।

ଏ ଯେଉଁ ନୂତନ କପଟ ବିଧି । ଦୁର୍ଜ୍ଜନଠାରେ ଏ ହୋଇଛି ସିଦ୍ଧି ।

କେବଳ ଧରମ ।

ଜାଣଇ ଦୁର୍ଜ୍ଜନ ଲୋକର ମର୍ମ ।୨୭୯।

 

ଦୁସ୍ତର ସମୁଦ୍ର ତରଣେ ପୋତ । ଅନ୍ଧକାରଠାରେ ଦୀପ ଯେମନ୍ତ ।

ନିର୍ବାତ ସ୍ଥଳେ କରିଛି ବ୍ୟଜନ । ଅଙ୍କୁଶରେ ଗଜ ବଶୀକରଣ ।

ଏରୂପେ ବିଧାତା ।

କରିନାହିଁ ଯାର ଉପାୟ ଚିନ୍ତା ।୨୮୦।

 

ଏ ସଂସାରେ ନାହିଁ ସେପରି କେହି । ଦୁର୍ଜ୍ଜନ ମନ ହରଣ ସେ ବିହି ।

ଉଦ୍ୟମ କରିବାରେ ଅଶକତ । ଏହା ମୁଁ ଜାଣିଛି ନିଶ୍ଚୟ ସତ ।

ସଂଜୀବକ କହି ।

ଶସ୍ୟ ଭକ୍ଷଣରେ ସମର୍ଥ ମୁହିଁ ।୨୮୧।

 

ଏ ଜନ୍ତୁଠାରେ ଏମନ୍ତ ବିଚାର । କାହିଁକି ସିଂହ ସେ କଲା ପ୍ରଚାର ।

କେହି ଖଳ ଯାଇ ତାଠାକୁ ମୋର । ଉପରେ ଜାତ କଲା ଏ ବିକାର ।

ରାଜା ଚିତ୍ତ ଭେଦ ।

ହୋଇଲେ ସର୍ବଦା ହୁଅଇ ଖେଦ ।୨୮୨।

 

ରାଜାର ଚିତ୍ତ ମନ୍ତ୍ରୀଠାରେ ଯେବେ । କଦାଚିତ ନିର୍ମଳ ନୋହେ ତେବେ

ସ୍ଫଟିକ ବଳୟ ପ୍ରାୟ ସନ୍ଧାନ । କେବେହେଁ କରି ନ ପାରଇ ଜନ ।

ରାଜା ମନ୍ତ୍ରୀ ମନ ।

ଫାଟିଲେ କେବେହେଁ ନୋହେ ଯୋଡ଼ିଣ ।୨୮୩।

 

ବଜ୍ର ରାଜତେଜ ଦୁହେଁ ସମାନ । ପଡ଼ିଲେ ହୁଅଇ ଭୟ ଜନନ ।

ବଜ୍ର ଯେ ଏକସ୍ଥାନରେ ପଡ଼ଇ । ରାଜତେଜ ସବୁ ସ୍ଥାନେ ଚାଲଇ ।

ବଜ୍ରରୁ ଅଧିକ ।

ହୁଏ ରାଜତେଜ ପ୍ରତ୍ୟକ୍ଷେ ଦେଖ ।୨୮୪।

 

ସେହି ହେତୁରୁ ସଂଗ୍ରାମେ ମରଣ । ଉଚିତ କରିବାର ଆଶ୍ରୟଣ ।

ତାର ଆଜ୍ଞା ପାଳନ ଅନୁଚିତ । ମଲେ ସ୍ୱର୍ଗକୁ ଯିବି ମୁ ନିୟତ ।

ଯୁଦ୍ଧରେ ସେ ଯେବେ ।

ମରିବି ସୁଖ ପାଇବି ମୁ ତେବେ ।୨୮୫।

 

ରଣରେ ମରି ସ୍ୱର୍ଗକୁ ଯିବାର । ଶତ୍ରୁକୁ ମାରି ସୁଖ ପାଇବାର ।

ଶୂରମାନଙ୍କର ଏ ଦୁଇ ଗୁଣ । ଜଗତରେ ନାହିଁ କାହାରି ଜାଣ ।

ଯେ ଯୁଦ୍ଧର କାଳ ।

କହିବା ତାହା ଶାସ୍ତ୍ରର ବିଚାର ।୨୮୬।

 

ଯୁଦ୍ଧ ନ କଲେ ନିଶ୍ଚେ ମୃତ୍ୟୁ ହେବ । ଯୁଦ୍ଧ କଲେ ଅବା ପ୍ରାଣ ରହିବ ।

ଯେଉଁ କାଳରେ ଏ ସନ୍ଦେହ ହୋଇ । ସେହି ଯୁଦ୍ଧକାଳ ଶାସ୍ତ୍ରରେ କହି

ସଂଜୀବକ ପୁଣି ।

ଦମନକକୁ କହୁଅଛି ବାଣୀ ।୨୮୭।

 

କହ ମିତ ତୁମ୍ଭଠାରୁ ଶୁଣିବି । କେଉଁରୂପେ ସେ ମାରିବ ଜାଣିବି ।

ଦମନକ ପୁଣି କହଇ ଶୁଣୁ । ଯେବେ ସେ ଟେକି ଥିବ ଦୁଇ କର୍ଣ୍ଣ ।

ଲାଙ୍ଗୁଳ ଟେକିବ ।

ତୁଣ୍ଡ ଆଁ କରି ଧାଇଁ ଆସିବ ।୨୮୮।

 

ଚାରି ଚରଣେ ଯେ କ୍ଷେପି ଆସିବ । ଦନ୍ତ କଟ କଟ କରୁଣ ଥିବ ।

ଆଖି ମଟ ମଟ କରି ଚାହିଁବ । ମେଘ ଘଡ଼ ଘଡ଼ି ପ୍ରାୟ ଗର୍ଜିବ ।

ଏରୂପ ଦେଖିବୁ ।

ତୁ ଆପଣାର ଶକ୍ତି ଦେଖାଇବୁ ।୨୮୯।

 

ବଳବତ୍ତର ଲୋକ ହୋଇ ଥାଇ । ତେଜ ନ ଥିଲେ ପରାଭବ ପାଇ

ଦେଖ ଅଗ୍ନିରେ ଯେହ୍ନେ ତେଜ ଥାଇ । ଲୋକ ତହିଁରେ ପାଦ ନ ପକାଇ

ଯେବେ ତେଜ ଯାଇ ।

ନିର୍ଭୟେ ଭସ୍ମେ ଲୋକ ପାଦ ଦେଇ ।୨୯୦।

 

ଗୁପ୍ତ କରି ଯେବେ ଏହୁ ବିଚାର । କରିବୁ ତେବେ ତୁ ହୋଇବୁ ପାର

ନାହିଁ ଯେବେ ଏ ବିଚାର ପ୍ରକାଶ । ହେବ ତୁମ୍ଭେ ଆମ୍ଭେ ହୋଇବା ନାଶ

ଏରୂପେ କହିଲା ।

କରଟକର ସମୀପକୁ ଗଲା ।୨୯୧।

 

କରଟକ କହେ ଦୁହିଙ୍କ ଭେଦ । ହେଲା କି ନୋହିଲା ଯାଉ ମୋ ଖେଦ

ଦମନକ କହେ ଦୁହିଙ୍କ ମନ । ପରମ୍ପରାରେ ହେଲା ବିଘଟନ ।

କରକଟ କହି ।

ଏକଥାରେ କିଛି ସଂନ୍ଦେହ ନାହିଁ ।୨୯୨।

 

ଦୁର୍ଜ୍ଜନ ଲୋକର କେ ପ୍ରିୟ ହୋଇ । ମାଇଲେ କେ ଅବା କ୍ରୋଧ ନୁହଇ

ଧନ ପାଇ ତୃପ୍ତି ନୋହେ କାହାର । କାର୍ଯ୍ୟରେ କେହୁ ନୁହଇ ଉଦାର

ସାଧୁଜନ ହୋଇ ।

ଦୁର୍ଜ୍ଜନ ବଚନେ ଖଳ ହୁଅଇ ।୨୯୩।

 

ଆପଣା କାର୍ଯ୍ୟ ନିମିତ୍ତରେ ଧୂର୍ତ୍ତ । ପଣ୍ଡିତ ଜନକୁ କରେ ଦୁର୍ବୃତ୍ତ ।

ଦହନ ଯାହାର ସଙ୍ଗେ ମିଶଇ । ସେହିକ୍ଷଣି ତାକୁ ଭସ୍ମ କରଇ ।

ସେରୂପେ ଦୁର୍ଜ୍ଜନ ।

ସଂସର୍ଗରେ କରେ ଆତ୍ମା ସମାନ ।୨୯୪।

 

ଏଥୁ ଅନ୍ତେ ଦମନକ ରାଜନ । ସମୀପକୁ ଯାଇ କହେ ବଚନ ।

ଦେବ ସଂଜୀବକ ରାଜନ ଦ୍ରୋହୀ । ଆସୁଛି ବସ ତୁମ୍ଭେ ସଜ ହୋଇ ।

ଏମନ୍ତ କହିଲା ।

ତାକୁ ମାରଣରୂପ କରାଇଲା ।୨୯୫।

 

ସିଂହର ଉଦ୍ୟମ ବୃଷ ମାରଣେ । ଆସି ସଂଜୀବକ ଦେଖି ସେ କ୍ଷଣେ

ଆପଣା ପରାକ୍ରମ ଦେଖାଇଲା । ତଦନ୍ତେ ଦୁହିଙ୍କର ଯୁଦ୍ଧ ହେଲା ।

ସେହି ସଂଜୀବନ ।

ସିଂହ ମାରନ୍ତେ ଗଲା ଯମ ଲୋକ ।୨୯୫।

 

ଏଥୁଅନ୍ତେ ପୁଣି ସିଂହ ରାଜନ । ଶ୍ରମ ହରି କହେ ଶୋକେ ବଚନ ।

ପାପ କର୍ମ ମୁହିଁ କଲି ଦାରୁଣ । କର୍ମ ନାହିଁ ମୋର ନରକେ ସ୍ଥାନ ।

ପର ରାଜ୍ୟ ଭୋଗ ।

କରିବ ହେଲା ମୋର ପାପ ଯୋଗ ।୧୯୬।

 

ପୁଣି ବୁଦ୍ଧି ଥାଇ ଯେ ଭୃତ୍ୟଜନ । ପୃଥିବୀ ଏକ ଦେଶ ଏ ସମାନ ।

ଭୃତ୍ୟ ନାଶ ନୃପ ମରଣ ସମ । ଭୂମି ନାଶ ଯେ ଏଥୁ କିଛି କମ ।

ଗୁଣବନ୍ତ ଭୃତ୍ୟ ।

ନ ମିଳଇ ମିଳେ ଭୂମି ବହୁତ ।୨୯୭।

 

ଦମନକ କହେ ଶୁଣ ରାଜନ । ଏ କି କଥା ତୁମ୍ଭେ କର ରୋଦନ ।

ଶତ୍ରୁ ମାରି କିପାଁ ସନ୍ତାପ କର । ରାଜାମାନଙ୍କର ଏହି ବେଭାର ।

ଯେହି କେହି ହୋଏ ।

ରାଜଦ୍ରୋହୀ ଯେ କେବେହେଁ ନ ରହେ ।୨୯୮।

 

ପିତା ହେଉ ଅବା ଯଦି ବା ଭାଇ । ପୁତ୍ର ଅବା ହେଉ ସୁହୃଦ ହୋଇ ।

ପ୍ରାଣକୁ ପାଞ୍ଚିବେ ଯେବେ ଏମାନେ । ଏହାକୁ ମାରେ ରାଜା ସାବଧାନେ

ଆପଣା ଭଲରେ ।

ଯେବେ ଇଚ୍ଛା ଥାଇ ରାଜା ମନରେ ।୨୯୯।

 

ଧର୍ମ ଅର୍ଥ ତତ୍ତ୍ୱ ଜାଣି ଆପଣ । ରାଜା ନୋହିବ କେବେହେଁ କରୁଣ ।

ଯେଉଁ ହେତୁରୁ ହସ୍ତ ସ୍ଥିତ ଧନ । ରଖି ନ ପାରେ ଦୟାଳୁ ରାଜନ ।

କେତେବେଳେ ଶାନ୍ତି ।

ଶୋଭା ପାଇ କେତେବେଳେ ଅଶାନ୍ତି ।୩୦୦।

 

ଶତ୍ରୁ ମିତ୍ରଠାରେ ସମାନ ବୁଦ୍ଧି । ହୁଏ ଯତୀମାନଙ୍କର ସେ ସିଦ୍ଧି ।

ଦୁଷ୍ଟ ଅପରାଧୀ ଯେବଣ ଜନ । ତାହାଠାରେ ରାଜ କ୍ଷମା ଦୂଷଣ ।

ତା କହିବା ଶୁଣ ।

ଯେଉଁ ଦଶା ତାର ହୁଏ ରାଜନ ।୩୦୧।

 

ଯେଉଁ ଭୃତ୍ୟ ରାଜ୍ୟ ଲୋଭ କରିଣ । ଇଚ୍ଛା କରଇ ସ୍ୱାମୀ ନିଜ ସ୍ଥାନ ।

ଅହଂକାରେ ମୁ ବଡ଼ ବୋଲି କହେ । ନାହିଁ ପ୍ରାୟଶ୍ଚିତ ଋଷି ତା କରେ ।

କେବଳ ମରଣ ।

ଏଥୁଁ ଆନ ନାହିଁ ଜୀବ ତାରଣ ।୩୦୨।

 

ରାଜା ଦୟାଳୁ ଦ୍ୱିଜ ସର୍ବ ଭକ୍ଷ । ନାରୀ ଅବଶ୍ୟ ସହାୟ ଅରକ୍ଷ ।

ଭୃତ୍ୟ ପ୍ରତିକୁଳ ମନ୍ତ୍ରୀ ପ୍ରମାଦୀ । ଉପକାରିକି ଯେହୁ ହୁଏ ବାଦୀ ।

ଏହି ସପ୍ତଜଣ ।

ଛାଡ଼ଇ ବେଗେ ସେ ସୁଜାଣ ଜନ ।୩୦୩।

 

କେତେବେଳେ ସତ୍ୟ ମିଥ୍ୟା ବଚନ । କେତେବେଳେ ପ୍ରିୟ ଦୃଢ଼ ଭାଷଣ

କେତେବେଳେ ହିଂସ୍ର ଦୟାଳୁ ହୋଇ । କେତେବେଳେ ଧନ ଦିଅଇ ନେଇ

କେତେବେଳେ ବ୍ୟୟ ।

କେତେବେଳେ କରେ ବହୁତ ଆୟ ।୩୦୪।

 

ବିଶେଷରେ ମୁ ଏକଥା ଜାଣଇ । ରାଜାର ନୀତି ବହୁବିଧ ହୋଇ ।

ଦେଖ ବାରାଙ୍ଗନା ଲୋକରେ ଖ୍ୟାତ । ଏତେ ଗୁଣରେ ହୋଇଛି ସହିତ ।

ଶୁଣ ହେ ରାଜନ ।

ରାଜନୀତି ବେଶ୍ୟାବୃତ୍ତି ସମାନ ।୩୦୫।

 

ଏମନ୍ତେ କହି କହି ଦମନକ । ପ୍ରବୋଧନ୍ତେ ରାଜା ଛାଡ଼ିଲା ଶୋକ ।

ସିଂହାସନେ ବସି ପ୍ରଜାପାଳନ । କଲା ଦମନକ ସେ ଦୁଷ୍ଟ ମନ ।

ହୋଇଣ ବୋଇଲା ।

ଦେବ ବିଜୟ ହେଉ ଶତ୍ରୁ ମଲା ।୩୦୬।

 

ଏମନ୍ତେ ବୋଲିଣ ସୁଖେ ବିହାର । କଲେ ଦମନକ ସବୁ ରାଜାର ।

କାର୍ଯ୍ୟ କଲେ କରଟକ ସହିତ । ବିଷ୍ଣୁଶର୍ମ୍ମା କହେ ରାଜନ ସୁତ ।

ଏ ସୁହୃଦଭେଦ ।

ଶୁଣି ମନରୁ ତୁମ୍ଭେ ଛାଡ଼ ଖେଦ ।୩୦୭।

 

ରାଜପୁତ୍ରମାନେ କହିଲେ ପୁଣି । ସୁଖୀ ହୋଇଲୁ ଆମ୍ଭେ ଏହା ଶୁଣି ।

ବିଷ୍ଣୁଶର୍ମ୍ମା କଲେ ଏହି ଆଶିଷ । ତୁମ୍ଭମାନଙ୍କ ଶତ୍ରୁ ଯାଉ ନାଶ ।

ସବୁ ବାଳ ଜନ ।

ଦିଅନ୍ତୁ ଏକଥା ଶ୍ରବଣେ ମନ ।୩୦୮।

 

ଇତି ଶ୍ରୀ ହିତୋପଦେଶେ ନୀତିସାରେ ସୁଦୃଦ୍ଭେଦ କଥନେ

ଦ୍ୱିତୀୟ କଥା ସଂଗ୍ରହଃ

Image

 

ବିଗ୍ରହ

ରାଗ-ଚୋଖି

 

ପୁଣି କଥାରମ୍ଭକାଳେ ରାଜପୁତ୍ରେ କୁତୂହଳେ

କହୁଛନ୍ତି ଆମ୍ଭମାନେ ସୁହୃଦଦ୍ଭେଦ ।

ଶୁଣିଲୁଁ ଆହେ ବ୍ରାହ୍ମଣ କହ ବିଗ୍ରହକୁ ପୁଣ ।

ତୁମ୍ଭେ ଯାହା କହିବଟି ସେହି ସେ ବେଦ ।

ଶୁଣି ବିଷ୍ଣୁଶର୍ମ୍ମା କହଇ ।

ବିଗ୍ରହ କଥାକୁ ଶୁଣ ହେ ମନ ଦେଇ ।୧।

 

ହଂସ ମୟୂରର ଯୁଦ୍ଧ ଯେଉଁକାଳେ ହେଲା ସିଦ୍ଧ

ସେ ସମୟେ ମେଘବର୍ଣ୍ଣ କାକ ଅଇଲା ।

ମୟୂର ଆଜ୍ଞା ଶିରରେ ଘେନି ଧାଇଁଲା ସତ୍ୱରେ

ହଂସ ରାଜାପୁରେ ଯାଇ ପ୍ରବେଶ ହେଲା ।

ତାହାଠାରେ ବିଶ୍ୱାସ କରି ।

Unknown

କିଛିଦିନ ରହି ପୁର ପୋଡ଼ି ସଂହରି ।୨।

 

ଏହା ଶୁଣି ରାଜପୁତ୍ର କହିଲେ ଅତି ବିଚିତ୍ର

କଥାଏ କିରୂପ କହ ହେ ଦ୍ୱିଜବର ।

ବିଷ୍ଣୁଶର୍ମ୍ମା କହୁଅଛି ଶୁଣ ମହାରାଜ ବସି

କର୍ପୂର ଦ୍ୱୀପରେ ପଦ୍ମକେଳି ଯେ ସର ।

ତହିଁରେ ସେ ହିରଣ୍ୟ ଗର୍ଭ ।

ନାମେ ରାଜହଂସ ଅଛି ପାଳଇ ସର୍ବ ।୩।

ସର୍ବ ଜଳଚର ମିଳି ତାକୁ ଅଭିଷେକ କରି

ରାଜା କଲେ ସର୍ବଜଳଚର ଉପରେ ।

ଯେବେ ନରପତି ନାହିଁ ପ୍ରଜାମାନେ ଅବା କାହିଁ

ରହିବେ ନାଶକୁ ଯାନ୍ତି ନିଶ୍ଚେଁ ସତ୍ୱରେ ।

ଯେହ୍ନେ ଜଳଧିରେ ତରଣୀ ।

କର୍ଣ୍ଣଧାର ନ ଥିଲେ ବୁଡ଼ଇ ସେକ୍ଷଣି ।୪।

ରାଜା ରକ୍ଷା କରେ ପ୍ରଜା ରାଜାକୁ ବଢ଼ାଇ ପ୍ରଜା

ରକ୍ଷଣ ନ ହେଲେ ରାଜା ବର୍ଦ୍ଧନ ନୋହି ।

ଏକ କାଳେ ସୁବିସ୍ତୀର୍ଣ୍ଣ କମଳରେ ସୁଖାସୀନ

ସବୁ ଲୋକ ଘେନି ସଙ୍ଗେ ବସିଛି ସେହି ।

କେଉଣସି ଦେଶରୁ ବକ ।

ଆସି ନମସ୍କାର କଲା ସେ ଦୀର୍ଘମୁଖ ।୫।

ତାକୁ ଦେଖି ରାଜହଂସ ଡାକିଲା ହେ ଆସ ଆସ

ଦୀର୍ଘମୁଖ କେଉଁଠାରୁ ଅଇଲ ତୁମ୍ଭେ ।

ଅଛି କି କିଛି ବୃତ୍ତାନ୍ତ ସେ କହେ ବଡ଼ ଉଦନ୍ତ

ତାହା କହିବାକୁ ଆସିଅଛୁଁ ହେ ଆମ୍ଭେ ।

ତା ଶୁଣିମା ହେଉ ରାଜନ ।

ଜମ୍ୱୁଦ୍ୱୀପେ ବିନ୍ଧ୍ୟ ନାମେ ପର୍ବତ ଜାଣ ।୬।

ତହିଁରେ ସେ ଚିତ୍ରବର୍ଣ୍ଣ ନାମେ ମୟୂର ରାଜନ

ଅଛି ତାର ଅନୁଚରେ ଦଗ୍ଧାରଣ୍ୟରେ ।

ବୁଲୁଥିଲେ ମୁହିଁ ତହିଁ ଚରୁଥିଲି ମୋତେ ଚାହିଁ

ପଚାରିଲେ କେଉଁଠାରୁ ଅଇଲୁ ତୁରେ ।

ମୁ କହିଲି ମୁ ଅନୁଚର ।

କର୍ପୂର ଦ୍ୱୀପେ ହିରଣ୍ୟଗର୍ଭ ରାଜାର ।୭।

ସେ କହିଲେ ଏ ଦେଶକୁ ଅଇଲୁ କିପାଁ ଆମ୍ଭଙ୍କୁ

କହ ମୁ କହିଲି କଉତୁକେ ଅଇଲି ।

ଶୁଣି ସେ କହିଲେ ପୁଣ ଦୁଇ ଦେଶ ରାଜା ଗୁଣ

ମଧ୍ୟରେ ଅଧିକ କିଏ ଶୁଣି କହିଲି ।

ଆହେ ତୁମ୍ଭେ କି କହୁଅଛ ।

ବହୁତ ଅନ୍ତର ଅଛି କଲେ ସେ କଛ ।୮।

ସେ ଯେଉଁ କର୍ପୂର ଦ୍ୱୀପ ଦ୍ୱିତୀୟ ସ୍ୱର୍ଗ ସ୍ୱରୂପ

ରାଜହଂସ ସ୍ୱର୍ଗପତି ଏ ମରୁସ୍ଥଳ ।

ଏ ସ୍ଥାନରେ ତୁମ୍ଭେ ପଡ଼ି ବୃଥା ମରୁଅଛ ଗଡ଼ି

ଆସ ହେ ଆମ୍ଭ ଦେଶରେ ରହିବା ଚାଲ ।

ଏହା ଶୁଣି ସକ୍ରୋଧ ହେଲେ ।

ଆମ୍ଭର ଉପଦେଶ ନ ମାନି ରହିଲେ ।୯।

ଯେଣୁ ମୂର୍ଖ ଉପଦେଶ ଜାତ କରଇ ବିଦ୍ୱେଷ

ଯେତେ ପ୍ରକାର କହିଲେ ଶାନ୍ତ ନୁହଇ ।

ଭୂଜଙ୍ଗର ପୟଃପାନ କେବଳ ବିଷ ବର୍ଦ୍ଧନ

ତେଣୁ ସୁଜ୍ଞ ଉପଦେଶ ଉଚିତ ହୋଇ ।

ଦେଖ କି ସଦୁପଦେଶରେ ।

ସ୍ଥାନ ଛାଡ଼ି ଗଲେ ପକ୍ଷିମାନେ ବନରେ ।୧୦।

 

ଶୁଣି ରାଜହଂସ କହେ କିରୂପ ଏକଥା ହୋଏ

କହ ବକ ପଚାରନ୍ତେ ସେ ବକ କହି ।

ନର୍ମଦାତୀରେ ପର୍ବତ ଉପତ୍ୟକାରେ ସଂସ୍ଥିତ

ବିଶାଳ ଶିମିଳୀ ବୃକ୍ଷ ବସନ୍ତି ତହିଁ ।

ପକ୍ଷିମାନେ ବର୍ଷାକାଳରେ ।

ନୀଡ଼ ମଧ୍ୟରେ ନିବାସ କରି ବିହିରେ ।୧୧।

 

ଏଥୁଅନ୍ତେ ଜଳଧର କରି ଘୋର ଅନ୍ଧକାର

ସବୁ ଦିଗ ବ୍ୟାପି କଲା ଜଳ ବର୍ଷଣ ।

ଶୀତେ ଥର ଥର ହୋଇ ସେ ତରୁ ମୂଳରେ ଯାଇ

ଠିଆ ହୋଇଣ ରହିଲେ ବାନରଗଣ ।

ଦେଖି ପକ୍ଷିମାନେ କହନ୍ତି ।

ତୁମ୍ଭେ କିପାଁ ଘର କରି ନ ପାର ଏଥି ।୧୨।

ଆମ୍ଭେମାନେ ଏ ଥଣ୍ଟରେ ତୃଣକୁ ଆଣୁ....

ଘର କରି ବଞ୍ଚୁଅଛୁଁ ବୃକ୍ଷ ଉପରେ ।

ତୁମ୍ଭେ ଯେ ସମର୍ଥ ଅଛ କିପାଁଇ ଦୁଃଖ ପାଉଛ

ହସ୍ତ ପଦ ଥାଉ ବଡ଼ ଅଳସୁଆରେ ।

ଶୁଣି ସେ ବାନର କ୍ରୋଧରେ ।

ବୋଇଲେ ଆମ୍ଭଙ୍କୁ ନିନ୍ଦା କରୁ ଅଛରେ ।୧୩।

ହଉ ବୃଷ୍ଟି ରହୁ ଆଜ ବୁଝିବା ତୁମ୍ଭର କାର୍ଯ୍ୟ

ଏମନ୍ତ ବୋଲନ୍ତେ ବୃଷ୍ଟି ରହି ସେ ଗଲା ।

ଉଠି ବୃକ୍ଷ ଉପରକୁ ବସା ଭାଙ୍ଗିଣ ତଳକୁ ।

ପକାଇ ଦିଅନ୍ତେ ଡିମ୍ୱ ଫାଟିଣ ଗଲା ।

ଏହିହେତୁରୁ ସେ ଦୁର୍ଜ୍ଜନ ।

ଉପଦେଶ ନ ଦିଅଇ ସୁଜାଣ ଜନ ।୧୪।

ପୁଣି ରାଜା ପଚାରଇ ଏଥୁ ଅନ୍ତରେ କି ହୋଇ

ବକ କହଇ ଶୁଣ ସେ କ୍ରୋଧେ କହିଲେ ।

କିଏ ସେ ରାଜହଂସକୁ ଦେଇଛି ରାଜପଣକୁ

କହ ବୋଲନ୍ତେ କହିଲି ମୁହିଁ ଯେ ଆରେ ।

ମୟୂରକୁ ରାଜା କେ କଲେ ।

ଏହା ଶୁଣି ସବୁ ମତେ ମାରି ଧାଇଁଲେ ।୧୫।

ଦେଖି ତାଙ୍କ ପରାକ୍ରମ ମୁ ଦେଖାଇଲି ବିକ୍ରମ

ପରାଭବ କାଳେ ନର ଭୂଷଣ ସେହି

ଶୁଣି ହସିଣ ରାଜନ ପୁଣି କହଇ ବଚନ

ଆପଣା ପରର ବଳାବଳ ନ ଚାହିଁ ।

ଯେଉଁଜନ କରଇ କଳି ।

ତାଙ୍କୁ ବଳଥିଲା ଲୋକ ଦିଅଇ ଦଳି ।୧୬।

 

ଏକ .ଜାଗାରେ ଥିଲା ବ୍ୟାଘ୍ର ଚର୍ମ୍ମ ଘୋଡ଼ି ହେଲା

ଧାନ୍ୟ ଖାଉଥିଲା ନିଯେ ଅବୁଦ୍ଧିମାନ ।

ଏକ ଦିନେ ବୋବାଇଲା କ୍ଷେତ୍ରପତି ତା ଶୁଣିଲା

କାଣ୍ଡ ଯେ ବିନ୍ଧିଲା ତାକୁ ମଲା ସେ ଦିନ ।

ବଚନ ଦୋଷରୁ ଏମନ୍ତ ।

ଶୁଣି ବକ ପଚାରେ ଏକଥା କେମନ୍ତ ।୧୭।

 

ଶୁଣି ରାଜା ପୁଣି କହି ହସ୍ତିନାପୁରରେ କେହି

ବିଳାସ ନାମ ରଜକ ଗର୍ଦ୍ଦଭ ତାର ।

ଦୁଆରରେ ବନ୍ଧାଥିଲା ଭାର ବହି ବହି ହେଲା

କୃଶ ତା ଦେଖି ରଜକ କଲା ବିଚାର ।

ବିଚାରିଣ ତାହାକୁ ନେଇ ।

ଘୋଡ଼ାଇ ବ୍ୟାଘ୍ର ଚର୍ମ୍ମରେ ବନେ ଛାଡ଼ଇ ।୧୮।

ଅରଣ୍ୟ ମଧ୍ୟରେ ଧାନ ଚରଇ ସେ ପ୍ରତିଦିନ

ଦିନେ କ୍ଷେତ୍ରପତି ତାକୁ ଦୂରୁ ଦେଖିଲା ।

ବାଘ ବୋଲି ତାକୁ ଜାଣି ପଳାଇଲା ସେହିକ୍ଷଣି

ସେ ଗର୍ଦ୍ଦଭ ପ୍ରତିଦିନ ସୁଖେ ଚରିଲା ।

ଏକ ଦିନେ ସମୀପେ ତାର ।

କେହି କିଆରିଆ ଘୋଡ଼ି ହୋଇ କମ୍ୱଳ ।୧୯।

ଧନୁରେ ଗୁଣକୁ ଦେଇ ଠିଆ ହୋଇଥିଲା ନଇଁ

ଦୂରରୁ ତାହାକୁ ସେ ଗର୍ଦ୍ଦଭ ଦେଖିଲା ।

ଗଧ ଆସୁଅଛି ଜାଣି ଶବଦ କଲା ସେ ପୁଣି

ତାହାର ଅଭିମୁଖକୁ ବେଗେ ଅଇଲା ।

ଗର୍ଦ୍ଦଭ ଏ ବୋଲି ଜାଣିଲା ।

ଅନାୟାସରେ ତାହାର କାଣ୍ଡ ବିନ୍ଧିଲା ।୨୦।

ଏହି ହେତୁରୁ ବିଶେଷ ବଚନ ଦୋଷରୁ ରୋଷ

ହୋଇ ଶୁଣି ଦୀର୍ଘମୁଖ ପୁଣି କହଇ ।

ପଛେ ପକ୍ଷିମାନେ କହି ଆରେ ଦୁଷ୍ଟ ବକ ଥାଇ

ଆମ୍ଭ ଦେଶେ ଆମ୍ଭ ପ୍ରଭୁ ନିନ୍ଦା କରଇ ।

ଏହାକୁ କେ କ୍ଷମା ନ କର ।

ସମସ୍ତେ ଥଣ୍ଟରେ ହାଣି ଏକ୍ଷଣେ ମାର ।୨୧।

ଏତେ ବୋଲି ପୁଣି ରୋଷ ହୋଇ କହିଲେ ରେ ହଂସ

ସବୁ କାଳେ ମୃଦୁ ସେ କି ରାଜତ୍ୱ ଯୋଗ୍ୟ ।

ଦେଖରେ ମୂର୍ଖ ଯେ ଜନ ସ୍ୱ ହସ୍ତରେ ସ୍ଥିତ ଧନ

ରଖି ନ ପାରଇ ତାକୁ ପୃଥିବୀ ଭୋଗ୍ୟ ।

ହେବ କି ତାହାର ରାଜତ୍ୱ ।

ଯେଣୁ ତୁ କୂପ ମଣ୍ଡୁକ କହୁ ଅତତ୍ତ୍ୱ ।୨୨।

 

ଶୁଣ ତୁ ଆରେ ମୂରୁଖ ସେବା କରି ମହାବୃକ୍ଷ

ଫଳ ଛାୟାରେ ଗହନ ସେ ହୋଇ ଥାଇ ।

ଯେବେ ଦୈବେ ଫଳ ନାହିଁ କେ ଛାୟାକୁ ନିବାରଇ

ଏହି ହେତୁ ହୀନାଶ୍ରୟ କରିବ ନାହିଁ ।

ଦେଖ ତୁରେ ଶୁଣ୍ଢି ହସ୍ତରେ ।

ଦୁଧ ଥିଲେ ହେଁ ମଦ ଏ ବୋଲନ୍ତି ନରେ ।୨୩।

 

ଗୁଣବନ୍ତ ବଡ଼ ଲୋକ ନିର୍ଗୁଣରେ ହୋଏ ସ୍ତୋକ

ଦର୍ପଣରେ ଗଜ ପ୍ରତିବିମ୍ୱ ପରାଏ ।

ଯେଉଁ ରାଜା ଅତି ଖ୍ୟାତ ହୋଇ ଥାଇ ଅତି ଶକ୍ତ

ତା ନାମେ ମିଛରେ କଲେ କାର୍ଯ୍ୟ ସେ ହୋଏ ।

ଶଶକ ଚନ୍ଦ୍ରଙ୍କ ନାମରେ ।

ମିଛେ କହି ସୁଖେ ସେ ରହିଲେ ସରରେ ।୨୪।

ପୁଣି ପଚାରିଲି ମୁହିଁ ଏକଥା କହ ହେ ଭାଇ

ପଚାରନ୍ତେ ପକ୍ଷିମାନେ ମତେ କହିଲେ ।

ଦଣ୍ଡକାରଣ୍ୟେ ବର୍ଷରେ ବରଷାର ଅଭାବରେ

ଆକୁଳ ହୋଇଣ ଗଜଯୁଥ କହିଲେ ।

ଗଜପତି ସମୀପ ଯାଇ ।

ଜଳ ବିନା ଅନ୍ଧ କି କରିବୁଁ ଗୋସାଇଁ ।୨୫।

ଶୁଣି ଗଜପତି ଯାଇଁ ଚନ୍ଦ୍ରସରକୁ ଦେଖଇ

ଦେଖିଣ ଆସି ଦେଖାଇ ଦେଲା ତାହାଙ୍କୁ ।

ସେହି ଦିନୁ ପ୍ରତିଦିନ ଚାଲିଲେ ଗଜ ସଇନ

ଚନ୍ଦ୍ର ସରୋବରେ ସ୍ୱଚ୍ଛ ଜଳେ ସ୍ନାନକୁ ।

ତାହାଙ୍କର ପାଦଘାତରେ ।

ତୀରରେ ଥିଲେ ଶଶକ ଚୂର୍ଣ୍ଣ ହୋଇଲେ ।୨୬।

ତହିଁରେ ବୃଦ୍ଧ ଶଶକ ଦେଖି କଲା ବହୁ ଶୋକ

ଗଜପାଦଘାତେ ଆମ୍ଭ କୁଳ ସରିଲା ।

ଏଠାରେ କି କାର୍ଯ୍ୟ ହୋଏ ସେମାନଙ୍କ ମଧ୍ୟେ କହେ

ବିଜୟ ନାମ ଶଶକ ଶୁଣି କହିଲା ।

ଏଥି ପ୍ରତିକାର ଯେ ହେବ ।

ତାହାକୁ ମୁହିଁ କରିବି ଚିନ୍ତା ଛାଡ଼ିବ ।୨୭।

ଏମନ୍ତ ପ୍ରତିଜ୍ଞା କଲା ଗଜ ନିକଟକୁ ଗଲା

ଯାଉଁ ଯାଉଁ ବାଟରେ ମନରେ ବିଚାରି ।

କିରୂପେ ଗଜ ନିକଟେ କହିବି ଅତି ଉତ୍କଟେ

ତାହାର ଛୁଇଁବା ମାତ୍ରେ ଯିବି ମୁ ମରି ।

ଏହିହେତୁ ଗିରିଶିଖର ।

ଆରୋହଣ କରି ମୁ କହିବି ଉତ୍ତର ।୨୮।

 

ଏମନ୍ତ ବିଚାରି ସେହି ଗିରିଶିଖରେ ଆରୋହି

ଆହେ ଯୁଥପତେ ଚନ୍ଦ୍ର ଆଦେଶ ଘେନି ।

ଆସିଛି ହେ ଗଜମୁହିଁ ଗଜ ବୋଲେ କାହିଁପାଇଁ

କହ ଶଶକ କହଇ ଶୁଣ ବହନି ।

ଚନ୍ଦ୍ରଙ୍କର ଆଜ୍ଞା ହୋଇଛି ।

ତୁମ୍ଭେ ସବୁ ଯାହା କଲ ଏ ନୋହେ କିଛି ।୨୯।

 

ଶସ୍ତ୍ର ଉଞ୍ଚାଇଣ ଯେବେ ଠିଆ ହୋଇଥିବ ତେବେ

ଦୂତ ଯାହା କହଇ ସେ ମିଥ୍ୟା ନ ହୋଇ ।

ଯେଣୁ ସତ୍ୟବାଦୀ ଦୂତ ନୁହଇ ବିବାଦୀ ସତ

ତାକୁ କି ତୁମ୍ଭ ପରାଏ ଲୋକ ମାରଇ ।

ସେହି ହେତୁ ତାଙ୍କ ଆଜ୍ଞାରେ ।

କହୁଅଛି ମୋର ଦୋଷ ନାହିଁ ଏଠାରେ ।୩୦।

ଯାହା ତୁମ୍ଭେ ଚନ୍ଦ୍ର ସର ରକ୍ଷକ ଶଶକ କୁଳ

ନିଃଶେଷରେ ନାଶ କଲ ଏ ଅନୁଚିତ ।

ଆମ୍ଭର ଏମାନ ଜାଣ ଦେଖ ଏ ଶଶକ ଚିହ୍ନ

ଏମନ୍ତ ଶୁଣିଣ ଗଜ ସଭୟ ଚିତ୍ତ ।

ଏହା ମୁହିଁ କଲି ନ ଜାଣି ।

ଆଉ ଥରେ ନ କରିବି ଏକଥା ପୁଣି ।୩୧।

ଦୂତ କହେ ପୁଣି ଶୁଣ ହେ ମତ୍ତଗଜ ରାଜନ

ଚନ୍ଦ୍ରେ କୋପେ କମ୍ପୁଛନ୍ତି ଏହି ସରରେ ।

ତାହାଙ୍କୁ କର ପ୍ରସନ୍ନ ଯାଅ ହେ ଗଜ ରାଜନ

ତାହା ଶୁଣି ଯୁଥପତି ଗଲା ସତ୍ୱରେ ।

ଜଳରେ ଚନ୍ଦ୍ରଙ୍କୁ ଦେଖିଲା ।

ଦେବ ମୁ ନ ଜାଣି କଲି ଏହା ବୋଇଲା ।୩୨।

ପୁଣି ଆଉ ନ କରିବ ତୁମ୍ଭ ଆଜ୍ଞା ହେଲେ ଯିବ

ଏପରି ଶଶକ ଗଜପାଇଁ କହିଲା ।

ତାଙ୍କୁ କରି ନମସ୍କାର ଗଲା ଗଜ ଶୀଘ୍ରତର

ଆପଣାର ସ୍ଥାନେ ଯାଇଁ ପ୍ରବେଶ ହେଲା ।

ଏହିହେତୁ କହିଲି ମୁହିଁ ।

ମହାରାଜଙ୍କୁ ସେବିଲେ ମହତ୍ୱ ହୋଇ ।୩୩।

ତଦନ୍ତରେ ମୁ କହିଲି ସେହି ସେ ପ୍ରଭୁ ବୋଇଲି

ମହାନୁଭାବ ଯେ ଅତି ସମର୍ଥ ସେହି ।

ଏହା ଶୁଣି ପକ୍ଷିଗଣ ମୋତେ ବାନ୍ଧି ସେହିକ୍ଷଣ

ଆରେ ପାପ ଆମ୍ଭ ଦେଶେ ଚରୁଛୁ ତୁହି ।

କିପାଁ ଆମ୍ଭ ସ୍ୱାମି ନିନ୍ଦନ ।

କରୁଅଛୁ ବୋଲି ନେଲେ ତା ସନ୍ନିଧାନ ।୩୪।

 

ତାଙ୍କୁ କରି ନମସ୍କାର ଦେବ ଅବଧାନ କର

ଏହି ଦୁଷ୍ଟ ବକ ଆମ୍ଭ ଦେଶେ ଚରଇ ।

ତୁମ୍ଭଙ୍କୁ ନିନ୍ଦା କରଇ ଶୁଣିଣ ରାଜା ବୋଲଇ

କହ ହେ କିଏ ଏହାର ସ୍ୱାମୀ ଅଟଇ ।

କେଉଁଠାରୁ ଏ ଆସିଅଛି ।

କହତ ଶୁଣିମା ମୋର ଇଚ୍ଛା ହେଉଛି ।୩୫।

 

ପକ୍ଷିମାନେ କହୁଛନ୍ତି ଶୁଣ ପକ୍ଷିରାଜ ପତି

ହିରଣ୍ୟଗର୍ଭ ରାଜାର ସେବକ ଏହି ।

କର୍ପୂର ଦ୍ୱୀପରୁ ଆସି- ଅଛି ଜଳସ୍ଥଳ ବାସୀ

ଦୀର୍ଘମୁଖ ନାମ ଖ୍ୟାତ ବକ ବୋଲାଇ ।

ମନ୍ତ୍ରୀ ଗୃଧ୍ର ମୋତେ ପଚାରି ।

ସେଠାରେ କେ ମୋକ୍ଷ ମନ୍ତ୍ରୀ କହ ବିଚାରି ।୩୬।

ସର୍ବଜ୍ଞ ନାମରେ ଚକ୍ର- ବାକ ମନ୍ତ୍ରୀ ସେହୁ ଶୁକ୍ର

ଗୁରୁ ସମ ବିଚାରରେ ମୁହିଁ କହିଲି ।

ଗୃଧ୍ର ବୋଲେ ଏ ଉଚିତ ଯେଣୁ ସ୍ୱଦେଶରେ ଜାତ

କୁଳାଚାର ବିଶୁଦ୍ଧତ ଏହା ଜାଣିଲି ।

ଶାସ୍ତ୍ରଜ୍ଞ ବ୍ୟସନ ରହିତ ।

ପଣ୍ଡିତ ବ୍ୟବହାରଜ୍ଞ ଯେ ସେ ଅମାତ୍ୟ ।୩୭।

ଏଥୁଅନ୍ତେ ଶୁକ କହି କର୍ପୂର ଦ୍ୱୀପ ଯେ ସେହି

ଆଉ ଦ୍ୱୀପମାନେ ସବୁ ଜମ୍ୱୁ ଦ୍ୱୀପରେ ।

ତହିଁରେ ଦେବ ତୁମ୍ଭର ଅଛି ମଧ୍ୟ ଅଧିକାର

ତାହା ଶୁଣି ସତ୍ୟ ବୁଦ୍ଧି ହେଲା ରାଜାର ।

ଯେଉଁ ହେତୁ ରାଜା ବାଳକ ।

ନ ମିଳିଲା ପଦାର୍ଥରେ ହୋଏ କାମୁକ ।୩୮।

ଏଥୁଅନ୍ତେ ମୁହିଁ କହି ବଚନେ ରାଜତ୍ୱ ହୋଇ

ଯେବେ ତେବେ ଜମ୍ୱୁ ଦ୍ୱୀପେ ଆମ୍ଭ ରାଜାର ।

ରାଜତ୍ୱ ଅଛି ଶୁଣିଲା ଶୁକ ପୁଣି ପଚାରିଲା

କିରୂପେ ନିଶ୍ଚୟ ହେବ କହ ବିଚାର ।

ମୁ କହିଲି ହେଲେ ସଂଗ୍ରାମ ।

ରାଜା ପୁଣି ହସ ବୋଲେ ଯାଅ ସ୍ୱଧାମ ।୩୯।

ଯାଇ କରି ତୋର ରାଜ କର ତୁହି ବେଗେ ସଜ

ଏଥୁଅନ୍ତେ ମୁ କହିଲି ଆପଣ ଦୂତ ।

ପଠିଆଅ ସେହି ଯିବ ରାଜା କହେ କିଏ ଯିବ

ଯେଣୁ ଏତେ ଗୁଣ ଥିଲେ ଦୂତ ପ୍ରଶସ୍ତ ।

ଗୁଣବନ୍ତ ଶୁଦ୍ଧ ଯେ ଭକ୍ତ ।

ଯେ ପ୍ରଗଲ୍ଭ କ୍ଷମାବନ୍ତ ପ୍ରତିଭାବନ୍ତ ।୪୦।

 

ବ୍ରାହ୍ମଣତ ବିଶେଷରେ ସତ୍ୟବନ୍ତ ଯେଉଁ ନରେ

ଅବ୍ୟସନୀ ବାଗ୍ମୀଦକ୍ଷ ପ୍ରିୟ ବଚନ ।

ଯାହା ଶୁଣେ ତାହା କହେ ଯେହୁ ଶ୍ରୁତିବନ୍ତ ହୁଏ

ପରଧର୍ମ ଯେ ଜାଣଇ ଏତକ ଜନ ।

ଦୁତି କର୍ମେ ପ୍ରେଷଣ ଯୋଗ୍ୟ ।

ଏତେ ଗୁଣେ ଦୂତ ଥିଲେ ପୃଥିବୀ ଭୋଗ୍ୟ ।୪୧।

 

ଏତେ ଗୁଣଥାଇ ଦୂତ ଅଛନ୍ତି ଏଥି ବହୁତ

ବିଶେଷରେ ଦୂତ କର୍ମ ବ୍ରାହ୍ମଣ କରେ ।

ପ୍ରଭୁଙ୍କୁ ସଂତୋଷ କରେ ସମ୍ପତ୍ତି ବାଞ୍ଚା ନ କରେ

ଦେଖ କାଳକୂଟର କାଳିମା ପରିରେ ।

ଥାଏ ସଦାଶିବ କଣ୍ଠରେ ।

ଶିବଙ୍କ ଶୁଭ୍ରତା କିନ୍ତୁ କେବେ ନ ହରେ ।୪୨।

ଶୁକକୁ ଡାକିଣ କହି ତୁ ଏହା ସଙ୍ଗତେ ଯାଇ

ଆମ୍ଭ ଆଜ୍ଞା ବୋଲି କହ ରାଜହଂସକୁ ।

ଶୁକ କହେ ମୁହିଁ ଯାଇଁ ତୁମ୍ଭର ଆଜ୍ଞାକୁ ପାଇ

ଯେରୂପେ ଆଜ୍ଞା ହେଉଛି ଯିବି ସେଠାକୁ ।

କେବଳ ମୁ ଏହା ସଙ୍ଗରେ ।

ନ ଯିବି ଦୁର୍ଜ୍ଜନ ଚିହ୍ନ ଦେଖି ଏହାରେ ।୪୩।

ଖଳ କରେ ଦୁଶ୍ଚରିତ୍ର ଫଳେ ସାଧୁପରେ ସେହୁ

ଦେଖ ଦଶାନନ ସୀତା ହରଣ କଲା ।

ମହୋଦଧିର ବନ୍ଧନ ହୋଇଲା ଯେ ନିଷ୍କାରଣ

ଏଣୁ ଦୁର୍ଜ୍ଜନ ସଙ୍ଗତେ ଯିବା ନୋହିଲା ।

ଖଳ ସଙ୍ଗେ ସ୍ଥିତି ଯେ କରେ ।

ହଂସ ବତକ ପରାଏ ସେ ଜନ ମରେ ।୪୪।

ଶୁଣି ରାଜା କହେ ବାଣୀ କହ ତୁ ଏକଥା ପୁଣି

ଶୁକ କହେ ଉଜ୍ଜୟିନୀ ଅପନ୍ତରାରେ ।

ଏକ ଯେ ଅଶ୍ୱସ୍ତ ବ୍ରୁମ ଥିଲା ଶାଳଦ୍ରୁମ ସମ

ତହିଁରେ ବାୟସ ହଂସ ଦୁହେଁ ବସିଲେ ।

ଏକ ଦିନେ ପଥିକ ଶ୍ରାନ୍ତ ।

ହୋଇ ଧନୁ କାଣ୍ଡ ଥୋଇ ଛାଇରେ ଶୁପ୍ତ ।୪୫।

ତା ମୁଖେ ସୂର୍ଯ୍ୟ କିରଣ ବ୍ୟାପ୍ତ ଦେଖି ସେହିକ୍ଷଣ

କୃପାରେ ସେ ହଂସ ପକ୍ଷୀ ପ୍ରସାରି ଛାଇ ।

କଲା ନିଦ୍ରା ସୁଖେ ସୁଖ ପ୍ରସାରିତ ଦେଖି କାକ

ପୁରୀଷ ଉତ୍ସର୍ଗ କରି ପଳାଇ ଯାଇ ।

ନିଦ୍ରାରୁ ଉଠି ସେ ଚାହିଁଲା ।

ଉପରେ ହଂସକୁ ଦେଖି କାଣ୍ଡେ ବିନ୍ଧିଲା ।୪୬।

 

ବର୍ତ୍ତକ ବୃତ୍ତାନ୍ତ ଶୁଣ ଦୁର୍ଜ୍ଜନ ସଙ୍ଗର ଗୁଣ

ସମସ୍ତ ପକ୍ଷୀ ଗରୁଡ଼ ଯାତ୍ରାକୁ ଗଲେ ।

ସମୁଦ୍ର ତୀରେ ଗମନ ବର୍ତ୍ତକ କାକ ସଙ୍ଗେଣ

କରନ୍ତେ ଗୋପ ମସ୍ତକେ ଦଧି ଦେଖିଲେ ।

ବାୟସ ତା ଖାଇଲା ପୁଣି ।

ଏଣୁ ଯାଇ ତେଣୁ ଖାଇ ଯାଇ ସେକ୍ଷଣି ।୪୭।

 

ଯେତେବେଳେ ଏ ଚାହଁଇ ଊର୍ଦ୍ଧ୍ୱେ ତାକୁ ନ ଦେଖଇ

ମନ୍ଦଗତି ବର୍ତ୍ତକକୁ ଦେଖଇ ସେହି ।

ଦଧିଭାଣ୍ଡ ହସ୍ତେ ଧରି ଚାହିଁଲା ସେ ଗୋପ ଫେରି

ପଥେ ଦେଖିଲା ବର୍ତ୍ତକ କାକ ପଳାଇ ।

କ୍ରୋଧ ହେଲା ସେହି ଗୋପାଳ ।

ବର୍ତ୍ତକକୁ ମାରି ତା ପୂରାଇଲା କାଳ ।୪୮।

ଏହିହେତୁରୁ ଯେ ମୁହିଁ ଦୁର୍ଜ୍ଜନ ସଙ୍ଗେ ନ ଯାଇ

ପୁଣି ମୁ ବୋଇଲି ଭାଇ ଶୁକ କିପାଁଇ ।

ଏରୂପେ କହୁଛ ମୋତେ କି କହିବା ଆଉ ତୋତେ

ଯେରୂପେ ସେ ରାଜହଁସ ସେରୂପେ ତୁହି ।

ଶୁକ କହେ ଶୁଣରେ ବାବୁ ।

ଯେଉଁରୂପେ କହିଲୁ ତୁ ସେରୂପେ ସବୁ ।୪୯।

ଦୁର୍ଜ୍ଜନ କହେ ବଚନ ହସି କରି ପ୍ରିୟ ଜାଣ

ଅକାଳ କୁସୁମ ପ୍ରାୟ ଭୟ କରାଇ ।

ତୋର ଦୁର୍ଜ୍ଜନ ଲକ୍ଷଣ ବଚନ ବ୍ୟବହାରେଣ

ପ୍ରତ୍ୟକ୍ଷରେ ମୁ ଦେଖିଲି ଶୁଣ ହେ ଭାଇ ।

ଯେଉଁହେତୁ ଦୁଇ ରାଜାର ।

କଳି ହେବାକୁ ବଚନ ନିଦାନ ତୋର ।୫୦।

ପ୍ରତ୍ୟେକ୍ଷରେ ଦୋଷ କରି ଥାଇ ତାହା ଦେଖି କରି

ଶାନ୍ତ୍ୱନା କଲେ ମୁରୁଖ ହୋଇ ସଂତୋଷ ।

ଦେଖ ଆପଣା ଭାର୍ଯ୍ୟାର ଦୋଷ ଦେଖି ରଥକାର

ମନେ ଆନନ୍ଦ ହୋଇଣ ଛାଡ଼ିଲା ରୋଷ ।

ଶୁଣି ତା ଆଶ୍ୱାସ ବଚନ ।

ମୁଣ୍ଡେ ଭାର୍ଯ୍ୟା ଜାର ଧରି କଲା ନର୍ତ୍ତନ ।୫୧।

ଶୁଣି ରାଜା କହେ ପୁଣି ଏକଥା କହ ହେ ଶୁଣି

ମାକୁ ମନ ଅଛି ଶୁକ କହଇ ଶୁଣ ।

ଥିଲା ପୂର୍ବେ ଶ୍ରୀନଗର ମଧ୍ୟେ ଏକ ରଥକାର

ମନ୍ଦ ମତି ନାମ ତାର ଦାରା ଅସତୀ ।

ଶୁଣଇ ସେ ଜାର ସଙ୍ଗତ ।

ଏକତ୍ରରେ ଦିନେ ଦେଖା ନାହିଁ ସାକ୍ଷାତ ।୫୨।

 

ଏକ ଦିନେ ଅନ୍ୟ ଗ୍ରାମ ଯିବା ସେଠାରେ କରମ

କିଛି ଅଛି ବୋଲି ଗଲା କେହି ନ ଜାଣି ।

କିଛି ଦୂର ଗଲା ଯାଇ ଲେଉଟି ଅଇଲା ସେହି

ଘରକୁ ନ ଜାଣେ ତାହା ଭାର୍ଯ୍ୟା ଧର୍ଷଣୀ ।

ଖଟତଳେ ଯାଇ ହୋଇଲା ।

ତୁନି ହୋଇ ଲୁଚି କରି ତହିଁ ଶୋଇଲା ।୫୩।

 

ଖଟତଳେ ଶୋଇବାର ଭାର୍ଯ୍ୟା ନ ଜାଣଇ ତାର

ଅନ୍ୟ ଗ୍ରାମ ଗଲା ଜାଣି ବିଶ୍ୱାସ କଲା ।

ସନ୍ଧ୍ୟାକାଳେ ସେ ଜାରକୁ ଆଣିଲା ସେହି ଘରକୁ

ତାର ସଙ୍ଗେ ଖଟ ପରେ ବିହାର କଲା ।

ସେହି କିଛି ବେଳ ଅନ୍ତରେ ।

ଜାଣିଲା ମୋ ପତି ଅଛି ଖଟର ତଳେ ।୫୪।

ଜାଣିଣ ମଳିନ ମୁଖ ହେଲା ତା ମନରେ ଦୁଃଖ

ତା ଦେଖି କହଇ ଜାର କି ଏ ତୋହର ।

ବିଷାଦ ହେଲା ପରାଇ ମତେ ପରତେ ହୁଅଇ

କ୍ରୀଡ଼ା କରୁ ନାହୁଁ ତୁତ ଅତି ନିର୍ଭର ।

ଶୁଣି ସେ ଅସତୀ କହଇ ।

ମୋର ପ୍ରାଣେଶ୍ୱର ଆଜ ଘରରେ ନାହିଁ ।୫୫।

ଏ ଗ୍ରାମେ ସକଳ ଜନ ପୂର୍ଣ୍ଣ ହେଲେ ହେଁ ଅରଣ୍ୟ

ପ୍ରାୟ ହୋଇଅଛି ମୋତେ ତା ଶୁଣି ଜାର ।

କହତ ଏରୂପେ ପୁଣି ତୋର ଦରଠାରେ ଜାଣି

ନାହିଁ ମୁହିଁ ଦିନେ ସ୍ନେହ ଅଛି ମନରେ ।

ସ୍ୱାମୀ ତୋର କଳହ କର ।

ତା ଶୁଣି ଅସତୀ କହେ ଶୁଣ ବର୍ବର ।୫୬।

କଠିନ ବଚନ କହି       କ୍ରୋଧରେ ନୟନେ ଚାହିଁ

ଯେହୁ ପ୍ରିୟ ତାହାଠାରେ ଯାହାର ପ୍ରୀତି ।

ନ ଭାଙ୍ଗଇ ଯେଉଁ ନାରୀ ସଂସାରରୁ ହୋଇ ପାରି

ଧର୍ମବତୀ ବୋଲି ତାକୁ ଲୋକ କହନ୍ତି ।

ଧବ ଭୂଷା ବିନା ଭୂଷଣ ।

ଧବ ନ ଥିଲେ ଭୂଷଣ ହୋଏ ଦୂଷଣ ।୫୭।

ନଗରରେ ଆଉ ଅବା ଅରଣ୍ୟକୁ ଯାଉ ଅବା

କିବା ପାପୀ ହେଉ ଶୁଦ୍ଧ ହେଉ ଯା ବର ।

ତାଠାରେ ପ୍ରୀତି ଅପାର ଯେଉଁ ନାରୀମାନଙ୍କର

ତାହାଙ୍କର ମଲେ ବାସ ସେ ସ୍ୱର୍ଗପୁର ।

ତୁ ଯେ ପୁଷ୍ପ ପାନ ସମାନ ।

ଚିତ୍ତ ବିକାର ଯୋଗରୁ କଲି ସେବନ ।୫୮।

ସେ ଯେଉଁ ପ୍ରିୟ ମୋହର ମତେ ବିକିବାକୁ ତାର

ଦେବତା ବ୍ରାହ୍ମଣ ଦାନେ ଅଛି ଶକତି ।

ସେ ଜିଇଲେ ମୁ ଜିଇଛି ମଲେ ଅଗ୍ନିରେ ପଶିଛି

ଏକଥା ନିଶ୍ଚୟ ଜାଣ ମୁ ନିଶ୍ଚେଁ ସତୀ ।

ତାର ଦୁଃଖ ହେଲେ ମୁ ଦୁଃଖୀ ।

ଏ ମହାବ୍ରତ ମୋହର ତା ସୁଖେ ସୁଖୀ ।୫୯।

ରୋମ ମାନବ ଦେହରେ ପଞ୍ଚାଶ ଲକ୍ଷ ଉତ୍ତାରେ

ତିନି କୋଟି ପ୍ରମାଣ ସେ ହୋଇଣ ଅଛି ।

ତେତିକି କାଳ ସେ ନାରୀ ହୁଅଇ ସ୍ୱର୍ଗ ବିହାରୀ

ଯେ ମଲା ବରର ସଙ୍ଗେ ଅଗ୍ନି ପଶିଛି ।

ଯେହ୍ନେ ସର୍ପଗ୍ରାହୀ ସର୍ପକୁ ।

ଗର୍ତ୍ତରୁ ନିଅଇ ତେହ୍ନେ ନାରୀ ଧବକୁ ।୬୦।

ଏହା ଶୁଣି ରଥକାର ଧନ୍ୟ ମୁ ଯାହା ଦାର

ସ୍ନେହବତୀ ପ୍ରିୟବାଦୀ ଏରୂପେ କେହି ।

ନାହିଁ ଏମନ୍ତ ବିଚାରି ସ୍ତ୍ରୀ ଜାର ସହିତ କରି

ଖଟକୁ ମୁଣ୍ଡରେ ଧରି ନାଚିଲା ସେହି ।

ଏହିହେତୁ କହିଲି ମୁହିଁ ।

ପ୍ରତ୍ୟକ୍ଷେ ଦୋଷ ଦେଖିଲେ ବିଶ୍ୱାସ ନାହିଁ ।୬୧।

ତଦନ୍ତରେ ସେହି ରାଜା ମତେ କରି ବହୁ ପୂଜା

ଲୋକ ବ୍ୟବହାର ଚାହିଁ ଯାଅ ବୋଇଲା ।

ଶୁକ ଯେ ପଛେ ମୋହର ଆସୁଛି ଅତି ସତ୍ୱର

ବିଚାରିଣ କାର୍ଯ୍ୟ କର ଯେ ହେବ ଭଲ ।

ଚକ୍ରବାକ ହସି କହଇ ।

ଦୀର୍ଘମୁଖ ଯାଇଥିଲେ କଳି ଭିଆଇ ।୬୨।

 

ବକ ଦେଶାନ୍ତର ଯାଇ ଆପଣା ଶକ୍ତିକି ଚାହିଁ

ଉତ୍ତମ କାର୍ଯ୍ୟ କରିଣ ଅଇଲା ଧାଇଁ ।

ସ୍ୱଭାବ ଏ ଦୁର୍ଜ୍ଜନର ତୁଚ୍ଛା କଳି କରିବାର

ସୁଜନ ଚିତ୍ତ କେବେହେଁ ବିକୃତ ନୋହି ।

ରାଜା ବୋଲେ ବିଚାର କର ।

ଗଲା କଥା ଚିନ୍ତା କଲେ କି ହେବ ଆର ।୬୩।

ଚକ୍ରବାକ କହେ ଶୁଣି ଏକାନ୍ତେ କହିବି ପୁଣି

କେହି ନ ଜାଣିବ ଯାହା କହିବି ମୁହିଁ ।

ଯେଉଁ ହେତୁରୁ ନିପୁଣ ଜନ ଜାଣେ ଆକାରଣ

ବର୍ଣ୍ଣ ଗତି ଚେଷ୍ଟା ନେତ୍ର ଆକାର ଚାହିଁ ।

ସର୍ବେ ଗଲେ ଏମନ୍ତ ଶୁଣି ।

ଚକ୍ରବାକ କହୁଅଛି ରାଜାଙ୍କୁ ପୁଣି ।୬୪।

ଏମନ୍ତ ମୁହିଁ ଜାଣିଛି ଆମ୍ଭର ହିତରେ ଅଛି

ଯେହି କେହି ନିଯୋଗୀ ତାହାର ବିଚାରେ ।

ଏହି ବକ ଯାଇକରି ତାଙ୍କ ସଙ୍ଗେ କଳି କରି

ଶୁକକୁ ଘେନିଣ ସଙ୍ଗେ ଆସି ଏଠାରେ ।

କହିବାରୁ ସବୁ ଜାଣିଲି ।

କେ ଏହାକୁ ପଠିଆଇ କଲା ମଣିଲି ।୬୫।

ଧନୀ ଯେବେ ରୋଗୀ ହୋଇ ବୈଦ୍ୟର ସେ ପ୍ରାଣ ହୋଇ

ବ୍ୟସନୀ ସେ ହୋଇ ଏକା ନିଯୋଗୀ ଜନ ।

ମୂର୍ଖଠାରେ ଯେବେ ଧନ ସେ ମୂର୍ଖ ପଣ୍ଡିତ ପ୍ରାଣ

ଧନବନ୍ତ ଦୁଷ୍ଟଜନ ରାଜା ଜୀବନ ।

ସଂସାରରେ ସମସ୍ତ ଜନ ।

ଯାହାରୁ ଯେ କାର୍ଯ୍ୟ ହୁଏ ସେ ତା ଜୀବନ ।୬୬।

ରାଜା କହେ ମନ୍ତ୍ରୀ ଶୁଣ ହେଉ ଏଠାରେ କାରଣ

ନିରୂପଣ ଥାଉଁ ପଛେ ଏହା କରିବ ।

ବର୍ତ୍ତମାନ କି କରିବା କିରୂପେ ଏଥୁଁ ତରିବା

ଚକ୍ରବାକ କହେ ଦେବ ଚାର ସେ ଯିବ ।

ଏଥୁଅନ୍ତେ ବଳ ଅବଳ ।

ତାହାର ଆମ୍ଭର ଜାଣି କର ବିଚାର ।୬୭।

ସ୍ୱରାଜ୍ୟ ପର ରାଜ୍ୟରେ କେଉଁ ଅକାର୍ଯ୍ୟ କେ କରେ

ଏହା ଦେଖିବାକୁ ଚାର ଚକ୍ଷୁ ରାଜାର ।

ନେତ୍ରହୀନ ଯେଉଁଜନ ଚାର ହୀନ ଯେ ରାଜନ

ଦୁହେଁ ଅନ୍ଧ ବୋଲି ଜାଣ ନାହିଁ ସଞ୍ଚାର ।

ଦ୍ୱିତୀୟ ହିତ ଜନ ଘେନି ।

ସେ ଚର ଯାଉ-ଏରୂପେ ଯାଆନ୍ତୁ ବେନି ।୬୮।

ଚର ସେଠାରେ ରହିଣ ସମସ୍ତ କାର୍ଯ୍ୟ ବୁଝିଣ

ଦ୍ୱିତୀୟ ପାତ୍ରକୁ ପେଶୁ ଏଠାକୁ ବେଗେ ।

ତୀର୍ଥ ଆଶ୍ରମ ଦେବତା ସ୍ଥାନେ ଯେ ଶାସ୍ତ୍ର ବିଜ୍ଞତା

ସେ ଚାର ତପସୀରୂପ ଧରି ତୋ ଆଗେ ।

କରି ସତ୍ୱ ସମ୍ଭାକ୍ଷଣକୁ ।

ଯାଉ ବେଗେ କପଟରେ ସେହି ଦେଶକୁ ।୬୯।

ଜଳେ ସ୍ଥଳେ ଚରୁଥିବ ସେହି ଗୂଢ଼ ଚର ହେବ

ଦୁଇଠାରେ ସେବା ଥିବ ବୁଝ ରାଜନ ।

ଯେରୂପେ କେବଣ ଜନ ବିଚାରି ବିଚାରି ମନ

ଭିତରୁ କହେ ସେ ବକରୁ ନାହିଁ ଆନ ।

ଅନ୍ୟ ବକ ନିଯୋଗ କର ।

ତାର ଗୃହ ଲୋକ ଆଣ ଏ ରାଜଘର ।୭୦।

 

ସୁଗୁପ୍ତ କର ଏ କାର୍ଯ୍ୟ କେହି ନ ଜାଣୁ ସେ ଆଜ

ଷଟକର୍ଣ୍ଣ ହେଲେ ମନ୍ତ୍ର ଫାଟିଣ ଯାଇ ।

ଏଣୁ ଦୁଇ ଜଣେ ମନ୍ତ୍ର କରିଣ ପାତିବ ଯନ୍ତ୍ର

ଯେରୂପେ ସେ ଯନ୍ତ୍ରେ ପଡ଼ି ଉଠି ନ ଯାଇ ।

ମନ୍ତ୍ର ଭେଦେ ଯେ ଦୋଷ ହୋଏ ।

ରାଜା ତାର ସମାଧାନ କରିବ କିଏ ।୭୧।

 

ରାଜା ବିଚାରି କହଇ ଅନ୍ୟ ଚର ଆସି ହୋଇ

ମନ୍ତ୍ରୀ କହେ ତେବେ ତୋର ଜୟ ଯୁଦ୍ଧରେ ।

ଏଥୁଅନ୍ତେ ଦ୍ୱାରପାଳ ପ୍ରବେଶ ହେଲା ସେ କାଳ

ନମସ୍କାର କରି କହେ ଶୁକ ଦ୍ୱାରରେ ।

ବସିଅଛି ତୁମ୍ୱୁ ଦେଖିବ ।

ଜମ୍ୱୁ ଦ୍ୱୀପରୁ ଆସିଛି ଯେ ଆଜ୍ଞା ହେବ ।୭୨।

ଚକ୍ରବାକ କହେ ଶୁଣି ବସାଘରେ ରଖ ଆଣି

ପଛେ ରାଜାଙ୍କୁ ଦେଖିବେ ଯାଆନ୍ତୁ ଆଜ ।

ଶୁଣି ଦ୍ୱାରପାଳ ଗଲା ରାଜା ମନ୍ତ୍ରୀଙ୍କି ଚାହିଁଲା

କହିଲା ବିଗ୍ରହ ଆସି ହେଲା କି କାର୍ଯ୍ୟ ।

କରିବା ହେ କହନ୍ତୁ ମନ୍ତ୍ରୀ ।

ମନ୍ତ୍ରୀ ବୋଲଇ ବିଗ୍ରହ ନୁହଇ ନୀତି ।୭୩।

କାର୍ଯ୍ୟ ସହାୟ ଶଚୀବ ବୁଦ୍ଧି ସହାୟ ଯେ ହେବ

ଏ ଦୁଇ ମନ୍ତ୍ରୀ ଯେବେ କି ଆଦ୍ୟରୁ ଯୁଦ୍ଧ ।

ରାଜାକୁ କହନ୍ତି କର ନ କଲେ ସ୍ଥାନକୁ ଛାଡ଼

ତେବେ ଦୁହେଁ ବିଚାରେ ହୁଅନ୍ତି ଅସିଦ୍ଧ ।

ଶତ୍ରୁ ଜୟ ଯତ୍ନେ ବିଚାରି ।

ଯେଣୁ ଅନିତ୍ୟ ବିଜୟ ଯୁଦ୍ଧ ନ କରି ।୭୪।

ଯେଉଁଜନ ବିନା ରଣ କରଇ ଶତ୍ରୁ ସାଧନ

ସେହି ଜନ ଶୂର ବୋଲି ଲୋକେ କହନ୍ତି ।

ପର ସାମର୍ଥ୍ୟ ନ ଜାଣି କହଇ ବହୁ କାହାଣି

 

ଯେଉଁଜନ ତାହାକୁ କି ଶୂର ବୋଲନ୍ତି ।

ଦାରୁ ଲାଗି ଉଠେ ପଥର ।

ଯେହ୍ନେ ତେହ୍ନେ ପାଣି ଲାଗି ନୋହେ ସଫଳ ।୭୫।

ଅଳ୍ପ ଉପାୟ କରଇ ବହୁ କାର୍ଯ୍ୟକୁ ସାଧଇ

ବିଚାରର ଫଳ ଏଟି ଶୁଣ ରାଜନ ।

ବିଗ୍ରହ ଉଦୟ ଦେଖି ବ୍ୟବହାର କର ଯୋଖି

କାଳେ ଯେହ୍ନେ କୃଷି ଫଳବନ୍ତ ତୁ ଜାଣ ।

ସେହିରୂପେ ଏ ନୀତି ହୋଇ ।

ଅଳ୍ପକାଳେ ନ ଫଳଇ ଗିରେ ଫଳଇ ।୭୬।

 

ଦୁରୁଂ ଦେଖି ଭୟ କରେ ନିକଟରେ ଘୃଣା.

ବଡ଼ ଲୋକମାନଙ୍କର ଏ ଦୁଇ ଗୁଣ ।

ନିଶ୍ଚେ ବିପତ୍ତି ପଡ଼ିଲେ ନ ଚଳଇ ବୁଦ୍ଧି ହେଳେ

ଏତେ ଗୁଣ ଯାର ଅଛି ସେ ବଡ଼ ଜାଣ ।

ମହାବଳ ସେ ଚିତ୍ରବର୍ଣ୍ଣ ।

ବୁଝିଲେ ଆମ୍ଭର ବଳ ତହିଁରୁ ହୀନ ।୭୭।

 

ବଳବନ୍ତ ସଙ୍ଗେ ଯୁଦ୍ଧ କରିବାର ନୋହେ ସିଦ୍ଧ

ହସ୍ତୀ ସଙ୍ଗେ ନର ପାଦ ଯୁଦ୍ଧ ପରାଏ ।

କାଳକୁ ନ ଚାହିଁ ଯେହୁ ଅପକାର କରେ ସେହୁ

ମୂରୁଖ ବୋଲି ଜାଣଇ ମହାରାଜ ହେ ।

ବଳବନ୍ତ ସଙ୍ଗରେ କଳି ।

କଲେ ପକ୍ଷୁବନ୍ତ କୀଟ ପରାଏ ମରି ।୭୮।

ଅକାଳେ କୂର୍ମ ପରାଏ ସଙ୍କୋଚ କରିଣ କାୟେ

ଯେତେ ଅପକାର କଲେ ତାହା ସହିବ ।

ଯେତେବେଳେ କାଳ ହେବ       ସେତେବେଳେ ନ ସହିବ

କ୍ରୂର ସର୍ପ ପ୍ରାୟ ହୋଇ ରିପୁ ନାଶିବ ।

ଷଡ଼ ସଜ୍ଜ କର୍ମ ଭିତରେ ।

ତାର ଦୂତ ଶୂକ ଥାଉ ଆମ୍ଭ ଘରରେ ।୭୯।

ଯେହି କେହି ଜନ ଅଳ୍ପ ହୋଇଥିଲେ ହେଁ ବିକଳ୍ପ

ନ କରିଣ ସେ ଯେବେ ଉପାୟ ଜାଣଇ ।

ତେବେ ଯେ ସେ ବଡ଼ ହେଲେ ତାକୁ ଉପାଡ଼ଇ ହେଳେ

ତୃଣ ପରାଏ ସେ ପୁଣି ଉଡ଼ିଣ ଯାଇ ।

ଦେଖ ନଦୀ ବେଗକୁ ତୁହି ।

ବୃକ୍ଷମାନଙ୍କୁ ଉପାଡ଼ି ପକାଏ ସେହି ।୮୦।

ଗଡ଼ ପାଖେ କାନ୍ଥି ଦେଇ ଯେବେ ଧନୁର୍ଦ୍ଧର ଥାଇ

ଏକା ହେଲେ ଶଏ ଲୋକ ସଙ୍ଗେ ଯୁଝଇ ।

ଶତ ଶତ ଲକ୍ଷ ଲକ୍ଷ ଲୋକକୁ କରଇ ଲକ୍ଷ୍ୟ

ଏହିହେତୁରୁ ସେ ଦୁର୍ଗ ଅଧିକ ହୋଇ ।

ଯେବେ ରାଜା ଦୁର୍ଗେ ନ ଥାଇ ।

ପୋତ ଚ୍ୟୁତ ମାନବ ପରାଏ ହୁଅଇ ।୮୧।

ଗଡ଼ ବେଢ଼ି ଯେ କରିବ ଚାରି ପାଖେ ଜଳି ଥିବ

ପର୍ବତ ପାଚାରୀ ଚାରି ପାଖରେ ଥିବ ।

ସଲିଳ ଯନ୍ତ୍ର କରିବ ନଦୀ ବନ ବେଢ଼ିଥିବ

କଣ୍ଟା ଖୁଣ୍ଟା ପଙ୍କ ଖାଲ ବିସ୍ତାର ହେବ ।

ରସ ଧାନ୍ୟ କାଷ୍ଠ ପ୍ରବେଶ ।

ହେଉଥିବ ଯାଉଥିବ ସେ ଦୁର୍ଗ ଦେଶ ।୮୨।

ଏ ସାତ ଦୁର୍ଗ ସମ୍ପତ୍ତି ବେଗେ କର ହେ ନୃପତି

ରାଜା କହେ କେ କରିବ ସେ ଗଡ଼ ସଜ ।

ଚକ୍ରବାକ ଶୁଣି କହି ଯେଉଁ କାର୍ଯ୍ୟେ ଯେ ହୁଅଇ

ତାହାକୁ ତହିଁରେ ଯୋଜି ହେ ମହାରାଜ ।

ଯିଏ ଯେଉଁ କର୍ମ ନ ଜାଣି ।

ସେ ଶାସ୍ତ୍ରଜ୍ଞ ହେଲେ ତାହା ନ କରେ ପୁଣି ।୮୩।

ସେହିହେତୁ ସାରସକୁ ବେଗରେ ଡାକ ଏଠାକୁ

ଡାକନ୍ତେ ସାରସ ଆସି ପ୍ରବେଶ ହେଲା ।

ତାହାକୁ ଆଶ୍ୱାସ କରି ରାଜା କହଇ ବିଚାରି

ସାରସ ତୁ ଗଡ଼ ସଜ୍ଜ କର ବୋଇଲା ।

ନମସ୍କାର କରି ସାରସ ।

ବୋଲେ ବହୁକାଳୁ ସଜ୍ଜ ସେ ଦୁର୍ଗବାସ ।୮୪।

ଏହି ସର ଗଡ଼ ଜାଣ ମଧ୍ୟ ଦ୍ୱୀପେ ରଖ ଧାନ

ସର୍ବ ସଂଗ୍ରହରୁ ଭଲ ଧାନ୍ୟ ରକ୍ଷଣ ।

ଦିବ୍ୟ ସ୍ୱର୍ଣ୍ଣ ମୁଖେ ନେଇ ଦେଲେ କି ପ୍ରାଣ ରହଇ

ଉତ୍ତମ ଳବଣ ରସ ରସରେ ଜାଣ ।

ରଖ ତାକୁ ତାତ୍ପର୍ଯ୍ୟ କରି ।

ତା ବିନା ବ୍ୟଞ୍ଜନ ହୋଏ ଗୋବର ପରି ।୮୫।

ରାଜା କହିଲେ ସତ୍ୱର ଯାଇ ତୁମ୍ଭେ ଏହା କର

ଏ ସମୟେ ଦ୍ୱାରପାଳ ପ୍ରବେଶ ହୋଇ ।

କହଇ ହେ ଦେବ ଶୁଣ ସିଂହଳ ଦ୍ୱୀପରୁ ଜାଣ

ଆସିଅଛି ମେଘବର୍ଣ୍ଣ ବାୟସ କେହି ।

ଆପଣାର ଭୃତ୍ୟ ଘେନିଣ ।

ସେ ବୋଲୁଛି କରିବି ମୁ ରାଜ ଦର୍ଶନ ।୮୬।

 

ଶୁଣି ରାଜା କହେ ପୁଣ ସର୍ବଜ୍ଞ ସେ କାକ ଜାଣ

ତାହାକୁ ଚାକର ରଖିବାର ଉଚିତ ।

ଚକ୍ରବାକ ବୋଲେ ଥାଉ ଏ କଥା ଏରୂପେ ହେଉ

ହେଲେ କି ହେବ କି କାକ ଏ ସ୍ଥଳଗତ ।

ତେଣୁ ଏ ଆମ୍ଭର ବିପକ୍ଷ ।

ଏହାକୁ ରଖିଲେ ଆମ୍ଭେ ହେବା ଅରକ୍ଷ ।୮୭।

ଆତ୍ମପକ୍ଷ ଛାଡ଼ି କରି ଯେ ପରପକ୍ଷ ଆଦରି

କରେ କର୍ମ ନୀଳବର୍ଣ୍ଣ ଶୃଗାଳ ପ୍ରାୟେ ।

ସେ ନାଶକୁ ଯାଇ ଜାଣ ଏକଥା ନୁହଇ ଆନ

ରାଜା ପଚାରେ ଏ କଥା କିରୂପେ ହୋଏ ।

ଶୁଣି ଚକ୍ରବାକ କହଇ ।

ଏକ ଦେଶେ କଉଣସି ଶୃଗାଳ ଥାଇ ।୮୮।

ଏକ କାଳେ ସେ ନଗରେ ବୁଲୁଥିଲା ଯେ ରାତ୍ରରେ

ପ୍ରାନ୍ତେ ନୀଳ ପାଣି ହାଣ୍ଡି ମଧ୍ୟେ ପଡ଼ିଲା ।

ଉଠିବାକୁ ତା ଭିତର ନ ପାରିଲା ଯେଣୁ ଫେର

ପ୍ରାତଃକାଳେ ମୃତ ପ୍ରାୟ ପଡ଼ି ରହିଲା ।

ଏଥୁଅନ୍ତେ ତନ୍ତି ଦେଖିଲା ।

ବାହାର କରି ତାହାକୁ ଦୂରେ ଫିଙ୍ଗିଲା ।୮୯।

ଏଥୁଅନ୍ତେ ସେହିଠାର ବନକୁ ଯାଇଣ ଫେର

ଦେଖି କରି ଆପଣାକୁ ବିଚାର କଲା ।

ବର୍ତ୍ତମାନ ମୁହିଁ ଆଜ ସାଧିବି ଆପଣା କାର୍ଯ୍ୟ

ଏମନ୍ତ ବିଚାରି ଆତ୍ମ ଜାତି ଗାଇଲା ।

ଡାକି କହେ ଦେଖ ମୋ ବର୍ଣ୍ଣ ।

ସବୌଷଧିରେ ସେ ହୋଇଅଛି ଏସନ ।୯୦।

ବନରାଜ୍ୟେ ଅଭିଷେକ କଲେ ଦେବୀ ମୋତେ ଏକ

କହିଲେ ଯେ ବଣ୍ୟ ପଶୁ ତାଙ୍କ ଉପରେ ।

କରି ରାଜ ଅଧିକାର ଏହି ବନର ଭିତର

ସମସ୍ତଙ୍କୁ ପାଳି ଦେଇ କର ବେଭାର ।

ତାହା ଶୁଣି ସର୍ବ ଶୃଗାଳ ।

ଷାଷ୍ଟାଙ୍ଗ ପାଦରେ ପଡ଼ି କଲେ ଜୁହାର ।୯୧।

 

କହିଲେ ଦେବ ଯେ ଆଜ୍ଞା କରିବୁଁ ନାହିଁ ଅବଜ୍ଞା

ଆଜ୍ଞା ପ୍ରମାଣେ କରିବୁଁ କାର୍ଯ୍ୟ ବୋଇଲେ ।

ଏହି କ୍ରମେ ପଶୁଗଣ କଲେ ତା ପାଦେ ସେବନ

ସ୍ୱଜ୍ଞାତିଙ୍କି ଘେନି ସେହି କାର୍ଯ୍ୟ ସାଧିଲେ ।

ଏଥୁଅନ୍ତେ ସିଂହ ଶାର୍ଦ୍ଦୂଳ ।

ପ୍ରବେଶ ହୋଇଲେ ଆସି ଆଗେ ତାହାର ।୯୨।

 

ଏହାଙ୍କୁ ଦେଖି ଶୃଗାଳ ଲାଜରେ ହୋଇ ବିକଳ

ସବୁ ଜ୍ଞାତିମାନଙ୍କୁ ଆଦର ନ କଲା ।

ତା ଦେଖି ସର୍ବ ଶୃଗାଳ ମନରେ ହେଲେ ବିକଳ

ତା ଦେଖି ବୃଦ୍ଧ ଜମ୍ୱୁକ ତାଙ୍କୁ କହିଲା ।

କିପାଁ ତୁମ୍ଭେ ବିଷର୍ଣ୍ଣ ଚିତ୍ତ ।

ହେଉଅଛ ଆମ୍ଭ ଜାଣୁ ଏଥିର ତତ୍ତ୍ୱ ।୯୩।

ଏତ ନୀତି ନ ଜାଣଇ ତେଣୁ ଅନୀତି କରଇ

ଯେଣୁ ଜାତି ଛାଡ଼ି ଅଜାତିକି ଭଜଇ ।

ମୁ ଜାଣଇଁ ଏହା ମର୍ମ୍ମ ଯହିଁରୁ ଏଡ଼େ କରମ

ଯେଉଁରୂପେ ମରିବ ତା କରିବି ମୁହିଁ ।

ଏ ଯେ ସିଂହ ବ୍ୟାଘ୍ର ଅଛନ୍ତି ।

ବର୍ଣ୍ଣ ମାତ୍ର ଦେଖି ଜାତି କେ ନ ଜାଣନ୍ତି ।୯୪।

ଯେରୂପେ ଜାଣିବେ ସେହି ସେରୂପେ ଉପାୟ କହି

ଶୁଣ ତୁମ୍ଭେ ସନ୍ଧ୍ୟାକାଳେ ତାର ନିକଟ ।

ଯାଇ କର ମହାରାବ ଶୁଣିଣ ସେହୁ କରିବ

ଯାହାର ଯେ ସ୍ୱଭାବ ସେ ହୋଏ ପ୍ରକଟ ।

ଯେବେ ଶ୍ୱାନ ରାଜା ହୁଅଇ ।

ପାଣ୍ଢୋଇକି ଦନ୍ତରେ କି ନ କାମୁଡ଼ଇ ।୯୫।

ଏଥୁଅନ୍ତେ ଶବ୍ଦ ଶୁଣି ସେମାନେ ତା ଜାତି ଜାଣି

ମାରିବେ ତା ଶୁଣି ଶବ୍ଦ କଲେ ସେମାନେ ।

ତାଙ୍କ ଶବ୍ଦ ସେହି ଶୁଣି ବୋବାଇଲା ସେହିକ୍ଷଣି

ମାରି ପକାଇଲେ ଜାଣି ସେମାନେ ବନେ ।

ଯାର ମର୍ମ ଯେ ଜାଣେ ସେହି ।

ତାକୁ ଅଗ୍ନି ଶୁଷ୍କ ବୃକ୍ଷପରି ଜାଳଇ ।୯୬।

ଏହି ହେତୁରୁ କହୁଛି ପର ପକ୍ଷ ଯେ ରହୁଛି

ଏଥିରୁ ଅକାର୍ଯ୍ୟ ହେବ ଶୁଣ ରାଜନ ।

ରାଜା କହଇ ସ୍ୱରୂପେ ଯେବେ ଏକଥା ଏରୂପେ

ତେବେ ଦୂରୁ ଆସିଅଛି ଦେଖ ଏ ଜନ ।

ରଖିବାର ଭଲ ବିଚାର ।

ଶୁଣି ଚକ୍ରବାକ କହେ ପେଶିବା ଚାର ।୯୭।

ଗଡ଼ତ ସଜ ହୋଇଲା ସବୁଠାରେ ସବୁ ହେଲା

ଶୁକକୁ ଡକାଇ ଆଣ କରି ଆଦର ।

ସାତ ପାଞ୍ଚ କଥା କହି ତାଙ୍କୁ ଦିଅ ପଠିଆଇ

ଦେବ ସେ ବେଗରେ ଯାଉ ଆପଣା ପୁର ।

ଏଥୁଅନ୍ତେ ସେ ସଭା କଲେ ।

ଶୁକ କାକ ଦୁହିଁକି ଡକାଇ ଆଣିଲେ ।୯୮।

ଦତ୍ତାସନେ ବସି କରି ଶିର କିଛି ନମ୍ର କରି

ଶୁକ କହୁଅଛି ଆହୋ ହିରଣ୍ୟଗର୍ଭ ।

ଯେବେ ତୋ ଶ୍ରୀ ଜୀବନରେ କାର୍ଯ୍ୟ ଅଛି ସତ୍ୱରରେ

ତେବେ ତାଙ୍କ ପାଦ ସେବ ସହିବେ ସର୍ବ ।

ଅପରାଧ ଏରୂପେ ଆଜ୍ଞା ।

ଦେଇଛନ୍ତି ଚିତ୍ରବର୍ଣ୍ଣ ଛାଡ଼ ଅବଜ୍ଞା ।୯୯।

ଯେବେ ଏହା ନାହିଁ କର ରହିବାକୁ ସ୍ଥାନ କର

ସେ ରାଜାଧିରାଜ ଯେବେ କରିବେ ରୋଷ ।

ତୁମ୍ଭର ଯେ ଦଶା ହେବ ପଛେ ତା ପୁଣି ବୁଝିବ

ଏହା ଶୁଣି ରାଜା କୋପ ହେଲା ଅଶେଷ ।

ବୋଲେ ମୋର କେହି ନାହିଁ କି ।

ଉଠି ମେଘବର୍ଣ୍ଣ ବୋଲେ କହ କାହିଁକି ।୧୦୦।

ଦେବ ଆଜ୍ଞା ଯେବେ ଦେବ       ମାରିବି ଏ ଦୁଷ୍ଟ ଜୀବ

ଶୁଣି ଚକ୍ରବାକ ରାଜା କାକକୁ କହେ ।

ବହୁତ ଶାନ୍ତ୍ୱନା କରି ଯେବେ ଏ କଥା ନ କରି

ଦୂତ ବଦ୍ଧ କରିବାର ଉଚିତ ନୋହେ ।

ଯେଉଁ ସଭା ବୃଦ୍ଧ ରହିତ ।

ସେ ସଭା ହୁଅଇ ଲୋକେ ବଡ଼ ନିନ୍ଦିତ ।୧୦୧।

 

ଯେ ବୃଦ୍ଧ ଧର୍ମ ନ କହେ ସେହି ବୃଦ୍ଧ ବୃଦ୍ଧ ନୋହେ

ଯେଉଁଠାରେ ସତ୍ୟ ନାହିଁ ସେ ଧର୍ମ ନୋହି ।

ଯହିଁରେ କପଟ ଥାଇ ସେ ସତ୍ୟ ସତ୍ୟ ନୁହଇ

ଏହିହେତୁ ରାଜା ବୃଦ୍ଧ ସେବା କରଇ ।

ଦୂତ ମ୍ଳେଚ୍ଛ ହେଲେ ଅବାଧ୍ୟ ।

ଯେଉଁ ହେତୁ ରାଜା ଦୂତ ଆନନସିଦ୍ଧ ।୧୦୨।

ଯାହାର ଯେ ଦୂତ ହୋଇ ତାର ସେ ବଡ଼ାଇ କହି

ଯାହାଠାକୁ ଯାଇ ତାର ନିନ୍ଦା କହଇ ।

ଏଣୁ ଏ ଦୂତ ବଚନ କେହି ନ ମଣଇ ଆନ

ସର୍ବଦା ଅବାଧ ଭାବେ ସେହୁ ବୋଲଇ ।

ଶୁଣି ରାଜା କାକ ସେ ଶାନ୍ତ ।

ହେଲେ ଏହା ଶୁଣି ଶୁକ ଗଲା ତ୍ୱରିତ ।୧୦୩।

ଚକ୍ରବାକ ଶୁକ ଆଣି ବହୁ ପ୍ରବୋଧିଣ ପୁଣି

ଖଡ଼ୁ ନୋଳି କଣ୍ଠି ମାଳା ଦେଇ ଭେଜିଲା ।

ଶୁକ ବିନ୍ଧ୍ୟାଚଳ ଯାଇ ରାଜାଠାରେ ଭେଟ ହୋଇ

ସାଷ୍ଟାଙ୍ଗେ ପାଦତଳରେ ପଡ଼ି ଶୋଇଲା ।

ରାଜା କହେ କି ବାର୍ତ୍ତା ଶୁକ ।

କେମନ୍ତ ଦେଶ ଦେଖିଲୁ କେମନ୍ତ ଲୋକ ।୧୦୪।

ଶୁକ କହେ ରାଜା ଶୁଣ ସଂକ୍ଷେପ ଏ ବାର୍ତ୍ତା ଜାଣ

ଯୁଦ୍ଧରେ ଉଦ୍ଯୋଗ କର ଥାଉ ବିଚାର ।

କର୍ପୂର ଦ୍ୱୀପ ଯେ ଦେଶେ ସେ ସ୍ୱର୍ଗର ଏକ ଦେଶ

ତାକୁ ନିର୍ଣ୍ଣୟ କରିବ ଆଉ କେ ଛାର ।

ଶୁଣି ରାଜା ଶିଷ୍ଟ ଲୋକଙ୍କୁ ।

ଡାକିଲା ବିଚାର କରିବାକୁ ସଭାକୁ ।୧୦୫।

ସମସ୍ତଙ୍କୁ ରାଜା ଭାଷି ବିଗ୍ରହ ପଡ଼ିଲା ଆସ

ଏଠାରେ ଯେ କାର୍ଯ୍ୟ ତାହା ତୁମ୍ଭେ କହତ ।

ଯେରୂପେ ଆମ୍ଭର କାର୍ଯ୍ୟ ହେବ ଶତ୍ରୁର ଅକାର୍ଯ୍ୟ

ଯେରୂପରେ ଆମ୍ଭର ରହିବ ମହତ୍ୱ ।

ବିଗ୍ରହତ ହେଲା ଆରମ୍ଭ ।

ଶୁକ କହିଲା ସେ ଗଡ଼ କରିଛି ଦମ୍ଭ ।୧୦୬।

 

ଯେବେ ଅସନ୍ତୋଷ ହୋଇ ବ୍ରାହ୍ମଣ ନାଶ ଭଜଇ

ସନ୍ତୁଷ୍ଟ ହୋଇଲେ ରାଜା ନାଶ ହୁଅଇ ।

ବେଶ୍ୟା ଯେବେ ଲାଜ ପାଇ ଢାଳେହେଁ ସେ ନାଶ ଯାଇ

କୁଳସ୍ତ୍ରୀ ନିର୍ଲ୍ଲଜ୍ଜ ହେଲେ ନାଶ ଭଜଇ ।

ଦୂରଦର୍ଶୀ ଗୃଧ୍ର କହଇ ।

ଦେବ ବିଗ୍ରହ କେବେହେଁ କର୍ତ୍ତବ୍ୟ ନୋହି ।୧୦୭।

 

ଆପଣା ମିତ୍ର ଅମାତ୍ୟ ପାଖେଥିବେ ଯେତେ ଭୃତ୍ୟ

ଏମାନଙ୍କ ଅନୁରାଗ ଦେଖିବ ଯେବେ ।

ଶତ୍ରୁର ଅମାତ୍ୟ ମିତ୍ର ଯେ ଥିବେ ତାହାର ଭୃତ୍ୟ

ଏହାଙ୍କ ବିରାଗତାରେ ଦେଖିବ ଯେବେ ।

ରାଜା ବିଗ୍ରହକୁ କରିବ ।

ଯେବେ ବିପରୀତ ହେବ ଆପେ ମରିବ ।୧୦୮।

ଭୂମି ଧନ ମିତ୍ରବଳ ଏ ତିନି ବିଗ୍ରହ ଫଳ

ଏମାନେ ନିଷ୍ଠା ହୋଇବେ ଯେ

ନାନା ପ୍ରକାରେ କପଟ କରି ନୋହିବ ଉତ୍କଟ

ତା ଛିଦ୍ର ଦେଖି ବିଗ୍ରହ ତେବେ କରିବ ।

ରାଜା କହେ ଆମ୍ଭର ବଳ ।

କେତେଛନ୍ତି ଯାଇ ଦେଖୁ ମନ୍ତ୍ରୀ କେବଳ ।୧୦୯।

କେଉଁମାନଙ୍କର ଦୃଢ଼ ଭକ୍ତି ଅଛି ଆମ୍ଭଠାର

କେ ଅବା ଅଦୃଢ ଭକ୍ତି ବୁଝ ତୁ ଯାଇ ।

କେତେ ବର୍ତ୍ତନ କାହାର ପାଇଛି କି କେତେ ତାର

ଅଛି ସବୁ ବୁଝି ତାହା ଦିଅ ତୁ ନେଇ ।

ଜ୍ୟୋତିଷକୁ ଡାକି ତୁ ଆଣ ।

ଯାତ୍ରା ନିମିତ୍ତରେ କହୁ ଯେ ଶୁଭକ୍ଷଣ ।୧୧୦।

ମନ୍ତ୍ରୀ କହେ ଦେବ ଶୁଣ ବ୍ୟଗ୍ରରେ ଯାତ୍ରା କରଣ

କରନ୍ତି ସେ ମୂର୍ଖମାନେ ଅବିଚାରରେ ।

ତ୍ରୁ ବଳକୁ ଯାଆନ୍ତି ତହିଁ ପରାଭବ ପାନ୍ତି

ସୁନିଶ୍ଚୟ ଏକଥା ତୁମ୍ଭେ ଜାଣ ମନରେ ।

ଶୁଣି ମନ୍ତ୍ରିକୁ ରାଜା କହି ।

ମୋହର ଉତ୍ସାହ ଭଙ୍ଗ ନ କର ତୁହି ।୧୧୧।

ଯେଉଁରୂପେ ପରଦେଶ ମାରି କରିବି ମୁ ଯଶ

ସେହିରୂପ ମୋତେ କହ ବିଚାର କର ।

ଗୃଧ୍ର କହେ ଦେବ ଶୁଣ ଯାହା କହିବି ମୁ ପୁଣ

ତାହାକଲେ ତୁମ୍ଭରତ କାର୍ଯ୍ୟ ସଫଳ ।

ବିଚାରି ନ କଲେ କି ହୋଇ ।

ଔଷଧ ଜାଣିଲା ମାତ୍ରେ କି ରୋଗ ଯାଇ ।୧୧୨।

 

ତଥାପି ଦେବ ତୁମ୍ଭର ଆଜ୍ଞା ଅଲଙ୍ଘିତ ମୋର

ଶାସ୍ତ୍ରରେ ଯାହା ଶୁଣିଛି କହୁଛି ମୁହିଁ ।

ଶୁଣିମା ହେଉ ଭୋ ଦେବ ଯହିଁ ଯହିଁ ଭୟ ହେବ

ନଦୀ ଅଦ୍ରି ବନ ଦୁର୍ଗ ଯେ ଯହିଁ ତହିଁ ।

ସେନାପତି ବଳ ଘେନିଣ ।

ଆପଣେ ଚାଳିବ ଆଗେ ବ୍ୟୂହ କରିଣ ।୧୧୩।

 

ସର୍ବବଳ ଅଧିପତି ପ୍ରବୀର ପୁରୁଷ ଘେତି

ଆଗରେ ଯିବ ସେ ନିତି ଏ ନୀତି ରୀତି ।

ମଧ୍ୟେ କଳତ୍ରକୁ ଘେନି ସ୍ୱାମୀ ଭଣ୍ଡାର ଏ ବେନି

ଆଉ କଂସା ଗିନା ଗରା ବାସନ ରୀତି ।

ଦୁଇ ପାଖେ ଅଶ୍ୱ ଚାଲିବ ।

ଅଶ୍ୱ ଦୁଇ ପାଖେ ରଥ ଯୋଚିଣ ଥିବ ।୧୧୪।

ରଥଙ୍କ ଦୁଇ ପାଖରେ ଚାଲୁଥିବେ ଦନ୍ତାବଳେ

ତାଙ୍କୁ ପଛେ ପଦାତି ଆୟୁଧ ଘେନିଣ ।

ପଛେ କ୍ଷୁଦ୍ର ସେନାପତି ଯେ ଥିବେ ଦୁର୍ବଳ ପତି

ତାଙ୍କୁ ଘେନି ଯିବ ଆଶ୍ୱାସନା କରିଣ ।

ପତ୍ୟାଧ୍ୟକ୍ଷ ବଳ ସହିତ ।

ସୁଭଟ ମନ୍ତ୍ରିକି ଘେନିଥିବ ସଙ୍ଗତ ।୧୧୫।

ଖାଲ ଢିପ ଯେଉଁ ସ୍ଥାନ ଜଳେ ହେଉଥିବ ମଗ୍ନ

ପର୍ବତ ପାହାଡ଼ ଥିବ ଯେତେ ସ୍ଥାନରେ ।

ହାତି କି ଚଢ଼ିଣ ଯିବ ସମଭୂମି ଯେବେ ହେବ

ଅଶ୍ୱକୁ ଚଢ଼ିଣ ଯିବ ଜଳେ ନୌକାରେ ।

ସବୁଠାରେ ପଦାତି ସଙ୍ଗେ ।

ଘେନି ଚଳି ଯିବ-ଯୁଦ୍ଧ କରିବ ରଙ୍ଗେ ।୧୧୬।

ବର୍ଷା କାଳ ହେବ ଯେବେ ମାତଙ୍ଗେ ଗମନ ତେବେ

ପ୍ରଶସ୍ତ ଅନ୍ୟ କାଳରେ ତୁରଙ୍ଗମର ।

ଗମନ ପ୍ରଶସ୍ତ କର ସବୁ କାଳେ ପାଇକର

ଦୁର୍ଗମ ମାର୍ଗେ ନୃପତି ରକ୍ଷା ସୈନ୍ୟର ।

ସ୍ୱ ଯୋଦ୍ଧାରେ ରକ୍ଷିତ ହେଲେ ।

କରିବ ନୃପତି ସ୍ୱପ୍ନ ଯୋଗି ନିଦ୍ରାରେ ।୧୧୭।

ଗଡ଼ କାନ୍ଥୀ କଣ୍ଟାବାଡ଼ ଭାଙ୍ଗିଣ ଶତ୍ରୁକୁ ମାଡ଼

ମାରିଣ ତାହାକୁ ରଖି ଆଣି ଧରିଣ ।

ଶତ୍ରୁ ଦେଶ ପ୍ରଦେଶରେ ବଣ କଣ୍ଟା କର ଖରେ

ଯେଉଁଠାରେ ରାଜା ଥାଇ ସେଠାରୁ ଧନ ।

ଧନ ଥିଲେ ଯୋଦ୍ଧାଙ୍କୁ ଦେଇ ।

ଧନ ଦେଲା ଲୋକ ପାଇଁ କେ ନ ଯୁଝଇ ।୧୧୮।

 

ଯେଉଁହେତୁରୁ ଏ ନର ଦାସ ନୁହଇ ନରର

ଦ୍ରବ୍ୟର ସମସ୍ତେ ଦାସ ଶୁଣ ରାଜନ ।

ଆଦର ବା ଅନାଦର ଧନ ଥିବା ନ ଥିବାର

କାରଣ କ୍ରମରେ ହୋଇ ଭୋଦେବ ଜାଣ ।

ଅଭେଦରେ ଯୁଦ୍ଧ କରନ୍ତି ।

ଏ ତାହାକୁ ସେ ଏହାକୁ ରକ୍ଷା କରନ୍ତି ।୧୧୯।

 

ଯେ ଥିବେ ଦୁର୍ବଳ ସୈନ୍ୟ ତାଙ୍କୁ ସୈନ୍ୟ ମଧ୍ୟେ ଘେନ

ପାଇକମାନଙ୍କୁ ସୈନ୍ୟ ଆଗେ କରିବ ।

ଏରୂପେ ଶତ୍ରୁକୁ ବେଢ଼ି କରିବ ରାଷ୍ଟ୍ର ଉଜୁଡ଼ି

ରଥ ଗଜ ଘେନି ଶତ୍ରୁ ସୈନ୍ୟ ମାରିବ ।

ସମାନ ଭୂମିରେ ଏ ଜାଣ ।

ଜଳ ବହୁଳରେ ନାଗ ନଉକା ଘେନ ।୧୨୦।

ଯେଉଁଠାରେ ଥିବ ଝାଡ଼ ଧନୁକୁ ଘେନି ପ୍ରହାର

ଗଦାରେ ସେ ପଡ଼ି ଖଣ୍ଡା କୋନ୍ତ ସାବେଳୀ ।

ଘେନି କରିବ ପ୍ରହାର ତୃଣ କାଷ୍ଠ ଧାନ୍ୟ ଜଳ

ଯେରୂପେ ସେ ଗଡ଼ ଭିତରକୁ ନ ଚଳି ।

ସେରୂପେ କରିବ ଯତନ ।

ପାଚେରୀ ପୋଖରୀ କ୍ଷୟ କର ଭଞ୍ଜନ ।୧୨୧।

ରାଜା ଚତୁରାଙ୍ଗ ବଳ ମଧ୍ୟେ ଶ୍ରେଷ୍ଠ ଦନ୍ତାବଳ

ସେରୂପରେ ଆଉ କେହି ନୁହନ୍ତି ଜାଣ ।

ଅନନ ଥୋଡ଼ ପାହାର ଦୁଇ ଦନ୍ତ ଚାରି ଗୋଡ଼

ଏତେ ଅଙ୍ଗ ଘେନି ଅଷ୍ଟାୟଧ ସେ ମଣ ।

ଜଙ୍ଗମ ଯେ ଅଶ୍ୱ ପ୍ରବାର ।

ସ୍ଥଳେ ଅଶ୍ୱାଧିକ ଯେହୁ ବିଜୟ ତାର ।୧୨୨।

ହୟକୁ ଆରୋହି ଯୋଧ କରୁଥାଇ ଯେବେ ଯୁଦ୍ଧ

ଦେବତା ହୋଇଲେ ତାକୁ ଯୁଦ୍ଧରେ ହାରି ।

ଯେବେ ସେ ଦୂରେ ଥାଆନ୍ତି       ଶତ୍ରୁମାନେ ବଶବର୍ତ୍ତୀ

ହୁଅନ୍ତି ଏ କଥା ନୋହେ ସନ୍ଦେହକାରୀ ।

ଯେତେ କର୍ମ ଯୁଦ୍ଧେ ପତିର ।

ତାହା କହିବା କ୍ରମରେ ଶୁଣ ହେ ବୀର ।୧୨୩।

ପ୍ରଥମୁ ଯୁଦ୍ଧ କରିଣ ସମସ୍ତ ବୀର ପାଳନ

କେଉଁ ଦିଗେ କିଏ ଥିବ ଏହା ବୁଝିବ ।

କେଉଁ ମାର୍ଗରେ କି ଥିବ ଏହାକୁ ମଧ୍ୟ ବୁଝିବ

ଏରୂପେ ଏ ବଳାବଳ ପୁଣି ବୁଝିବ ।

ସୈନ୍ୟ ବଳ ନ ବୁଝି କରି ।

ଯୁଦ୍ଧ କଲେ ଆପଣାର ହୁଅଇ ହାରି ।୧୨୪।

 

ସ୍ୱଭାବରେ ଶୂର ହେବ ଅସ୍ତ୍ର ବିଦ୍ୟା ଜାଣି ଥିବ

ଅନୁରାଗୀ ଶ୍ରମହୀନ ଅଧିକ ଖ୍ୟାତ ।

ଅଧିକ କ୍ଷତ୍ରିୟ ଥିବ ଏରୂପେ ଯେ ବଳ ହେବ

ଅତି ଶ୍ରେଷ୍ଠ ବଳ ଏହି କହେ ପଣ୍ଡିତ ।

ଯେଉଁରୂପେ ସ୍ୱାମୀ ଆଦରେ ।

ନର ଯୁଦ୍ଧ କରେ ତେହ୍ନେ ନୋହେ ଧନରେ ।୧୨୫।

 

ଶକ୍ତି ଥିଲା ଅଳ୍ପ ବଳ ତାକୁ ଜାଣ ଶ୍ରେଷ୍ଠ ବଳ

ବହୁ ମୁଣ୍ଡ ମଣ୍ଡଳୀକି ଅବଳ ବୋଲି ।

ଯାର ନୋହେ ଶକ୍ତିଭଙ୍ଗ ସେ ଏକା ହୋଇଲେ ରଙ୍ଗ

ସ୍ଥଳରେ ବହୁତ ଲୋକେ ପକାଏ ମାରି ।

ଏଣୁକରି ସମର୍ଥ ଲୋକ ।

ତାକୁ ଖୋଜି ଲୋଡ଼ି ଆଣି ଚାକେରି ରଖ ।୧୨୬।

ଅନୁଗ୍ରହ ନ କରିବ       ରହିବା ସ୍ଥାନ ନ ଦେବ

ଦେଇଥିବ ହରି ନେବ ବିଳମ୍ୱେ ଦେବ ।

ବିପତ୍ତି ପଡ଼ିଲା କାଳେ ତୁନି ହେବ ସବାତାଳେ

ଏତେ ଦୋଷ ଥିଲେ ସୈନ୍ୟ ବିରାଗ ହେବ ।

ଆତ୍ମବଳ ପୀଡ଼ା ନ ଦେଇ ।

ଯିବ ଶତ୍ରୁଠାକୁ ସେନା ଘେନି ବିଜୟୀ ।୧୨୭।

ବହୁତ ଚାଲନ୍ତି ଯେବେ ସୈନ୍ୟ ପୀଡ଼ା ହୋଏ ତେବେ

ଶତ୍ରୁର ସେ ସୁଖ ସାଧ୍ୟ ହୁଅନ୍ତି ସୈନ୍ୟ ।

ଯେବେ ରିପୁ ଭାଇ ଥାଇ ଉପାୟେ ତାକୁ ଫଟାଇ

ତେବେ ଶତ୍ରୁ ବଶ ହୋଇ ଶୁଣ ରାଜନ୍ୟ ।

ତାହାର ଭାଇକି ଉଠାଇ ।

ନେବ ଯେବେ ସେ ଶତ୍ରୁର ବଳ ନ ପାଇ ।୧୨୮।

ରାଜ ପୁତ୍ର ମୁଖ୍ୟ ମନ୍ତ୍ରୀ ଦୁହିଙ୍କ ସଙ୍ଗରେ ପ୍ରୀତି

କରିଣ ଅନ୍ତ କଳହ ଜନମ କରି ।

ଯେଉଁ ଶତ୍ରୁ ସ୍ଥିର ଚିତ୍ତ ତାକୁ କରଇ ଅହିତ

ସେହି ପୁତ୍ର ମନ୍ତ୍ରୀଙ୍କର ହୁଅଇ ଅରି ।

ରାଜା କହେ କି ହେବ କହି ।

ବହୁତ ବଚନ ଏକା ବଚନେ ଯାଇ ।୧୨୯।

ଯେତେ ଯେତେ ପର ହାନି ଆପଣା ଉଦୟ ଜାଣି

ତେତେ ତା ଉଦୟ ହୁଏ ଆପଣା ନାଶ ।

ଏ ଦୁଇ କଥାକୁ ଜାଣି ଯେ କାର୍ଯ୍ୟ କରଇ ପୁଣି

ସେ ନରକୁ ଜାଣ ତୁମ୍ଭେ ଗୁରୁଙ୍କ ଶିଷ୍ୟ ।

ଅନୁତ୍କଟ ଉତ୍କଟ ବଳ

ତେଜ ତିମିର ପରାଏ ନୁହନ୍ତି ତୁଳ ।୧୩୦।

 

ଏଥୁଅନ୍ତେ ଉଠି ରାଜା ଜ୍ୟୋତିଷକୁ କରି ପୂଜା

ତାହାର ବୁଝିଲା ଲଗ୍ନେ ପ୍ରସ୍ଥାନ କଲା ।

ଏଥୁଅନ୍ତେ ଯେଉଁ ଚର ହିରଣ୍ୟଗର୍ଭ ରାଜାର

ପୂର୍ବୁ ଯାଇଥିଲା ସେହି ପ୍ରବେଶ ହେଲା ।

ଆସୁଅଛି ସେ ଚିତ୍ରବର୍ଣ୍ଣ ।

କହିଲା ମଳୟ ପରେ ଅଛନ୍ତି ଜାଣ ।୧୩୧।

 

ଦୁର୍ଗର ଅନୁସନ୍ଧାନ       ତୁମ୍ଭେ କର ପ୍ରତିକ୍ଷଣ

ଯେଉଁ ହେତୁରୁ ଏ ଗୃଧ୍ର ବଡ଼ ବିଚାର ।

କରିଛି ଆମ୍ଭ ଉପରେ ଜାଣିଲି ମୁଁ ଇଙ୍ଗିତରେ

ପୂର୍ବରୁ ଆମ୍ଭ ଗଡ଼କୁ ପେଶିଛି ଚାର ।

ବୁଝି କର ଏଠାରେ ବୃତ୍ତ ।

ଯିବାବେଳେ ଦଗା କରି ଯିବ ଏ ସତ ।୧୩୨।

ଚକ୍ରବାକ ଶୁଣି କହେ କାକ ସଂଭାବିତ ହୋଏ

ରାଜା କହେ ଶୁଣି କଦାଚିତ ନୁହଇ ।

ଏକଥା ଏରୂପେ ଯେବେ ସତ୍ୟ ସେହି କିପାଁ ତେବେ

ସେକାଳ ଶୁକ ମାରଣ ଦେଖ କରଇ ।

ଶୁକ ଯେଉଁଦିନୁ ଅଇଲା ।

ସେହି ଦିନୁ ଯୁଦ୍ଧର ବିଚାର ହୋଇଲା ।୧୩୩।

ଏ କାକ ଆସି ସେଠାରୁ ଅଛି ବହୁତ କାଳରୁ

ଶୁଣି କହୁଅଛି ମନ୍ତ୍ରୀ ଏତ ଅଜ୍ଞାତ ।

ଏହାଠାରେ ଶଙ୍କା ଜାତ ହେଉଛି ଆମ୍ଭର ଚିତ୍ତ

ଶୁଣି ରାଜା କହେ ଆଗନ୍ତୁ ଜନ ହିତ ।

କଉଣସିଠାରେ ହୁଅଇ ।

ଶୁଣ ଶତ୍ରୁ ହିତ କଲେ ବନ୍ଧୁ ହୁଅଇ ।୧୩୪।

ବନ୍ଧୁ ଯେବେ ଅପକାର କରଇ ହୋଇ ସେ ପାର

ଦେଖ ଦେହ ଜନ୍ୟ ରୋଗ ଦୁଃଖ ଦିଅଇ ।

ଅରଣ୍ୟେ ଔଷଧ ଥାଇ ସେ ଦେହକୁ ହିତ ହୋଇ

ଶୁଣ ବୀରବର ନାମେ ଥିଲା ସେ କେହି ।

ଶୂଦ୍ର ରାଜା ସେବକ ହେଲା ।

ଅଳ୍ପକାଳରେ ଆପଣା ସୁତକୁ ଦେଲା ।୧୩୫।

ଶୁଣି ମନ୍ତ୍ରୀ ପଚାରଇ ଏକଥା କିରୂପେ ହୋଇ

ଶୁଣି ରାଜା ହଂସ କହେ ପୂର୍ବକାଳରେ ।

ମୁହିଁ ଶୁଦ୍ରକ ରାଜାର ଥିଲା ଯେଉଁ କ୍ରୀଡ଼ାସର

କର୍ପୂରମଞ୍ଜରୀ ନାମ ହଂସୀ ତହିଁରେ ।

ପିତା ତାର କର୍ପୂର କେଳି ।

ତାହାର ସଙ୍ଗରେ ମୁହିଁ କରୁଛି କେଳି ।୧୩୬।

 

ସେ ସମୟେ ବୀରବର ନାମ କ୍ଷତ୍ରିୟ କୁମର

କଉଣସି ଦେଶରୁ ଆସିଣ ହୋଇଲା ।

କରିବି ରାଜ ଦର୍ଶନ ମୁହିଁ ରାଜପୁତ୍ର ଜାଣ

ଚାକେରି କରି ରହିବି ବୋଲି କହିଲା ।

ନେଇ ଦ୍ୱାରୀ ରାଜା ଦେଖାଇ ।

ରାଜାଙ୍କୁ ସେ ଦେଖି ବୀରବର କହଇ ।୧୩୭।

 

ମୋର ନାମ ବୀରବର ମୁହିଁ କ୍ଷତ୍ରିୟ କୁମର

ଚାକେରି କରିବା ପାଇଁ ଆସିଛି ମୁହିଁ ।

ଶୁଣି ରାଜା ବୋଲେ ରହ କେତେ ବରତନ କହ

ମାସକରେ ଶୁଣି ବୀରବର କହଇ ।

ଦିନକରେ ସ୍ୱର୍ଣ୍ଣ ଚାରିଶ

ଦେଇ ଯେବେ ପାରିବ ମୁ ହୋଇବ ଦାସ ।୧୩୮।

ରାଜା ବୋଲେ ଆଚ୍ଛା ଦେବା ତୋର ସାମଗ୍ରୀ ଦେଖିବା

ଯେବେ ତାହା ଶୁଣି ବୀରବର କହଇ ।

ଏ ଖଡ଼ଗ ଦୁଇ ବାହୁ ଏଥୁ ଆନ ନାହିଁ ଆଉ

ଶୁଣି ରାଜା ବୋଲଇ ମୁ ପାରିବି ନାହିଁ ।

ବୀରବର ତା ଶୁଣି ଗଲା ।

ତା ଦେଖିଣ ଅମାତ୍ୱ ରାଜାଙ୍କୁ କହିଲା ।୧୩୯।

ଏ ଯେବେ ଲେଉଟି ଯିବ ଆମ୍ଭଙ୍କୁ ନିନ୍ଦା ହୋଇବ

ଚାରିଦିନ ବରତନ ଦେଇ ବୁଝିବା ।

ଏହାର କି ଗୁଣ ଅଛି ଆମ୍ଭେ ତ ନ ଜାଣୁ କିଛି

ଜାଣିଲା ଉତ୍ତାରୁ ବେଗେ ମେଲାଣି ଦେବା ।

ଦେବ ଅଛି ଏହାର ଗୁଣ ।

ନ ଥିଲେ କି କହେ ଏଡ଼େ ଭାର ବର୍ତ୍ତନ ।୧୪୦।

ମନ୍ତ୍ରୀ ମୁଖୁଁ ଏହା ଶୁଣି ସେ ଶୁଦ୍ରକ ନୃପମଣି

ତାଙ୍କୁ ଲେଉଟାଇ ଆଣି ତାମ୍ୱୁଳ ଦେଲା ।

ଆଜଠାରୁ ଏ ନବର ଦ୍ୱାରପାଳ ଅଧିକାର

କରେ କରବାଳ ଧରି କର କହିଲା ।

ସେହି ଦିନୁ ସେ ବୀରବର ।

ହେଲା ରାଜା ଶୟନ ଘର ଦ୍ୱାରପାଳ ।୧୪୧।

ରାଜା ତାକୁ ମୁଦ୍ରାଶତ ଚତୁଷ୍ଟୟ ଦେଇ ନିତ୍ୟ

ନେଇ କି କରଇ ଏହା ପଛେ ବୁଝଇ ।

ବୀରବର ବରତନ       ନେଇ ଦିଅଇ ବ୍ରାହ୍ମଣ

ଦେବତାକୁ ଦୁଇଶ ଶଏ ବନ୍ଧୁ ଦେଇ ।

ପଞ୍ଚାଶ ଦେଇ ଦୀନଜନ ।

ବାକି ପଞ୍ଚାଶକ ନେଇ କରେ ଭୋଜନ ।୧୪୨।

 

ଏହିରୂପେ ନିତ୍ୟେ କରି ଖଡ଼ଗ ହସ୍ତରେ ଧରି

ରାଜଦ୍ୱାରେ ଜାଗରୁକ ହୋଇ ବସଇ ।

ଯେବେ ରାଜା ଆଜ୍ଞାଦେଇ ଘରକୁ ଯାଅ ବୋଲଇ

ତେବେ ଆପଣା ଘରକୁ ସେକ୍ଷଣ ଯାଇ ।

ତିନି ଦିନ ଏରୂପେ ଗଲା ।

ରାଜା ଚତୁର୍ଥ ରାତ୍ରରେ କାନ୍ଦ ଶୁଣିଲା ।୧୪୩।

 

ଏଥୁଅନ୍ତେ ରାଜା କହେ ଏ ଦ୍ୱାରରେ ଅଛି କିଏ

ଶୁଣି ଦ୍ୱାରପାଳ କହେ ମୁଁ ବୀରବର ।

ରାଜା କହେ ଯାଅ ଦେଖ କିଏ କାନ୍ଦୁଛି ଅରକ୍ଷ

ଯେ ଆଜ୍ଞା ହେଉଛି ଦେବ ବୋଲି ସତ୍ୱର ।

ବୀରବର ଚଳିଣ ଗଲା ।

ଏଥୁଅନ୍ତେ ରାଜା ମନେ ଚିନ୍ତା ହୋଇଲା ।୧୪୪।

ଏହି ଯେ ରାଜକୁମର ଏକା କରି ପେଶିବାର

ମୋର ବଡ଼ ଅନୁଚିତ ମହାନ୍ଧକାରେ ।

ହଉ ଭଲା ଆମ୍ଭେ ଯିବା କି ରୋଦନ ଏ ବୁଝିବା

ଏମନ୍ତ ବୋଲି ତା ପଛେ ଗଲା ସତ୍ୱରେ ।

ନଗରରୁ ବାହାର ହୋଇ ।

ଯେଉଁଠାରେ କାନ୍ଦଇ ସେଠାରେ ହୁଅଇ ।୧୪୫।

ବେଗେ ବୀରବର ଯାଇ ସେଠାରେ ପ୍ରବେଶ ହୋଇ

ରୂପ ଯଉବନ ଅଳଙ୍କାର ସମ୍ପୂର୍ଣ୍ଣ ।

ଦେଖି ତହିଁ ଏକ ନାରୀ ପଚାରଇ ଧୀର କରି

କିଏସେ ତୁ କାହିଁକି କରୁଛୁ ରୋଦନ ।

ସେ କହଇ ଏ ରାଜା ଘରେ ।

ରାଜଲକ୍ଷ୍ମୀ ଥିଲି ଏହା ଭୂଜ ଛାୟାରେ ।୧୪୬।

ବହୁତ କାଳରୁ ମୁହିଁ ଥିଲି ଏହାଠାରେ ରହି

ଏବେ ଯିବି ଶୁଣି ବୋଲେ ସେ ବୀରବର ।

କିରୂପେ ତୁମ୍ଭେ ଏଠାରେ ରହିବ କହ ସତ୍ୱରେ

ଶୁଣି ଲକ୍ଷ୍ମୀ କହୁଛନ୍ତି ତୋର ରାଜାର ।

ଯେରୂପରେ ଭଲ ହୋଇବ ।

ତାହା କହୁଅଛି ଶୁଣ ହେ ବୀର ସର୍ବ ।୧୪୭।

ଯେବେ ତୁ ଆପଣା ସୂତ ବତିଶ ଲକ୍ଷଣେଯୁକ୍ତ

ଶକ୍ତିବର ନାମ ତାର ତାହାକୁ ଆଣି ।

ମନେ ନ କରି ବିକଳ୍ପ କରିଣ ତୁହି ସଂକଳ୍ପ

ଦେବିଙ୍କ ଆଗେ ଖଡ଼ଗେ ପକାଅ ହାଣି ।

ତେବେ ମୁ ରହିବି ଏମନ୍ତ ।

କହି ଭଗବତୀ ହେଲେ ଅନ୍ତର ଭୂତ ।୧୪୮।

ଏଥୁଅନ୍ତେ ବୀରବର ସ୍ୱ ଗୃହ ଯାଇ ସତ୍ୱର

ଆପଣା ପୁତ୍ର ପତ୍ନିଙ୍କି ଦେଲା ଉଠାଇ ।

ଦୁହେଁ ଉଠିଣ ବସିଲେ ବୀରବରକୁ ଦେଖିଲେ

ସେ ପୁଣି ଦୁହିଁକି ଲକ୍ଷ୍ମୀ ବୃତ୍ତାନ୍ତ କହି ।

ଶୁଣି ଶକ୍ତିବର କହଇ ।

ଧନ୍ୟ ମୁ, ସ୍ୱାମୀ କାର୍ଯ୍ୟରେ ମୋ ଦେହ ହୋଇ ।୧୪୯।

 

ତାତ ବିଳମ୍ୱ ନ କର ବର୍ତ୍ତମାନ କି ବିଚାର

କଦାଚିତ ଏରୁପରେ କର୍ମ ବିଷୟେ ।

ଏ ଦେହର ବିନିଯୋଗ କର୍ମ ଯେବେ ହୋଏ ଯୋଗ

ତେବେ ଏ ତିନି ଲୋକରେ ଧନ୍ୟ ସେ ହୋଏ ।

ପଣ୍ଡିତର ଏହି ଚରିତ ।

ପର ନିମିତ୍ତ ଛାଡ଼ଇ ଜୀବନ ବିତ୍ତ ।୧୫୦।

ଶକ୍ତିବର ମାତା କହେ ଯେବେ ଏହି କଥା ନୋହେ

ତେବେ ଏଡ଼େ ବର୍ତ୍ତନରୁ କିରୂପେ ମୁକ୍ତ ।

ହୋଇବା କିରୂପେ ଆମ୍ଭେ ବେଗେ ଯିବା ଚାଲ ତୁମ୍ଭେ

ଏମନ୍ତ ବିଚରି ପୁତ୍ର ପତ୍ନି ସହିତ ।

ଦେବୀ ଆୟତନକୁ ଗଲେ ।

ବୀରବର ତାଙ୍କୁ ପୂଜା କରି କହିଲେ ।୧୫୧।

ଦେବୀ ଅନୁଗ୍ରହ କର ଶୁଦ୍ରକ ମହାରାଜାର

ବିଜୟ ହେଉ ଏ ଉପହାରକୁ ଘେନ ।

ଏମନ୍ତ କହି ପୁତ୍ରର ଶିର କାଟିଲା ସତ୍ୱର

ଏଥୁଅନ୍ତେ ବୀରବର ବିଚାରେ ମନ ।

ଶୁଝିଲି ମୁ ରାଜା ବର୍ତ୍ତନ ।

ପୁତ୍ର ନ ଥାଇ ମୋହର ବୃଥା ଜୀବନ ।୧୫୨।

ଏମନ୍ତ ବୋଲି ଆପଣ ଶିର କାଟିଲା ସେକ୍ଷଣ

ବୀରବର ଭାର୍ଯ୍ୟା ସ୍ୱାମୀ ପୁତ୍ର ଶୋକରେ ।

କାଟିଲା ଆପଣା ଶିର ସେହିକ୍ଷଣରେ ସତ୍ୱର

ଏହା ଦେଖି ମନେ ରାଜା ବିଚାର କରେ ।

ଆମ୍ଭ ପ୍ରାୟ ବହୁତ ଲୋକ ।

ଅଛନ୍ତି ଏହାର ପ୍ରାୟ ନାହିଁ ତ୍ରିଲୋକ ।୧୫୩।

ଏହେତୁରୁ ମୁହିଁ ଆଜ ଜୀବନ ଛାଡ଼ିବି ରାଜ୍ୟ

କି ହୋଇବ ପ୍ରୟୋଜନ ଏଥିରେ ମୋର ।

ଏମନ୍ତ ବୋଲି ସ୍ୱଶିର କାଟିବାକୁ ସେ ସତ୍ୱର

ଖଡ଼ଗ ଘେନିଲା କରେ ଦେବୀ ଆଗର ।

ଭଗବତୀ ଦେବୀ ଅଇଲେ ।

ପୁତ୍ର ସାହସ ନ କର ବୋଲି ବୋଇଲେ ।୧୫୪।

 

କହିଲେ ସେ ବର୍ତ୍ତମାନ ରାଜ୍ୟ ଭଙ୍ଗ ନାହିଁ ଜାଣ

ଶୁଣି ରାଜା ଶୋକେ କହେ ନମସକାର ।

ଦେବି ମୋ ରାଜ୍ୟ ଜୀବନ କିବା ଅଛି ପ୍ରୟୋଜନ

ଯେବେ ମୋରେ କୃପା କଲ ଏକଥା କର ।

ମୋର ଆୟ ଶେଷକୁ ଘେନି ।

ଉଠନ୍ତୁ ଏ ମାତା ପିତା ତନୟ ତିନି ।୧୫୫।

 

ମଲେ ମୁ ସ୍ୱର୍ଗ ପାଇବି ଆଜ୍ଞାହେଉ ବେଗେ ଦେବି

ଶୁଣି ଭଗବତୀ କହେ ଶୁଣରେ ସୁତ ।

ଦେଖି ତୋର ମନୋତ୍ସାହ ଭୃତ୍ୟଠାରେ ଅତି ସ୍ନେହ

ସଂତୁଷ୍ଟ ହୋଇଲି ମୁହିଁ ଯାଅ ନିଶାନ୍ତ ।

ସଦା ତୋର ବିଜୟ ହେଉ ।

ଭାର୍ଯ୍ୟା ପୁତ୍ର ସହିତରେ ତୋ ଭୃତ୍ୟ ଜୀଉ ।୧୫୬।

ଏଥୁଅନ୍ତେ ବୀରବର ଉଠିଣ ସପୁତ୍ର ଦାର

ପ୍ରବେଶ ହୋଇଲେ ଯାଇଁ ଆପଣା ଘରେ ।

ସେମାନେ କେ ନ ଜାଣନ୍ତି ହୋଇ ଏକାକୀ ନୃପତି

ଯାଇଁ ପ୍ରାସାଦ ଭିତରେ ସୁଖେ ଶୋଇଲେ ।

ବୀରବର ଦ୍ୱାର ଜଗିଲା ।

ପୁଣି ରାଜା ତାହାକୁ ଡାକିଣ ପୁଛିଲା ।୧୫୭।

ବୀରବର ଯାଇଥିଲୁ କାନ୍ଦୁଥିଲା କେ ଦେଖିଲୁ

ଏମନ୍ତ କହନ୍ତେ ବୀରବର କହିଲା ।

ଦେବ ଯାଇ ମୁ ଦେଖିଲି କାନ୍ଦୁଥିଲା ଏକ ସ୍ତିରୀ

ମୋତେ ଦେଖିଲା ମାତ୍ରେ ସେ ଅଦୃଶ୍ୟ ହେଲା ।

କେହି ଅନ୍ୟ ନାହିଁ ସେଠାରେ ।

ଶୁଣି ରାଜା ବିଚାରେ ଆପଣା ମନରେ ।୧୫୮।

କିରୂପେ ଏ ସତ୍ୱ ଗୁଣ ପ୍ରଧାନ କହନ୍ତା ପୁଣ

ଆପଣାର ଗୁଣତ ଆପଣେ ନ କହି ।

ପ୍ରିୟବାଦୀ ଅକୃପଣ ଶୂର ଆତ୍ମଶ୍ଳାଘାହୀନ

ଦାତା ଅପାତ୍ରରେ ଦାନହୀନ ହୁଅଇ ।

ପ୍ରଗଲ୍ଭ ଯେ ନିଷ୍ଠୁର ନୋହି ।

ଏତେ ଗୁଣ ଥିଲେ ମହା ପୁରୁଷ ହୋଇ ।୧୫୯।

ଏହାଠାରେ ସବୁ ଅଛି ଆଉଠାରେ କିଛି କିଛି

ଅଛି ଏତେ କହି ରାଜା ଶିଷ୍ଟ ଲୋକରେ ।

ଏହାର ଯେତେ ବୃତ୍ତାନ୍ତ କହିଲେ ତା ଆଦ୍ୟପ୍ରାନ୍ତ

କରି କର୍ଣ୍ଣାଟ ରାଜ୍ୟରେ ରାଜତ୍ୱ ଦେଲେ ।

ସେହି ଦିନୁ ସେ ବୀରବର ।

କର୍ଣ୍ଣାଟ ରାଜ୍ୟରେ କଲା ରାଜାଧିକାର ।୧୬୦।

 

ସେହି ହେତୁରୁ ଆଗନ୍ତୁକ ଜାତି କିପାଁ ହେଲା ହେତୁ

ସେବା ନ କରଇ ବା ସେ ଉତ୍ତମାଧମ ।

ମଧ୍ୟ ଏମାନେ ଅଛନ୍ତି କାହାର କିରୂପେ ରୀତି

ଆମ୍ଭେ ବୁଝିବାରେ ଏହି କାକ ଉତ୍ତମ ।

ଶୁଣି ଚକ୍ରବାକ କହନ୍ତି ।

ଅକାର୍ଯ୍ୟକୁ କାର୍ଯ୍ୟ କହେ ଯେ ସେ କୁମନ୍ତ୍ରୀ ।୧୬୧।

 

ସ୍ୱାମୀ ଇଚ୍ଛାକୁ ନ ଚାହିଁ କରଇ ଯେ ମନ୍ତ୍ରୀ ସେହି

ସ୍ୱାମୀ ଇଚ୍ଛା ଭଙ୍ଗ କଲେ ସ୍ୱାମୀ ମନରେ ।

ଦୁଃଖ ହୋଇ ଯେବେ ପ୍ରିୟ ହୁଅଇ ଏତ ନିଶ୍ଚୟ

ଅକାର୍ଯ୍ୟ କରଣେ ନାଶ ଅପ୍ରିୟତାରେ ।

ଯେଉଁ ହେତୁ ଏରୂପେ ହୋଇ ।

ସ୍ୱାମିକି ନ ଯୋଗାଇଲେ ସୁମନ୍ତ୍ରୀ କହି ।୧୬୨।

ଶୁଣ ଦେବ ମୋ ବଚନ କହୁଛି ଏକ କଥନ

ଏକଜଣେ ପୁଣ୍ୟ କରି ଯାହା ପାଇଲା ।

ହେବ ମୋହର ସେ ଧନ ନାପିତ କରିଣ ମନ

ଅଜ୍ଞାନରେ ଭିକ୍ଷୁଜନ ବଧ ସେ କଲା ।

ଅବିଚାରେ ମଲା ନାପିତ ।

ବିଚାର ନ କଲେ ସର୍ବେ ହୁଅନ୍ତି ହତ ।୧୬୩।

ରାଜା ପଚାରେ କିରୂପେ ଏକଥା କହ ସ୍ୱରୂପେ

ମନ୍ତ୍ରୀ କହେ ଅଯୋଧ୍ୟାରେ କ୍ଷତ୍ରିୟ ଥିଲା ।

ଚୂଡ଼ାମଣି ନାମ ତାର ଧନ ନିମିତ୍ତେ ଶିବର

ସେବା କାୟ କ୍ଳେଶରେ ସେ ବହୁତ କଲା ।

ତହିଁରୁ ସେ ନିଷ୍ପାପ ହେଲା ।

ସ୍ୱପ୍ନରେ ତାହାକୁ ଶିବ ଆଜ୍ଞା ହୋଇଲା ।୧୬୪।

ତୁହି ଆଜି ପ୍ରାତଃକାଳ ଖୁରେ ହେଉଥିବୁ କ୍ଷୌର

ହସ୍ତରେ ଦଣ୍ଡ ଧରିଣ ଦ୍ୱାରେ ବସିବୁ ।

ଏଥୁଅନ୍ତେ ଆଗନ୍ତୁକ ଭିକ୍ଷୁ ଯେ ଆସିବ ଏକ

ଦୟା ଛାଡ଼ି ଦଣ୍ଡରେ ତାହାକୁ ମାରିବୁ ।

ଏଥୁଅନ୍ତେ ସେ ଭିକ୍ଷୁ ଜନ ।

ସୁବର୍ଣ୍ଣ ପୂର୍ଣ୍ଣ କଳସ ହୋଇବ ଜାଣ ।୧୬୫।

ସେ ଧନରେ ତୋର କାଳ ସୁଖରେ ଯିବ ନିଶ୍ଚଳ

ନିଧିର ଉପାୟ ଏହି ଜାଣିଲା ସେହି ।

ଏହିରୂପେ ମୁଁ କରିବି ନିଶ୍ଚୟ ଧନ ପାଇବି

ଏମନ୍ତ ବିଚାରି ଦଣ୍ଡ ଧରି ଜଗଇ ।

ପ୍ରତିଦିନ କ୍ଷଉର ହୋଇ ।

ପ୍ରାତଃକାଳୁ ବସିଥାଇ ଭିକ୍ଷୁକୁ ଚାହିଁ ।୧୬୬।

 

ଏକ ଭିକ୍ଷୁ ଏକକାଳେ ପ୍ରବେଶ ହୋଇଲା ଦ୍ୱାରେ

ତାକୁ ଦେଖି ସେ ନାପିତ ପିଟିଲା ଧରି ।

ସେହି ଦୋଷରୁ ନାପିତ ଘେନି ଗଲେ ରାଜ ଭୃତ୍ୟ

ପାଣ୍ଢୋଇ ଦଣ୍ଡ ପ୍ରହାରେ ତାହାକୁ ମାରି ।

କହିଲି ମୁଁ ଏହି ହେତୁରୁ ।

ପୁଣ୍ୟରୁ ଯେହୁ ହୁଅଇ ନୁହେ ଆନରୁ ।୧୬୭।

 

ରାଜା କହେ ପୂର୍ବ ବୃତ୍ତ କଥାରେ ପର ନିଶ୍ଚିତ

କିରୂପେ ହୋଇବ ଏହୁ ସ୍ୱଭାବ ମିତ ।

କିବା ଏ ବିଶ୍ୱାସଘାତୀ ଆମ୍ଭଙ୍କୁ ମାରିବ ଧାତି-

କାରେ ଆସିଅଛି ଶତ୍ରୁଠାରୁ ନିଶ୍ଚିତ ।

ପ୍ରସ୍ତୁତ କଥାକୁ ଛାଡ଼ିଣ ।

ଅପ୍ରସ୍ତୁତ କଥାରେ କି ହେବ କାରଣ ।୧୬୮।

ମଳୟ ପର୍ବତ ଶୃଙ୍ଗେ ଚିତ୍ରବର୍ଣ୍ଣ ରାଜ ରଙ୍ଗେ

ବସିଅଛି କି କରିବା କହ ବିଚାର ।

ମନ୍ତ୍ରୀ ବୋଲେ ଶୁଣ ରାଜ ଚାର ମୁଖର ମୁଁ ଆଜ

ଶୁଣିଲି ସେ ଚିତ୍ରବର୍ଣ୍ଣ ଅମାତ୍ୱ ଗିର ।

ଆଦର ସେ ନ କଲା ଯେଣୁ ।

ଜିଣିମାକୁ ଯୁଦ୍ଧରେ ଶକ୍ୟ ହେବ ତେଣୁ ।୧୬୯।

ତା କହିବା ତୁମ୍ଭେ ଶୁଣ କ୍ରୂର ଅଳସ କ୍ରୋଧନ

ଅସତ୍ୱ ପ୍ରମାଦୀ ଭୀରୁ ମୂଢ଼ ଅସ୍ଥିର ।

ଯେ ଯୋଧ ଅବଜ୍ଞା କରେ ଏ ସମସ୍ତେ ସଂଗ୍ରାମରେ

ଅନାୟାସେ ବଧ ଜାଣ ତୁ ଏହାଙ୍କର ।

ଯେତେକାଳେ ଭିତରେ ସେହି ।

ଗଡ଼ ବେଢ଼ି ନ ପଡ଼ନ୍ତି ଉପାୟ କହି ।୧୭୦।

ନଦୀ ଅଦ୍ରି ବନ ବୀଥି ଯେତେ ମାର୍ଗ ଥିବ ଏଥି

ସାରସାଦି ସେନାପତି ତହିଁକି ପେଷ ।

ତା ଶୁଣ ଆହେ ଭୂତ୍ୱତ ଚାଲିବାରେ ଯେ ପୀଡ଼ିତ

ନଦୀ ମହୀଧର ବନ ସଙ୍କଟ ଦେଶ ।

ଘୋର ଅଗ୍ନିଭୟ ସଂତ୍ରାସ ।

ଯେଉଁଜନକୁ ବାଧଇ କ୍ଷୁଧା ପିପାସ ।୧୭୧।

ସାବଧାନ ନୋହେ ଯେହି ଯେ ଭୋଜନେ ବ୍ୟଗ୍ର ହୋଇ

ବ୍ୟାସ ଦୁର୍ଭିକ୍ଷ ପୀଡ଼ିତ ସେ ଜନ ହୋଇ ।

ଅସଂସ୍ଥିତ ଅଳ୍ପ ବଳ ବୃଷ୍ଟି ବାତରେ ଆକୁଳ

ପଙ୍କ ଧୂଳି ଜଳ ଛନ୍ନ ଯେହୁ ହୁଅଇ ।

ଅତି ବ୍ୟସ୍ତ ଯେ ଖଣ୍ଡ ଗ୍ରସ୍ତ ।

ଏରୂପେ ଯେ ପର ସୈନ୍ୟ ସେ ହୋଇ ହତ ।୧୭୨।

 

ଯେ ରାତି ହାଣକୁ ଡରି ରାତ୍ରିରେ ଜାଗର କରି

ଯେ ଜନ ଶ୍ରମରେ ଶ୍ରାନ୍ତ ଦିବସେ ଶୁପ୍ତ ।

ଯେ ନିଦ୍ରା ବ୍ୟାକୁଳ ହୋଇ ଅନାୟାସେ ସେ ମରଇ

ଏହିହେତୁ ପ୍ରମାଦୀ ସେ ତା ବଳ ହତ ।

କର ଯାଇ ରାତ୍ରି କାଳରେ ।

ସେରୂପେ ସମୟ ଜଗି ମାର ଦିବାରେ ।୧୭୩।

 

ସେରୂପେ ବିଚାର କଲେ ରାତ୍ର ଦିବସ ମାଇଲେ

ଚିତ୍ରବର୍ଣ୍ଣ ସୈନ୍ୟ ସେନାପତି ପଡ଼ିଲେ ।

ଏଥୁଅନ୍ତେ ଚିତ୍ରବର୍ଣ୍ଣ ହୋଇ ବିଷଣ୍ଣ ବଦନ

ମନ୍ତ୍ରିବର ଦୀର୍ଘଦରଶୀକି ପୁଛିଲେ ।

ବାବୁ କିପାଁ ମତେ ଛାଡ଼ୁଛ ।

ମୋର ଅବିନୟ କି ବା କି ଦେଖିଅଛ ।୧୭୪।

ତାହା କହୁଥାଇ ଶୁଣ ଆହେ ମନ୍ତ୍ରିବର ପୁଣ

ରାଜ୍ୟତ ମୋହର ବୋଲି ସ୍ଥିତି ଅଯୁକ୍ତ ।

ଯେବେ ଅବିନୟ ଥାଇ ଲକ୍ଷ୍ମୀକି ନାଶ କରଇ

ଯେହ୍ନେ ଜରା ରମ୍ୟରୂପ କରଇ ହତ ।

ବିନୟୀ ଯେ ଲକ୍ଷ୍ମୀକି ପାଇ ।

ପଥ୍ୟ ଭୋଜି ସୁଖ ଆରୋଗ୍ୟକୁ ଭଜଇ ।୧୭୫।

 

ଅଭ୍ୟାସ କରଇ ଯେହୁ ବିଦ୍ୟାବନ୍ତ ହୋଏ ସେହୁ

ବିନୟୀ ଯେ ଯଶ ଅର୍ଥ ଧର୍ମକୁ ପାଇ ।

ଗୁଧ୍ର କହଇ ହେ ଦେବ ଅବିଦ୍ୟାବନ୍ତ ଯେ ହେବ

ସେ ରାଜା ବିଜ୍ଞ ବୃଦ୍ଧକୁ ଯେବେ ସେବଇ ।

ବଡ଼ ସମ୍ପତ୍ତି ସେ ଭଜଇ ।

ଯେହ୍ନେ ଜଳ ପାଖ ତରୁ ବୃଦ୍ଧିକି ପାଇ ।୧୭୬।

ସ୍ତ୍ରୀ ସଂସର୍ଗ ମଦ୍ୟପାନ ମୃଗୟା ଦ୍ୟୁତ କରଣ

ଅର୍ଥ ଦୋଷ ଯେ ବଚନ ଦଣ୍ଡ ପାରୁଷ୍ୟ ।

ଏମାନେ ରାଜ ବ୍ୟସନ କରନ୍ତି ରାଜାକୁ ହୀନ

କେବଳ ନୀତି ଶୂରତା ଲକ୍ଷ୍ମିର ବାସ ।

କେବଳ ସାହସାବଲମ୍ୱ ।

କରିବାରୁ ଫଳ ମିଳିଲା ଅବିଳମ୍ୱ ।୧୭୭।

ତୁମ୍ଭେ ସ୍ୱବଳ ଉତ୍ସାହ ଧରିଣ କଲ ବିଗ୍ରହ

ମୋର ବିଚାର ଅବଜ୍ଞା ଭର୍ତ୍ସନା କଲ ।

ଦୁର୍ବିଚାରେ ଯେଉଁ ଫଳ ଅନୁଭବ ହେଲା ତୋର

ଯେ ହେଲା ହେଉ ଏବେତ ବିଚାର କର ।

ଅଛି ଯାହାର ଦୁର୍ବିଚାର ।

ସର୍ବ ନୀତି ଦୋଷର ସେ ହୋଏ ଆଧାର ।୧୭୮।

 

କେଉଁ ଅପଥ୍ୟ ଭୋଜିକି ରୋଗ ଛାଡ଼ି ଯାଇଛି କି

ଲକ୍ଷ୍ମୀ ହେଲେ କେଉଁ ଲୋକ ଗର୍ବୀ ନୁହଇ ।

କାହାକୁ ମୃତ୍ୟୁ ନ ମାରେ ନ ପଡ଼େ କେ ସ୍ତ୍ରୀ ବଶରେ

ସର୍ବଥା ଦୁର୍ଣ୍ଣୟ ପୂର୍ଣ୍ଣ ଶିରି ନାଶଇ ।

ବିଷାଦ ହର୍ଷକୁ ନାଶଇ ।

ହିମାଗମ ଶରଦ ଧର୍ମକୁ ଭାଙ୍ଗଇ ।୧୭୯।

 

ସେହି ହେତୁରୁ ମୋ ମନ ବିଚାର କଲି ରାଜନ

ବୁଦ୍ଧିହୀନ ନୋହେ ଯେବେ ଶାସ୍ତ୍ର ବିଚାରେ ।

କିପାଁ କଲା ଅନାଦର ବଚନରେ ତିରସ୍କାର

ଏଣୁ ଜାଣିଲି ମୁଁ ବୁଦ୍ଧି ନାହିଁ ଯାହାରେ ।

ତାର ଶାସ୍ତ୍ର ଅବା କି କରେ ।

ଦର୍ପଣ କି କରେ ନେତ୍ରହୀନ ଜନରେ ।୧୮୦।

ତେଣୁ ମୁହିଁ ତୁନି ହେଲି ଆଉ କିଛି ନ କହିଲି

ଶୁଣି ରାଜା ହସ୍ତ ଯୋଡ଼ି କହେ ବଚନ ।

ଏ ଯେ ଅପରାଧ ମୋର କ୍ଷମା କର ଏକ ବାର

ବର୍ତ୍ତମାନେ ଯେଉଁରୂପେ ବଳ ଘେନିଣ ।

ଯେରୂପରେ ବିନ୍ଧ୍ୟାଚଳକୁ ।

ଲେଉଟି ମୁଁ ଯିବି କହ ସେ ବିଚାରକୁ ।୧୮୧।

ଗୃଧ୍ର ମନରେ ବିଚାର କରିବା ଏ ପ୍ରତିକାର

ଯେଉଁ ହେତୁରୁ ଦେବତା ଗୁରୁ ଯେ ଗାଇ ।

ରାଜା ଯେ ରୋଗୀ ବ୍ରାହ୍ମଣ ବାଳକ ବୃଦ୍ଧ ଯେ ଜନ

ଏତେ ଲୋକଠାରେ କ୍ରୋଧ ଉଚିତ ନୋହି ।

ହସି ପ୍ରକାଶରେ କହଇ ।

ଦେବ ଭୟକୁ ନ ପାଅ ଆଶ୍ୱାସି ହୋଇ ।୧୮୨।

ମୁଁ କହୁଛି ଦେବ ଶୁଣ ମନ୍ତ୍ରୀମାନଙ୍କର ଗୁଣ

ଭେଦ ସନ୍ଧି ବିଗ୍ରହରେ ବୁଦ୍ଧି ତାଙ୍କର ।

ସନ୍ନିପାତେ ବୈଦ୍ୟ ଜାଣି ଆଉ ସବୁ ପରିମାଣି

ସାଧ୍ୟ କାର୍ଯ୍ୟରେ ଯେ ବୁଦ୍ଧି ନୋହେ କାହାର ।

ମୂର୍ଖ ବଡ଼ ଆରମ୍ଭ କରେ ।

କରି ନ ପାରି ତାହାକୁ ମରେ ବ୍ୟଗ୍ରରେ ।୧୮୩।

ସୂକ୍ଷ୍ମ ବୁଦ୍ଧି ଯେଉଁଜନ ସେ କାର୍ଯ୍ୟ କରେ ଏସନ

ଯେରୂପେ କାର୍ଯ୍ୟରେ ଶ୍ରମ ନୋହେ ତାହାର ।

ଅସାଧ୍ୟ କାର୍ଯ୍ୟ କରଇ ନିରାକୁଳ ଚିତ୍ତ ହୋଇ

ଏଣୁ କାର୍ଯ୍ୟ ସିଦ୍ଧି ହୋଇ ବୁଦ୍ଧି ଯାହାର ।

ମୂର୍ଖ ବ୍ୟର୍ଥ ଶ୍ରମ କରଇ ।

ପର୍ବତ ଖୋଳିଲେ ନିକି ମୂଷା ଧରଇ ।୧୮୪।

ତେଣୁ ତୁମ୍ଭ ପ୍ରତାପରେ ଦୁର୍ଗ ଭଙ୍ଗ କରି ଖରେ

କୀର୍ତ୍ତି ରଖି ବଳ ଘେନି ଯିବ ସଙ୍ଗରେ ।

ରାଜା କହେ ଏତେ ଅଳ୍ପ ବଳେ କିରୂପେ ଅନଳ୍ପ

କାର୍ଯ୍ୟ ହେବ ଶୁଣି ଗୃଧ୍ର କହେ ରାଜାରେ ।

ଦେବ ସବୁ ହେବ ଆମ୍ଭର ।

ଅବିଳମ୍ୱ କରେ ଯେହୁ ବିଜୟ ତାର ।୧୮୫।

 

ଏଥୁଅନ୍ତେ ବକଚାର ହିରଣ୍ୟଗର୍ଭ ରାଜାର

କହିଲା ହେ ଦେବ ସ୍ୱଳ୍ପ ବଳ ସେ ରାଜ ।

ଗୃଧ୍ର ମନ୍ତ୍ରୀ ବିଚାରରେ ଆସିବେ ସେହି ସତ୍ୱରେ

ଆମ୍ଭ ଗଡ଼ ଦ୍ୱାର ରୋଧ କରିବେ ଆଜ

ରାଜହଂସ କହଇ ଶୁଣି ।

ସର୍ବଜ୍ଞ ବର୍ତ୍ତମାନେ କି କରିବା ପୁଣି ।୧୮୬।

ଚକ୍ରବାକ ଶୁଣି କହି ଅଳ୍ପ ବଳ ହେଲେ ତହିଁ

ଅସାର କି ସାର ଏହା ବିଚାର କର ।

ଜାଣି ଯେ ଯାହାକୁ ଯୋଗ୍ୟ ସୁବର୍ଣ୍ଣ ବସ୍ତ୍ରାଦି ଭୋଗ୍ୟ

ତାହାକୁ ତା ଦେଇ ସୈନ୍ୟ ସନ୍ତୋଷ କର ।

ସ୍ଥାନେ ଦେଲେ ହୁଅଇ ସାର୍ଥ ।

ଅସ୍ଥାନରେ ଯାହା ଦେଇ ସବୁ ସେ ବ୍ୟର୍ଥ ।୧୮୭।

ତାହା କହୁଥାଇ ଶୁଣ ଅମାର୍ଗରେ ଯେଉଁ ଜନ

ଯାଇ ସେ ପାଞ୍ଚ ଗଣ୍ଡାକୁ ଯେବେ ନ ଛାଡ଼େ ।

ସ୍ଥାନରେ କୋଟିଏ ଧନ ଦେଇଣ ଆନନ୍ଦ ମନ

ହୋଇ ଯେଉଁ ରଜା ତାକୁ ଲକ୍ଷ୍ମୀ ନ ଛାଡ଼େ ।

ଏହି ହେତୁ ରାଜା ସେ ସ୍ଥାନେ ।

ଦିଅଇ ଧନକୁ ନ ଦିଅଇ ଅସ୍ଥାନେ ।୧୮୮।

ଯାଗ ବିବାହ ବିପତ୍ତି ମିତ୍ର ରକ୍ଷଣ ଯେ କୀର୍ତ୍ତି

କାରଣ କର୍ମ ମହତ୍ୱ ଶତ୍ରୁର କ୍ଷୟ ।

ନିର୍ଦ୍ଧନ ବନ୍ଧୁ ଯେ ପ୍ରୀତି କାରୀ ଯେଉଁ ଭାର୍ଯ୍ୟା ରୀତି

ଏତେଠାରେ ରାଜାଙ୍କର ବହୁତ ବ୍ୟୟ ।

ମୂର୍ଖ ସବୁ ବ୍ୟୟ ଭୟରେ ।

ନ ଦେଲା ହେତୁରୁ ଭୃତ୍ୟ ପଳାଇ ଡରେ ।୧୮୯।

ରାଜା କହେ ଏ ସମୟେ ଅତି ବ୍ୟୟଯୁକ୍ତ ନୋହେ

ଯେଣୁ ବିପନ୍ନବାରଣେ ଧନ ରଖଇ ।

ମନ୍ତ୍ରୀ କହେ ଶିରିବନ୍ତ ଲୋକ ନୁହେ ବିପଦ୍ଗତ

ରାଜା କହେ କଦାଚିତ ସମ୍ପତ୍ତି ଯାଇ ।

ମନ୍ତ୍ରୀ କହେ ସଞ୍ଚିତ ଅର୍ଥ ।

ନ ଦେଇ ନ ଖାଇ ଯେବେ ହୁଅଇ ବ୍ୟର୍ଥ ।୧୯୦।

 

ଦେବ ଛାଡ଼ିଣ କାର୍ପଣ୍ୟ ସୁଯୋଧଙ୍କୁ ଦିଅ ଧନ

ଦେଲେ ସେ ପରମ୍ପରାରେ ସନ୍ତୋଷ ହୋଇ ।

ଯେ କୁଳୀନ ଯୋଧ ଥାନ୍ତି ଯୁଦ୍ଧେ ପ୍ରାଣକୁ ଛାଡ଼ନ୍ତି

ତାଙ୍କ ବଳେ ଶତ୍ରୁ ବଳ ପଳାଇ ଯାଇ ।

ଦିଅ ତୁମ୍ଭେ ବେଗରେ ଧନ ।

ନ ଦେଲେ ଯୁଦ୍ଧରେ ଯୋଦ୍ଧା ନ କରେ ମନ ।୧୯୧।

 

ସତ୍ୟ ତ୍ୟାଗ ଶୃରପଣ ନୃପଙ୍କର ଏତେ ଗୁଣ

ଏତେ ଗୁଣମାନେ ଥିଲେ ଶତ୍ରୁ ମାରଇ ।

ଏତେ ଗୁଣେ ଯେହୁ ହୀନ ଯୁଦ୍ଧ କରଇ ରାଜନ

ସେ ନିଶ୍ଚୟ ଲୋକନିନ୍ଦା ସ୍ଥାନ ହୁଅଇ ।

ଅମାତ୍ୟମାନଙ୍କୁ ଡାକିଣ ।

ଧନ ଅଳଙ୍କାର ଦେଇ କର ରାଜନ ।୧୯୨।

ଯେଉଁ ରାଜାକୁ ଯେ ମନ୍ତ୍ରୀ ନିବାରଇ କହି ନୀତି

ଯେ ତାର ସୁଖରେ ସୁଖୀ ଦୁଃଖୀ ତା ଦୁଃଖେ ।

ସେ ବିଶ୍ୱସ୍ତ ମନ୍ତ୍ରୀ ଜାଣ ତାକୁ ସମର୍ପିବ ପ୍ରାଣ

ଧନ ଏରୂପରେ କଲେ ସେ ରାଜା ସୁଖେ ।

କିଛି ନ ପାଇ ସେ ଅକାର୍ଯ୍ୟ ।

ଯେ ବିଶ୍ୱସ୍ତ ମନ୍ତ୍ରୀ ଘେନି କରଇ କାର୍ଯ୍ୟ ।୧୯୩।

ଧୂର୍ତ୍ତ ନାରୀ ଶିଶୁ ଯାର ମନ୍ତ୍ରୀ ହୁଅନ୍ତି ରାଜାର

ସେ ରାଜା ଅନ୍ୟାୟେ ସଦା ଚଳିତ ହୋଇ ।

କାର୍ଯ୍ୟ ସମୁଦ୍ରେ ବୁଡ଼ଇ ଅତିଶେ ଚଞ୍ଚଳ ହୋଇ

ବାତକ୍ଷିପ୍ତ ପୋତ ପ୍ରାୟ ଅବଶ ହୋଇ ।

ଯାହା ତୁଲେ ଯାର ଉଦୟ ।

ସେ ରାଜା ସେ ମନ୍ତ୍ରୀ ତାରେ ନୋହେ ନିର୍ଦୟ ।୧୯୪।

ଏଥୁଅନ୍ତେ କାକ ଆସି ପ୍ରମାଣ କରିଣ ଭାଷି

ମେଘବର୍ଣ୍ଣ ବୋଲେ ଦେବ ସନ୍ତୋଷ ହୋଇ ।

ଆଜ୍ଞା ଦିଅ ଦେବ ଆଜ କରିବି ତୁମ୍ଭର କାର୍ଯ୍ୟ

ଶତ୍ରୁକୁ ମାରିବି ଦ୍ୱାରେ ବାହାର ହୋଇ ।

କଲେ ଏହା ତୁମ୍ଭର ରଣ ।

ଶୁଝିକରି ଦେବ ମୁହିଁ ହେବି ଅନୃଣ ।୧୯୫।

ଚକ୍ରବାକ ବୋଲେ ଦେବ ଏ କଥା କେବେ ନୋହିବ

ଯେବେ ଗଡ଼ରୁ ବାହାର ହୋଇ ଯୁଝିବ ।

ତେବେ ଗଡ଼ର ଆଶ୍ରୟ ବ୍ୟର୍ଥ ହେବ ମହାଶୟ

ଜଳରୁ ବାହାରି ନକ୍ର କିସ କରିବ ।

କଲ ଯେବେ ମହା ଅନ୍ୟାୟ ।

ହେବ ଜନବିନିର୍ଗତ ସିଂହର ପ୍ରାୟ ।୧୯୬।

 

ପୁଣି ବୋଲେ ମହାରାଜ ଯାଅ ଯୁଦ୍ଧ ଦେଖ ଆଜ

ଯେଣୁ ରଜାବଳ ଆଗେ ଯୁଝଇ ।

ସ୍ୱାମୀ ଯେବେ ସଙ୍ଗେ ଥାଇ କୁକ୍କୁର ସିଂହ ହୁଅଇ

ସ୍ୱାମୀ ଅଭାବରେ ସିଂହ କୁକ୍କୁର ହୋଇ ।

ଏହା ବୋଲି ସମସ୍ତେ ଗଲେ ।

ଗଡ଼ଦ୍ୱାରେ ବଡ଼ ଯୁଦ୍ଧ ମିଳିଣ କଲେ ।୧୯୭।

 

ଆରଦିନ ରାଜ ଚିତ୍ର ବର୍ଣ୍ଣ କହେ ଆହେ ତାତ

ତୁମ୍ଭର ପ୍ରତିଜ୍ଞା ତୁମ୍ଭେ ନିର୍ବାହ କର ।

ଶୁଣି ଗୃଧ୍ର କହେ ପୁଣ ଆହେ ରାଜା ତୁମ୍ଭେ ଶୁଣ

ତୋର ହୁଅଇ ଯେ ସୈନ୍ୟ ଊଣା ଯାହାର ।

ଯା ନାୟକ ମୂର୍ଖ ବ୍ୟସନୀ ।

ଅରକ୍ଷିତ ଭୀରୁ ଯୋଦ୍ଧା ଏ ଦୁର୍ଗ ହାନି ।୧୯୮।

ସେ ସବୁ ଏଠାରେ ଅଛି ବିଚାର ନ କର କିଛି

ଭେଦ ଚିର ଆରାଧନ ଦୁଷ୍ଟ ପୁରୁଷ ।

ଅତିପୀଡ଼ା ଏହି ଚାରି ଦୋଷ ଥିଲେ ଗଡ଼ ମରି

ତହିଁରେ ସାମର୍ଥ୍ୟ ଚାହିଁ ଯତ୍ନ ଅବଶ୍ୟ ।

କର ତୁମ୍ଭେ ଏହି ବିଚାର ।

ରାଜା କହଇ ଏକଥା ଏରୂପେ କର ।୧୯୯।

ଏଥୁ ଅନ୍ତେ ଅନୁଦିତ ଭାସ୍କର ହୁଅନ୍ତେ ପ୍ରାତଃ

କାଳେ ଚାରିଦ୍ୱାରେ ଯୁଦ୍ଧ ହୋନ୍ତେ ବହୁତ ।

ଗଡ଼ ଭିତର ଘରରେ ବାୟସ ଏ ସମୟରେ

ଅଗ୍ନି ପକାଇ ପଳାଇଗଲା ତ୍ୱରିତ ।

ଚିତ୍ରବର୍ଣ୍ଣଠାରେ ପ୍ରବେଶ ।

ଦେଖି ଚିତ୍ରବର୍ଣ୍ଣ ହେଲା ବଡ଼ ସନ୍ତୋଷ ।୨୦୦।

ଏଥୁଅନ୍ତେ ହଂସ ସୈନ୍ୟ ଦେଖିଣ ଅଗ୍ନି ଜ୍ୱଳନ

ଘୋଟିଲା ଘୋଟିଲା ଗଡ଼ ଏ କୋଳାହଳ ।

ଶୁଣିକରି ଦୁର୍ଗବାସୀ ପଳାଇ ଅଇଲେ ଆସି

ହ୍ରଦରେ ପଶିଲେ ଯାଇଁ ଜଳ ଭିତର ।

ଏଣୁକରି ଯଥା କାଳରେ ।

ମନ୍ତ୍ରୀ ଯୁଦ୍ଧୁଁ ପଳାୟନ କରି ସତ୍ୱରେ ।୨୦୧।

ରାଜହଂସ ସ୍ୱଭାବରେ ମନ୍ଦ ମନ୍ଦ ଚାଲିବାରେ

ସେନାପତି ସାରସକୁ ଘେନି ରହିଲା ।

ଚିତ୍ରବର୍ଣ୍ଣ ଯେ ନୃପତି କୁକ୍କୁଟ ତା ସେନାପତି

ସ୍ୱ ସୈନ୍ୟ ସହିତେ ସେ ଦୁହିଁକି ବେଢ଼ିଲା ।

ତାହା ଦେଖି ସେ ରାଜହଂସ ।

କହେ ସାରସକୁ ନୁହ ନୁହ ମୋ ପାଇଁ ନାଶ ।୨୦୨।

 

ବର୍ତ୍ତମାନ ତୁମ୍ଭେ ଯାଅ ଜଳରେ ପ୍ରବେଶ ହୁଅ

ତୁମ୍ଭେତ ଯିବାକୁ ଶକ୍ତ କିପାଁ ବିଚାର ।

ମୋର ସୁତ ରତ୍ନଗର୍ଭ ତାକୁ ନେଇ ତୁମ୍ଭେ ସର୍ବ

ପକ୍ଷିମାନେ ମିଳି ରାଜାଭିଷେକ କର ।

ସର୍ବଜ୍ଞ ସମ୍ପତ୍ତିକି ଘେନି ।

କହଇ ସାରସ ରାଜା ବଚନ ଶୁଣି ।୨୦୩।

Unknown

 

ଏଡ଼େ କଠୋର ବଚନ କିପାଁ କହୁଛ ରାଜନ

ଚନ୍ଦ୍ର ସୂର୍ଯ୍ୟ ଥିବାଯାଏ ବିଜୟ ହେଉ ।

ମୁଁ ଯେ ଦୁର୍ଗ ଅଧିକାରୀ ନେଉ ପଛେ ମୋତେ ମାରି

ଶତ୍ରୁ ମୋ ମାଂସ ରକତ ବାଟରେ ଖାଉ ।

କ୍ଷମାଦାତା ଯେ ଗୁଣଗ୍ରାହୀ ।

ଏ ସ୍ୱାମିକି ପାଏ ଯାର ସୁପୁଣ୍ୟ ଥାଇ ।୨୦୪।

ରାଜା କହେ ପୁଣ ଶୁଣି ଏକଥା ଏରୂପେ ପୁଣି

ଶୁଦ୍ଧ ଦକ୍ଷ ଅନୁରକ୍ତ ଭୃତ୍ୟ ଦୁର୍ଲଭ ।

ତୋହପରି ଅନୁରକ୍ତ ନ ଦେଖଇ ତ୍ରିଜଗତ

ଏଣୁ ଜାଣୁଛି ତୋ ଘେନି ପୃଥ୍ୱୀ ବଲ୍ଲଭ ।

ହୋଇଥିଲି ମୁ ଆଜିଯାଏ ।

ତୁମ୍ଭେ ମଲେ କି କରିବି କହ ଉପାୟେ ।୨୦୫।

ସାରସ କହଇ ଶୁଣ ଆହେ ରାଜା ମୋ ବଚନ

ସମରୁ ପଳାଇ ଯେ ସେ ନିନ୍ଦ୍ୟ ଜୀବନ ।

ଜନ୍ତୁମାନଙ୍କ ମରଣ ଅବଶ୍ୟ ହୋଇବ ଜାଣ

କିପାଁ ବୃଥା ମୋର ଯଶ କର ମଳିଣ ।

ପର ଅର୍ଥେ ଜୀବନ ବ୍ୟୟ ।

ହୋଇ ଯାର ତାର ପୂର୍ବେ ପୁଣ୍ୟ ସଂଚୟ ।୨୦୬।

ତୁମ୍ଭେ ଯେ ସ୍ୱାମୀ ରାଜନ ସର୍ବଦା ତୁମ୍ଭ ରକ୍ଷଣ

କରିବାର ଆମ୍ଭମାନଙ୍କର ଉଚିତ ।

ଯେଣୁ ସ୍ୱାମି ପରିତ୍ୟକ୍ତ ସମୃଦ୍ଧ ହେଲେ ଅମାତ୍ୟ

ନାଶ ଯାଇ କ୍ଷଣକରେ ଏ କଥା ସତ୍ୟ ।

ଯାହାର ଆୟୁଷ ନ ଥାଇ ।

ତାହାଠାରେ ଧନ୍ୱନ୍ତରୀ କିବା କରଇ ।୨୦୭।

ଯେହ୍ନେ ରବି ଉଦୟରେ ପଦ୍ମ ବିକାଶକୁ ଧରେ

ଅସ୍ତ ହେଲେ ସଂକୁଚିତ ସେକ୍ଷଣେ ହୋଇ ।

ତେହ୍ନେ ରାଜାର ଉଦୟ ହେଲେ ଲୋକ ସମୁଦାୟ

ଅସ୍ତକୁ ପାଇଲେ ଲୋକ ନାଶକୁ ପାଇ ।

ରାଜାଧୀନ ସମସ୍ତ ଲୋକ ।

ରାଜା ବିନା ସେ ସମସ୍ତେ ହୋନ୍ତି ସଶୋକ ।୨୦୮।

 

ଏହି ସମୟେ କୁକ୍କୁଟ ଆସିଲା ହୋଇ ଉତ୍କଟ

ରାଜହଂସେ ନଖ ମୁଖ ପ୍ରହାର କଲା ।

ଏଥୁଅନ୍ତେ ଥିଲା ପାଶ ସେନାପତି ଯେ ସାରସ

ସେ ରାଜାକୁ ପିଠି କରି ଆସି ରହିଲା ।

ପୁଣି ପୁଣି ସେହି କୁକ୍କୁଟ ।

ନଖ ଦନ୍ତ ପ୍ରହାରରେ କଲା ବିକଟ ।୨୦୯।

 

କୁକ୍କୁଟର ନଖ ଦନ୍ତ ପୀଡ଼ିତ ହୋଇଲା ଗାତ୍ର

ତେବେ ଆପଣା ଦେହରେ ରାଜକୁ ଧରି ।

ପକାଇଲା ଜଳେ ନେଇ ପୁଣି କୁକ୍କୁଟ ଗୋଡ଼ାଇ

ଚଞ୍ଚୁ ପ୍ରହାରରେ ସେନାପତିକି ମାରି ।

ତହୁଁ ମେଳ ପକ୍ଷୀ ସକଳ ।

ସେନାପତି ସାରସକୁ କଲେ କବଳ ।୨୧୦।

ଏଥୁଅନ୍ତେ ଚିତ୍ରବର୍ଣ୍ଣ ହଂସର ଗଡ଼େ ପଶିଣ

ଗଡ଼େ ଥିଲା ଯେତେ ଦ୍ରବ୍ୟ ତାକୁ ବୁହାଇ ।

ସର୍ବେ ଜୟ ଶବ୍ଦ କଲେ ଆନନ୍ଦ ହୋଇ ସେ ଗଲେ

ଯାଇ ନିଜ କଟକରେ ପ୍ରବେଶ ହୋଇ ।

କଲେ ପୁଣି ଦ୍ୱିଜ ଭୋଜନ ।

ରାଜା ମୁଣୋହିକି ସାରି କଲା ଶୟନ ।୨୧୧।

ଏଥୁଅନ୍ତେ ରାଜପୁତ୍ର ଶୁଣିଣ ଅତି ବିଚିତ୍ର

କହିଲେ ଏ ରାଜହଂସ ବଳ ମଧ୍ୟରେ ।

ଏ ସାରସ ପୁଣ୍ୟବନ୍ତ ଯେଣୁ ଦେହ ଦେଇ ଅନ୍ତ-

କର ମୁଖୁଁ ସ୍ୱାମୀକି ରଖିଲା ଯୁଦ୍ଧରେ ।

ଏକଥାତ ଶାସ୍ତ୍ରେ କହିଛି ।

ବର୍ତ୍ତମାନରେ ଏକଥା ଚିତ୍ର ହୋଇଛି ।୨୧୨।

ଗଉ ଯାହା ଜନ୍ମ କରି ସମସ୍ତେ ଗାଇର ପରି

ହୋଇ ବଳିବର୍ଦ ହୋଇଣ ସେ ରହନ୍ତି ।

ମହା ଶୃଙ୍ଗ ଚଳୁଥାଇ କେହି କିରୂପେ ହୁଅଇ

ସର୍ବେ ମହା ବୃଷଭ ସଂଜ୍ଞା କି ଭଜନ୍ତି ।

ଏହିରୂପେ ଏହି ସଂସାରେ ।

କେଉଁଠାରେ କିଏ ଅବା ଥିବ ଲୋକରେ ।୨୧୩।

ବିଷ୍ଣୁଶର୍ମ୍ମା କହେ ପୁଣି ଏ ଯେ ପକ୍ଷି ଚୂଡ଼ାମଣି

ମହାସତ୍ୱ ସାରସ ଧର୍ମରେ କିଣିଣ ।

ବିଦ୍ୟାଧରୀ ପରିଜନ ଅକ୍ଷୟ ଲୋକରେ ସ୍ଥାନ

ସେ ସ୍ଥାନରେ ରହେ ବହୁ ବରଷଗଣ ।

ଯେ ଯୁଦ୍ଧରେ ସ୍ୱାମୀ ନିମିତ୍ତେ ।

ମରନ୍ତି ସ୍ୱର୍ଗେ ବସନ୍ତି ସେ କଳ୍ପ ଶତେ ।୨୧୪।

ଶତ୍ରୁମାନେ ବେଢ଼ିକରି ରଣରେ ଯାହାକୁ ମାରି

ସେ ଯେବେ ମରଣକାଳେ ନୁହଇ ଦୀନ ।

ଆଗରୁ ପଛ ନ ଯାଇ ମଲିରେ ମୁଁ ନ ବୋଲଇ

ସ୍ୱାମୀ ଭକ୍ତି ଉପକାରେ ଥାଇ ତା ମନ ।

ସେହି ନର ସ୍ୱର୍ଗକୁ ଯାଇ ।

ଏ ଗୁଣ ନ ଥାଇ ଯାର ନରକ ହୋଇ ।୨୧୫।

ଇତି ଶ୍ରୀ ହିତୋପଦେଶେ ନୀତିସାରେ ବିଗ୍ରହ କଥନେ

ତୃତୀୟ କଥା ସଂଗ୍ରହଃ ।

Image

 

ସନ୍ଧି

 

ପୁଣି ବିଷ୍ଣୁଶର୍ମ୍ମା କହେ ଶୁଣ ରାଜସୁତ ଆହେ

ଶୁଣିଲତ ବିଗ୍ରହକୁ ଯଥାର୍ଥ କରି ।

ଏବେ ସନ୍ଧି କହୁଥାଇ ଶୁଣ ତୁମ୍ଭେ ମନ ଦେଇ

ଶୁଣିଲେ ସେ ବୁଦ୍ଧି ହୋଏ ଯାହାରି କାରି ।

ତାହାର ଏ ସଂଗ୍ରହ ଶ୍ଳୋକ ।

ଏଥିରେ ବିଚାର କଥା ଅଛି ଅନେକ ।୧।

 

ବଡ଼ ସଂଗ୍ରାମ ହୁଅନ୍ତେ ବହୁତ ସୈନ୍ୟ ମରନ୍ତେ

ଦୁଇ ରାଜାଙ୍କର ହେଲା ମହା ବଇର ।

ଦେଖି ମନ୍ତ୍ରୀ ଗୃଧ୍ର ଚକ୍ର- ବାକ ଶକ୍ତ ଗୁରୁ ଶୁକ୍ର

ସମାନ ବୁଦ୍ଧି ଏ ଦୁହେଁ କଲେ ବିଚାର ।

ବିଚାରିଣ କାଞ୍ଚନ ସନ୍ଧି ।

କଲେ ଦୁଇ ରାଜାଙ୍କର ବିରୋଧ ବନ୍ଦି ।୨।

 

ଶୁଣିଣ ରାଜକୁମର ପଚାରନ୍ତି ଦ୍ୱିଜବର

ହେଲା ଦୁଇ ରାଜାଙ୍କର କିରୂପେ ପ୍ରୀତି ।

କହ କିଛି ଦେବା ନେବା ଅବା ପରସ୍ପର ସେବା

କରିଣ ପ୍ରୀତି କରିବ କହିଛି ନୀତି ।

ଦୁହେଁ କଲେ କାଞ୍ଚନ ସନ୍ଧି ।

ଶୁଣିଣ ଆମ୍ଭର ମନ ହେଉଛି ଧନ୍ଦି ।୩।

 

ଶୁଣି ବିଷ୍ଣୁଶର୍ମ୍ମା କହେ ଶୁଣ ରାଜପୁତ୍ର ଆହେ

ଗଡ଼ ମଲା ଉତ୍ତାରୁ ସେ ହଂସ ରାଜନ ।

କିଏସେ ଆମ୍ଭ ଗଡ଼ରେ ଅଗ୍ନି ପକାଇଲା ଘରେ

କିବା ପର ଆମ୍ଭ ଦୁର୍ଗ ନିବାସୀ ଜନ ।

ଅବା କେହି ବିପକ୍ଷ ପକ୍ଷ ।

ଆସି କରି କଲା ଏଡ଼େ କର୍ମ ଅଶକ୍ୟ ।୪।

 

ଚକ୍ର କହଇ ବଚନ       ତୁମ୍ଭର ଯେ ଅକାରଣ

ବନ୍ଧୁ ଯେ ଭୃତ୍ୟ ସହିତେ ଦିଶୁ ଯେ ନାହିଁ ।

ମୁଁ ଜାଣୁଛି ତାର ଏହି କର୍ମ ନାହିଁ ଆଉ କେହି

ଶୁଣି ରାଜା କ୍ଷଣେ ଚିନ୍ତା କରି କହଇ ।

ଏକଥା ଏରୂପେ ହୁଅଇ ।

ମନ୍ତ୍ରୀ ଦୋଷ କିଛି ନାହିଁ ଦୈବର ଏହି ।୫।

 

ଯେ ସୁଘଟ ହୋଇଥାଇ ସେ କାର୍ଯ୍ୟ କ୍ଷଣକେ ନୋହି

ଦଇବରୁ ବଡ଼ କେହି ନାହିଁଟି ଜାଣ ।

ଦଇବ ଯାହା କରଇ ତାହା କେହି ନ ପାରଇ

ଦଇବ ସେ ହର୍ତ୍ତା କର୍ତ୍ତା ଧାତା ପ୍ରମାଣ ।

ପୂର୍ବ ଜନ୍ମ କର୍ମ ଦଇବ ।

ଏହି ହେତୁରୁ ମନୁଷ୍ୟ ସବୁ ସହିବ ।୬।

ମନ୍ତ୍ରୀ ବୋଲେ ଏ ବଚନ ଶାସ୍ତ୍ରରେ କହିଛି ଶୁଣ

ବିଷମ ଦଶାକୁ ଚାହିଁ ଯେବେ ଏ ନର ।

ନିନ୍ଦା କରେ ଦଇବକୁ ନ ଜାଣେ କର୍ମ ଦୋଷକୁ

ଯେଣୁ ସେ ମୂରୁଖ ନାହିଁ ତାର ବିଚାର ।

ଯେଉଁ ଲୋକ ମିତ୍ର ବଚନ ।

ନ କରଇ ତାର ଦଶା ଏରୂପେ ଜାଣ ।୭।

ହିତକାରୀ ମିତ୍ରଜନ ଯେ ଉପଦେଶ ବଚନ

ନ କରଇ ଯେଉଁଜନ ସେ ପଛେ ପୁଣି ।

ମରଇ ଯେରୂପେ କୂର୍ମ କାଷ୍ଠରୁ ହୋଇଣ ଭ୍ରମ

ପଡ଼ିଣ ଭୂମିରେ ଗତ ପ୍ରାଣ ସେକ୍ଷଣି ।

ରାଜା ବୋଲେ କହ କିରୂପେ ।

ଚକ୍ରବାକ କହୁଛି ସେ କଥା ସ୍ୱରୂପେ ।୮।

ନାମରେ ଫୁଲ୍ଲ ଉତ୍ପଳ ମଗଧ ଦେଶରେ ସର

ତହିଁ ଦୁଇ ହଂସ କୂର୍ମ ତିନିହେଁ ମିତ ।

ଥାଆନ୍ତି ଏକ ଦିନରେ କୈବର୍ତ୍ତ ଆସି ସେଠାରେ

କହିଲେ ଆଜ ରାତ୍ରରେ ହୋଇ ସଙ୍ଗତ ।

ରହିବା ସେ କାଲି ସକାଳେ ।

ମାରିବା ମତ୍ସ୍ୟ କଚ୍ଛପ ଯେ ଥିବେ ଜଳେ ।୯।

କୂର୍ମ ସେ ବଚନ ଶୁଣି ହଂସଙ୍କୁ କହେ ଏ ବାଣୀ

ଦୁଇ ମିତ ଶୁଣିଲ ଦାସଙ୍କ ବିଚାର ।

କି କରିବି କହ ମୁହିଁ ବର୍ତ୍ତମାନେ ତୁମ୍ଭେ ଦୁଇ

ରକ୍ଷା କଲେ ପରାଣ ରହିବ ମୋହର ।

ଶୁଣି ହଂସ ଦୁହେଁ କହିଲେ

କରିବେ କି ନ କରିବେ ଜାଣିମା ଭଲେ ।୧୦।

 

ପଛେ ଯେ ହେବ ଉଚିତ କରିବା ହେ ତାହା ମିତ

କୂର୍ମ ବୋଲେ ବିଳମ୍ୱରେ କାର୍ଯ୍ୟ ନ କର ।

ବିଳମ୍ବରେ କାର୍ଯ୍ୟ କଲେ ତାକୁ ସବୁ ହେବେ

ପୁଣି ଦେଖିଅଛି ବିଷୟରେ ଯେବେ

କିବା ହୋଇବାର ।୧୧।

 

ଆଉ ଏକ ମତ୍ସ୍ୟ ଥାଇ ଯଦ୍ଭବିଷ୍ୟ ନାମ ବହି

ଏ ତିନିହେଁ ଥିଲେ ଏକ ସର ଭିତର ।

ପୂର୍ବ ଦୁହେଁ ସୁଖେ ଜୀଇଲେ ।

ଯଦ୍ଭବିଷ୍ୟ ଅବିଚାରେ ବିଳମ୍ୱେ ମଲେ ।୧୨।

 

ଶୁଣି ହଂସ ଦୁହେଁ କହି ଏ କଥା କିରୂପେ ହୋଇ

ଶୁଣି କୂର୍ମ କହୁଅଛି ଶୁଣ ହେ ମିତ ।

ପୂର୍ବକାଳେ ଏହି ସରେ ଏହିରୂପରେ ଧୀବରେ

ମତ୍ସ୍ୟ ମାରିବାକୁ ଆସି ହେଲେ ସଙ୍ଗତ ।

ତିନି ମତ୍ସ୍ୟ ବିଚାର କଲେ ।

ତହିଁ ମଧ୍ୟେ ଅନାଗତ ବିଧାତା ବୋଲେ ।୧୩।

ମୁଁ ଯାଉଛି ଏହିକ୍ଷଣି କହିଗଲା ସେହିକ୍ଷଣି

ଅନ୍ୟ ଜଳାଶୟରେ ସେ କଲା ନିବାସ ।

ପ୍ରତ୍ୟୁତ୍ପନ୍ନମତି କହି ଆଗତ କାର୍ଯ୍ୟକୁ କେହି

ନ ବିଚାରେ ବିପତ୍ତି ପଡ଼ିଲେ ଉଦାସ ।

ନୁହଁଇ ଯେ ସେ ବୁଦ୍ଧିମନ୍ତ ।

ଆମ୍ଭେ ବିପତ୍ତି କାଳେ କରିବା ହେମନ୍ତ ।୧୪।

ବିପତ୍ତି ପ୍ରବେଶ କଲେ ଯେଉଁଜନ ବୁଦ୍ଧି କଳେ

ତାର ପ୍ରତିକାର କରେ ପଣ୍ଡିତ ସେହି ।

ପ୍ରତ୍ୟୁତ୍ପନ୍ନମତି କହି ଏକ ବଣିଜାରୁ ଥାଇ

ତାର ଭାର୍ଯ୍ୟା ଜାର ସଙ୍ଗେ କରେ ବିହାର ।

ପ୍ରତିଦିନ କରେ ଏ ରୀତି ।

ଦିନେହେଁ ତାହାର ରୀତି ନ ଦେଖେ ପତି ।୧୬।

 

ଏକଦିନେ ସେ ଜାରର ମୁଖେ ଚୁମ୍ୱନ ଦେବାର

ଦୂରୁଁ ତା ପତି ଦେଖିଲା ତାହା ଜାଣିଲା ।

ଧାଇଁ ଯାଇ ତାର ଆଗେ କହିଲା ବଡ଼ ସରାଗେ

ଏମନ୍ତ ଭୃତ୍ୟକୁ ରଖିବାର ନୋହିଲା ।

ନିତି ହିଙ୍ଗୁ ଏହି ଚୋରାଇ ।

ମୁଖକୁ ସୁଙ୍ଘି ଏହାର ଜାଣିଲି ମୁହିଁ ।୧୭।

ତାହାର ବଚନ ଶୁଣି କୋପେ ଭୃତ୍ୟ କହେ ବାଣୀ

ଯାର ଘରେ ମାଇପ ପ୍ରତାପ କରଇ ।

ତା ଘରେ ମୁଁ କି ରହିବି ଆଜ ଆନଠାକୁ ଯିବି

ଆନକୁ ସେବା କରିବି ବୋଲିଣ ଧାଇଁ ।

ଗୃହ ପତି ଧାଇଁ ଧଇଲା ।

ପ୍ରବୋଧନା କରି ତାକୁ ଘରକୁ ନେଲା ।୧୮।

ବଣିଜାରୁ ଭାର୍ଯ୍ୟା ଜାର ଯେରୂପରେ କଲା ପାର

ବିପତ୍ତି କାଳରେ ସେହିରୂପରେ ମୁହିଁ ।

କରିବି ଯିବା ଉପାୟ ମୋର କିଛି ନାହିଁ ଭୟ

ଏହା ଶୁଣି ଯତୃବିଷ୍ୟ ମତ୍ସ୍ୟ କହଇ ।

ଯେ ହେବାର ସେତ ହୋଇବ ।

ନୋହିବାର ଯେଉଁ କାର୍ଯ୍ୟ ସେତ ନୋହିବ ।୧୯।

ଏମନ୍ତ ବୋଲି ସେ ମିନ ହୋଇଲେ ନିଶ୍ଚିନ୍ତ ମନ

ଏ ସମୟେ କଇବର୍ତ୍ତ ଜାଲ ଫାନ୍ଦିଲା ।

ଓଟାରି ନେଇ କୂଳକୁ ଦେଖିଲା ଦୁଇ ମତ୍ସ୍ୟଙ୍କୁ

ତହିଁରେ ଗୋଟିଏ ମୃତ ପ୍ରାୟ ଦେଖିଲା ।

ତାଟକାରେ ଏ ମାଛ ମଲା ।

ବୋଲି ତା ଉପରୁ ଜାଲ କାଢ଼ିଣ ଦେଲା ।୨୦।

 

ପ୍ରତ୍ୟୁତ୍ପନ୍ନମତି ଜାଣି ମୋଠାରୁ ଜାଲ ଗଲାଣି

ଯେହ୍ନେ ମାଛ ଧରି ବାଜ ଉଗୁଇଁ ଯାଇ ।

ସେ ରୂପେ ଉଗୁଇଁ ଯାଇ ଜଳରେ ପଡ଼ିଲା ଧାଇଁ

ଯଦ୍ଭବିଷ୍ୟ ଛଟପଟ ହେଲା ସେଠାଇଁ ।

ତାକୁ ବେକ ମୋଡ଼ିଣ ମାରି ।

କରେ ଧରି ଖାଳୋଇରେ ଦେଲା ସେ ଭରି ।୨୧।

 

ତେଣୁ ବିଳମ୍ୱ ନ କର ବେଗରେ ବିଚାର କର

ଯାହା କଲେ ମୋହର ଜୀବନ ରହିବ ।

ସେ ଉପାୟ କହ ମୋତେ ଆହେ ହଂସ ଦୁଇ ମିତେ

ନାହିଁ ମୁଁ ଯାହା କହୁଛି ତାହା କରିବ ।

ହଂସ ବୋଲେ କହ ତା ପୁଣି ।

କୂର୍ମ ବୋଲେ କହୁଅଛି କର ତା ଶୁଣି ।୨୨।

 

ଯେରୂପେ ଅନ୍ୟ ହ୍ରଦରେ ପ୍ରବେଶ ହେବି ସତ୍ୱରେ

ସେରୂପେ ଉପାୟ କର ହଂସେ ତା ଶୁଣି ।

ତୁମ୍ଭେ ତଳେ ଯେବେ ଯିବ କୁଶଳ କେବେ ନୋହିବ

କୁର୍ମ ବୋଲେ ଶୁଣ ଭାଇ କହୁଛି ପୁଣି ।

ଯେରୂପରେ ଗଗନେ ଯିବି ।

ସେରୂପେ ଉପାୟ କଲେ ପ୍ରାଣ ପାଇବି ।୨୩।

ଶୁଣି ହଂସ ଦୁହେଁ କହି ଏ ଉପାୟ କରି ନୋହି

କୂର୍ମ କହେ ତୁମ୍ଭେ ଦୁହେଁ ଏରୂପେ କର ।

ଥଣ୍ଟେ କାଠ ଖଣ୍ଡେ ଧରି ଗଗନ ମାର୍ଗରେ ଉଠି

ସେ କାଠକୁ ତୁଣ୍ଡେ ଧରି ଯିବ ସତ୍ୱର ।

ମୁଁ ତୁମ୍ଭ ପକ୍ଷକୁ ସପକ୍ଷ ।

କରି ଗଗନରେ ଯାଇ ହୋଇବି ରକ୍ଷ ।୨୪।

ଶୁଣି ହଂସ ଦୁହେଁ କହି ଭଲ ଉପାୟ ଏ ହୋଇ

କେବଳ ଉପାୟ କରୁ ଅପାୟ ହୋଇ ।

ଏକ ମୂର୍ଖ ବକ ଥିଲା ଏରୂପେ ଉପାୟ କଲା

ଦେଖୁଁ ଦେଖୁଁ ନକୁଳ ତା ପିଲାଙ୍କୁ ଖାଇ ।

ଯେ ପଣ୍ଡିତ ଉପାୟ କରେ ।

ସେ ବିଚାରେ ଅପାୟ ଉପାୟ ଭିତରେ ।୨୫।

ହଂସ ଦୁହିଁକି କୁରୁମ ପଚାରଇ କଥାକ୍ରମ

ହଂସ ଦୁହେଁ କହିଲେ ଉତ୍ତରା ପଥରେ ।

ଗୃଧ୍ରକୂଟ-ନାମ ଧର ବକମାନଙ୍କ ବିହାର

ବୃକ୍ଷ କୋରଡ଼ରେ କୃଷ୍ଣ ସର୍ପ ବିହରେ ।

ସେହି ସର୍ପ ବକ ବାଳକ ।

ଖାଇଲା ତା ଦେଖି ବକ କଲେ ସେ ଶୋକ ।୨୬।

 

ସେମାନଙ୍କ ଶୋକ ଶୁଣି କଉଣସି ବକ ରଣି

ତୁମ୍ଭେମାନେ ମାଛ ଆଣ ବେଗରେ ଯାଇ ।

ଆରମ୍ଭି ନକୁଳ ଗର୍ତ୍ତ ସର୍ପ ବିବର ପର୍ଯ୍ୟନ୍ତ

ପକ୍ତି କ୍ରମରେ ତାହାକୁ ପକାଅ ନେଇ ।

ମାଛ ଅନୁସରି ନକୁଳ ।

ଆସିଣ ଦେଖି ଖାଇବ କ୍ରୋଟର ବ୍ୟାଳ ।୨୭।

 

ତାହା ଶୁଣି ବକମାନେ ଗଲେ ସର୍ବେ ସାବଧାନେ

ମାଛ ଆଣି ଆରମ୍ଭି ନକୁଳ ବିବର ।

ଥୋଇଲେ ମତ୍ସ୍ୟମାନଙ୍କୁ ବିଷଧର ବିବରକୁ

ବୋଲି ତାହା ଅନୁସରି ଗଲା ନକୁଳ ।

ସର୍ପକୁ ମାରିଣ ଖାଇଲା ।

ବୃକ୍ଷେ ବକ ଧ୍ୱନି ଶୁଣି ବକ ଭୁଞ୍ଜିଲା ।୨୮।

 

ଏଣୁ ଉପାୟ ଚିନ୍ତାରେ ଅପାୟ ହୋଇବା ଡରେ

ତୁମ୍ଭଙ୍କୁ କହୁଛୁଁ ଆମ୍ଭେ ଏରୂପେ ଜାଣ ।

ଗଗନରେ ଆମ୍ଭେମାନେ ତୋତେ ନେଉଥିବ ଜନେ

ଦେଖିକରି କିଛି ସେ କହିବେ ବଚନ ।

ଯେବେ ଉତ୍ତର କହିବୁ ।

ତେବେ ସେହିଠାରେ ସେହିକ୍ଷଣି ମରିବୁ ।୨୯।

ଏହି ହେତୁରୁ ଏ ସ୍ଥାନ ଛାଡ଼ି ନ ଯା ଅନ୍ୟ ସ୍ଥାନ

ଥାଅ ଏହିଠାରେ ସୁଖେ ଆମ୍ଭ ସଙ୍ଗରେ ।

କୂର୍ମ ବୋଲେ ଅଜ୍ଞ ମୁହିଁ ମୋର ହିତ ନ ଜାଣଇ

ଆଉ କିଛି ନ ବୋଲିବି ଗମନ କାଳେ ।

ହଂସ ଦୁହେଁ ସେରୂପେ କଲେ ।

ସେରୂପେ କୂର୍ମକୁ ଦେଖି ଜନେ ଧାଇଁଲେ ।୩୦।

ସର୍ବେ ଗୋରକ୍ଷକ ବାଳ ଧାଇଁ କଲେ କୋଳାହଳ

କହନ୍ତି ଏ କୂର୍ମ ଯାଉଅଛି ଗଗନେ ।

ଯହିଁ ତହିଁ ଏ ପଡ଼ିଲେ ପଡ଼ିବ ଏହି ଭୂତଳେ

କେ ବୋଲେ ପୋଡ଼ିବା ତାହା କେହି ନ ମାନେ ।

କେ ବୋଲଇ ରାନ୍ଧି ଖାଇବା ।

କେ ବୋଲଇ ମାରି କରି ଘରକୁ ନେବା ।୩୧।

କୂର୍ମ ଶୁଣି କ୍ରୋଧ କଲା ପୂର୍ବ କଥା ପାସୋରିଲା

ବୋଇଲା ଖାଇବ ନିଆଁ ତୁମ୍ଭେ ଏଠାରେ ।

ଏମନ୍ତ ବୋଲନ୍ତେ ତଳେ ପଡ଼ିଲା ସେହିକ୍ଷଣରେ

ବାଳକେ ପିଟି ପକାଇ ଘରକୁ ନେଲେ ।

ଏହି ହେତୁ ମିତ୍ର ବଚନ ।

ନ କଲେ ଯେ କୂର୍ମ ପ୍ରାୟ ଲଭେ ମରଣ ।୩୨।

 

ଏଥୁଅନ୍ତେ ଗୂଢଚର ବକ ରାଜା ସମୀପର

ଆସି କହିଲା ଭୋ ଦେବ ପୂର୍ବରୁ ମୁହିଁ ।

କହିଲି ଦୁର୍ଗ ଶୋଧନ କର ତୁମ୍ଭେ ପ୍ରତିକ୍ଷଣ

ତାହା ନ କଲାର ଫଳ ମିଳିଲା ଏହି ।

ମେଘବର୍ଣ୍ଣ ନାମ ବାୟସ ।

ଗୃଧ ତାକୁ ପେଷିଥିଲା ପୋଡ଼ିଲା ବାସ ।୩୩।

 

ରାଜା ପକାଇ ନିଃଶ୍ୱାସ ଦୁଃଖେ କହଇ ନିର୍ଦ୍ଦୋଷ

ନମସ୍କାର ଉପକାର ହେତୁ ବିଶ୍ୱାସ ।

କରଇ ଯେ ଶତ୍ରୁଠାରେ ସେ ଶୋଇ ବୃକ୍ଷ ଅଗରେ

ଯେଉଁଜନ ତାହା ପ୍ରାୟ ହୋଇ ବିନାଶ ।

ଗୂଢଚର କହଇ ପୁଣି ।

ମୋହର ବଚନ ଶୁଣ ହେ ରାଜମଣି ।୩୪।

 

ଯେଉଁ ଦିନ ମେଘବର୍ଣ୍ଣ ଦୁର୍ଗ ଦହନ କରିଣ

ଏଠାରୁ ସେଠାକୁ ଗଲା ରାଜା ଦେଖିଲା ।

ମେଘବର୍ଣ୍ଣ ଶୁଦ୍ଧ ଚିତ୍ତ ଜାଣି ମୟୂର ଭୂଭୃତ

ପ୍ରସନ୍ନରେ ଗୃଧ୍ର ମନ୍ତ୍ରୀ ଅଗ୍ରେ କହିଲା ।

ଏକା ମୋର ଏ ମେଘବର୍ଣ୍ଣ ।

କର୍ପୂର ଦ୍ୱୀପ ରାଜ୍ୟରେ ହେଉ ରାଜନ ।୩୫।

କୃତ କୃତ ଯେଉଁ ଭୃତ୍ୟ ନାଶ ନ କରି ତା କୃତ୍ୟ

ଧନ ଦେଇ ମନ ତୋଷି ନୟନେ ଚାହିଁ ।

କହି ମଧୁର ବଚନ       କରିବ ତାକୁ ପୂଜନ

ଯେରୂପେ ତାର ମନରେ ଆନନ୍ଦ ହୋଇ ।

ଶୁଣି ଚକ୍ରବାକ କହଇ ।

ତଦଅନ୍ତରେ ସେଠାରେ କି କି ହୁଅଇ ।୩୬।

ଗୂଢଚର କହେ ପୁଣ ସେଠାର ଚରିତ ଶୁଣ

ତଦନ୍ତରେ ଗୃଧ୍ର ମନ୍ତ୍ରୀ ରାଜାକୁ କହି ।

ଏ ନୋହେ ଉଚିତ ତର କରୁ ଅନୁଗ୍ରହାନ୍ତର

ନୀଚଠାରେ ଉପକାର କିଛି ନୁହଇ ।

ଅବିଚାରେ ଯୁକ୍ତି କଥନ ।

ବାଲି ମୁଠି ତସୁ କାଣ୍ଡିଲା ପ୍ରାୟ ଜାଣ ।୩୭।

କଦାପି ଯେ ବଡ଼ ଲୋକ ତାହା ସ୍ଥାନେ ନୀଚ ଲୋକ

ସ୍ଥାପିଲେ ନିଜ ସ୍ୱାମୀକି ଲୋପ କରଇ ।

ଋଷି ଅନୁଗ୍ରହ କଲା ମୂଷିକ ବ୍ୟାଘ୍ର ହୋଇଲା

ସେ ପୁଣି ଋଷିଙ୍କି ମାରିବାକୁ ଇଚ୍ଛଇ ।

ଯେବେ ନୀଚ ବଡ଼ ହୁଅଇ ।

ତେବେ ସେ ସ୍ୱାମୀକି ପୁଣି ବଧ କରଇ ।୩୮।

 

ଚିତ୍ରବର୍ଣ୍ଣ ପଚାରଇ       ଏକଥା କିରୂପେ ହୋଇ

ଶୁଣି ଗୃଧ୍ର କହୁଅଛି ଶୁଣ ରାଜନ ।

ଗୌତମାରଣ୍ୟ ଭିତର ମହାତଷା ମୁନିଙ୍କର

ଥିଲା ଏକ ରମଣୀୟ ଆଶ୍ରମ ସ୍ଥାନ ।

ଏକ ଦିନେ ମୂଷିକ ପୋତ ।

ଆଶ୍ରମେ କରଟ ମୁଖୁଁ ହେଲା ଗଳିତ ।୩୯।

 

ସେ ମୂଷିକ ଦେଖି ଋଷି ହୋଇଣ ମହା ସନ୍ତୋଷୀ

ବାଳୁଙ୍ଗା ଚାଉଳ କଣ ଦେଇ ପାଳିଲେ ।

ସେ ମୂଷିକ ଖାଇବାକୁ ଗୋଡ଼ାଏ ବିଡ଼ାଳ ତାକୁ

ଦେଖିଲେ ମୁନି ତାହାକୁ ବିଡ଼ାଳ କଲେ ।

ବିଡ଼ାଳକୁ ଗୋଡ଼ାଏ ଶ୍ୱାନ ।

ତା ଦେଖି ତାକୁ କୁକ୍କୁର କଲେ ସେ ପୁଣ ।୪୦।

 

ତାହାକୁ ଦେଖିଣ ଆଗେ ବାଘ ଗୋଡ଼ାଇଲା ବେଗେ

ତା ଦେଖି ତାହାକୁ ବାଘ ପୁଣି ସେ କଲେ ।

ମୁନି ସେ ବାଘକୁ ପୁଣି ମୂଷିକ ପରାଏ ମଣି

ତାହାଠାରେ ବାଘ ବୋଲି ଭୟ ନ କଲେ ।

ଯେ ମୁନିଙ୍କି ଦେଖି ଆସନ୍ତି ।

ଏହି ସେ ମୂଷିକ ବ୍ୟାଘ୍ର କଲେ କହନ୍ତି ।୪୧।

ଏହା ଶୁଣି ସେହି ବ୍ୟାଘ୍ର ମନେ ଚିନ୍ତା କଲା ବ୍ୟଗ୍ର

ଚିତ୍ତ ହୋଇ ବୋଲୁଅଛି ଯାବତ୍‌କାଳ ।

ଏ ମୁନି ଜୀଇଅଛନ୍ତି ତେତେକାଳ ମୋ ଅକୀର୍ତ୍ତି

ନ ଯିବ ମାରିବି ବୋଲି କଲା ବିଚାର ।

ବିଚାରିଣ ମୁନି ପାଶକୁ ।

ଜାଣି ଋଷି କହୁଛନ୍ତି ଦେଖ ଏହାକୁ ।୪୨।

ଏମନ୍ତ ବୋଲିଣ ନୀର ସିଞ୍ଚିଲେ ତାର ଉପର

ପୁଣି ତପର ପ୍ରଭାବେ ମୂଷିକ କଲେ ।

ଏହି ହେତୁରୁ ନୀଚର ଶ୍ରେଷ୍ଠ ପଦେ ଅଧିକାର

ନ ଦେଇ ଯେବେହେଁ ଦେବ ଆପଣେ ମରେ ।

ଏଣୁ କାର୍ଯ୍ୟ ହେଲେ ସୁକର ।

ଅତି ଲୋଭ ସକାଶରୁ ଏହା ନ କର ।୪୩।

ପ୍ରଥମୁ ଉତ୍ତମ ମିନ ସୁଖରେ କଲା ଭୋଜନ

ମଧ୍ୟେ ମଧ୍ୟମ ମତ୍ସ୍ୟକୁ ପଛେ ଜଘନ୍ୟ ।

କ୍ରମେ ସମସ୍ତଙ୍କୁ ଖାଇ ଅତିଶୟ ଲୋଭ ପାଇ

ସବୁ ପଛେ କଙ୍କଡ଼ାକୁ ଧରି ବଦନ ।

ବକ ନେଇ ଥୋଇଲା କ୍ଷଣି ।

କର୍କଟ ହସ୍ତରେ ବକ ତୋଟିକି ହାଣି ।୪୪।

 

ଚିତ୍ରବର୍ଣ୍ଣ କହେ ପୁଣି କହ ହେ ଏକଥା ଶୁଣି

ଗୃଧ୍ର କହେ ମାଳବ ଦେଶେ ସର ଅଛି ।

ପଦ୍ମଗର୍ଭ ନାମ ତାର ବହୁତ ମତ୍ସ୍ୟଙ୍କ ଘର

ତହିଁ ଏକ ବୃଦ୍ଧ ବକ ବାସ କରିଛି ।

ସବୁ ଦିନେ ସାମର୍ଥ୍ୟ ହୀନ ।

ହୋଇ ଥାଇ ସେହି ବକ ଦୀନ ବଦନ ।୪୫।

 

କେହି କୁଳିର ତା ଦେଖି ପଚାରଇ ଦୂରୁ ଏ କି

ତୁମ୍ଭେ କିପାଁଇ ଦୁଃଖିତ ଚିତ୍ତ ହୋଇଛ ।

ବକ କହେ ଏହି ମୀନ ମାନେ ମୋ ଜୀବନ ଧନ

ତାଙ୍କୁ କୈବର୍ତ୍ତ ମାରିବ କି ପଚାରୁଛ ।

ଏମନ୍ତ ଶୁଣିଣ ନଗରେ ।

ଜାଣିଲି ମରିବି ନିଷ୍ଠା କିବା ଆହାରେ ।୪୬।

 

ଏହା ଶୁଣି ସର୍ବ ମୀନ ବିଚାରିଲେ ଏକ ମନ

ବର୍ତ୍ତମାନ ଉପକାରୀ ବକ ଆମ୍ଭର ।

ହି ହେତୁରୁ ବିଚାରି ଯେ ସୁମିତ୍ର ଉପକାରୀ

ଅପକାରୀ ଯେ ସେ ଶତ୍ରୁ କର ବିଚାର ।

ଏହା ସଙ୍ଗେ ସନ୍ଧି କରିବା ।

ମିତ୍ର ଅପକାରୀ ହେଲେ ତାକୁ ଛାଡ଼ିବା ।୪୭।

ମତ୍ସ୍ୟମାନେ ବକ ଆଗ କହନ୍ତି ହୋଇ ସରାଗ

କିରୂପେ ଆମ୍ଭମାନଙ୍କ ରକ୍ଷା ହୋଇବ ।

ବକ ବୋଲେ କି ବିଚାର ଅଛି ବହୁ ଜଳାଧାର

ତହିଁକି ତୁମ୍ଭର ମନ ଯିବାକୁ ଥିବ ।

ମୁହିଁ ଏକା ନେବି ତୁମ୍ଭଙ୍କୁ ।

ତୁମ୍ଭେ କିଛି ଶଙ୍କା ନ କରିବ ଆମ୍ଭଙ୍କୁ ।୪୮।

ମତ୍ସ୍ୟମାନେ ମରଣରେ ଭୟ କରିଣ ସତ୍ୱରେ

ହେଉ ଏହିରୂପ ବୋଲି ସ୍ୱୀକାର କଲେ ।

ଏଥୁଅନ୍ତେ ଦୁଷ୍ଟ ବକ ନେଇ ମତ୍ସ୍ୟ ଏକ ଏକ

ଭୂତଳେ ବସି ମାରନ୍ତେ ସମସ୍ତେ ମଲେ ।

ଏଥୁଅନ୍ତେ ସେ କର୍କଟକ ।

ମତେ ସେଠାବକୁ ଘେନି ଯାଅ ହେ ବକ ।୪୯।

ଏହା ଶୁଣି ଦୁଷ୍ଟ ବକ କୁଳୀର ମାଂସେ ଉତ୍ସୁକ

ବହୁତ ଦୂର ତାହାକୁ ଘେନିଣ ଗଲା ।

ମାରିବା ନିମିତ୍ତେ ତଳେ ଧରିଲା ସେ ଯେତେବେଳେ

କର୍କଟ ଭୂତଳେ ଅସ୍ଥିକୀର୍ଣ୍ଣ ଦେଖିଲା ।

ଦେଖି ତାହା ମନେ ବିଚାରି ।

ହା ମୋର ଅଭାଗ୍ୟ ନିଷ୍କାରଣେ ମୁଁ ମଲି ।୫୦।

 

ହଉ ଭଲ ବର୍ତ୍ତମାନ କାଳରେ ଉଚିତ ଜାଣ

ଭୟ ନ ଆସିଲାବେଳେ ଭୟ କରିବ ।

ଯେତେବେଳେ ହେଲା ଭୟ       ତେତେବେଳରେ ନିର୍ଭୟ

ହୋଇ ପ୍ରହାର କରିବ ମଲେ ମରିବ ।

ଏହିହେତୁ ନିର୍ଭୟ ହୋଇ ।

ବେକ କାଟି ଦେଲେ ନିଷ୍ଠା ମରିବ ଏହି ।୫୧।

 

ଯେତେବେଳେ ଶତ୍ରୁ ଆସି ଶସ୍ତ୍ର ଧରି ଆଗେ ମିଶି

ନିର୍ଭୟ ହୋଇ ତା ସଙ୍ଗେ ଯୁଦ୍ଧ କରିବ ।

ଯୁଦ୍ଧ କରି ତାକୁ ମାରି ସେ ଅବା ଏହାକୁ ମାରି

ଉଭୟଥା ରିପୁ, ସଙ୍ଗେ ମରି ଶୋଇବ ।

ଏ ବିଚାରେ ସେ କର୍କଟକ ।

ଆପଣା ହସ୍ତରେ ଛିଣ୍ଡାଇଲା ତା ବେକ ।୫୨।

 

ଅତି ଲୋଭକୁ ନ କରି କଲେ ବକ ପ୍ରାୟ ମରି

ଏଥୁଅନ୍ତେ ଚିତ୍ରବର୍ଣ୍ଣ ରାଜା କହଇ ।

ମେଘବର୍ଣ୍ଣ ରାଜା ହୋଇ କର୍ପୂର ଦ୍ୱୀପରେ ଥାଇ

ଯାତେ ଭଲ ଦ୍ରବ୍ୟ ଦେବ ଆମ୍ଭଙ୍କୁ ନେଇ ।

ତେଣୁ ଆମ୍ଭେ ବିନ୍ଧ୍ୟାଚଳରେ ।

ମହା ସୁଖରେ ରହିବା ଆମ୍ଭ ନଗ୍ରରେ ।୫୩।

ଗୃଧ୍ର ଶୁଣି ହସି କହେ ଦେବ ଏ ଉଚିତ ନୋହେ

ଅନାଗତ କାର୍ଯ୍ୟ ଶୁଣି ଯେ ହୃଷ୍ଟ ହୋଇ ।

ହାଣ୍ଡି ଭାଜିଲା ବ୍ରାହ୍ମଣ ପରାଏ ସେ ଜନ ଜାଣ

ବହୁ ପରାଭବ ପାଇ ପଳାଇ ଯାଇ ।

ରାଜା ପଚାରନ୍ତି ଗୃଧ୍ରକୁ ।

ଗୃଧ୍ର କହୁଅଛି ପୁଣି ମହାରାଜଙ୍କୁ ।୫୪।

ଦେବୀକୋଟ ନଗରରେ ଦେବଶର୍ମା ସେ ନାମରେ

ବ୍ରାହ୍ମଣ ସଂକ୍ରାନ୍ତିକାଳେ ଛତୁଆ ସରା ।

ଦାନ ଘେନି ଯାଉଥିଲା ସନ୍ଧ୍ୟାକାଳ ଯହୁଁ ହେଲା

କୁମ୍ଭକାର ଭାଣ୍ଡ ଘରେ ଯାଇଁ ଶୋଇଲା ।

କଲା ସେ ବହୁତ ବିଚାର ।

ଶୁଣ ତୁମ୍ଭେ କହିବା ବିଚାର ପ୍ରକାର ।୫୫।

ଏ ଯେ ଛତୁଆ ସରାକୁ ବିକିବି ଯାହା ତାହାକୁ

ଯେବେ ଦଶ କଡ଼ା କୌଡ଼ୀ ପାଇବ ମୁହିଁ ।

ତେବେ ସେ କୌଡ଼ୀକି ଆଣି ଘଟ ଶରାବକୁ କିଣି

ପୁଣି ତାକୁ ବିକି ଲଭ୍ୟ ଧନ ବଢ଼ାଇ ।

ପୁଣି କିଣି ଯୁଗ ବସ୍ତ୍ରକୁ ।

ତାକୁ ବିକି ପାଇବି ମୁଁ ବହୁ ଧନକୁ ।୫୬।

 

ଲକ୍ଷ ସଂଖ୍ୟା ପାଇ ଧନ ଚତୁଷ୍ଟୟ କନ୍ୟା ପୁଣ

ବିବାହ ହୋଇବି ମୁହିଁ ଧନକୁ ଦେବି ।

ସେ କନ୍ୟା ଭିତରେ ପୁଣ ସେହିରୂପ ଯଉବନ

ଯୁକ୍ତ ହୋଇଥିବ ତାରେ ସ୍ନେହ କରିବି ।

ଏଥୁଅନ୍ତେ ସପତ୍ନୀ ଜନେ ।

ଯେବେ ପରସ୍ପରେ କଳି କରିବେ ମାନେ ।୫୭।

 

ଏଥୁଅନ୍ତେ କ୍ରୋଧ ହୋଇ ଦଣ୍ଡେ ତାଙ୍କୁ ପିଟିବଇଁ

ଏହିରୂପେ ବୋଲି ଦଣ୍ଡ ଫୋପଡ଼ାଇଲା ।

ବାଜିଲା ଭାଣ୍ଡରେ ଦଣ୍ଡ ହୋଇଗଲା ଖଣ୍ଡ ଖଣ୍ଡ

ଛତୁଆ ଶରାବ ମଧ୍ୟେ ଚୂର୍ଣ୍ଣ ହୋଇଲା ।

ଭାଣ୍ଡ ଧ୍ୱନି ଶୁଣି କୁମ୍ଭାର ।

ବ୍ରାହ୍ମଣକୁ ମଣ୍ଡପରୁ କଲା ବାହାର ।୫୮।

 

ଏହି ହେତୁରୁ କହିଲି ଅନାଗତ ଚିନ୍ତା କରି

ବ୍ରାହ୍ମଣ ପରାଏ ପରାଭବ ନ ପାଅ ।

ଏଥୁଅନ୍ତେ ଏକାନ୍ତରେ ରାଜା ପଚାରେ ସତ୍ୱରେ

ହେ ତାତ ଯାହା କରିବା ତା ଶିକ୍ଷା ଦିଅ ।

ଶୁଣି ଗୃଧ୍ର କହେ ବଚନ ।

ତାହା କହୁଅଛି ମୁହିଁ ଶୁଣ ରାଜନ ।୫୯।

ମଦୋଦ୍ଧତ ଯେ ନୃପତି ଅତି ମତ୍ତ ଯେଉଁ ଦନ୍ତୀ

ଅମାର୍ଗ ପ୍ରବୃତ୍ତ ଯେହୁ ଜନ ହୁଅଇ ।

ଏମାନଙ୍କୁ ଉପଦେଶ ଦେଖାଇ କାର୍ଯ୍ୟ ଅଶେଷ

କରନ୍ତି ଯେ ତାହାଙ୍କର ନିନ୍ଦା ହୁଅଇ ।

ଆହେ ଦେବ କହୁଛି ଶୁଣ ।

ଆମ୍ଭେ ଯାହା କଲେଇଁ ଏ ଦୁର୍ଗ ଭଞ୍ଜନ ।୬୦।

ବଳ ଦର୍ପରୁ ଏ ହେଲା କେ ବା ଉପାୟରେ କଲା

ରାଜା ବୋଲେ ତୁମ୍ଭ ଉପାୟରେ ହୋଇଲା ।

ଗୃଧ୍ର ବୋଲେ ମୋ ବଚନ ଯେବେ ହୋଇଲା ପ୍ରମାଣ

ବର୍ତ୍ତମାନ ସ୍ୱଦେଶକୁ ଚଳତ ଭଲା ।

ନିକଟରେ ବରଷା କାଳ ।

ହେବ ଏହି କାରଣରୁ ସତ୍ୱରେ ଚଳ ।୬୧।

ଯେବେ ଏ କଥା ନ କର ତେବେ ଆସି ବର୍ଷାକାଳ

ପ୍ରବେଶ ହୋଇଲେ ତୁଲ୍ୟ ବଳେ ବଇର ।

ଯେବେ ହେବ ପରବେଶ ଆମ୍ଭର ନିଶ୍ଚେଁ ସ୍ୱଦେଶ

ଗମନ ଦୁର୍ଲ୍ଲଭ ହେବ ଜାଣ ହେ ବୀର ।

ଏହେତୁରୁ ଯେ ବର୍ତ୍ତମାନ ।

ସୁଖ ଭୋଗ ନିମିତ୍ତରେ କର ସନ୍ଧାନ ।୬୨।

 

ଦୁର୍ଗ ଭଙ୍ଗର ଯେ ଯଶ ପାଇଲ ତୁମ୍ଭେ ଅବଶ୍ୟ

ମୋହର ସମ୍ମତ ଏହି ଜାଣ ରାଜନ ।

ଯେ ଧର୍ମ ଆଶ୍ରୟ କରି ସ୍ୱାମୀ ପ୍ରିୟା ପ୍ରିୟ ଛାଡ଼ି

ହିତ ଅପ୍ରିୟ କହଇ ସେ ମନ୍ତ୍ରୀ ଜାଣ ।

ସେ ମନ୍ତ୍ରୀରେ ସହାୟବନ୍ତ ।

ରାଜା ହୋଇଣ ସାଧଇ କାର୍ଯ୍ୟ ବହୁତ ।୬୩।

 

ସମଲୋକ ସଙ୍ଗେ ସନ୍ଧି କରିବ ବିଚାର ବାନ୍ଧି

ଯେଉଁ ହେତୁ ଯୁଦ୍ଧ କଲେ ଜୟ ସନ୍ଦେହ ।

ଯେଣୁ ସୁନ୍ଦ ଉପସୁନ୍ଦ ତୁଳ୍ପବଳ କରି ଦ୍ୱନ୍ଦ

ଦୁହେଁ ଏକାବେଳେ ଯୁଦ୍ଧେ ଛାଡ଼ିଲେ ଦେହ ।

ଏଣୁ ତୁଳ୍ପ ବଳରେ ଯୁଦ୍ଧ ।

କଲେ ବିଜୟ ସନ୍ଦେହ ଶାସ୍ତ୍ର ନିଷେଧ ।୬୪।

 

ଯେବେ ରାଜା ଯୁଦ୍ଧ କରେ ତୁଳ୍ପ ବଳର ସଙ୍ଗରେ

ତେବେ ମିତ୍ର ବଳ ରାଜା କୀର୍ତ୍ତି ସ୍ୱଦେହ ।

ହୁଅଇ ନୁହଇ ଅବା ଏହି ହେତୁରୁ କେ ଅବା

ପଣ୍ଡିତ କରିବ ଯୁଦ୍ଧ କରି ସନ୍ଦେହ ।

ସେହିଠାରେ ସନ୍ଧି କି କରି ।

ଯେବେ ନ କରିବ ତେବେ ଆପଣେ ମରି ।୬୫।

ରାଜା କହଇ ଗୃଧ୍ରକୁ ତୁମ୍ଭେ ପୂର୍ବରୁ ଆମ୍ଭଙ୍କୁ

ଏହି କଥା ଉପଦେଶ କିପାଁ ନ କଲ ।

ମନ୍ତ୍ରୀ କହେ ମୋ ବଚନ ତୁମ୍ଭେ ନ କଲ ରାଜନ

ଆଦ୍ୟ ପ୍ରାନ୍ତ ନ ରହିଲା ମନେ ତୁମ୍ଭର ।

ଏବେ ରଖ ଆମ୍ଭ ସମ୍ମତ୍ତି ।

ବିଗ୍ରହାରମ୍ଭ ନ କରି ରଖତ କୀର୍ତ୍ତି ।୬୬।

ହିରଣ୍ୟଗର୍ଭ ରାଜନ ସନ୍ଧିକି ଯୋଗ୍ୟ ଏ ଜାଣ

କଦାଚିତ ବିଗ୍ରହକୁ ଯୋଗ୍ୟ ନୁହଇ ।

ସତ୍ୟବନ୍ତ ଆର୍ଯ୍ୟ ଧର୍ମ ବନ୍ତ ଯେ ଅନାର୍ଯ୍ୟ କର୍ମ

ଭ୍ରାତୃ ସଂଘାତୀ ଯେ ବଳୀ ଯୁଦ୍ଧ ବିଜୟୀ ।

ଏ ଯେ ସାତ ରାଜନ୍ୟଗଣ ।

ଏହାଙ୍କ ସଙ୍ଗରେ ପ୍ରୀତି କରିବ ଜାଣ ।୬୭।

ଯେ ସତ୍ୟବନ୍ତ ରାଜନ ସେ ସତ୍ୟକୁ ରଖେ ଜାଣ

ତା ସଙ୍ଗେ ସନ୍ଧିକି କଲେ ବିକୃତ ନୋହି ।

ପ୍ରାଣ ବାଧା ହେଲେ ଆର୍ଯ୍ୟ କେବେହେଁ ନୋହେ ଅନାର୍ଯ୍ୟ

ଧାର୍ମିକ ସଙ୍ଗରେ କଳି ନ କରେ କେହି ।

ଧର୍ମୀ ପ୍ରଜାନୁରାଗବନ୍ତ ।

ଏହିହେତୁ ଧର୍ମବନ୍ତ ନୋହେ ବିହତ ।୬୮।

 

ବିନାଶ ଯେଉଁ କାଳରେ ଉପସ୍ଥିତ ହୋଏ ତାଳେ

ଦୁଷ୍ଟ ସଙ୍ଗତରେ ପ୍ରୀତି ସେକାଳେ କରି ।

ତାକୁ ନ କରି ଆଶ୍ରୟ ନାହିଁ ଯେ ଅନ୍ୟ ଉପାୟ

ଅସମୟ ଦିନ ନେଇ ତାକୁ ଆଦରି ।

ତାର ସଙ୍ଗେ ସନ୍ଧି ନ କଲେ ।

ମାରେ ସେ ବିପତ୍ତି ଦେଖି ଅସମୟରେ ।୬୯।

 

ଯେଉଁ ରାଜା ବହୁ ଭ୍ରାତ ବଳରେ ହୋଏ ସଙ୍ଗତ

ତାହାକୁ କେ ନ ପାରଇ ଶୁଣ ରାଜନ ।

ଯେରୂପରେ ବେଣୁସଂଘ ସେ ଯେବେ କଣ୍ଟକ ସଙ୍ଗ

ଥାଇ ତେବେ ତାହାକୁ କାଟିବ କେ ଜନ ।

ବଳୀ ସଙ୍ଗେ ନ ଯୁଝେ କେହି ।

ପବନକୁ ପେଲି କି ସେ ଜୀମୂତ ଯାଇ ।୭୦।

 

ସବୁକାଳେ ସବୁଠାରେ ଜନ ଅନେକ ଯୁଦ୍ଧରେ

ବିଜୟୀ ଯେ ଜନ ତାରେ ଯୁଦ୍ଧ ନ କରେ ।

ଦେଖ ତୁ ପରଶୁରାମ ସଙ୍ଗେ ଯେ କରେ ସଂଗ୍ରାମ

ସେ ହାରି ପଳାଇ ଯାଇ ବଳ ସଙ୍ଗରେ ।

ଏଣୁ ବହୁ ଯୁଦ୍ଧ ବିଜୟୀ ।

ସଙ୍ଗତରେ ପ୍ରୀତି କଲେ ଶତ୍ରୁ ଜିଣଇ ।୭୧।

ତହିଁର ବହୁତ ଗୁଣ       ଯୂତ ଏ ହଂସ ରାଜନ

ଶୁଣି ଚକ୍ରବାକ କହେ ସବୁ ଜାଣିଲି ।

ବକ କହୁଅଛି ଦେବ ଯାଉଛି ଆଜ୍ଞା ହୋଇବ

ସେଠାର ବୃତ୍ତାନ୍ତ ଜାଣି ଆସିବି ଚାଲି ।

ଏଥୁଅନ୍ତେ ହିରଣ୍ୟଗର୍ଭ ।

ଚକ୍ରବାକକୁ ପଚାରେ କହ ତୁ ସର୍ବ ।୭୨।

ପ୍ରୀତିକି ଅଯୋଗ୍ୟ କେତେ ରାଜା କହ ମନ୍ତ୍ରୀ ମୋତେ

ଜାଣିବାକୁ ମୋର ଇଚ୍ଛା ମନ୍ତ୍ରୀ କହଇ ।

ଦେବ ଶୁଣ ବାଳ ବୃଦ୍ଧ ଦୀର୍ଘ ରୋଗରେ ଯେ ବିଦ୍ଧ

ଯେହୁ ଜ୍ଞାତି ବହିଷ୍କୃତ ଭୀରୁ ନ ହୋଇ ।

ଯେ ଭୟାଳୁ ସଙ୍ଗତ ହୋଇ ।

ଯେ ଲୋଭୀ ଯାହାର ଭୃତ୍ୟ ଲୁବ୍ଧ ହୁଅଇ ।୭୩।

ବିରକ୍ତ ଯାର ପ୍ରକୃତି ବିଷୟରେ ଅତ୍ୟାସକ୍ତି

ଯେ ଅନବସ୍ଥିତ ଚିତ୍ତ ଦେବ ବ୍ରାହ୍ମଣ ।

ଯେ ନିନ୍ଦା କରଇ ଦୈବ ଯାହା ସେ କରିବ ହେବ

ଏମନ୍ତ ବୋଲଇ ଯେହୁ ଦୈବ ଚିନ୍ତନ ।

ଦୁର୍ଭିକ୍ଷ ବ୍ୟସନରେ ଯୁକ୍ତ ।

ବଳବ୍ୟସନ ସଂଯୁତ ଯେ ଅଦେଶସ୍ଥ ।୭୪।

 

ବହୁତ ରିପୁ ଯାହାର ଅକାଳେ ସୈନ୍ୟ ବାହାର

ଯେ ସତ୍ୟ ଧର୍ମର ହିତ ଏତେ ମନୁଜ ।

ବିଂଶତି ପ୍ରମାଣ ଏହି ଏତେଠାରେ ସନ୍ଧି ନୋହି

କେବଳ ବିଗ୍ରହ ଯୋଗ୍ୟ ସନ୍ଧିରେ ତ୍ୟାଜ୍ୟ ।

ଏତେଠାରେ ବିଗ୍ରହ କଲେ ।

ଶତ୍ରୁର ବଶକୁ ଯାନ୍ତି ଅତି ବେଗରେ ।୭୫।

 

ବାଳକ ଅଳ୍ପ ପ୍ରଭାବ ତେଣୁ ତା ପାଇଁ ଆହବ

କେହି ନ କରଇ ଯୁଦ୍ଧ ଅଯୁଦ୍ଧ ଫଳ ।

ଜାଣି ନ ପାରେ ବାଳକ ତେଣୁ ତାର କେହି ଲୋକ

ନୁହନ୍ତି ବୃଦ୍ଧ ଯେ ରୋଗୀ ଅତି ଦୁର୍ବଳ ।

ଉତ୍ସାହ ଶକ୍ତିରେ ସେ ହୀନ ।

ହେଲାରୁ ପ୍ରାଭବ କରେ ସମସ୍ତ ଜନ ।୭୬।

 

ଜ୍ଞାତି ଯାକୁ ନ ଘେନନ୍ତି ସମସ୍ତେ ତାକୁ ମାରନ୍ତି

ଜ୍ଞାତିମାନଙ୍କୁ ଘେନିଣ ଭୀରୁ ଯୁଦ୍ଧରେ ।

କାଣ୍ଡ ଖଣ୍ଡା ଗୁଳି ଦେଖି ପଳାଇ ଯୁଦ୍ଧ ଉପେକ୍ଷି

ବୀର ହେଲେ ଅବୀରକୁ ଘେନି ସଙ୍ଗରେ ।

ଯେବେ ଯୁଦ୍ଧ କରଇ ସେହି ।

ଅବୀର ପୁରୁଷ ଘେନି ମରା ପଡ଼ଇ ।୭୭।

ଲୋଭୀଜନ ନ ଦିଅଇ ନ ଦେଲା ହେତୁରୁ କେହି

ତା ପାଇଁ ମନ ନ ଦେଇ ପଳାଇ ଯାଇ ।

ବିପକ୍ଷ ଜୟ କରଇ ସବୁ ଧନ ତାର ନେଇ

ଆପଣା ଭଣ୍ଡାରେ ପୁଣି ନେଇ ରଖଇ ।

ସେହି ଲୋକ ପୁଣି ଏହାକୁ ।

ମାରଇ ସେ ଧନ କି ନ କରେ କାହାକୁ ।୭୮।

ଯେ ବିରକତ ମଣ୍ଡଳ ଛାଡ଼ନ୍ତି ତାକୁ ମଣ୍ଡଳ

ବିଷୟେ ଯେ ଅତ୍ୟାସକ୍ତ ସେ ସୁଖ ସାଧ୍ୟ ।

ଯେ ଅନବସ୍ଥିତ ଚିତ୍ତ ମନ୍ତ୍ରିମାନେ ତାକୁ ବ୍ୟସ୍ତ

କରନ୍ତି ସର୍ବ ଲୋକର ହୋଏ ବିରୋଧ ।

ଯେ ଦେବ ବ୍ରାହ୍ମଣ ନିନ୍ଦଇ ।

ସବୁକାଳେ ଅଧର୍ମରୁ ସେ ନାଶ ଯାଇ ।୭୯।

ଯେଉଁ ନର ଅଦେଶସ୍ଥ ତାକୁ କ୍ଷୁଦ୍ର ରିପୁ ହତ

କରେ ଦେଖ କ୍ଷୁଦ୍ର ନକ୍ର ହାତିକି ଜଳେ ।

ହୁଅଇ ଯେ ବହୁ ଦ୍ୱିଷ ପାଇ ସେ ବହୁ ସଂତ୍ରାସ

ଶ୍ୱେନ ମଧ୍ୟେ କପୋତ ପରାଏ ସେ ଚଳେ ।

ଯେଉଁ ମାର୍ଗେ ସେ ମାର୍ଗେ ଯାଇ ।

ମାରଇ ତାକୁ ସେ ଏଥି ସନ୍ଦେହ ନାହିଁ ।୮୦।

 

ଅକାଳେ ଘେନି ସୈନ୍ୟଙ୍କୁ କରଇ ଯେ ଯୁଦ୍ଧ ତାକୁ

କାଳ ଯୋଧୀ କାଳ ହେଲେ କରଇ ହତ ।

ଯେହ୍ନେ ରାତିରେ କୌଶିକ ସେ ମାରଇ ବହୁ କାକ

ଦିବସରେ କାକ କରେ ଉଲୁକ ଅସ୍ତ ।

ଯାର ସତ୍ୟ ଧର୍ମ ନ ଥାଇ ।

ତା ସଙ୍ଗେ ସନ୍ଧିକି କଲେ ଭଲ ନୁହଇ ।୮୧।

 

ଆଉ କହୁଅଛି ଶୁଣ ସନ୍ଧି ବିଗ୍ରହ ଆସନ

ଯାନ ସଂଶ୍ରୟ ଯେ ଦ୍ୱୈଧୀଭାବ ଷଡ୍ଗୁଣ ।

କର୍ମ ଆରମ୍ଭ ଉପାୟ ପୁରୁଷ ଦ୍ରବ୍ୟ ସହାୟ

ଦେଶ କାଳ ବିଭାଗ ଏ ତିନିଙ୍କି ଜାଣ ।

ବିପତ୍ତିର ଯେ ପ୍ରତିକାର ।

କାର୍ଯ୍ୟ ସିଦ୍ଧି ମିଶି ଏ ପାଞ୍ଚାଙ୍ଗ ବିଚାର ।୮୨।

 

ସାମ ଭେଦ ଦଣ୍ଡ ଦାନ ଚାରି ଉପାୟ ଏ ଜାଣ

ଉତ୍ସାହ ଶକତି ମନ୍ତ୍ର ଶକତି ଦୁଇ ।

ପ୍ରଭୁ ଶକତିକି ଘେନି ତିନି ଶକତି ଏ ଜାଣି

ଏହା ବିଚାରି ଜିଗୀଷୁ ବଡ଼ ହୁଅଇ ।

ଯେଣୁ ନୀତି ବେଦୀ ଯେ ଜନ ।

ଚଞ୍ଚଳା ଲକ୍ଷ୍ମୀ ନ ଛାଡ଼େ ତାର ସଦନ ।୮୩।

ଯାହାର ହୁଅଇ ଚିତ୍ତ ସର୍ବଦା ସମ ବିଭକ୍ତ

ଚାର ଗୁପ୍ତ ମନ୍ତ୍ର ଗୁପ୍ତ ପ୍ରିୟ ବଚନ ।

ଯେ ପ୍ରାଣୀମାନଙ୍କଠାରେ ନ କହେ ଅପ୍ରିୟ ବାରେ

ସେ ସିନ୍ଧୁ ପର୍ଯ୍ୟନ୍ତ ପୃଥ୍ୱୀ ପାଳେ ରାଜନ ।

ଯେବେ ଗୃଧ୍ର ମହା ଶଚୀବ ।

ସନ୍ଧି ଶିକ୍ଷା ଦେଲେ କି ସେ ତା ନ କରିବ ।୮୪।

ବର୍ତ୍ତମାନ ହେଲା ଜୟ ହେବାରୁ ଦର୍ପ ଉଦୟ

ହୋଇଛି ତାଙ୍କର ତେଣୁ ଏହା ନ ମାନ ।

ଏରୂପେ କହୁଛି କର ସିଂହଳଦ୍ୱୀପକୁ ଚାର

ପେଶି ସେ ସିଂହଳଦ୍ୱୀପ ରାଜାକୁ ଆଣ ।

ସେ ସାରସ ଜମ୍ୱୁଦ୍ୱୀପକୁ ।

ଯାଇ ଜାତ କରୁ ତାଙ୍କ ପଶ୍ଚାତ୍ତାପକୁ ।୮୫।

ଦେବ ସୁଗୁପ୍ତ ବିଚାରି ସୁସଂହିତ ବଳ କରି

ଶତ୍ରୁ ପୁରକୁ ପେଶିବ ଯେରୂପେ ସେହି ।

ହୋଇବ ବଡ଼ ସଂତପ୍ତ ତପ୍ତରେ ସଂହିତ ତପ୍ତ

ଯେଣୁ ହୁଏ ଏହା କର କହୁଛି ମୁହିଁ ।

ରାଜା ହେଉ ଏରୂପେ କହି ।

ବିଚିତ୍ର ବକକୁ ଲେଖ ଦେଇ ଭେଜଇ ।୮୨।

 

ସିଂହଳଦ୍ୱୀପରେ ଯାଇ ବକ ପ୍ରବେଶ ହୁଅଇ

ମହାବଳ ନାମ ସାରସକୁ କହିଲା ।

ଶୁଣି ସେ ସର୍ବ ବୃତ୍ତାନ୍ତ ସୈନ୍ୟ ଘେନିଣ ତୁରିତ

ଯାଇ ମୟୂର ନଗରେ ପ୍ରବେଶ ହେଲା ।

ପ୍ରବେଶ ହୋଇଣ ସେଠାରେ ।

ବଳ ଘେନିଣ ରହିଲା ବେଢ଼ି ନଗରେ ।୮୭।

 

ଏଥୁଅନ୍ତେ ଗୂଢଚର କହିଲା ରାଜା ଆଗର

ଶୁଣିମା ହେଉ ସେଠାରେ ଯେତେ ବୃତ୍ତାନ୍ତ ।

ସେଠାରେ ଗୃଧ୍ର କହିଲା ଚିରକାଳ କାକ ଥିଲା

ହଂସ ନଗରେ ଏ ଜାଣେ ଯେତେ ଚରିତ ।

କହ କାକ ନିର୍ଭୟ ହୋଇ ।

ରାଜହଂସ ସନ୍ଧିକି ଯୋଗ୍ୟ କି ନୁହଇ ।୮୮।

 

ସେ ସମୟେ ଚିତ୍ରବର୍ଣ୍ଣ ପଚାରଇ ମେଘବର୍ଣ୍ଣ

କିରୂପେ ହିରଣ୍ୟଗର୍ଭ ରାଜା ତା ମନ୍ତ୍ରୀ ।

ମେଘବର୍ଣ୍ଣ କହେ ଶୁଣ ହିରଣ୍ୟଗର୍ଭ ରାଜନ

ଯୁଧିଷ୍ଠିର ସମବାକ୍ୟ ସତ୍ୱ ସୁମତି ।

ଚକ୍ରବାକ ସଦୃଶ ମନ୍ତ୍ରୀ ।

ବିଚାରରେ କେଉଁଠାରେ ଅନ୍ୟ ନାହାନ୍ତି ।୮୯।

ଶୁଣି ରାଜା ପୁଣି କହି ଯେବେ ଏରୂପରେ ସେହି

କିରୂପରେ ତୁ ତାହାକୁ ବଟିଲୁ କହ ।

ମେଘବର୍ଣ୍ଣ କହେ ଶୁଣ ବିଶ୍ୱାସ ଯେ କରେ ଜନ ।

ତାକୁ ବଟିଲେ କି ସେହୁ ଆଶ୍ଚର୍ଯ୍ୟ ବହ ।

ଶୋଇଲା ଲୋକକୁ କୋଡ଼ରେ ।

ବସି ମାରଇ ଯେ ଲୋକ କି ଯଶ ତାରେ ।୯୦।

ଶୁଣ ଦେବ ସେହି ଚକ୍ର- ବାକ ମତେ ଦେଖି ବକ୍ର-

ଚରିତ ଏ ଜାଣି ନୃପ ଆଗେ କହିଲା ।

ଏହାକୁ ଯେବେ ରଖିବ ଅବଶ୍ୟ ଏ ଦଗା ଦେବ

ଶୁଣି ଦଲିଅର ରାଜା ନାହିଁ ତା କଲା ।

ତେଣୁ ମୁହିଁ ତାକୁ ବଟିଲି ।

ଘର ପୋଡ଼ି ଦେଇ ତାର ବେଗେ ଅଇଲି ।୯୧।

ମୋର ପ୍ରାୟ ଏହି ଜନ କହଇ ସତ୍ୟ ବଚନ

ଏହା ମଣି ଯେ ଜନ ଦୁର୍ଜନ ବଚନ ।

ଶୁଣି ବିଶ୍ୱାସ କରଇ ସେହି ତାକୁ ଯେ ବଟଇ

ଦେଖ ନେଉଥିଲା ଛାଗ ଏକ ବ୍ରାହ୍ମଣ ।

ବାଟେ ତାକୁ ଧୂର୍ତ୍ତ ଦେଖିଲା ।

ଛାଗ ନୋହେ କୁକ୍କୁର ଏ ବୋଲି ବଟିଲା ।୯୨।

 

ରାଜା କହ ବୋଲେ ଶୁଣି କହଇ କାକ ତା ପୁଣି

ଗୌତମ ଅରଣ୍ୟ ଏକ ବ୍ରାହ୍ମଣ ଥିଲା ।

ସେ ଯାଗ କରିବା ପାଇଁ ଅପର ଗ୍ରାମକୁ ଯାଇ

ଛାଗ କିଣି କନ୍ଧେ ଧରି ମାର୍ଗେ ଅଇଲା ।

ତିନି ଧୂର୍ତ୍ତ ତାକୁ ଦେଖିଲେ ।

ଗୋଟିଏ ଗୋଟିଏ ହୋଇ ମାର୍ଗେ ବସିଲେ ।୯୩।

 

ଏକ ଧୂର୍ତ୍ତ ବ୍ରାହ୍ମଣକୁ ବୋଲେ ଏହି ବଚନକୁ

କିହେ ବ୍ରାହ୍ମଣ କାନ୍ଧେ କୁକ୍କୁର ନେଉଛ ।

ବିପ୍ର କହେ ନୋହେ ଶ୍ୱାନ ଯଜ୍ଞ ଛାଗ ଏହି ଜାଣ

ତୁମ୍ଭେ ଯାହା କହୁଅଛ ସେ କଥା ମିଛ ।

ଏଥୁଅନ୍ତେ କୋଶକେ ଧୃର୍ତ୍ତ ।

କହେ କୁକ୍କୁର ନେଉଛି ଏ କି ଉଚିତ ।୯୪।

 

ଏହା ଶୁଣିଣ ବ୍ରାହ୍ମଣ ଛାଗକୁ ଥୋଇଣ ପୁଣ

ଚାହିଁ ତାକୁ ପୁଣ ପୁଣ କନ୍ଧେ ଧଇଲା ।

ଦୋଳାୟିତ ମତି ପୁଣ ହୋଇ ଚଳିଲା ବ୍ରାହ୍ମଣ

ଯେଣୁ ଖଳ ବଚନରେ ଭୁଲଇ ମନ ।

ତିନି ଜଣେ କଲା ବିଶ୍ୱାସ ।

ଯେହ୍ନେ ଚିତ୍ରବର୍ଣ୍ଣ ଓଟ ଗଲା ସେ ନାଶ ।୯୫।

ରାଜା ଶୁଣି ପଚାରଇ ପୁଣି ମେଘବର୍ଣ୍ଣ କହି

କଉଣସି ଦିନେ ମଦୋତ୍କଟ ନାମରେ ।

ସିଂହ ତାର ପରିଚାର କାକ ବ୍ୟାଘ୍ର ଯେ ଶୃଗାଳ

ଏ ତିନି ବନେ ବୁଲିଲେ ଓଟ ଦେଖିଲେ ।

କେ ତୁ କେଉଁଠାରୁ ଅଇଲୁ ।

ଓଟ କହେ ସ୍ୱଚରିତ ଜାଣ କହିଲୁଁ ।୯୬।

ତାହାକୁ ସମସ୍ତେ ନେଇ ସମର୍ପିଲେ ସିଂହଠାଇଁ

ସେ ସିଂହ ଅଭୟ ଦେଇ କହେ ବଚନ ।

ଆଜୁଁ ହେଲା ତୋର ପୁଣ ଚିତ୍ରବର୍ଣ୍ଣ ନାମ ଜାଣ

ଏତେ ବୋଲି ତାଙ୍କ ସଙ୍ଗେ ଦେଲେ ରାଜନ ।

ଏକ ଦିନେ ବୃଷ୍ଟି ହେତୁରୁ ।

ଛଟପଟ ହେଲା ସିଂହ ନ ଖାଇବାରୁ ।୯୭।

ସମସ୍ତେ ଆହାର ପାଇଁ ବୁଲି ନ ପାଇଲେ କାହିଁ

କାକ ଶୃଗାଳ ଶାର୍ଦ୍ଦୂଳ ବିଚାର କଲେ ।

ଚିତ୍ରବର୍ଣ୍ଣକୁ ଯେରୂପେ ସ୍ୱାମୀ ମାରିବ ସେରୂପେ

କର କି ଅକାର୍ଯ୍ୟ ହେବ ଏ ଓଟ ମଲେ ।

ବ୍ୟାଘ୍ର କହେ ଅଭୟ ଦେଇ ।

ଯାହାକୁ ରଖିଛି ରାଜା କି କେ ମାରଇ ।୯୮।

 

କାକ କହୁଅଛି ଶୁଣ ଆହାର ନ ପାଇ ପୁଣ

ସ୍ୱାମୀ ବର୍ତ୍ତମାନ ପାପ ହେଲେ କରିବ ।

ଯେବେ ଜନନୀ କ୍ଷୁଧାର୍ତ୍ତ ହୋଇ ତେବେ ଛାଡ଼େ ସୁତ

ଭୂଜଗୀ କ୍ଷୁଧାର୍ତ୍ତ ହେଲେ ଡିମ୍ୱ ଖାଇବ ।

କ୍ଷୁଧାରେ କି ପାପ ନ କରେ ।

କ୍ଷୀଣ ହେଲେ ଅକରୁଣ ହୁଅନ୍ତି ନରେ ।୯୯।

 

ଦୁଦୁରା ଖାଇ ଯେମନ୍ତ ଯେ ହୋଏ ଚଳିତ ଚିତ୍ତ

ଯେ ଉନ୍ମାଦଗ୍ରସ୍ତ ହୋଏ ଯେହୁ କ୍ଷୁଧାର୍ତ୍ତ ।

ଯେ କ୍ରୁଦ୍ଧ ଶ୍ରାନ୍ତ ଭୀରୁକ ଲୁବ୍ଧ ଯେ ସେ ତ୍ୱରାଯୁକ୍ତ

କାମୁକ ଏମାନେ ସବୁ ଅଧର୍ମବନ୍ତ ।

ଏହିରୂପ ନିଶ୍ଚୟ କଲେ ।

ସିଂହ ସମୀପକୁ ସେହି ସମସ୍ତେ ଗଲେ ।୧୦୦।

 

ସିଂହ ପଚାରଇ କିଛି ଆହାର ଆଜି ମିଳିଛି

କାକ ବୋଲେ କିଛି ନ ପାଇଲୁଁ ରାଜନ ।

ସିଂହ କହେ କି କରିବା କିରୂପେ ପ୍ରାଣ ରଖିବା

କାକ କହଇ ଆହାର ଅଛି ସ୍ୱାଧୀନ ।

ତା ଛାଡ଼ିଲେ ବିନାଶ ଜାଣ ।

ସିଂହ ବୋଲେ କି ଆହାର ଅଛି ନିଘନ ।୧୦୧।

କାକ କହେ ଚିତ୍ରବର୍ଣ୍ଣ ଆହାର ଅଛି ସ୍ୱାଧୀନ ।

ସିଂହ ଭୂଇଁ ଛୁଇଁ କର୍ଣ୍ଣ ଦୁହିଁକି ଛୁଇଁ ।

ମୁହିଁ ଏହାକୁ ଅଭୟ ଦେଇ କରିଛି ନିର୍ଭୟ

ସେ କଥା କିରୂପେ କରିବି ଯୁକ୍ତ ନୋହି ।

ଗାଈ ମହୀ ସୁବର୍ଣ୍ଣ ଅନ୍ନ ।

ସବୁ ଦାନରେ ଅଭୟଦାନ ପ୍ରଧାନ ।୧୦୨।

ସର୍ବ କାମ ସମୃଦ୍ଧିରେ ଯେ ସେ ଅଶ୍ୱମେଧ କରେ

ତହିଁର ଯେ ଫଳ ହୋଇ ସମଗ୍ର ହୋଇ ।

ଯେ ଶରଣ ପଶିଥାଇ ତାହାକୁ ଯେ ରଖିଥାଇ

ସେ ଫଳକୁ ଦାନ ସେହି ସ୍ୱର୍ଗକୁ ଯାଇ ।

କାକ କହେ ତୁମ୍ଭେ ନ ମାର ।

ଯେରୂପେ ସ୍ୱଦେହ ଦାନ କରେ ସ୍ୱୀକାର ।୧୦୩।

ସେରୂପେ କରିବୁଁ ଆମ୍ଭେ ନାହିଁ ନ କରିବ ତୁମ୍ଭେ

ସିଂହ ସେ ବଚନ ଶୁଣି ତୁନି ହୋଇଲା ।

ଏଥୁଅନ୍ତେ ସେ ବାୟସ ପାଇଲା ଯେ ଅବକାଶ

କପଟରେ ସମସ୍ତଙ୍କୁ ଘେନି ଅଇଲା ।

ଯାଇ ସିଂହ ସମୀପେ ହୋଇ ।

କହେ ଦେବ ଆହାର ନ ପାଇଲି ମୁହିଁ ।୧୦୪।

 

କରି ବହୁ ଉପବାସ ସ୍ୱାମୀ ହେଲ ମହାକୃଶ

ସର୍ବ ପ୍ରକାରେ ମୋ ମାଂସ ଖାଅ ଗୋସାଇଁ ।

ସ୍ୱାମୀ ଯେବେ ମରିଯାଇ ଅମାତ୍ପାଦି କି କରଇ

ଗତାୟକୁ ଧନ୍ୱନ୍ତରୀ କିବା କରଇ ।

ପ୍ରକୃତି ଯେ ସେ ସ୍ୱାମୀ ମୂଳ ।

ମୂଳ ନ ଥିଲା ବୃକ୍ଷରେ ଯତ୍ନ ଅଫଳ ।୧୦୫।

 

ସିଂହ ବୋଲେ ଜୀବନର ପରିତ୍ୟାଗ ହୋଏ ବର

ସେବକ ମାରି ଉଦର ପୂରଣ ହୀନ ।

ଜମ୍ୱୁକ କହେ ସେରୂପେ ସିଂହ କହେ ସେହିରୂପେ

ବ୍ୟାଘ୍ର କହେ ମୋ ଦେହରେ ରଖ ଜୀବନ ।

ସିଂହ କହେ ଏ ଅନୁଚିତ ।

ସେବକ ଖାଇ ରଖିବି ଯାହା ଜୀବିତ ।୧୦୬।

 

ଓଟ ଏହା ଦେଖି କରି ମନରେ ବିଶ୍ୱାସ ଧରି

ସେରୂପେ ଆପଣା ଦେହ ସମର୍ପି ହେଲା ।

ଏହାଠାରୁ ତାହା ଶୁଣି ବ୍ୟାଘ୍ର ଡେଇଁ ସେହିକ୍ଷଣି

ନଖରେ ଉଦର ଚିରି ତାକୁ ମାଇଲା ।

ଖଳ ବଚନରେ ବିଶ୍ୱାସ ।

ନ କରି ଯେବେ କରଇ ଅବଶ୍ୟ ନାଶ ।୧୦୭।

ତୃତୀୟ କ୍ରୋଶରେ ସ୍ଥାନ କରିଥିଲା ଯେ ଦୁର୍ଜ୍ଜନ

ବ୍ରାହ୍ମଣକୁ ଦେଖିଣ ସେ କହେ ବଚନ ।

ଆହେ କିହେ ବିପ୍ରବର କାହିଁ ନେଉଛ କୁକ୍କୁର

ତାହା ଶୁଣି ସଂସଭ୍ରମ ହୋଇ ବ୍ରାହ୍ମଣ ।

ସେହିଠାରେ ଛାଗ ଛାଡ଼ିଲା ।

ନଦିରେ ସ୍ନାନକୁ କରି ଘରକୁ ଗଲା ।୧୦୮।

ଧୂର୍ତ୍ତେ ସ୍ୱଗୃହକୁ ଯାଇ ଛାଗକୁ ଖାଇଲେ ନେଇ

ଏହି ହେତୁରୁ କହିଲି ଆତ୍ମ ସମାନ ।

ଯେହୁ ଜାଣଇ ପରକୁ ସେ ପାଏ ବଡ଼ ଦୁଃଖକୁ

ଏଥୁଅନ୍ତେ ରାଜା କହେ ହେ ମେଘବର୍ଣ୍ଣ

ତୁମ୍ଭେ ତ ଶତ୍ରୁଙ୍କ ମଧ୍ୟରେ ।

ବହୁତ କାଳ ରହିଲ କି କିରୂପରେ ।୧୦୯।

କାକ କହଇ ଭୋ ଦେବ ସ୍ୱାମୀ କାର୍ଯ୍ୟାର୍ଥୀ ଯେ ହେବ

ଯେ ଆପଣା ପ୍ରୟୋଜନ କରି ବସଇ ।

ସେଅବା କି କି ନ କରେ ଦେଖ ଲୋକ ସ୍ୱମୁଣ୍ଡରେ

ହେ ରାଜନ ଦଗଧ କାଣ୍ଠକୁ ବହଇ ।

ନଦି ବେଗ ବୃକ୍ଷ ମୂଳକୁ ।

ଧୋଇ ଦେଲେହେଁ ଉପାଡ଼ି ପକାଏ ତାକୁ ।୧୧୦।

 

ବୁଦ୍ଧିମନ୍ତ କାର୍ଯ୍ୟ ପାଇଁ କନ୍ଧରେ ଶତ୍ରୁକୁ ବହି

ଯେହ୍ନେ ବୃଦ୍ଧ ସର୍ପ ମୁଣ୍ଡେ ମଣ୍ଡୁକ ବହି ।

ଯେତେ ରେକ ସରୋବରେ       ଥିଲେ ତାହାଙ୍କୁ ସତ୍ୱରେ

ଖାଇ ମଣ୍ଡୁକନାଥକୁ ଦେଲା ଚୋବାଇ ।

ରାଜା କହେ କହ ଶୁଣିମା ।

କାକ କହୁଅଛି ଶୁଣ ଦେବ ମଣିମା ।୧୧୧।

 

ମଗଧ ଦେଶରେ କେହି ଜୀର୍ଣ୍ଣୋଦ୍ୟାନେ ସର୍ପ ଥାଇ

ମନ୍ଦ ବିଷ ବୋଲିଣ ଯେ ନାମ ତାହାର ।

ସେ ଅତି ବୃଦ୍ଧ ହେବାରେ ଆହାରକୁ ଖୋଜିବାରେ

ଅସମର୍ଥ ହୋଇ ପଡ଼େ ସରର ତୀର ।

ଦୂରୁ ତାକୁ ମଣ୍ଡୁକ ଦେଖି ।

ପଚାରଇ ତୁମ୍ଭେ କିପା ହୋଇଛ ଦୁଃଖୀ ।୧୧୨।

 

ସର୍ପ ବୋଲେ ମୁଁ ଗରିବ ମତେ ପଚାରି କି ହେବ

ଯାଅ ବାବୁ ମୋର କର୍ମ ଭୁଞ୍ଜୁଛି ମୁହିଁ ।

ଶୁଣି ସେ କଉତୁକରେ ପୁଣି ସର୍ପକୁ ପଚାରେ

କହ କହ ନ କହିଲେ ମୁହିଁ ନ ଯାଇ ।

ସର୍ପ କହେ କହୁଛି ଶୁଣ ।

ବ୍ରହ୍ମପୁରେ କୌଣ୍ଡିନ୍ୟ ନାମରେ ବ୍ରାହ୍ମଣ ।୧୧୩।

ତାହାର ଏକ ତନୟି ଥିଲା ସେ ଅତି ବିନୟୀ

ସର୍ବ ଗୁଣ ସମ୍ପୂର୍ଣ୍ଣ କୋଡ଼ିଏ ବରଷ ।

ତାହାକୁ ଦୈବ ପ୍ରେରିତ ହୋଇ କଲି ଦନ୍ତ କ୍ଷତ

ମରିଗଲା ସେହିକ୍ଷଣି ବ୍ରାହ୍ମଣ ଶିଷ୍ୟ ।

ତାକୁ ଦେଖି ତାହାର ତାତ ।

ଅତି ଶୋକେ ମହିତଳେ ହେଲା ପତିତ ।୧୧୪।

ଏଥୁଅନ୍ତେ ଶୁଣି ସର୍ବ ବ୍ରହ୍ମପୁରର ବାନ୍ଧବ

ଋଣ୍ଡ ହୋଇ ପ୍ରବେଶ ସେଠାରେ ହୋଇଲେ ।

ଯେଣୁ ବ୍ୟସନେ ଉତ୍ସବେ ଦୁର୍ଭିକ୍ଷ ଶତ୍ରୁ ବିପ୍ଲବେ

ରାଜଦ୍ୱାରେ ଶ୍ମଶାନରେ ଏତେ ସ୍ଥାନରେ ।

ସହାୟ ଯେ ହୋଇ ବାନ୍ଧବ ।

ତାଙ୍କୁ ଜାଣ କହିଛନ୍ତି ଦେବାଧିଦେବ ।୧୧୫।

ତାହାଙ୍କ ମଧ୍ୟେ କୁଶଳ ସ୍ନାତକ ନାମେ କପିଳ

ସେ କହିଲେ ରେ କୌଣ୍ଡିନ୍ୟ ତୁ ବଡ଼ ମୁର୍ଖ ।

ବିଳାପ କରୁଛୁ ଯାହା ଶୁଣିବ କେ ଅବା ତାହା

ଶାସ୍ତ୍ର କହିଛି ସଂସାରେ ଅଛି କି ସୁଖ ।

ଶୁଣ ତୁ କହିବା କ୍ରମରେ ।

ଏହା ଶୁଣି ସ୍ଥିର କରି ରଖ ମନରେ ।୧୧୬।

 

ଯେଣୁ ଏ ସଂସାରେ ଜନ ଜାତ ହୋଏ ଯେଉଁକ୍ଷଣ

ସେହିକ୍ଷଣି ଅନିତ୍ୟତା ତାକୁ ଧରଇ ।

ତଦନ୍ତରେ ଧାଇ ଧରେ ଧରେ ଜନନୀ ପଛରେ

ଏଣୁ ଏ ଶୋକର କ୍ରମ କହି ନୁହଇ ।

ସୈନ୍ୟବଳ ବାହନ ଘେନି ।

ବାହିଗଲେ ରାଜାମାନେ ଏହା ନ ଜାଣି ।୧୧୭।

 

ଏ ଯେଉଁ ଦେହ ଦିଶୁଛି ଏହିତ ନୁହଇ କିଛି

ଯେଉଁଠାରେ ସମ୍ପତ୍ତି ସେଠାରେ ବିପତ୍ତି ।

ପୁତ୍ର ଭ୍ରାତୃ ଭାର୍ଯ୍ୟା ସଙ୍କ୍ଷଣକେ ହୋଏ ବିଭଙ୍ଗ

ଜାତ ହେଲେ ସବୁ ଦ୍ରବ୍ୟ କେହି ନୁହନ୍ତି ।

ସମସ୍ତଙ୍କୁ ଜାଣ ଅନିତ୍ୟ ।

କେବଳ ପରମ ଆଣୁ ଅଟଇ ସତ୍ୟ ।୧୧୮।

 

ପ୍ରତିକ୍ଷଣେ ଏହି କାୟ ଶୀର୍ଣ୍ଣ ହୁଅଇ ନିଶ୍ଚୟ

ଏମନ୍ତ ହେଲେ ତା କେହି ନ ପାରେ ଜାଣି ।

ଅପୋଡ଼ା ଭାଣ୍ଡ ଯେରୂପେ ପାଣି ଭିତରେ ସେରୂପେ

ମିଳାଇ ଗଲେ ଜାଣନ୍ତି ସମସ୍ତ ପ୍ରାଣୀ ।

କ୍ରମେ କ୍ରମେ ଶୀର୍ଣ୍ଣ ହୁଅଇ ।

ଯେହ୍ନେ କଞ୍ଚା ମାଠିଆ ଜଳରେ ମିଳାଇ ।୧୧୯।

ସଂସାରେ ଜନ୍ମ ଯାହାର ଦିନକୁଦିନ ତାହାର

ଅତି ନିକଟକୁ ଆସେ ମୃତ୍ୟୁ ପ୍ରମାଣ ।

ଯେରୂପେ ମାରଣ ସ୍ଥାନ ମାରିବାକୁ ଯେଉଁଜନ

ନେଇ ତାର ପଦେ ଥିବେ ସେରୂପେ ଜାଣ ।

ଯଉବନ ରୂପ ଜୀବନ ।

ଐଶ୍ୱର୍ଯ୍ୟ ଧନ ପିରତି ଅନିତ୍ୟ ଜାଣ ।୧୨୦।

ଯେହ୍ନେ ଅବ୍ଧିରେ ସମେତ କାଷ୍ଠରେ କାଷ୍ଠ ସଙ୍ଗତ

ହୋଇ ପୁଣି ବ୍ୟପଦ୍ଗତ ହୋଏ କାଳରେ ।

ସେରୂପରେ ପୁତ୍ର ମିତ୍ର ଭ୍ରାତୃ ଦୁହିତୃ କଳତ୍ର

ସଙ୍ଗତ ହୁଅନ୍ତି ଅସଙ୍ଗତ ସଂସାରେ ।

ଏହିହେତୁ ଯୋଗ ବିଯୋଗ ।

ଜୀବ ଶରୀର ଦୁଇରେ ହୁଅଇ ଭୋଗ ।୧୨୧।

ପୃଥିବୀ ଯେ ଜଳ ବାତ ଅଗ୍ନି ଶିଖା ଯେ ପଞ୍ଚଭୂତ

ଏଥିରେ ନିର୍ମିତ ଦେହ ପଞ୍ଚତ୍ୱ ପାଇ ।

ଯେ ଯେଉଁ ଯୋନିରୁ ଜାତ ପୁଣି ତାହାକୁ ପ୍ରାପତ

ହେଲା ଯେବେ ଧୀର ଜନ ଶୋକ ନ ପାଇ ।

ଯେତେ ମନେ ସଂକଳ୍ପ କରେ ।

ତେତିକି ଶୋକ ଶଙ୍କୁ ତା ହୃଦ ବିଦାରେ ।୧୨୨।

 

ଯେହି କେହି ଜନ ତାର କଉଣସି ଶରୀରର

ସମ୍ବନ୍ଧ ନିତ୍ୟ ନୁହଇ ଏହା ତୁ ଜାଣ ।

ସ୍ୱକୀୟ ଶରୀରେ ଯାର ପ୍ରଭୁତ୍ୱ ନାହିଁ ତାହାର

ଅନ୍ୟ ବାହ୍ୟ ଲୋକେ ଅବା କି ପ୍ରଭୁପଣ ।

ସଂଯୋଗ ଯେ ବିଯୋଗ କହେ ।

ଯେରୂପେ ଜନ୍ମ ମରଣ ଆଗମ ହୁଏ ।୧୨୩।

 

ଏ ଯେଉଁ ଦାରାଦି ଯୋଗ ହେବାରୁ ଯେ ହୋଏ ଭୋଗ

ପ୍ରଥମରେ ସୁଖ କରି ଦେହୀ ମଣଇ ।

ପ୍ରାନ୍ତରେ ଦୁଃଖ ଅନେକ ପାଇ କରଇ ସେ ଶୋକ

ଯେରୂପେ ଅପଥ୍ୟ ଅନ୍ନ ପ୍ରଥମୁ ଖାଇ ।

ସୁଖକରି ମଣଇ ଜନ ।

ପ୍ରାନ୍ତରେ ରୋଗ ପୀଡ଼ାରେ କରେ ରୋଦନ ।୧୨୪।

 

ସରିତମାନଙ୍କ ସ୍ରୋତ ଯେହ୍ନେ ଚାଲଇ ସନ୍ତାତ

ସେ ପୁଣି ଲେଉଟି ଉପରକୁ ନ ଯାଇ ।

ସେହିରୂପେ ସବୁକାଳ ରାତ୍ର ଦିବସ ଯୁଗଳ

ମାନବମାନଙ୍କ ଆୟ ଘେନି ଚଳଇ ।

ସାଧୁ ସଙ୍ଗରେ କିଛି ସୁଖ ।

ପ୍ରାନ୍ତେ ବିଯୋଗ ହେତୁରୁ ସେ ବଡ ଦୁଃଖ ।୧୨୫।

ଏହି ହେତୁରୁ ସଜ୍ଜନ ସଙ୍ଗ ନ ଇଚ୍ଛଇ ଜନ

ଯେଉଁ ହେତୁ ତା ବିରହ ଖଡଗ ପ୍ରାୟେ ।

ସେ ଅସିରେ ଛିଡ଼ି ମନ ପ୍ରତିକ୍ଷଣେ ଛନ ଛନ

ହୋଇ କେବେ ସୁସ୍ଥ ନାହିଁ ସୁଖ ନ ପାଏ ।

ଖଡ୍ଗେ ଛିଡ଼ିଥିଲେ, ଔଷଧ ।

କରି ବରହ ଦୁଃଖକୁ ନାହିଁ ଔଷଧ ।୧୨୬।

ସଗରାଦି ରାଜା ଥିଲେ ବହୁ ପୁଣ୍ୟ କରୁଥିଲେ

କର୍ମ ସହିତରେ ସେହିମାନେତ ଗଲେ ।

ମନୁଷ୍ୟ ଯେ ବିଚକ୍ଷଣ ମୃତ୍ୟୁ ଉଗ୍ର ଦଣ୍ଡେ ମନ

ଦେଇ ବିଚାରି ଏ ଯତ୍ନ ଦଣ୍ଡେ ନ କରେ ।

ବିଚାରଇ ଏ ଚର୍ମ ପାଶ ।

ବର୍ଷାକାଳେ ପାଣି ପଡ଼ି ହୁଅଇ ନାଶ ।୧୨୭।

ପ୍ରଥମୁଁ ଯେଉଁ ରାତ୍ରରେ ଗର୍ଭରେ ନିବାସ କରେ

ଜନ ସେ କାଳ ଆରମ୍ଭି ଅନିବାରିତ ।

ହୋଇ ଯାଇ ମୃତ୍ୟୁ ମୁଖ ନାହିଁ କିଛି ଏଥି ସୁଖ

ଅତିଶେ ହୋଇ ବିମୁଖ କହେ ଦ୍ୱିଜାତ ।

ଏଥୁଅନ୍ତେ କେ ଶ୍ରେଷ୍ଠ ଜାଣ ।

ଏ ଯେ ଶୋକ କରୁଅଛ ସବୁ ଅଜ୍ଞାନ ।୧୨୮।

 

ବିଯୋଗ କାରଣ ହୋଇ ଅଜ୍ଞାନ କାରଣ ନୋହି

ଏମନ୍ତ ଯେବେ ବୋଲିବା ଦେଖୁ ନାହିଁକି ।

ଦିନମାନେ ଚାଲିଯାନ୍ତେ ଶୋକ ଅଧିକ ବଢ଼ନ୍ତେ

ଆତ୍ମହତ୍ୟା ଦୋଷ ତୋତେ ଲାଗୁ ନାହିଁକି ।

ସେହିହେତୁ ଆତ୍ମରକ୍ଷଣ ।

କର ତୁ ବେଗରେ ତେଜ ଶୋକ ଗହନ ।୧୨୯।

 

କାଣ୍ଡପତ୍ର ଜାତ ନାହିଁ ଆର୍ଦ୍ର ମର୍ମଭେଦୀ ହୋଇ ।

ଅତିଶୟ ଗାଢ଼ ଯେଉଁ ଶୋକ ପ୍ରହାର ।

ଚିନ୍ତା ଛାଡ଼ି ରହିବାର ପରମ ଔଷଧ ତାର

ଏ ଔଷଧ ପାନ କର କି ଚିନ୍ତା ଛାର ।

ଶୁଣି ଉଠି କୌଣ୍ଡିନ୍ୟ କହି ।

ଗୃହ ନରକ ବାସରେ ମୋ କାର୍ଯ୍ୟ ନାହିଁ ।୧୩୦।

 

ବନକୁ ଯିବାର ଭଲ ଶୁଣି ବୋଲନ୍ତି କପିଳ

ଯେଉଁମାନେ ରୋଗୀ ତାଙ୍କର ବନେ ଦୋଷ ।

ହୁଅଇ କରନ୍ତି ଯେବେ ଇନ୍ଦ୍ରୀୟ ନିଗ୍ରହ ତେବେ

ଗୃହରେ ଥିଲେହେଁ ସେ ହୁଅନ୍ତି ତାପସ ।

ଯେ ଅନିନ୍ଦ୍ୟ କର୍ମ କରଇ ।

ବିରାଗର ଗୃହ ତପୋବନ ହୁଅଇ ।୧୩୧।

ଯହିଁ ତହିଁ ଆଶ୍ରମରେ ଥାନ୍ତି ଦୁଃଖୀ ଯେଉଁ ନରେ

ସେମାନେ ଯେବେହେଁ ଧର୍ମ ଆଶ୍ରେ କରନ୍ତି ।

ସବୁଠାରେ ସମବୁଦ୍ଧି ହୁଅନ୍ତି ସେ ଅତି ସିଦ୍ଧି

ପାଆନ୍ତି ଧର୍ମ ହେତୁକୁ ଚିହ୍ନ ହୁଅନ୍ତି ।

ଜୀବନ ନିମିତ୍ତେ ଭୋଜନ ।

ତାହାଙ୍କର ସନ୍ତତି ନିମିତ୍ତେ ମୈଥୁନ ।୧୩୨।

ସତ୍ୟ ରଖିବାର ପାଇଁ ମିତଭାଷୀ ଯେ ହୁଅଇ

ତରନ୍ତି ଦୁର୍ଗମାନଙ୍କୁ ସେ ଜନମାନେ ।

ସଂଯମ ସେ ପୁଣ୍ୟ ତୀର୍ଥ ଯହିଁରେ ଉଦକ ସତ୍ୟ

ଶୀଳ ତଟ ଦୟା ଉର୍ମି ଯହିଁ ଏମାନେ ।

ସେ ଆତ୍ମାନଦୀରେ ସ୍ନାହାନ ।

ବାରିରେ ଶୁଦ୍ଧ କୁହଇ ଅନ୍ତଃକରଣ ।୧୩୩।

ଜରା ଜନମ ମରଣ ବ୍ୟାଧି ପୀଡ଼ା ଅନୁକ୍ଷଣ

ଅନୁଭବ ହେଉଛି ଏହେତୁ ଅସାର ।

ଏ ଯେଉଁ ସଂସାର ତ୍ୟାଗ କଲା ଯେ ହୋଇ ବିରାଗ

ସେ ସର୍ବଦା ସୁଖୀ ତାର ସ୍ୱର୍ଗ କି ଛାର ।

ଏ ସଂସାରେ କେବଳ ଦୁଃଖ ।

ଦୁଃଖାର୍ତ୍ତ ପ୍ରତି କରଣ ବୋଲାଇ ସୁଖ ।୧୩୪।

 

କୌଣ୍ଡିନ୍ୟ କହେ ଏକଥା ଏହିରୂପେ ଏ ସର୍ବଥା

ଶୋକାକୁଳ ହୋଇ ଶାପ ଦେଲା ବ୍ରାହ୍ମଣ ।

ଏଡ଼େ ଅନ୍ୟାୟ ତୁ କଲୁ ମୋର ପୁତ୍ରକୁ ଖାଇଲୁ

ଆଜିଠାରୁ ଭେକଙ୍କର ହୁଅ ବାହନ ।

ପୁନରପି କପିଳ କହି ।

ଉପଦେଶ ସହ ତୋ ହୃଦୟ ନୁହଇ ।୧୩୫।

 

ଶୁଣ ଯେ ସର୍ବ ଯତ୍ନରେ ସଙ୍ଗକୁ ଛାଡ଼ି ନ ପାରେ

ସାଧୁ ସଙ୍ଗ କରେ ସେ ସଂସାରେ ଭେଷଜ ।

ସର୍ବ ଯତ୍ନେ କାମ ତ୍ୟାଗ କରି ନ ପାରିବ ଆଗ

ସ୍ୱ ଭାର୍ଯ୍ୟା କାମନା କର ସେ ତା ଭେଷଜ ।

ତା ଶୁଣି କୌଣ୍ଡିନ୍ୟ ବ୍ରାହ୍ମଣ ।

ଶୋକ ଛାଡ଼ିଣ ସନ୍ୟାସ କଲା ସେକ୍ଷଣ ।୧୩୬।

 

ଏଥୁଅନ୍ତରେ ବ୍ରାହ୍ମଣ ଶାପର ଉପଶମନ

କରିବା ପାଇଁ ଏଠାରେ ରହିଛି ମୁହିଁ ।

ଏହା ଶୁଣିଣ ଶାଳୂର ଗଲା ହୋଇ ଅତି ଖର

ସ୍ୱ ପ୍ରଭୁ ଜାଲପାଦର ଆଗରେ କହି ।

ଜାଲପାଦ ସର୍ପ ପିଠିରେ ।

ବସିଲା ସେ ତାକୁ ଘେନି ଗଲା ସତ୍ୱରେ ।୧୩୭।

ଆର ଦିନ ବହିବାରେ ଅସମର୍ଥ ଦେଖି ତାରେ

ମଣ୍ଡୁକରାଜ କହିଲା କି ମନ୍ଦ ଚାଲ ।

ସର୍ପ କହଇ ଆହାର ବିରହରୁ ମୁ ଦୁର୍ବଳ

ଶୁଣି ସେ କହିଲା ଭେକ କର ଆହାର ।

ଏହି ମହାପ୍ରସାଦ ମୋର ।

ଶିରେ ଘେନି ସର୍ପ କଲା ଭେକ ଆହାର ।୧୩୮।

ନିର୍ମଣ୍ଡୁକ ସରୋବର ଦେଖିଲା ସେ ବିଷଧର

ଜାଲପାଦ ମଣ୍ଡୁକ ନାଥକୁ ଖାଇଲା ।

ଏହି ହେତୁରୁ କହଇ କନ୍ଧରେ ଶତ୍ରୁକୁ ବହି

ମାରିବ ଅନ୍ୟଥା କଲେ ଆପଣ ମଲା ।

କାକ କହେ ଏ କଥା ରହୁ ।

ପୂର୍ବ ଚରିତ କହିଲେ କି ହେବ ଆଉ ।୧୩୯।

ସର୍ବଥା କର ସନ୍ଧାନ ହରିଣ୍ୟଗର୍ଭ ରାଜନ

ବ୍ରତିକି ଯୋଗ୍ୟ ଏମନ୍ତ ମୁହିଁ ମଣଇଁ ।

ରାଜା କହେ କାକବର ତୁମ୍ଭେତ ବିଚାର କର

ଆମ୍ଭରତ ଏହି ଜିତ ହୋଇ ଅଛଇଁ ।

ଜମ୍ବୁଦ୍ୱୀପରୁ ଏ ସମୟେ ।

ଶୁକ ଆସି ଚିତ୍ରବର୍ଣ୍ଣ ଆଗରେ କହେ ।୧୪୦।

 

ଦେବ ସିଂହଳଦ୍ୱୀପର ରାଜା ନାମେ ମହାବଳ

ସାରସ ଜମ୍ବୁଦ୍ୱୀପକୁ ବସିଛି ମାଡ଼ି ।

ସସଂଭ୍ରମ ରାଜା ହୋଇ କି କି ବୋଲି ପୁଣ କହି

ଶୁକ ପୁଣି କହିଲା ସେ କଥା ଗଡ଼ାଇ ।

ଗୃଧ୍ର ଶୁଣି ମନେ ବିଚାରି ।

ସାଧୁ ଚକ୍ରବାକ ବୋଲି ପ୍ରଶଂସା କରି ।୧୪୧।

 

ରାଜା କ୍ରୋଧ ହୋଇ କହେ ଏକଥା ଏରୂପେ ହୁଏ

ହେଉ ମୁଁ ଯାଇ ପ୍ରଥମେ ତାକୁ ବିନାଶି ।

ଶୁଣି ହସି ଦୀର୍ଘଦର୍ଶୀ କହଇ ହେ ରାଜଋଷି

ଶରନ୍ମେଘ ଗର୍ଜନେ କି ଜଳ ବରଷି ।

ବଡ ଲୋକ ଧୀର ମାନସ ।

ପରକାର୍ଯ୍ୟ ଅକାର୍ଯ୍ୟ କି କରେ ପ୍ରକାଶ ।୧୪୨।

 

ରାଜା ଏକାବେଳକରେ ବହୁତ ଶତ୍ରୁ ସଙ୍ଗରେ

ବିରୋଧ ନ କରେ କଲେ ଆପେ ମରଇ ।

ବିଷରେ ଉଦ୍ଧତ ହୋଇ ସର୍ପ ଯେବେ ଏକା ଥାଇ

ବହୁ ସର୍ପରେ ବିରୋଧ କଲେ କି ଜିଇ ।

ଏହାଠାରେ ପ୍ରୀତି ନ କରି ।

ଏଠାରୁ କି ଆମ୍ଭ ରାଜ୍ୟ ଗମନ କରି ।୧୪୩।

ଯେବେ ପ୍ରୀତି ନ କରିଣ ଆମ୍ଭେ ଯିବା ହେ ରାଜନ

ଏ ରାଜା ଆମ୍ଭର ପଛେ ପ୍ରକୋପ କରି ।

ବହୁତ ସୈନ୍ୟଘେନିଣ କରିବ ସେ ମହାରଣ

ଆଗପଛେ ଏହାର ଅଛନ୍ତି ସଇନି ।

ଆଗପଛ ମିଶି ମାରିବେ ।

ଆମ୍ଭର ଯେତେକ ସୈନ୍ୟ ସବୁ ସାରିବେ ।୧୪୪।

ଏ କାର୍ଯ୍ୟ ଏରୂପେ ହୋଏ ତତ୍ୱ ନ ଜାଣି ଯେ କହେ

କେହି ବଡ଼ ଲୋକ ଯେବେ କରଇ କୋପ ।

ଯେରୂପେ ଏକ ବ୍ରାହ୍ମଣ ନଜାଣି କିଛି କାରଣ

ନକୁଳକୁ ମାରି କଲା ବଡ଼ ସନ୍ତାପ ।

ସେହିରୂପେ ମୂର୍ଖ ଯେ ତାପ ।

ପାଇ ପଛେ ବୋଲଇ ସେ ଥିଲା କି ପାପ ।୧୪୫।

ରାଜା ଶୁଣି ପଚାରଇ ଏକଥା କିରୂପେ ହୋଇ

କହ ଶୁଣି ଦୀର୍ଘଦର୍ଶୀ ପୁଣି କହଇ ।

ଉଜ୍ଜୟିନୀ ନଗରରେ ଥିଲା ମାଧବ ନାମରେ

ଦ୍ୱିଜ ତା ଭାର୍ଯ୍ୟାର ସୁତ ଜନମ ହୋଇ ।

ସେ ବାଳକ ରକ୍ଷଣ ପାଇଁ ।

ଦ୍ୱିଜକୁ ସେଠାରେ ରଖି ଗଲା ଗାଧୋଇ ।୧୪୬।

 

ରାଜାର ପରବ ଶ୍ରାଦ୍ଧ କରିବା ପାଇଁ ପ୍ରସିଦ୍ଧ

ଲୋକ ଆସି ବ୍ରାହ୍ମଣକୁ ଆସ ବୋଇଲା ।

ଶୁଣି ସେହୁ ଅତି ହୀନ ବ୍ରାହ୍ମଣ ବିଚାରେ ମନ

ଯେବେ ମୁଁ ବେଗେ ନ ଯିବି ଅନର୍ଥ ହେଲା ।

ଅନ୍ୟ କେହି ଶ୍ରାଦ୍ଧ କରିବ ।

ଯେ ସାମଗ୍ରୀ ଥିବ ତାହା ଘରକୁ ନେବ ।୧୪୭।

 

ଧନ ଆଣିମା ଦେବାର ଯେତେ କର୍ମ କରିବାର

ତାହା ବେଗରେ କରିବ ବିଳମ୍ବ ନୋହି ।

ଏ ଯେତେ କର୍ମ ତାହାର ଜାଳ କରଇ ଆହାର

ଗଲେ ଏ ବାଳକ ରକ୍ଷା କିଏ କରଇ ।

କି କରିବି କି ରୂପେ ଯିବି ।

ବାଳକକୁ ରକ୍ଷା ମୁଁ କିରୂପେ କରିବି ।୧୪୮।

 

ହେଉ ଆଛା ଚିରକାଳ ପାଳିତ ଏହି ନକୁଳ

ପୁତ୍ର ତୁଲ୍ୟ ଏହାକୁ ମୁଁ ରଖି ଏଠାରେ ।

ଯିବି ମୁଁ ବୋଲି ନକୁଳ      ରଖାଇ ପୁତ୍ର ପାଖର

ବେଗରେ ପ୍ରବେଶ ହେଲା ରାଜ ନଗରେ ।

ସେ ନକୁଳ ବାଳ ସମୀପ ।

ଆସୁଥିଲା ଦେଖିଲା ସେହି କୃଷ୍ଣ ସର୍ପ ।୧୪୯।

ଦେଖି ମାଇଲା ତାହାକୁ ଏଥୁଅନ୍ତେ ବ୍ରାହ୍ମଣକୁ

ଦୂରରୁ ଦେଖି ନକୁଳ ସତ୍ୱରେ ଯାଇ ।

ପଡ଼େ ବ୍ରାହ୍ମଣ ଚରଣ ଦେଖିଣ ତାକୁ ବ୍ରାହ୍ମଣ

ପାଣି ପାଦ ରକ୍ତ ଦେଖି ଦଣ୍ଡେ ମାରଇ ।

ଏ ପୁଅକୁ ଖାଇଲା ମୋର ।

ନୋହିଲେ କିପାଁ ରକତ ମୁଖ ଏହାର ।୧୫୦।

ଏଥୁଅନ୍ତେ ସେ ବ୍ରାହ୍ମଣ ଗୃହରେ ପ୍ରବେଶକ୍ଷଣ

ଦେଖିଲା ସେ ସର୍ପ ମରି ସୁତ ଶୋଇଛି ।

କି କଲି ମୁହିଁ ବୋଇଲା ବହୁତ ବ୍ୟାକୁଳ ହେଲା

ଅକାରଣ କ୍ରୋଧୀ ଜନ ନୁହଇ କିଛି ।

ସେହିରୂପେ ତୁମ୍ଭେ ପ୍ରତାପ ।

କଲ ଯେଣୁକରି ପୁଣି ହେବ ସନ୍ତାପ ।୧୫୧।

ଆଉ କଥା ଦେବ ଶୁଣ କାମ କ୍ରୋଧ ଲୋଭମାନ

ଦର୍ପ ମଦ ଏ ଷଡ୍ବର୍ଗ ଯେ ନୃପ ଛାଡ଼େ ।

ସେହି ରାଜା ବଡ଼ ସୁଖୀ କେବେହେଁ ନୁହଇ ଦୁଃଖି

ରାଜା କହେ ମନ୍ତ୍ରୀ ତୋ ନିଶ୍ଚୟ ଏ ଦୃଢ଼ ।

ମନ୍ତ୍ରୀ କହେ ଏରୂପେ ଏହି ।

ଏ ବିଚାର ଅନ୍ୟ କଲେ ଭଲ ନୁହଇ ।୧୫୨।

କାର୍ଯ୍ୟରେ ତାତ୍ପର୍ଯ୍ୟ ସ୍ମୃତ ବିତର୍କ ଜ୍ଞାନ ନିଶ୍ଚିତ

ସ୍ଥିରତ୍ୱ ମନ୍ତ୍ର ଗୋପନ ମନ୍ତ୍ରିର ଗୁଣ ।

ବିଚାରି କାର୍ଯ୍ୟକୁ କରି ଅବିଚାରେ ନାଶ ଶିରି

ବିଚାରି କାର୍ଯ୍ୟକୁ କଲେ ତୁମ୍ଭେ ପ୍ରଧାନ ।

ହେବ ଏଥି ନାହିଁ ସନ୍ଦେହ ।

ଯେଣୁ ଗୁଣବନ୍ତ ଜନ ଲକ୍ଷ୍ମିର ଗୃହ ।୧୫୩।

ଏହିହେତୁରୁ ମୋ ବାଣୀ କର ଯେବେ ନୃପମଣି

ତେବେ ବର୍ତ୍ତମାନ ସନ୍ଧି ଯାଅ କରିଣ ।

କାର୍ଯ୍ୟ ସାଧନରେ ଚାରି ଉପାୟକୁ ଯେବେ କରି,

କେବଳ ଗଣନା ମାତ୍ର କରିବା ଜାଣ ।

ଶାନ୍ତ୍ୱନାରେ କାର୍ଯ୍ୟର ସିଦ୍ଧି ।

ଅନ୍ୟ ଉପାୟକୁ କଲେ ହୁଅଇ ଧନ୍ଦି ।୧୫୪।

ରାଜା କହେ କିରୂପରେ ଏ କାର୍ଯ୍ୟ ହେବ ସତ୍ୱରେ

ମନ୍ତ୍ରୀ କହେ ଶୀଘ୍ର ହେବ ନାହିଁ ବିଚାର ।

ମୃତ୍ତିକା ଘଟ ପରାଇ ଭାଜିଲେ ସନ୍ଧାନ ନୋହି

ଦୁର୍ଜ୍ଜନ ଲୋକ ସୁଜନ ସୁଖ ସନ୍ଧାନ ।

ଯେଉଁରୂପେ କନକ ଘଟ ।

ଭାଜିଗଲେ ସେହିକ୍ଷଣି ହୋଏ ସଂଘଟ ।୧୫୫।

ଅଳ୍ପ ଯେଉଁ ଲୋକ ହୋଇ ସୁଖରେ ଆରାଧ୍ୟ ସେହି

ଯେ ପଣ୍ଡିତ ସେହି ବିଶେଷରେ ସୁସେବ୍ୟ ।

ଅତି ଅଳ୍ପ ଜ୍ଞାନ ଥାଇ ଏମନ୍ତ ଯେ ଲୋକ ହୋଇ

ତାକୁ ବଶ କରିବାକୁ କି ବ୍ରହ୍ମା ହେବ ।

ବିଶେଷରେ ସେ ରାଜା ପୁଣି ।

ସର୍ବଜ୍ଞ ସେ ଚକ୍ରବାକ ଏ ଦୁହେଁ ଗୁଣୀ ।୧୫୬।

ମେଘବର୍ଣ୍ଣ କହିବାରୁ ତାର କାର୍ଯ୍ୟ ଦେଖିବାରୁ

ଜାଣ ରାଜା ମନ୍ତ୍ରୀ ଦୁହେଁ ଅଗାଧ ଗୁଣ ।

ପରୋକ୍ଷରେ ଗୁଣ ବୃତ୍ତ କର୍ମେ ଅନୁମାନ ହ୍ୱନ୍ତି

ସବୁଠାରେ ଫଳେ କର୍ମ ପ୍ରକାଶ ଜାଣ ।

ରାଜା କହେ ଥାଉ ବଚନ ।

ତୁମ୍ଭର ଯେ ଇଚ୍ଛା ଅଛି କର ବହନ ।୧୫୭।

ଏମନ୍ତ କରି ବିଚାର ଗୃଧ୍ର ଗଡ଼ର ଭିତର

ଗଲା ତହିଁ ଯେ ଯେରୂପେ ଯୋଗ୍ୟ ବେଭାର ।

ସେହିରୂପରେ କରିବ ଏଥି କିଛି ନ ହୁଡ଼ିବ

ଏମନ୍ତ କହିଣ ପଠିଆଇଲା ଚାର ।

ରାଜହଂସ ଶୁଣି କହୁଛି ।

ମନ୍ତ୍ରୀ ପୁଣି ସନ୍ଧି ପାଇଁ କେ ଆସିଅଛି ।୧୫୮।

 

ସର୍ବଜ୍ଞ ହସି କହଇ       ଶଙ୍କା କର କାହିଁ ପାଇଁ

ଯେଣୁ ମହାଶୟ ଅଟେ ସେ ଦୂରଦର୍ଶୀ ।

ନାହିଁ ଅବା ମନ୍ଦ ମତି ମାନଙ୍କର ଏହି ସ୍ଥିତି

ସଦା ଶଙ୍କା କରଇ ଯେ ସେ ମନ୍ଦ ମୁର୍ଦ୍ଧୀ ।

କଦାଚିତ ଶଙ୍କା କରଇ ।

ପୁଣି କଦାଚିତ ଶଙ୍କା ମନୁ ଛାଡ଼ଇ ।୧୫୯।

 

କୁଶଳ ହଂସ ନିଶାରେ ଦେଖି ସରୋବର ଜଳେ

ତାରା ପ୍ରତିବିମ୍ବକୁ କୁମୁଦ ଶଙ୍କାରେ ।

ଖୋଜଇ ତା ଜନ୍ମସ୍ଥାନ ଦିବସେ ବିଷ ପ୍ରସୂନ

ଦେଖି ତା ପୁଣି ନ ଖାଇ ତାରାତଙ୍କରେ

ଭ୍ରମକୁ ଭଜଇ ଯେ ଲୋକ ।

ତାର ସତ୍ୟ ମିଥ୍ୟା ବୋଲି ନୋହେ ବିବେକ ।୧୬୦।

 

ଏହିହେତୁରୁ କେବଳ ଯଥା ଶକ୍ତି ଉପହାର

ତା ପୂଜା ନିମିତ୍ତେ କର ସତ୍ୱର ହୋଇ ।

ତାହା ଶୁଣି ସେହିରୂପେ କରନ୍ତେ ତା ଅନୁରୂପେ

ଗୃଧ୍ର ମନ୍ତ୍ରୀ ଯାଇ ଦୁର୍ଗଦ୍ୱାରେ ହୁଅଇ ।

ଚକ୍ରବାକ ସହିତ ହେଲା ।

ଚକ୍ରବାକ ଦେଲା ଆସନରେ ବସିଲା ।୧୬୧।

ଚକ୍ରବାକ କହେ ପୁଣ ଆହେ ମହାମନ୍ତ୍ରୀ ଶୁଣ

ତୁମ୍ଭର ଏ ରାଜ୍ୟ ଆମ୍ଭେ ତୁମ୍ଭର ଜାଣ ।

ଶୁଣି ଗୃଧ୍ର ମନ୍ତ୍ରୀ କହି ଏକଥା ଏରୂପେ ହୋଇ

ବହୁତ ବିସ୍ତାର କଥା ଅପ୍ରୟୋଜନ ।

ଯାହା କହୁଅଛି ତା ଶୁଣ ।

ଅର୍ଥରେ ବଶ ହୁଅଇ ଯେ ଲୋଭିଜନ ।୧୬୨।

ଯେ ହୋଏ ଉଦ୍ଧତ ନର ହସ୍ତ ଯୋଡ଼ି ବଶ କର

ତାକୁ ପୁଣି ମୂର୍ଖଜନକୁ ବଶ କର ।

ତାହାର ମନକୁ ଚାହିଁ ତା ମନକୁ ଯେ ଯୋଗାଇ

କହି ପଣ୍ଡିତ ଲୋକକୁ କର ଆଦର ।

ଯଥାର୍ଥ କହି କର ବଶ ।

ଯେ ଯେଉଁ ଭାବେ ହେବ ତା କରି ଅବଶ୍ୟ ।୧୬୩।

ମନର ସ୍ୱଚ୍ଛତା ଯେବେ ମିତ୍ର ବଶ ହୋଇ ତେବେ

ବାନ୍ଧବକୁ ଏହିରୂପେ ବଶ କରିବ ।

ମାନସମ୍ମାନ ନ ପାଇ ନାରୀ ଭୃତ୍ୟ ବଶ ହୋଇ

କପଟ ନ କରେ ଅନ୍ୟ ବଶ ନୋହିବ ।

ଚକ୍ରବାକ କହଇ ହେଉ ।

ଯେରୂପେ ପ୍ରୀତି ହୋଇବ କହିବା ହେଉ ।୧୬୪।

ରାଜହଂସ କହୁଛନ୍ତି ଶୁଣ ଆହେ ଗୃଧ୍ରମନ୍ତ୍ରୀ

ସନ୍ଧିର କେତେ ପ୍ରକାର କହିବା ହେଉ ।

ଗୃଧ୍ର କହେ ଶୁଣ ନୃପ ସନ୍ଧିର ଯେତେ ସ୍ୱରୂପ

କ୍ରମରେ କହିବା ତାହା ଶୁଣିମା ହେଉ ।

ବଳବନ୍ତ ଶତ୍ରୁ ଯାହାକୁ ।

ପୀଡ଼ାଦେଇ ସେହି ନୃପ କରେ ତାହାକୁ ।୧୬୫।

ଯେ ବିପତ୍ତିଗ୍ରସ୍ତ ହୋଇ ସେ ନୃପ ସନ୍ଧି କରଇ

ଯଥା କଥା କରି କରେ କାଳଯାପନ ।

ପ୍ରଥମ ସନ୍ଧି କପାଳ ଦ୍ୱିତୀୟ ହେ ଉପହାର

ତୃତୀୟ ସନ୍ଧିର ନାମ ଅଟେ ସନ୍ତାନ ।

ଚତୁର୍ଥର ନାମ ସଙ୍ଗତ ।

ଉପନ୍ୟାସ ପ୍ରତୀକାର ସଂଯୋଗ ସପ୍ତ ।୧୬୬।

ପୁରୁଷାନ୍ତର ଅଷ୍ଟମ ଅଦୃଷ୍ଟ ନର ନବମ

ପୁଣି ଆଦିଷ୍ଟ ଦଶମ ଏଗାର ହୋଇ ।

ଆତ୍ମଦିଷ୍ଟ ଉପଗ୍ରହ ଦ୍ୱାଦଶ କର ସଂଗ୍ରହ

ପରିତ୍ରୟ ତ୍ରୟୋଦଶ ସଂଖ୍ୟା ଗଣଇ ।

ଉଚ୍ଛିନ୍ନ ଯେ ପରଭୂଷଣ ।

ସ୍କନ୍ଧୋପନେୟକୁ ଗଣି ଷୋଡ଼ଶ ଜାଣ ।୧୬୭।

 

ତୁଲ୍ୟ ସନ୍ଧି ହୋଏ ଯେବେ ରାଜା ଦୁହିଁଙ୍କର ତେବେ ।

ଦେବା ନେବା ନ ଥାଇ ସେ କପାଳ ସନ୍ଧି ।

କିଛି ଧନ ଦେଇ କରି ଯେବେ ପ୍ରୀତି ପଣ କରି ।

ଉପହାର ନାମ ସେହି ବୋଲଇ ସନ୍ଧି ।

ସନ୍ତାନର ସନ୍ଧି ସେ ଜାଣ ।

ଯେଉଁ ପ୍ରୀତିରେ କନ୍ୟାକୁ ଦିଅଇ ଦାନ ।୧୬୮।

 

ଯେତେ ଆୟୁଷ ପ୍ରମାଣ ସେ କାଳ ପର୍ଯ୍ୟନ୍ତେ ଜାଣ

ଦୁହିଙ୍କର ପ୍ରୟୋଜନ ସମାନ ହୋଇ ।

ସମ୍ପତ୍ତି ବିପତ୍ତି ହେତୁ ଯାହାର ନ ଭୋଜେ ସେତୁ

ସୁବର୍ଣ୍ଣ ପ୍ରାୟେ ସେ ସନ୍ଧି ସଙ୍ଗତ ହୋଇ ।

ଅନ୍ୟ ଯେହୁ କୁଶଳ ଜନ ।

ଏହି ସନ୍ଧି କରେ ତାର ନାମ କାଞ୍ଚନ ।୧୬୯।

 

ଭାବି ଏକ କାର୍ଯ୍ୟ ସିଦ୍ଧି ଉଦ୍ଦେଶରେ ଯେଉଁ ବିଧି

କରନ୍ତି ସନ୍ଧି କୁଶଳେ ସେ ଉପନ୍ୟାସ ।

କରିଥିଲେ ଉପକାର ଏ ମୋହର ବହୁବାର

ମୋର ଉପକାର ଏ କରିବ ଅବଶ୍ୟ ।

ଏମନ୍ତ ବିଚାରି ଯାହାକୁ ।

କରି ପ୍ରତୀକାର ସନ୍ଧି ବୋଲି ତାହାକୁ ।୧୭୦।

କିଅବା ଏହାର ମୁହିଁ ଉପକାରକୁ କରଇ

ଅବଶ୍ୟ କରିବ ମୋର ଏ ଉପକାର ।

ଯେହ୍ନେ ରାମ ସୁଗ୍ରୀବର ପରସ୍ପରେ ଉପକାର

ହେଲା ସେରୂପେ ହୋଇଲେ ସେ ପ୍ରତିକାର ।

ଏ କାର୍ଯ୍ୟକୁ ଉଦ୍ଦେଶ କରି ।

ଯହିଁରେ କର୍ମକୁ କରି ସଂଯୋଗ ବୋଲି ।୧୭୧।

ଆମ୍ଭ ଦୁହିଁଙ୍କର ସୈନ୍ୟ ଯେଉଁ ଯୋଦ୍ଧା ମୁଖ୍ୟମାନେ

ସେମାନେ ଏ ପ୍ରୀତି କରନ୍ତୁ ପରସ୍ପର ।

ଏରୂପରେ ପ୍ରୋତ୍ସାହନ ଯହିଁରେ ହୁଅଇ ଜାଣ

ସେ ସନ୍ଧିର ନାମ ଅଟେ ପୁରୁଷାନ୍ତର ।

କିଛି ଭୂମି ମୂଳରେ ଦେଇ ।

ଉଗ୍ର ରିପୁ ପ୍ରୀତି କରି ଆଦିଷ୍ଟ ସେହି ।୧୭୨।

ଆପଣା ସୈନ୍ୟରେ କରି ଯେଉଁ ପ୍ରୀତିକି ଆଚରି

ତାର ନାମ ଅଣୁଦିଷ୍ଟ କହେ ପଣ୍ଡିତ ।

ଉପଗ୍ରହର ଲକ୍ଷଣ କହୁଥାଇ ତୁମ୍ଭେ ଶୁଣ

ଯହିଁରେ ସମସ୍ତ ଦେଇ ରଖେ ଜୀବିତ ।

ଦେଇ କଂସା ବାସନ ହୟ ।

ଯହିଁ ଶିଷ୍ଟ ପ୍ରାଣ ରଖି ସେ ପରିତ୍ରୟ ।୧୭୩।

 

ସମୁଦ୍ର ସମ୍ବନ୍ଧି ଦ୍ୱୀପ ଦେଇ ଯାହା କରେ ନୃପ

ସେ ସନ୍ଧି ଉଚ୍ଛିନ୍ନ ନାମ ବୋଲି ତୁ ଜାଣ ।

ସମସ୍ତ ଭୂମିକି ଦେଇ ଯେଉଁ ସନ୍ଧିକି କରଇ

ତାହାର ନାମ ତୁ ଜାଣ ପର ଭୂଷଣ ।

ପରିଚ୍ଛିନ୍ନ ଧନ କାନ୍ଧରେ ।

ବହି ଦେଇ ସ୍କନ୍ଧୋପନେୟ ସେ ଯହିଁରେ ।୧୭୪।

 

ଚକ୍ରବାକ କହେ ଶୁଣ କହୁଛି ମୁହିଁ ବଚନ

ଏ ଲୋକ ପରି ମୋହର ଏ ମୋ ଘରର ।

ଅଧୀର ଲୋକ ଯେ ତାର ଏ ଗଣନା ଯେ ଉଦାର

ଚରିତ ସମସ୍ତ ଜନ ହୁଏ ତାହାର ।

ଭେଦ ବୃଦ୍ଧି ଯେ ଲୋକ ହୋଇ ।

ସେ କାହାକୁ ନ ସହଇ କାହାକୁ ସହି ।୧୭୫।

 

ମାତୃ ପ୍ରାୟେ ପରଦାର ପର ଦ୍ରବ୍ୟ ଲେଷ୍ଟ୍ରକାର

ସର୍ବ ଲୋକମାନଙ୍କରେ ଅଣୁ ପରାଏ ।

ଯେ ଜାଣଇ ସେ ଧାର୍ମିକ ଏଥିରୁ ଅନ୍ୟ ନାସ୍ତିକ

ତୁମ୍ଭେ ମହା ଧାର୍ମିକ କି ଚାଲ ଅନ୍ୟାୟେ ।

ଏଠାରେ ଯେ ଆମ୍ଭର କାର୍ଯ୍ୟ ।

ତାହା ତୁମ୍ଭେ ଉପଦେଶ ଦିଅତ ଆଜ ।୧୭୬।

ଦୀର୍ଘଦର୍ଶୀ କହେ ବାଣୀ ଏରୂପେ କହ କି ପୁଣି

ଦେଖ ମନପୀଡ଼ା ବ୍ୟାଧି ପରିତ ପରେ ।

ଆଜି ଅବା କାଲି ପରି ଏ ଶରୀର ଯିବ ସରି

ସେ ଶରୀର ପାଇଁ କି କେ ଅଧର୍ମକରେ ।

ଯେ କରଇ ସେ ବଡ଼ ମୁର୍ଖ ।

ଦେଖ ତୁ ଯେଉଁ ଦେହରେ ଅନେକ ଦୁଃଖ ।୧୭୭।

ଦେହିମାନଙ୍କର ଜୀବ ସର୍ବଦା ତ ନ ରହିବ

ଜଳରେ ପ୍ରତିବିମ୍ବିତ ଚନ୍ଦ୍ର ପରାଏ ।

ଏହା ବିଚାର ସୁଜନ କରଇ ସଦା କଲ୍ୟାଣ

ଯାହା ଆଚରଣ କଲେ ଦେହ ନ ପାଏ ।

ମୃଗତୃଷ୍ଣା ସମ ଜଗତ ।

ଧର୍ମାନନ୍ଦଠାରେ ଦିଅ ସୁଜନେ ଚିତ୍ତ ।୧୭୮।

ତେଣୁ ମୋ ସମ୍ମତି ଘେନି କାର୍ଯ୍ୟ କର ତୁମ୍ଭେ ବେନି

ସହସ୍ର ଅଶ୍ୱମେଧକୁ ସତ୍ୟକୁ ଆଣି ।

ତୁଳରେ ଯେବେ ତୁଳିବ ସତ୍ୟ ସେ ଅଧିକ ହେବ

ଏଣୁ ସତ୍ୟ ଆଗକରି ଏ ରାଜ ବେନି ।

ଘେନି କରି କାଞ୍ଚନ ସନ୍ଧି ।

ଯେଉଁରୂପେ ଦୁଇ ମନ ହୋଇବ ଛନ୍ଦି ।୧୭୯।

ଚକ୍ରବାକ ବୋଲେ ହେଉ ତୁମ୍ଭେ ଯା କହିଲ ଆଉ

କେ ଆଜ ମନ୍ତ୍ରୀ କହିବ ମୁହିଁ ଜାଣଇଁ ।

ଏହା କହି ବସ୍ତ୍ର ରତ୍ନ କରେ ଘେନି ଅତି ଯତ୍ନ

କରି ସେ ଦରୂଦର୍ଶୀ ମନ୍ତ୍ରୀକି ପୂଜଇ ।

ଗୃଧ୍ର ଦୁଷ୍ଟଚିତ୍ତ ହୋଇଲା ।

ଚକ୍ରବାକ ଘେନି ବର୍ହି ସନ୍ନିଧେ ଗଲା ।୧୮୦।

ଏଥୁଅନ୍ତେ ଚିତ୍ରବର୍ଣ୍ଣ ଶୁଣିଣ ଗୃଧ୍ର ବଚନ

ସର୍ବଜ୍ଞ ମନ୍ତ୍ରିକ ବହୁ ସତ୍କାର କଲା ।

ସଙ୍ଗେ ସମ୍ଭାଷଣ କରି ସନ୍ଧିକି ସ୍ୱୀକାର କରି

ଶିଷ୍ଟ ଲୋକ ସଙ୍ଗେ ଦେଇ ମେଲାଣି କଲା ।

ଚକ୍ରବାକ ହୋଇ ସନ୍ତୋଷ ।

ରାଜହଂସ କଟକରେ ହେଲା ପ୍ରବେଶ ।୧୮୧।

ଦୂରଦର୍ଶୀ ରାଜା ଅଗ୍ରେ କହଇ ଅତ୍ୟନ୍ତ ବ୍ୟଗ୍ରେ

ଆମ୍ଭମାନଙ୍କର କାର୍ଯ୍ୟ ସିଦ୍ଧ ହୋଇଲା ।

ବର୍ତ୍ତମାନ ବିନ୍ଧ୍ୟାଚଳ ଯିବା ଚଞ୍ଚଳରେ ଚାଲ

ଏମନ୍ତ ଶୁଣିଣ ରାଜା ଚାଲ ବୋଇଲା ।

ସ୍ୱ ସ୍ଥାନେ ପ୍ରବେଶ ହୋଇଲେ ।

ସର୍ବେ ମନୋରଥ ପାଇ ସୁଖେ ରହିଲେ ।୧୮୨।

 

ବିଷ୍ଣୁଶର୍ମା କହେ ତୁମ୍ଭେ ଆଉ କି ପଚାର ଆମ୍ଭେ

କହିବୁ ଏମନ୍ତ ଶୁଣି ରାଜ ତନୟ ।

କହନ୍ତି ହେ ଦ୍ୱିଜବର ଜାଣିଣ ରାଜ ବେଭାର

ଆମ୍ଭେମାନେ ସୁଖୀ ହେଲୁଁ ହୁଅ ସଦୟ ।

ବିଷ୍ଣୁଶର୍ମା ପୁଣି ବଚନ ।

କହିଲେ ତୁମ୍ଭର ମନେ ରହୁ ଏମାନ ।୧୮୩।

 

ଯେ କେହି ପଣ୍ଡିତଜନେ ଏ କଥା ଧରିଣ ମନେ

କଣ୍ଠରେ ସର୍ବଦା ଧରିଅଛନ୍ତି ସେହି ।

ସଭାର ମଧ୍ୟରେ ଥାଇ ରାଜାଠାରେ ପୂଜା ପାଇ

ନିତ୍ୟାନନ୍ଦ ରୂପ ହୋଇ ବସନ୍ତି ସେହି ।

ଏହି କଥା ଯେହୁ ଶୁଣଇ ।

ଦୁର୍ବୁଦ୍ଧି ସେ ହୋଇଥିଲେ ସୁବୁଦ୍ଧି ହୋଇ ।୧୮୪।

 

ଇତି ଶ୍ରୀ ହିତୋପଦେଶେ ନୀତିସାରେ ସନ୍ଧି କଥନେ

ଚତୁର୍ଥ କଥା ସଂଗ୍ରହଃ

Image